Unknown

 

 

 

 

 

 

 

 

 

 

 

ପ୍ରବନ୍ଧ ଚୟନ

ପ୍ରାଧ୍ୟାପକ ଡକ୍ଟର କାହ୍ନୁ ଚରଣ ମିଶ୍ର

 

ସୂଚୀପତ୍ର

 

୧.

ସାହିତ୍ୟ ସମସ୍ୟା

ଗିରିଜାଶଙ୍କର ରାୟ

୨.

ଛାତ୍ରଧର୍ମ ବିଚାର

ଅଧ୍ୟାପକ ରତ୍ନାକର ପତି

୩.

ସମାଜ ଉପରେ ସାହିତ୍ୟର ପ୍ରଭାବ

ଡକ୍ଟର ହରେକୃଷ୍ଣ ମହତାବ

୪.

ଶିକ୍ଷା ଓ ସାହିତ୍ୟ

ଶତ୍ରୁଘ୍ନ ନାଥ

୫.

ଗଣତନ୍ତ୍ର ଶାସନ

ବୈଦ୍ୟନାଥ ମିଶ୍ର

୬.

ଧର୍ମ ଓ ମାନସିକ ସ୍ୱାସ୍ଥ୍ୟ

ରବୀନ୍ଦ୍ରନାଥ କାନୁନ୍‌ଗୋ

୭.

ମାନସିକ ଦ୍ୱନ୍ଦ

ଡକ୍ଟର ରାଧାନାଥ ରଥ

୮.

ବିପ୍ଲବ

ଚିତ୍ତରଞ୍ଜନ ଦାସ

୯.

ପରୋପକାର ପ୍ରବୃତ୍ତି

ଶଶିଭୂଷଣ ରାୟ

୧୦.

ଗୁରୁ ଓ ଶିଷ୍ୟ

ଅଧ୍ୟାପକ ବିପିନ ବିହାରୀ ରାୟ

୧୧.

ସମାଲୋଚନା ଓ ସ୍ୱାତନ୍ତ୍ର୍ୟ

ବ୍ରଜବିହାରୀ ମହାନ୍ତି

୧୨.

ସୌନ୍ଦର୍ଯ୍ୟ-ପ୍ରକାଶ

ଡାକ୍ତର ଜୟକୃଷ୍ଣ ମହାନ୍ତି

୧୩.

କନ୍ୟାକୁମାରୀ

ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

୧୪.

ମଣିଷ ଓ ମନ

ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ

Image

 

ପ୍ରବନ୍ଧ ସାହିତ୍ୟ

 

କୌଣସି ବିଶିଷ୍ଟ ବିଷୟ ଉପରେ ସୁବିସ୍ତୃତ ବିବେଚନାତ୍ମକ ରଚନାକୁ ପ୍ରବନ୍ଧ ବା ନିବନ୍ଧ ବୋଲି କୁହାଯାଏ । ଏଥିରେ ଲେଖକ ତାହାର ବୁଦ୍ଧିବୃତ୍ତି ଓ ବିଚାର-କୌଶଳ ଉତ୍ତମରୂପେ ପ୍ରୟୋଗ କରିଥାଏ । ଇଂରେଜୀ ସମାଲୋଚକ ସେଣ୍ଟ୍ସବରି (Saintsbury) ପ୍ରବନ୍ଧ ସାହିତ୍ୟକୁ ‘A work of prose art’ ବୋଲି କହିଅଛନ୍ତି । ପ୍ରବନ୍ଧ-ସାହିତ୍ୟରେ ଲେଖକର ଭାଷା ବିଷୟାନୁସାରୀ, ଭାବୋଦ୍ଦୀପକ ଓ ମନୋଜ୍ଞ ହେବା ଉଚିତ । ଉତ୍କୃଷ୍ଟ ନିବନ୍ଧରେ ବିଚାରଧାରାରେ ପରସ୍ପର ସଙ୍ଗତ ରହିଥାଏ ଓ ପ୍ରତ୍ୟେକ ବିଚାରଧାରା ଏକତ୍ର ହୋଇ ପରିଶେଷରେ ପାଠକକୁ କୌଣସି ଏକ ବିଶିଷ୍ଟ ଭାବନାରେ ଉପନୀତ କରାଇଥାଏ । ନିବନ୍ଧ ଅଧିକ ବିସ୍ତୃତ ନହେବା ଉଚିତ ଓ ବସ୍ତୁର ବିବେଚନା ବାସ୍ତବଧର୍ମୀ ହେବା ବିଧେୟ ।

 

ପ୍ରବନ୍ଧ ସାହିତ୍ୟକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ– (୧) କଥା ବା ବିଷୟାତ୍ମକ (Narrative), (୨) ବର୍ଣ୍ଣନାତ୍ମକ (Descriptive), (୩) ଭାବାତ୍ମକ (Reflective) । କଥା ବା ବିଷୟାତ୍ମକ ପ୍ରବନ୍ଧରେ ଚତୁର କଥାବିନ୍ୟାସ ପ୍ରଣାଳୀ ବିଳସିତ ହୋଇଥାଏ । ବର୍ଣ୍ଣନାତ୍ମକ ନିବନ୍ଧରେ ପ୍ରକୃତି-ବର୍ଣ୍ଣନା, ଯାତ୍ରା-ବର୍ଣ୍ଣନା, ଯୁଦ୍ଧ-ବର୍ଣ୍ଣନା ବା ଅନ୍ୟ କୌଣସି ବିଶିଷ୍ଟ ଘଟଣାର ବର୍ଣ୍ଣନା କରାଯାଇଥାଏ । ସାଧାରଣତଃ କୌଣସି ଦୃଶ୍ୟ, ବସ୍ତୁ ଓ ଘଟଣାକୁ ନେଇ ବର୍ଣ୍ଣନାତ୍ମକ ପ୍ରବନ୍ଧ ଲେଖାଯାଇଥାଏ । ଏଥିନିମନ୍ତେ ଲେଖକର ଅନୁଭୂତି ଓ ବିଷୟଗତ ପୂର୍ଣ୍ଣଜ୍ଞାନ ଅପରିହାର୍ଯ୍ୟ । ବର୍ଣ୍ଣନାତ୍ମକ ପ୍ରବନ୍ଧର ରଚନାଶୈଳୀ କୋମଳ ଓ ଲଳିତ ହେବା ବିଧେୟ । ଭାବାତ୍ମକ ପ୍ରବନ୍ଧରେ ପ୍ରେମ, ତ୍ୟାଗ, ସଂଯମ ଓ ଶୃଙ୍ଖଳା ପ୍ରଭୃତି ବିଷୟ ପ୍ରଧାନ ଭାବରେ ସ୍ଥାନଲାଭ କରିଥାଏ । ଏହି ପ୍ରକାର ପ୍ରବନ୍ଧରେ ଗଭୀର ବିବେଚନା ଓ ପ୍ରଜ୍ଞା ପ୍ରଧାନତଃ ପରିଦୃଷ୍ଟ ହୋଇଥାଏ । ଯେଉଁ ବିଷୟ ଉପରେ ଏହି ପ୍ରବନ୍ଧ ଲେଖାଯାଇଥାଏ, ତହିଁରେ ଲେଖକର ସମ୍ପୂର୍ଣ୍ଣ ଯୁକ୍ତିସଙ୍ଗତ ବ୍ୟାଖ୍ୟା ରହିବା ସ୍ୱାଭାବିକ ।

 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ସାହିତ୍ୟ ନଥିଲା । ପ୍ରବନ୍ଧ ସାହିତ୍ୟ ଆଧୁନିକ ସାହିତ୍ୟର ଏକ ଅଭିନବ ଆଭିମୁଖ୍ୟ । କବିବର ରାଧାନାଥ ପ୍ରାବନ୍ଧିକ ନ ହେଲେ ମଧ୍ୟ ତାଙ୍କର ‘ବିବେକୀ’ ସେ ସମୟର ସର୍ବପ୍ରଥମ ଭାବାତ୍ମକ ବା ବିଚାରାତ୍ମକ ନିବନ୍ଧ । ‘ବିବେକୀ’ର ରଚନା ସମୟ ହେଉଛି ୧୮୭୩ ମସିହା । ଭକ୍ତକବି ମଧୁସୂଦନ ଓଡ଼ିଆ ଗଦ୍ୟସାହିତ୍ୟ ତଥା ପ୍ରବନ୍ଧ ସାହିତ୍ୟରେ ବଳିଷ୍ଠ ଲେଖନୀ ଚାଳନା କରି ଅନେକ ସୁନ୍ଦର ପ୍ରବନ୍ଧ ତତ୍କାଳୀନ ଓଡ଼ିଆ ସାହିତ୍ୟକୁ ମଧ୍ୟ ପ୍ରଦାନ କରିଯାଇଅଛନ୍ତି । ତାଙ୍କର ପ୍ରବନ୍ଧମାଳା, ‘ସାହିତ୍ୟକୁସୁମ’ ଓ ‘ସାହିତ୍ୟ ପ୍ରସଙ୍ଗ’ସ୍ଥ ଅନେକ ବର୍ଣ୍ଣନାତ୍ମକ ପ୍ରବନ୍ଧ ଅର୍ଦ୍ଧଶତାଧିକ ବର୍ଷ ଧରି ଓଡ଼ିଶାର ଶିକ୍ଷିତ ସମାଜର ଭାବଧାରାକୁ ଯେ ପ୍ରଭାବିତ କରିଥିଲା, କହିବା ବାହୁଲ୍ୟ ହେବ ।

 

ଏହି ସମୟରେ କ୍ରମେ ‘ଉତ୍କଳ ମଧୂପ’, ‘ଉତ୍କଳ ଦୀପିକା’, ‘ଉତ୍କଳ ସାହିତ୍ୟ’, ‘ମୁକୁର’ ଓ ସତ୍ୟବାଦୀ’ ପ୍ରଭୃତି ବହୁ ସାହିତ୍ୟିକ ପତ୍ରପତ୍ରିକା ପ୍ରକାଶ ପାଇଲା ଓ ସେହି ସମସାମୟିକ ପତ୍ରିକା ମାଧ୍ୟମରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ପରିଦୃଷ୍ଟ ଲାଭକଲା । ଐତିହାସିକ, ସାହିତ୍ୟିକ, ସମାଲୋଚନାମୂଳକ, ବର୍ଣ୍ଣନାତ୍ମକ, ବୈଜ୍ଞାନିକ ଓ ଦାର୍ଶନିକ ପ୍ରବନ୍ଧାବଳୀ ବହୁସଂଖ୍ୟାରେ ପ୍ରକାଶ ପାଇ ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ସାହିତ୍ୟର ଅଭାବକୁ ବିଦୂରିତ କଲା । ଏହି ସମୟରୁ ବିଭିନ୍ନ ପ୍ରାବନ୍ଧିକଙ୍କ ମଧ୍ୟରେ ସ୍ୱର୍ଗତ ବିଶ୍ୱନାଥ କର ଓ ଶଶିଭୂଷଣ ରାୟ ହେଉଛନ୍ତି ଅଗ୍ରଗଣ୍ୟ । ‘ଉତ୍କଳ ସାହିତ୍ୟ’ ତତ୍କାଳୀନ ସାହିତ୍ୟିକ ପତ୍ରପତ୍ରିକା ମଧ୍ୟରେ ଅନେକ ବର୍ଷ ପର୍ଯ୍ୟନ୍ତ ଏକ ଷ୍ଟାଣ୍ଡାର୍ଡ (Standard) ଓଡ଼ିଆ ପତ୍ରିକା ଥିଲା ଓ ତନ୍ମଧ୍ୟରେ ବିଶେଷକରି ବିଶ୍ୱନାଥ କର ଓ ଶଶିଭୂଷଣ ରାୟଙ୍କର ସମୁଚ୍ଚ ଚିନ୍ତାପ୍ରସୂତ ଅସଂଖ୍ୟ ପ୍ରବନ୍ଧ ପ୍ରକାଶ ଲାଭ କରିଥିଲା । ଏହିସବୁ ପ୍ରବନ୍ଧ ମଧ୍ୟରେ ଅଧିକାଂଶ ଆମ୍ଭେମାନେ ବିଶ୍ୱନାଥ କରଙ୍କର ‘ବିବିଧ ପ୍ରବନ୍ଧ’ ଓ ଶଶିଭୂଷଣ ରାୟଙ୍କର ‘ପ୍ରବନ୍ଧ ପ୍ରବାହ’ ଓ ‘ଶିକ୍ଷା’ ପୁସ୍ତକରେ ଦେଖିବାକୁ ପାଇଥାଉଁ ।

 

ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ବିଶ୍ୱନାଥ କର ଓ ଶଶିଭୂଷଣ ରାୟଙ୍କ ବ୍ୟତୀତ ମୃତ୍ୟୁଞ୍ଜୟ ରଥ, ଚିନ୍ତାମଣି ଆଚାର୍ଯ୍ୟ, କୃଷ୍ଣପ୍ରସାଦ ଚୌଧୁରୀ, ଜଳନ୍ଧର ଦେବ, ଜଗବନ୍ଧୁ ସିଂହ ଓ ଗୋପାଳଚନ୍ଦ୍ର ପ୍ରହରାଜ ପ୍ରଭୃତି ସାହିତ୍ୟକଙ୍କର ଉଚ୍ଚାଙ୍ଗ ପ୍ରବନ୍ଧ ତତ୍‌କାଳୀନ ଉତ୍କଳ ସାହିତ୍ୟର ପୃଷ୍ଠାକୁ ଗୌରବାନ୍ୱିତ କରିଥିଲା ।

 

ସତ୍ୟବାଦୀ ଯୁଗରେ ମଧ୍ୟ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ପରିପୃଷ୍ଟ ସାଧିତ ହୋଇଥିଲା । ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ, ଓଡ଼ିଆ ପ୍ରବନ୍ଧ ଓ ସାହିତ୍ୟରେ ନୂତନ ଶୈଳୀ ପ୍ରବର୍ତ୍ତନ କରି ଓଡ଼ିଆ ଗଦ୍ୟ ତଥା ପ୍ରବନ୍ଧ ସାହିତ୍ୟର ଅଭିବୃଦ୍ଧିରେ ସହାୟତା କରିଥିଲେ । ଏହି ଲେଖକମାନଙ୍କ ମଧ୍ୟରେ ପଣ୍ଡିତ ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କର ପ୍ରବନ୍ଧ ସମୂହ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଯୁଗାନ୍ତକାରୀ ସୃଷ୍ଟି । ପଣ୍ଡିତ ନୀଳକଣ୍ଠଙ୍କର ଅମର ଅବଦାନ ‘ଆର୍ଯ୍ୟଜୀବନ’, ଭାଷାସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ବହୁ ନିବନ୍ଧ ତାଙ୍କର ବଳିଷ୍ଠ ଚିନ୍ତାଧାରା ଓ ନିଜତ୍ୱ ନେଇ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଚିରଦିନ ପାଇଁ ଅଧିକାର କରି ରହିବ । ଅନ୍ୟଦିଗରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ‘ସତ୍ୟବାଦୀ’ ଓ ‘ସମାଜ’ର ସମ୍ପାଦକୀୟ ସ୍ତମ୍ଭରେ ଏକ ସରଳ ଓଡ଼ିଆ ଗଦ୍ୟସାହିତ୍ୟ ତଥା ପ୍ରବନ୍ଧ ସାହିତ୍ୟରେ ସଙ୍କେତ ପ୍ରଦାନ କଲେ । ସେତେବେଳେ ଦଶାତ୍ମବୋଧ ଓ ସମସ୍ୟାମୂଳକ ବହୁ ପ୍ରବନ୍ଧ ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ପ୍ରଭୃତି ଲେଖକମାନଙ୍କର ଲେଖନୀରୁ ନିସୃତ ହୋଇଥିଲା । ସ୍ୱର୍ଗତ ମୋହନୀ ମୋହନ, ଅଧ୍ୟାପକ ରତ୍ନାକର ପତି, ଅଧ୍ୟାପକ ଶ୍ରୀ ବିପିନବିହାରୀ ରାୟ ପ୍ରଭୃତି ଦର୍ଶନ ବିଭାଗର ଅଧ୍ୟାପକ ବହୁ ଭାବାତ୍ମକ ପ୍ରବନ୍ଧରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଗୌରବାନ୍ୱିତ କରିଅଛନ୍ତି-

 

ସାଂପ୍ରତିକ ସଡ଼ିଆ ସାହିତ୍ୟ କହିଲେ ପତ୍ରପତ୍ରିକା ଓ ଆଲୋଚନା ସାହିତ୍ୟର ଯୁଗରେ ଏହା ସୀମାବଦ୍ଧ । ବର୍ତ୍ତମାନ ସାହିତ୍ୟକ୍ଷେତ୍ରରେ ବହୁ ଚିନ୍ତାଶୀଳ ଲେଖକଙ୍କର ପ୍ରବନ୍ଧ ଏତେ ପ୍ରକାଶ ପାଉଛି ଯେ ଏଠାରେ ସମସ୍ତଙ୍କର ନାମୋଲ୍ଲେଖ କରିବା ଅସମ୍ଭବ ମନେହୁଏ । ଐତିହାସିକ, ସାହିତ୍ୟିକ, ରାଜନୀତିକ, ସାମାଜିକ, ବୈଜ୍ଞାନିକ ଓ ସମାଲୋଚନାମୂଳକ ନିବନ୍ଧ ଆଜିର ପତ୍ରପତ୍ରିକାରେ ବହୁସଂଖ୍ୟାରେ ବହୁ ଲବ୍ଧପ୍ରତିଷ୍ଠ ସାହିତ୍ୟକଙ୍କର ସ୍ୱାକ୍ଷର ବହନ କରୁଛି । ଯେକୌଣସି ପତ୍ରପତ୍ରିକାରେ ଆମ୍ଭେମାନେ ନିବନ୍ଧ ରଚନାର ସଂଖ୍ୟା ସନ୍ତୋଷଜନକ ବୋଲି ଅନୁଭବ କରିଥାଉଁ । ଆଧୁନିକ ଓଡ଼ିଆ ସାହିତ୍ୟରେ ଗଳ୍ପ, ଉପନ୍ୟାସ ପରି ପ୍ରବନ୍ଧ ଓ ଆଲୋଚନା ସାହିତ୍ୟ ଅଧିକ ସଂଖ୍ୟାରେ ପ୍ରକାଶ ପାଇବାରେ ଲାଗିଛି ଓ ଆଧୁନିକ ଓଡ଼ିଆ ସାହିତ୍ୟ ଏତଦ୍ଦ୍ୱାରା ଯେ ପରିଦୃଷ୍ଟି ଲାଭ କରୁଛି, ଏଥିରେ ସନ୍ଦେହର ଅବକାଶ ନାହିଁ ।

Image

 

ସାହିତ୍ୟ ସମସ୍ୟା

(ଗିରିଜାଶଙ୍କର ରାୟ)

 

ସାହିତ୍ୟତ ଗତି ସ୍ୱଚ୍ଛନ୍ଦ । ସାହିତ୍ୟ ପ୍ରାଣରସରେ ପରିପୃଷ୍ଟ ହୋଇ ହୃଦୟ-କନ୍ଦରରୁ ସ୍ୱତଃ ଉତ୍ସାରିତ ହୁଏ । ଏଣୁ ଅନେକ ସମୟରେ ତାକୁ ନିୟନ୍ତ୍ରଣ କରିବା ଦ୍ୱାରା ତାହାର ସରସତା ନଷ୍ଟ ହୋଇଯାଏ; କିନ୍ତୁ ବର୍ତ୍ତମାନ ସାହିତ୍ୟକ୍ଷେତ୍ରରେ ନାନା ସମସ୍ୟା ଦେଖାଯାଉଅଛି; ବ୍ୟାପକ ଅନୁଶୀଳନର ପ୍ରୟୋଜନ ହେଉଅଛି, ଯଥେଷ୍ଟ ସୃଷ୍ଟିକୁ ନିୟନ୍ତ୍ରିତ କରି ଜାତିର କର୍ମଶକ୍ତିକୁ କଲ୍ୟାଣଧର୍ମୀ ଜ୍ଞାନପୃଷ୍ଟ ସାହିତ୍ୟ ସୃଷ୍ଟିରେ ନିୟୋଜିତ କରିବାର ଆବଶ୍ୟକତା ଦେଖାଦେଉଅଛି । ବାସ୍ତବରେ ବର୍ତ୍ତମାନ ଜୀବନସଂଯୋଗ ଅତି ବ୍ୟାପକ, ଧନ ଓ ଚିନ୍ତାର ଗତି ସୁଦୂରପ୍ରସାରୀ, କଳ୍ପନାରାଜ୍ୟ ଉପରେ ଜ୍ଞାନର ଆଧିପତ୍ୟ ଅତି ବିସ୍ତୃତ, ବ୍ୟକ୍ତି-ସ୍ୱାଧୀନତାର ଉତ୍ତେଜନାମୟ ଉଦ୍ଦାମତା ଅତି ପ୍ରକଟ । ଏହିସବୁ କାରଣରୁ ସାହିତ୍ୟକ୍ଷେତ୍ରରେ ଅରାଜକତା, ଅକାରଣ କର୍ମବ୍ୟସ୍ତତା, ଅଜ୍ଞାନତାଜନିତ ଆବିଳତା ଦେଖାଦେଇ ସାହିତ୍ୟର ଗତିକୁ ମନ୍ଥର କରୁଅଛି ।

 

ସାହିତ୍ୟର ବର୍ତ୍ତମାନ ସମସ୍ୟା ବିଷୟରେ କିନ୍ତୁ ସମସ୍ତଙ୍କର ପରିଷ୍କାର ଧାରଣା ନାହିଁ । ଅନେକେ ମନେ କରୁଅଛନ୍ତି ଯେ, ସାହିତ୍ୟ ଯଥାସମ୍ଭବ ଦ୍ରୁତଗତିରେ ଜୀବନକୁ ଅନୁସରଣ କରିପାରୁ ନାହିଁ । ଜୀବନର ଅଗ୍ରଗତି ନିମନ୍ତେ ପଥ ନିର୍ଦ୍ଦେଶ କରିପାରୁ ନାହିଁ । ନୂତନ ସ୍ୱରର ପ୍ରାଣସ୍ପର୍ଶୀ ମୂର୍ଚ୍ଛନାରେ ଜୀବନକୁ ଆୟତ୍ତ କରିବାକୁ ଚେଷ୍ଟା କରୁନାହିଁ । ପୂର୍ବେ ସାହିତ୍ୟକ ସୃଷ୍ଟିଶ୍ଲଥ ଜୀବନର ପଥ ନିର୍ଦ୍ଦେଶ କରିପାରୁଥିଲା, ଲୀଳାୟିତ ଜୀବନକୁ ବ୍ୟାଖ୍ୟାସମନ୍ୱିତ କରି ସହଜବୋଧ୍ୟ କରୁଥିଲା, ଉପଦ୍ରୁତ ଜୀବନ ସମସ୍ୟା ସମାଧାନର ପଥ ସମାଜ ସମ୍ମୁଖରେ ଉପସ୍ଥାପିତ କରୁଥିଲା, କିନ୍ତୁ ବର୍ତ୍ତମାନ ଜୀବନର ଗତି ଅତି ପ୍ରଖର । ସାହିତ୍ୟ ଏହା ସହ ପଦକ୍ଷେପ କରିପାରୁନାହିଁ । ଏଣୁ ଜୀବନର ବ୍ୟାଖ୍ୟା ଦେବା ଦୂରେଥାଉ ଜୀବନର ଚିତ୍ର ମଧ୍ୟ ଦେବାକୁ ଅପାରଗ ହେଉଅଛି । ଏଣୁ ସମସ୍ତେ କ୍ଷୁବ୍ଧ, ସମସ୍ତେ ଅସନ୍ତୁଷ୍ଟ, କିନ୍ତୁ ସମାଧାନର ପଥ ନିର୍ଦ୍ଦେଶ କରିବାକୁ ମଧ୍ୟ ଅକ୍ଷମ ।

 

ସାହିତ୍ୟ ଗୋଟିଏ ସୃଷ୍ଟି, ଏହା ଚିନ୍ତାଧାରାର ଆନନ୍ଦମୟ ପ୍ରକାଶ । ଏହା ସୃଷ୍ଟିର ନାନା ଉଦ୍ଦେଶ୍ୟ ବା ଧର୍ମ ବା ଉତ୍ସ ଥାଇପାରେ; କିନ୍ତୁ ଏହି ଦୃଷ୍ଟି ଫଳରେ ସାହିତ୍ୟ ବା ଆତ୍ମୀୟତା ବୃଦ୍ଧିପାଏ, ଅନ୍ୟର ହୃଦୟ ମଧ୍ୟରେ ପ୍ରବେଶ କରିବା ସହଜ ହୁଏ ଓ ଆନନ୍ଦର ବିକିରଣ ଦ୍ୱାରା ମନୁଷ୍ୟ ଓ ପ୍ରକୃତି ଓ ପରମେଶ୍ୱରଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇପାରେ; କିନ୍ତୁ ଅନ୍ୟ ସହିତ ସମ୍ପର୍କ ସ୍ଥାପନ କରିବାକୁ ହେଲେ ତାହାର ସମ୍ପୂର୍ଣ୍ଣ ପରିଚୟ ପାଇବାକୁ ହେବ । ତାକୁ ଯଥାଯଥ ଭାବରେ ବିଶ୍ଲେଷଣ କରି ଦେଖିବାକୁ ହେବ । ଏହା ଅନୁଶୀଳନ ଦ୍ୱାରା ହିଁ ସମ୍ଭବ । ଅନୁଶୀଳନ ସୃଷ୍ଟି ନୁହେଁ, ମାତ୍ର ତାହା ସୃଷ୍ଟିର ସହାୟକ; ତାହା ସୃଷ୍ଟିର ନିୟନ୍ତ୍ରକ ନୁହେଁ ମାତ୍ର ସୃଷ୍ଟିର ପ୍ରସାରକ ।

 

ଓଡ଼ିଆ ସାହିତ୍ୟର ପ୍ରଥମ ସମସ୍ୟା-ତାହା ଭାରତର ଅନ୍ୟାନ୍ୟ ସାହିତ୍ୟ ସହିତ ସମ୍ପର୍କ ରଖିପାରୁ ନାହିଁ । ଅନ୍ୟାନ୍ୟ ସାହିତ୍ୟ ଭଳି ଦ୍ରୁତ ଅଗ୍ରସର ହୋଇପାରୁ ନାହିଁ; ଓଡ଼ିଆ ସାହିତ୍ୟର ପରିମାଣଗତ ଓ ଗୁଣଗତ ପ୍ରସାର ଯଥେଷ୍ଟ ବିବେଚିତ ହୋଇ ପାରୁନାହିଁ । ସାହିତ୍ୟର ପରିମାଣଗତ ପ୍ରସାର ନ ବଢ଼ିଲେ ଗୁଣଗତ ପ୍ରସାର ଅସମ୍ଭବ । ଦେଶରେ ପ୍ରତିବର୍ଷ ୩ କୋଟି ଲୋକ ବଢ଼ିଲେ ସେହି ସଂଖ୍ୟା ମଧ୍ୟରୁ ୨୦/୨୫ ବର୍ଷ ପରେ ହୁଏତ ୩୦୦ ଜଣ ଉଚ୍ଚକୋଟିର ଲୋକ ବାହାରି ଦେଶରେ ମୂଖୋଜ୍ଜ୍ଵଳ କରିବେ । ପ୍ରାକୃତିକ ନିୟମରେ ବହୁ ସଂଖ୍ୟାବୃଦ୍ଧି ହେଲେ ଅଳ୍ପ କେତେକ ସ୍ଥଳରେ ଗୁଣଗତ ଉତ୍କର୍ଷ ସମ୍ଭବ ହୋଇପାରେ । ଗୁଣଗତ ପ୍ରସାର ପ୍ରତିଭାସାପେକ୍ଷ, ଏହା ଐଶ୍ୱରିକ ଦାନ, ପରିମାଣଗତ ପ୍ରସାର ସାଧାରଣ କର୍ମପ୍ରଚେଷ୍ଟାସମ୍ଭୁତ ବହୁ ବ୍ୟକ୍ତିର ବହୁମୁଖୀ କର୍ମ ପ୍ରଚେଷ୍ଟାର ପରିମାଣ; ଏହା ଅକ୍ଲାନ୍ତ ଅନୁଶୀଳନୀର କଷ୍ଟାର୍ଜିତ ଫଳ । ଅନ୍ୟାନ୍ୟ ସାହିତ୍ୟର ଉତ୍କୃଷ୍ଟ ବହିର ସ୍ୱଚ୍ଛନ୍ଦ ଅନୁବାଦ କରିବାକୁ ହେବ, ଅନ୍ୟାନ୍ୟ ସାହିତ୍ୟ ସହିତ ପରିଚୟ ନିବିଡ଼ତର କରିବାକୁ ହେବ, ବିଶ୍ୱର ଭାବଧାରାକୁ ଆୟତ୍ତ କରିବାକୁ ହେବ, ପ୍ରାଚୀନ ସାହିତ୍ୟର ଚର୍ଚ୍ଚାକୁ ଯୁଗୋପଯୋଗୀ କରିବାକୁ ହେବ, ଦେଶର ଲୁପ୍ତ ଅବହେଳିତ ସାହିତ୍ୟର ସନ୍ଧାନ କରି ସେ ସମସ୍ତକୁ ପୁନରୁଜୀବିତ କରିବାକୁ ହେବ, ପୁଣି ଏସବୁର ମୂଲ୍ୟବାନ ବିଷୟରେ ଯଥାଯଥ ଆଲୋଚନା କରିବାକୁ ହେବ । ସଂକଳନ ପ୍ରୟୋଜନ, ଜ୍ଞାନକୋଷର ପ୍ରୟୋଜନ, ପ୍ରକୀର୍ଣ୍ଣ କୋଷର ପ୍ରୟୋଜନ, ଅଭିଧାନ ପ୍ରୟୋଜନ, ଅନୁବାଦ ପ୍ରୟୋଜନ, ଅନୁସନ୍ଧାନ ପ୍ରୟୋଜନ ଇତିହାସ ପ୍ରୟୋଜନ, ସମାଲୋଚନା ପ୍ରୟୋଜନ, ବ୍ୟାଖ୍ୟା ପ୍ରୟୋଜନ ଏବଂ ସୁବିନ୍ୟସ୍ତ ଉପାଦାନ ସଂଗ୍ରହ ପ୍ରୟୋଜନ । ଏ ସମସ୍ତ ପୁଣି ବହୁ ସଂଖ୍ୟାରେ, ବହୁ ପରିମାଣରେ ଅତିଶୀଘ୍ର ପ୍ରୟୋଜନ-କୌଣସି ସାହିତ୍ୟିକ ସଂସ୍ଥା ପ୍ରତିଭା ସୃଷ୍ଟି କରିପାରିବ ନାହିଁ, ସବୁକ୍ଷେତ୍ରରେ ପ୍ରତିଭାକୁ ସ୍ୱୀକୃତି ମଧ୍ୟ ଦେଇପାରିବ ନାହିଁ, କିନ୍ତୁ ସାହିତ୍ୟର ଉପାଦାନ ସୃଷ୍ଟିରେ ସହାୟକ ହେବ, ପରିମାଣଗତ ଅଭିବୃଦ୍ଧି ଦିଗରେ ସୁପରିକଳ୍ପିତ ସାହାଯ୍ୟ କରିପାରିବ । ବ୍ୟକ୍ତିଗତ କର୍ମପ୍ରଚେଷ୍ଟାଦ୍ୱାରା ଏହା କେବେହେଁ ସମ୍ଭବପର ହୋଇପାରିବ ନାହିଁ ।

 

ଓଡ଼ିଆ ସାହିତ୍ୟରେ ଗୋଟିଏ ପ୍ରଧାନ ସମସ୍ୟା ପ୍ରାଚୀନ ଓ ନବୀନ ମଧ୍ୟରେ ଦ୍ୱନ୍ଦ । ସାହିତ୍ୟରେ ଏହି ଦ୍ୱନ୍ଦ ବିପର୍ଯ୍ୟୟ ସୃଷ୍ଟି କରୁଅଛି । ଅନେକଙ୍କର ପ୍ରଗତି ଉପରେ ଆସ୍ଥା ନାହିଁ, ତେଣୁ ସେମାନେ ପ୍ରାଚୀନ ପ୍ରତି ସ୍ୱତଃ ଶ୍ରଦ୍ଧାନ୍ୱିତ । ଅନେକେ ପୁଣି ଉଦ୍ଦାମ ପ୍ରଗତି ଉପରେ ଅବିଶ୍ୱାସ ରଖି ପ୍ରାଚୀନକୁ ସମ୍ପୂର୍ଣ୍ଣ ଭାବରେ ଲୁପ୍ତ କରିଦେବାକୁ ଇଚ୍ଛୁକ । ଅନେକଙ୍କର ନୂତନ ପ୍ରତି ବିଦ୍ୱେଶ ସୁସ୍ପଷ୍ଟ, ଅନେକଙ୍କର ପ୍ରାଚୀନପ୍ରତି ବିତୃଷ୍ଣା ଅତି ପ୍ରକଟ । ଏହାଘେନି ଓଡ଼ିଆ ସାହିତ୍ୟରେ ଗୋଟିଏ ସମସ୍ୟାର ଉଦ୍ଭବ ହୋଇଅଛି । ବାସ୍ତବରେ ପୁରାତନକୁ ଭିତ୍ତିରୂପେ ବ୍ୟବହାର କରି ନୂତନ ସୃଷ୍ଟି କରିବା ହିଁ ଉଚିତ । ଭିତ୍ତି ନଥିଲେ କିମ୍ବା ଭିତ୍ତି ଅପପ୍ରସାରିତ ହେଲେ ସାହିତ୍ୟିକ ସୃଷ୍ଟି ଅନେକ କ୍ଷେତ୍ରରେ ଜାତୀୟତାର ଦୃଢ଼ ନିବଦ୍ଧ ହୋଇପାରେ ନାହିଁ କିନ୍ତୁ କେବଳ ଭିତ୍ତିସର୍ବସ୍ୱ ଘରେ ରହିବା ଯେପରି ଅସମ୍ଭବ, କେବଳ ପ୍ରଚୀନ ଐତିହ୍ୟକୁ ଅବଲମ୍ବନ କରି ସାହିତ୍ୟ ସୃଷ୍ଟି ମଧ୍ୟ ଏହିପରି ଅଯଥାର୍ଥ । ପ୍ରାଚୀନ ସାହିତ୍ୟରେ ଯାହା କିଛି ସାହିତ୍ୟଧର୍ମୀ, ପ୍ରାଣଧର୍ମୀ, ସୌନ୍ଦର୍ଯ୍ୟଦ୍ୟୋତକ, ସତ୍ୟର ପ୍ରକାଶକ, ତାକୁ ଯଦି ଆମ୍ଭେମାନେ ଅବହେଳା କରୁ, ତେବେ ଜାତୀୟ ସାହିତ୍ୟ ପରିପୃଷ୍ଟ ହୋଇପାରିବ ନାହିଁ । ଅନ୍ୟଦିଗରେ ଯଦି ନୂତନ ଭାବମାଧୂର୍ଯ୍ୟ, ନୂତନ ରୂପଭୂଷଣ, ନୂତନ ପ୍ରାଣପ୍ରାତୂର୍ଯ୍ୟ ପ୍ରଭୃତି ଦ୍ୱାରା ଅନୁପ୍ରାଣିତ ଯୁଗୋପଯୋଗୀ ଆବେଗପୁଷ୍ଟ ସାହିତ୍ୟ ସୃଷ୍ଟିରେ ବ୍ରତୀ ନ ହୋଇ ଅନ୍ୟାନ୍ୟ ଦେଶର ସାହିତ୍ୟିକମାନଙ୍କର ଅନୁଭୂତିମୁଖର ସାହିତ୍ୟ ସହିତ ପଦବିନ୍ୟାସ କରି ନପାରୁଁ, ତେବେ ଆମ୍ଭମାନଙ୍କର ସାହିତ୍ୟ ମଧ୍ୟ ପଙ୍ଗୁ ହୋଇଯିବ । ଏଥିନିମନ୍ତେ ସାହିତ୍ୟରେ ଉଦ୍ଦାମତା ସ୍ୱୀକାର କରିବାକୁ ହେବ । ଅମଡ଼ା ମାଡ଼ିବାର ସାହସ ସଞ୍ଚୟ କରିବାକୁ ହେବ, ଜୀବନକୁ ନୂତନ ଭାବଧାରା ସହିତ ପରିଚିତ କରାଇବାକୁ ହେବ ଓ ପାରିପାର୍ଶ୍ୱିକ ପରିବେଶକୁ ସ୍ୱୀକାର କରି ତହିଁରୁ ପ୍ରେରଣା ସଂଗ୍ରହ କରିବାକୁ ହେବ । ସାହିତ୍ୟ ସାଧନାରେ ଐତିହ୍ୟ ଅପରିହାର୍ଯ୍ୟ; ନୂତନକୁ ଆୟତ୍ତ କରିବା ମଧ୍ୟ ସର୍ବଥା ଆବଶ୍ୟକ । ପ୍ରାଚୀନ ସାହିତ୍ୟରେ ଯାହା ପ୍ରାଣଧର୍ମୀ, ତାହାର ସମ୍ୟକ ପରିଚୟ ଗ୍ରହଣ କରିବାକୁ ହେବ, ଯାହାକେବଳ ପରମ୍ପରାଗତ ଅଳଙ୍କରଣ, ତାହାର ବାହ୍ୟ ଆକାର ଦ୍ୱାରା ଅଭିଭୂତି ନ ହୋଇ ଅନ୍ତରସ୍ଥ ରତ୍ନର ଅନୁସନ୍ଧାନ କରିବାକୁ ହେବ । ଫେନିଳୋଚ୍ଛଳ ତରଙ୍ଗମାଳାର ଘାତପ୍ରତିଘାତଜନିତ ନିର୍ଘୋଷ ମଧ୍ୟରେ ରତ୍ନରାଜିର ଅନୁସନ୍ଧାନ ନ କରି ଅକମ୍ପ ଗଭୀରତା ମଧ୍ୟରେ (ସାହିତ୍ୟିକ ଦ୍ୟୁତିପୂର୍ଣ୍ଣ ଭାବନିଚୟର ସନ୍ଧାନ କରିବାକୁ ହେବ । ନାରୀଦେହର ସୌନ୍ଦର୍ଯ୍ୟ କେବଳ ଅଳଙ୍କାରରେ, ବସ୍ତ୍ରାଦି ବିଭୂଷଣରେ ନିହିତ ନୁହେଁ କିମ୍ବା ତାହାର କଙ୍କଳମାତ୍ର ଦେଖି ସୌନ୍ଦର୍ଯ୍ୟର କଳନା କରିହେବ ନାହିଁ । ଯାନ୍ତ୍ରିକ ସଭ୍ୟତାର ପରିବେଶରେ ତାହାର ଝୀନବସନ ମଧ୍ୟ ମାଧୁର୍ଯ୍ୟମଣ୍ଡିତ ବୋଲି ପ୍ରତୀୟମାନ ହେବ ନାହିଁ; ଅନ୍ୟଦିଗରେ କେବଳ ଉଦ୍ଦାମ ପ୍ରେମ ନିବେଦନରେ, ନାରୀତ୍ୱର ନିତ୍ୟ ଅବମାନନାରେ, ଯୌବନର ଫେନିଳ ଆବେଦନରେ ତାହାର ନିତ୍ୟ ସୌନ୍ଦର୍ଯ୍ୟ ଉପଲବ୍ଧି କରିହେବ ନାହିଁ । ନାରୀର ସୌନ୍ଦର୍ଯ୍ୟ ତାହାର ମାତୃତ୍ୱରେ, ତାହାର କମନୀୟତାରେ, କୋମଳ ସେବାପରାୟଣତାରେ, ଜୀବନପ୍ରବାହ ଅବିଚ୍ଛିନ୍ନ ରଖିବାରେ । ସେହିପରି ପ୍ରାଚୀନ ସାହିତ୍ୟର ସୌନ୍ଦର୍ଯ୍ୟ ତାହାର ବାଗ୍‌ବିଭୂତି ବା ଶବ୍ଦାଡ଼ମ୍ବରରେ ନିହିତ ନୁହେଁ, ତାହା ତାହାର ରସ ସଚେତନତାରେ ଜୀବନର ଦ୍ୱନ୍ଦ ମଧ୍ୟରେ ସ୍ଥିତଧୀ ହୋଇ ଆନନ୍ଦ ଉପଭୋଗ କ୍ଷମତାରେ ଓ ରୂପ ସମାହିତ ପ୍ରସାଦ ଗୁଣରେ । ପ୍ରକୃତିର ଚିତ୍ର ଏହି ସାହିତ୍ୟକୁ ଉଜ୍ଜୀବିତ କରିଅଛି, ଜୀବନର ଅକୁଣ୍ଠ ଉପଭୋଗ ଏହି ସାହିତ୍ୟକୁ ରସାନ୍ୱିତ କରିଅଛି, କିନ୍ତୁ ପରମ୍ପରା ବା କବିପ୍ରସିଦ୍ଧି ବା ଅଳଙ୍କାର ପ୍ରାଚୁର୍ଯ୍ୟ ଦ୍ୱାରା ଏହାର ସ୍ୱଚ୍ଛନ୍ଦ ପଦସଞ୍ଚାର ଅନେକ କ୍ଷେତ୍ରରେ ବ୍ୟାହତ ହୋଇଅଛି । ଏ ଦୃଷ୍ଟିରୁ ପ୍ରାଚୀନ ସାହିତ୍ୟର ଯଥାଯଥ ଅନୁଶୀଳନ ପ୍ରୟୋଜନ । ଅନ୍ୟଦିଗରେ ନୂତନ ସାହିତ୍ୟର ସାହିତ୍ୟିକ ମୂଲ୍ୟ ଓ ମାନ ମଧ୍ୟ ସେହିପରି ସ୍ଥିର କରିବାକୁ ହେବ । ଉଦ୍ଦେଶ୍ୟହୀନ ଗତିବେଗ, ରସହୀନ ଅତିମୁଖରତା, ଅର୍ଥହୀନ ଉଦ୍ଦାମତା, ସୀମାହୀନ ଯୌନ ଆବେଗକୁ ଏଡ଼ିଦେଇ ନୂତନ ସାହିତ୍ୟ ମଧ୍ୟରେ ପ୍ରାଣର ସ୍ପନ୍ଦନ ଦେଖିବାକୁ ହେବ । ଏହା ସୁକଠିନ, କାରଣ ଏହି ସାହିତ୍ୟ ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ବ୍ୟାପ୍ତ । ଆମ୍ଭମାନଙ୍କର ଦୃଷ୍ଟି ଅବରୁଦ୍ଧ କରି ଚତୁର୍ଦ୍ଦିଗରେ ପ୍ରସାରିତ । ଏଣୁ ଏହାର ଅତି ପ୍ରଖର ଦୀପ୍ତି ଅଗ୍ରାହ୍ୟ କରି ଏହାର ଅତ୍ୟୁଜ୍ଜ୍ୱକ ବର୍ଣ୍ଣାଳିକୁ ଅତିକ୍ରମ କରି, ଏହାର ଅତିମୁଖରତା ଦ୍ୱାରା ମୋହାବିଷ୍ଟ ନ ହୋଇ ଭବିଷ୍ୟତ କଲ୍ୟାଣଧର୍ମୀ ସାହିତ୍ୟର ଉପାଦାନ ସଂଗ୍ରହ କରିବା ସୁକଠିନ । ସାହିତ୍ୟିକ ମୂଲ୍ୟବୋଧ ବିଷୟରେ ସ୍ଥିର ଧାରଣା ନଥିଲେ, ସମାଲୋଚନା ଶକ୍ତି ଆହରଣ କରି ନିଜର ମନନଶୀଳତାକୁ ସବଳ କରିନପାରିଲେ ପ୍ରାଚୀନ ଓ ନୂତନ ମଧ୍ୟରେ ମୂଲ୍ୟବାନ ନିରୂପଣ କରିବାରେ ବ୍ରତୀ ହେବା ଅଶୋଭନ । ଆଜିକାଲି ଏ ଦିଗରେ ଯେଉଁ ସମସ୍ୟା ଉପୁଜିଅଛି ତାହା କେବଳ ବିରଞ୍ଜିତ ପ୍ରଚକ୍ଷୁର ବ୍ୟବହାରଜନିତ ସତ୍ୟ-ଦର୍ଶନର ଅପାରଗତାରେ, କିମ୍ବା କୃଷ୍ଣାବରକ ଦ୍ୱାରା କୃତ୍ରିମ ଅନ୍ଧତ୍ୱ ସୃଷ୍ଟି କରିବାର ମୂଢ଼ ପ୍ରୟାସରେ ସମ୍ଭବପର ହେଉଅଛି । ବ୍ୟାପକ ବିଦ୍ୟାଭ୍ୟାସ, ସହାନୁଭୂତି ପୂର୍ଣ୍ଣ ମନନଶୀଳତା, ଅକ୍ଲାନ୍ତ ଅନୁଶୀଳନ, ଜ୍ଞାନ ଆହରଣରେ ଅଦମ୍ୟ ଉତ୍ସାହ, ସଂଯତ ଚିନ୍ତାଧାରା ସୃଷ୍ଟିରେ ଆତ୍ମନିଷ୍ଠ ଜ୍ଞାନସେବା ଭିନ୍ନ ସାହିତ୍ୟିକ ମୂଲ୍ୟ ଓ ମାନ ନିରୂପଣ ଶକ୍ତି ସଞ୍ଜାତ ହୁଏ ନାହିଁ । ଏଥିପାଇଁ ଲୋଡ଼ା ପ୍ରାଚୁର୍ଯ୍ୟପୂର୍ଣ୍ଣ ବହୁ ଗ୍ରନ୍ଥସମୃଦ୍ଧ ଗ୍ରନ୍ଥାଗାର ଓ ସ୍ଥିତଧୀ ଚିନ୍ତାଶୀଳ ଜ୍ଞାନବୃଦ୍ଧ ପଥପ୍ରଦର୍ଶକ । ଏ ଦିଗରେ ମଧ୍ୟ ସାହିତ୍ୟ ଏକାଡ଼େମୀର ସାର୍ଥକତା ଓ କର୍ମତତ୍ପରତାର କ୍ଷେତ୍ର ରହିଅଛି । ଆଜିକାଲି ସତ୍ୟଦ୍ରଷ୍ଟାର ଅଭାବରୁ ସାହିତ୍ୟ-ସ୍ରଷ୍ଟାର ଅଭାବ ଲକ୍ଷିତ ହେଉଅଛି । ଏଣୁ ଅନୁଶୀଳନର କ୍ଷେତ୍ର ବ୍ୟାପକତର କରି ସାହିତ୍ୟ-ସୃଷ୍ଟିର ପ୍ରେରଣା ଦେବା ଏକମାତ୍ର ସମାଧାନ ବୋଲି ଗ୍ରହଣୀୟ ହୋଇପାରେ ।

 

ସାହିତ୍ୟର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ଆଜିକାଲି ଗୋଟିଏ ସମସ୍ୟା ଜାତ ହୋଇଅଛି । ଆଜିକାଲି ଜୀବନ ନାନା ଅଶାନ୍ତିକ୍ଲିଷ୍ଟ ନାନା ଅଭାବ-ବିବ୍ରତ, ନାନା ଉଦ୍‌ବେଗ-ପ୍ରପୀଡ଼ିତ; ଏଣୁ ଉଦ୍‌ବେଳ ଜୀବନରେ ସମତା ଆଣିବା ନିମନ୍ତେ ଏକ ଦିଗରେ ପ୍ରାଚୀନ ସାହିତ୍ୟର ପ୍ରଶମକ ଅହିଫେନ ପ୍ରୟୋଗ କରିବାର ବ୍ୟବସ୍ଥା ଦିଆଯାଏ । ଅନ୍ୟଦିଗରେ ନୁତନ ସାହିତ୍ୟର ଫେନୋଚ୍ଛଳ ଉନ୍ମାଦନାଜନକ ଆସବର ଆଶ୍ରୟ ଗ୍ରହଣ କରିବାର ଉପଦେଶ ମଧ୍ୟ ଦିଆଯାଏ, କିନ୍ତୁ ଏହି ଉଭୟ ମାଦକଦ୍ରବ୍ୟ ଜୀବନର ହାନିକର, ଜୀବନୀଶକ୍ତିର ଅପହାରକ । ସାହିତ୍ୟ ଜୀବନଧର୍ମୀ; ଯାହା ଅନ୍ୟକୁ ଉଜ୍ଜୀବିତ କରିପାରେ, ତାହା ହିଁ ସଞ୍ଜୀବିତ ରହିପାରେ, ଯାହା ଅନ୍ୟକୁ ବଞ୍ଚାଇରଖେ, ତାହା ହିଁ ବଞ୍ଚିରହିବାର ଦାବି କରିପାରେ । ଅଶାନ୍ତ ଜୀବନରେ ସାହିତ୍ୟ ମାଧ୍ୟମରେ ଏହି ବଞ୍ଚିରହିବାର ପ୍ରେରଣା ହିଁ ଜାତିପକ୍ଷରେ କଲ୍ୟାଣକର । ଜୀବନଯୁଦ୍ଧରୁ ପଳାୟନ କଲେ ମନୁଷ୍ୟ ବଞ୍ଚିରହିପାରେ, କିନ୍ତୁ ବଞ୍ଚାଇ ରଖିପାରେ ନାହିଁ । ଏଣୁ ପରିଶେଷରେ ନିଜକୁ ମଧ୍ୟ ବଞ୍ଚିତ କରେ । ଅହିଫେନ ସେବାଦ୍ୱାରା ଉନ୍ନିଦ୍ର ରାତ୍ରିର ଅବସାନ ଘଟିପାରେ, କିନ୍ତୁ ତଦ୍ୱାରା ଅବସାଦଜନିତ ଜୀବନ ହାନି ମଧ୍ୟ ସମ୍ଭବପର । ଅନ୍ୟ ଦିଗରେ ଉତ୍କଟ ଅଙ୍ଗବିକ୍ଷେପ, ଉଦ୍ଦେଶ୍ୟହୀନ ଅତି ପ୍ରଚେଷ୍ଟା, ଅସଂଯତ ଆବେଗାଭିଭୂତି ହେବା ମଧ୍ୟ ଜୀବନଯୁଦ୍ଧରେ ଜୟୀ ହେବାର ଉପାୟ ନୁହେଁ । ଜୀବନଯୁଦ୍ଧରେ ଜୟଲାଭ କରିବାକୁ ହେଲେ ମାନବିକତାର ମୂଲ୍ୟ ସମ୍ୟକ ଭାବରେ ଅନୁଧ୍ୟାନ କରିବାକୁ ହେବ । ରୋଗଶୋକ ପ୍ରପୀଡ଼ିତ ପୃଥିବୀରେ ଆମ୍ଭମାନଙ୍କର ଗର୍ବ ଆମ୍ଭେମାନେ ମନୁଷ୍ୟ, ଜରାମୃତ୍ୟୁ ଜର୍ଜ୍ଜରିତ ସଂସାରରେ ଆମ୍ଭମାନଙ୍କର ଗର୍ବ ଆମ୍ଭେମାନେ ଅମୃତର ପୁତ୍ର । ଦୁଃଖର ଘନାନ୍ଧକାର ତମସାର ପଶ୍ଚାତ୍‌ଦେଶରେ ଆମ୍ଭେମାନେ ଆଦିତ୍ୟବର୍ଣ୍ଣ ଜ୍ୟୋତିର୍ମୟ ପୁରୁଷର ସନ୍ଧାନ ପାଉଁ । ସାହିତ୍ୟରେ ଏହି ଜୀବନ ସତ୍ୟ ମାନବିକତାର ମର୍ଯ୍ୟାଦା ପ୍ରତିଷ୍ଠିତ ହେବାକୁ ହେବ । ମନୁଷ୍ୟ କେବଳ ହାସ୍ୟମୁଖର କୋମଳପ୍ରାଣ ରସାନ୍ୱିତ ଜୀବମାତ୍ର ନୁହେଁ । ତାହାର ବାକ୍ୟ କେବଳ ପରିହାସ ବିକଳ୍ପିତ ନୁହେଁ । ମନୁଷ୍ୟ କେବଳ ପ୍ରକୃତିର ଶୋଭା ଦେଖି ବିମୁଗ୍‌ଧ ପ୍ରାଣୀମାତ୍ର ନୁହେଁ ତାହାର ରୂପମୋହ କେବଳ ରୁପାନୁଭୂତିରେ ପର୍ଯ୍ୟବେସିତ ନୁହେଁ । ଯଦି ମନୁଷ୍ୟ ମଧ୍ୟରେ ଦେଶାତ୍ମବୋଧ ଜାଗ୍ରତ କରାଯାଇପାରେ, ଆଧ୍ୟାତ୍ମିକ ସତ୍ତାର ଉଦ୍‍-ବୋଧନ କରାଯାଇପାରେ, ଆଧ୍ୟାତ୍ମିକ ସତ୍ତାର ଉଦ୍‍-ବୋଧନ କରାଯାଇପାରେ, ଜନସହାନୁଭୂତି ପ୍ରତିଷ୍ଠିତ କରାଯାଇପାରେ, ତେବେ ଜୀବନଯୁଦ୍ଧରେ ସେ ଆତ୍ମପ୍ରତିଷ୍ଠ ହୋଇ ଜୟଲାଭ କରିବ । ମନୁଷ୍ୟ କେବଳ ଖାଦ୍ୟରେ ବଞ୍ଚେ ନାହିଁ । ହାସ୍ୟ-ପରିହାସ ଦ୍ୱାରା ବଞ୍ଚି ରହେ ନାହିଁ, କିମ୍ବା ବୃଥା ଗାମ୍ଭୀର୍ଯ୍ୟ ବା ଅଯଥା ଉଦାମତା ଦ୍ୱାରା ବଞ୍ଚି ରହିପାରେ ନାହିଁ । ଜୀବନ-ଯୁଦ୍ଧରେ ଜୟୀ ହେବାକୁ ହେଲେ ଜ୍ଞାନ ସହିତ ଆନନ୍ଦର ସମନ୍ୱୟ ପ୍ରୟୋଜନ । ରୋଗହେଲେ ଡାକ୍ତର କବିରାଜର ବୈଜ୍ଞାନିକ ସାହାଯ୍ୟ ପ୍ରୟୋଜନ, ଚିତ୍ତବିନୋଦନକାରୀ ପରିବେଶର ପ୍ରୟୋଜନ, କିନ୍ତୁ ତହିଁସଙ୍ଗେ ମାଆଙ୍କର ଅତନ୍ଦ୍ର ସ୍ନେହ, ପତ୍ନୀର ଅକ୍ଲାନ୍ତ ସେବାପରାୟଣତାର ମଧ୍ୟ ପ୍ରୟୋଜନ । ସାହିତ୍ୟରେ ଏହିପରି ଜ୍ଞାନ ଆନନ୍ଦ ଓ ମାନବିକତାର ସମନ୍ୱୟ ନ ଘଟିଲେ ସୁସ୍ଥ-ସାହିତ୍ୟ, ପ୍ରାଣବାନ-ସୃଷ୍ଟି ସମ୍ଭବପର ହେବନାହିଁ । ଆମ୍ଭେମାନେ ସାହିତ୍ୟ କ୍ଷେତ୍ରରେ ଏସବୁ ଭୁଲିଯାଇ ଅଯଥା ସମସ୍ୟାର ସୃଷ୍ଟି କରୁଁ । ଆମ୍ଭେମାନେ ଭୁଲିଯାଉଁ ଯେ ପୁରାତନ ସନାତନ ନ ହୋଇପାରେ, ନୂତନ ମଧ୍ୟ ଚିରନ୍ତନ ନ ହୋଇପାରେ, ଜୀବଧର୍ମୀ ହେଲେ ଯେ ଜୀବନ ହେବା ତାହା ନୁହେଁ, ଉଦ୍ଦାମ ଆବେଗ ଯେ ସର୍ବଥା ପ୍ରଗତିର ଦ୍ୟୋତକ ହେବ, ତାହା ମଧ୍ୟ ନୁହେଁ । ଜୀବନର ପ୍ରକୃଷ୍ଟ ପରିଚୟ ପାଇବା ଆବଶ୍ୟକ, ମାନବିକତା ବିଷୟରେ ସ୍ଥିର ଚିନ୍ତା ପ୍ରୟୋଜନ । ମନନଶୀଳତାଦ୍ୱାରା ଧାରାବାହିକତାର ସୀମା ରୂପାନ୍ତରଣର ଉଦ୍ଦେଶ୍ୟ ପ୍ରଭୃତି ବିଷୟରେ ସଦା ଜାଗ୍ରତ ଚିନ୍ତାଧାରା ସୃଷ୍ଟି କରିବା ପ୍ରୟୋଜନ । ବର୍ତ୍ତମାନ ଯୁଗରେ କଲ୍ୟାଣ ଶ୍ରମଧର୍ମୀ ସ୍ୱଳ୍ପାୟ ସୂସପ୍ରସ୍ମାତ ଆନନ୍ଦଧର୍ମୀ ମାତ୍ର ନୁହେଁ । ଏଣୁ ସାହିତ୍ୟ ମଧ୍ୟରେ ଶ୍ରମିକର ମର୍ଯ୍ୟାଦା ରକ୍ଷାକରି ଓ ତାଙ୍କର ଜୀବନ ମଧ୍ୟରେ ମାନବିକତାର ପ୍ରତିଷ୍ଠା କରି ଦୁଃଖଦୟୀ ଚିରନ୍ତନ କଲ୍ୟାଣର ଇଙ୍ଗିତ ଦେବାକୁ ହେବ । ବର୍ତ୍ତମାନ ଜୀବନ ବହୁବ୍ୟାପ୍ତ, କେବଳ ରୂପନିଷ୍ଠ ଶ୍ଲଥ ଜୀବନମାତ୍ର ନୁହେଁ । ଏଣୁ ଅରୂପର ସମ୍ବନ୍ଧ ନିର୍ଣ୍ଣୟକରି ଚିନ୍ତାଧାରାର ସମନ୍ୱୟ ଘଟାଇବାକୁ ହେବ; ସାହିତ୍ୟକୁ ଏକଦିଗରେ ଜ୍ଞାନଶିଖରରୁ ଓହ୍ଲାଇ ଆସିବାକୁ ହେବ । କିନ୍ତୁ ଅନ୍ୟଦିଗରେ ଜୀବନଧାରାର ଉତ୍ସ ଅନୁସରଣକରି ତୁଙ୍ଗ ଜ୍ଞାନଶିଖର ସଙ୍ଗେ ଅବିଚ୍ଛେଦ୍ୟ ସମ୍ପର୍କ ରଖିବାକୁ ହେବ । ଏପରି ସାହିତ୍ୟସୃଷ୍ଟି କରିବା ଆୟାସସାଧ୍ୟ; କିନ୍ତୁ ଏହା ହିଁ ବର୍ତ୍ତମାନ ଜଗତରେ ସାହିତ୍ୟକୁ ବଞ୍ଚାଇ ରଖିବାର ଏକମାତ୍ର ଉପାୟ ।

 

ସାହିତ୍ୟରେ ଆମ୍ଭେମାନେ ଆଉ ଗୋଟିଏ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉ । ସାହିତ୍ୟିକ ସାଧାରଣତଃ ବାସ୍ତବ ଜଗତକୁ ଏହି ଅତିନ୍ଦ୍ରିୟ କଳ୍ପନାରାଜ୍ୟରେ ବିଚରଣ କରିବାକୁ ଚାହେଁ । କିନ୍ତୁ ବାସ୍ତବ ଜୀବନ ହିଁ କଳ୍ପନାରାଜ୍ୟ ଜୀବନରୁ ସାମୟିକ ପଳାୟନ । ପଦକ୍ଷେପ ସମୟରେ ଆମେ ଭୂମିସ୍ପର୍ଶ କରୁ, ପୁଣି ଭୂମିର ସାନ୍ନିଧ୍ୟ ପରିହାର କରି ପାଦୋତ୍ତୋଳନ କରୁଁ । ଏପରି ନ ହେଲେ ଗତି ସମ୍ଭବପର ହୁଏ ନାହିଁ । ଏହିପରି ବାସ୍ତବତାକୁ ସମ୍ପୂର୍ଣ୍ଣ ଉପେକ୍ଷା କଲେ କିମ୍ବା ବାସ୍ତବ ସହିତ ସର୍ବଦା ବିଜଡ଼ିତ ହୋଇ ରହିଲେ ସାହିତ୍ୟର ଅଗ୍ରଗତି ସମ୍ଭବ ନୁହେଁ । ସାହିତ୍ୟ ବାସ୍ତବାଶ୍ରୟୀ ହେବ, ମାତ୍ର କଳ୍ପନାକୁ ବିସ୍ମୃତ ହେବ ନାହିଁ, ଏହା ହିଁ ଏକାନ୍ତ ଭାବରେ ସ୍ପୃହଣୀୟ । ଏକ ଦିଗରେ ଭୂମିନିଷ୍ଠ, ମୃତ୍‌କାମୀ, ଅତି-ବାସ୍ତବ ସାହିତ୍ୟ ପରିହାର କରିବାକୁ ହେବ, ଅନ୍ୟ ଦିଗରେ କଳ୍ପଲୋକଚାରୀ ଜୀବନ ପରିଚୟହୀନ ଅବାସ୍ତବ ସାହିତ୍ୟକୁ ମଧ୍ୟ ଉପେକ୍ଷା କରିବାକୁ ହେବ । ଏକ ଦିଗରେ କେବଳ ଘଟଣାମୁଖର ଉପନ୍ୟାସ, ଅତି ବିକ୍ଷେପଚଞ୍ଚଳ କାବ୍ୟ, ଅସଂଯତ ଚିନ୍ତାବିବ୍ରତ ପ୍ରବନ୍ଧକୁ ବିଦୂରିତ କରିବାକୁ ହେବ । ଅନ୍ୟଦିଗରେ ପୁଣି ଅତି ସୂକ୍ଷ୍ମ-ବିଶ୍ଲେଷଣାତ୍ମକ କାବ୍ୟନାଟକାଦିର ସ୍ୱରୂପ ଉନ୍ମୋଚନ କରିବାକୁ ହେବ । ସାହିତ୍ୟରେ ରସାସ୍ୱାଦ ହିଁ ପ୍ରଧାନ, କିନ୍ତୁ ଆଜିକାଲି ଅତି କଟୁଦ୍ରବ୍ୟର ଆସ୍ୱାଦନାରେ ଆମ୍ଭମାନଙ୍କର ସ୍ୱାଦଗ୍ରହଣ ଶକ୍ତି ଏତେ ବିପର୍ଯ୍ୟସ୍ତ ହୋଇ ପଡ଼ିଅଛି ଯେ ଏକ ଦିଗରେ ଆମ୍ଭେମାନେ ଚାହୁଁ ତୀବ୍ରତର ଉନ୍ମାଦନା, ଅନ୍ୟଦିଗରେ ଚାହୁଁ ସମ୍ପୂର୍ଣ୍ଣ ରସହୀନତା । ଉଭୟ ସାହିତ୍ୟପକ୍ଷରେ ଅନିଷ୍ଟକର । କାରଣ ଉଭୟ ସାହିତ୍ୟିକ ରସାସ୍ୱାଦନକୁ ବିନଷ୍ଟ କରିଦିଏ । ଅତୀତର କବିମାନେ ଗହନ ଗିରିକାନ୍ତାରରେ ବିଚରଣ କରୁଥିଲେ-। ବିଶାଳ ହ୍ରଦ-ତଟିନୀ ଦେଖି ବିମୁଗ୍ଧ ହେଉଥିଲେ । ସେତେବେଳେ ଜୀବନ ଥିଲା ପ୍ରକୃତିର ଲୀଳାମୁଖର, ସୌନ୍ଦର୍ଯ୍ୟ ଥିଲା କଳ୍ପନାଲୋକ ଅନୁରଞ୍ଜିତ, ଅନୁଭୂତି ଥିଲା କାଳ୍ପନିକ, ଅଯାଚିତ ଦୁଃଖବିଳାସସମୃଦ୍ଧ । କିନ୍ତୁ ବର୍ତ୍ତମାନ ଜୀବନ ଅନ୍ୟ ଉପାଦାନରେ ଗଠିତ । ଆଜିକାଲି ଆକୃତିଗତ ବିଶାଳତା ଆମ୍ଭମାନଙ୍କୁ କଳ୍ପନାମୁଖର କରେ ନାହିଁ । ଅସୀମ ସାଗର ଆମ୍ଭେମାନେ ଆଜିକାଲି ପ୍ରତ୍ୟହ ପାରାପାର ହେଉ । ଦେବତାତ୍ମା ହିମାଳୟ ଉପର ଦେଇ ଆମ୍ଭମାନଙ୍କର ନବପୁଷ୍ପକ ରଥ ନିତ୍ୟ ଯାତାୟତ କରେ; ଦୁର୍ମଦ ପ୍ରାକୃତିକ ଶକ୍ତି ମନୁଷ୍ୟଠାରେ ପରାଜିତ ଓ ହତମାନ । ଆଜିକାଲି ବିଶାଳର ବିରାଟତ୍ୱ ଆମ୍ଭମାନଙ୍କର ମନକୁ ଅଭିଭୂତ କରେ ନାହିଁ, ବରଂ ସୂକ୍ଷ୍ମତାର ବିରାଟତ୍ୱ ଆମ୍ଭମାନଙ୍କୁ ବିସ୍ମୟାବିଷ୍ଟ କରେ । ଆମ୍ଭେମାନେ ଆଜିକାଲି ପ୍ରକୃତିଠାରୁ ବୃହତ୍ତର, ମହତ୍ତର, ସୁନ୍ଦରତର ପଦାର୍ଥମାନ ସୃଷ୍ଟି କରୁଛୁ; କିନ୍ତୁ ଅତିସୂକ୍ଷ୍ମ ପଦାର୍ଥମାନଙ୍କ ମଧ୍ୟରେ ପ୍ରକୃତି ଯେଉଁ ଶକ୍ତି, ତେଜ, ବର୍ଣ୍ଣଚ୍ଛଟା ପ୍ରଚ୍ଛନ୍ନ ରଖିଅଛି, ତାହାକୁ ହିଁ ଆମ୍ଭେମାନେ ଅତି ବିସ୍ମିତ ହୋଇ ଦେଖୁ ଓ ଏହି ବିସ୍ମୟରୁ ସାହିତ୍ୟ ନୂତନ ପ୍ରେରଣା ପାଇପାରେ । ଆଜିକାଲିର ସାହିତ୍ୟ ଆଧୁନିକ ଜୀବନକୁ ଉପେକ୍ଷା କରିପାରିବ ନାହିଁ କିମ୍ବା ସୁଦୂର ଅତୀତ ବା ଅନାଗତ ଭବିଷ୍ୟତ ସହିତ ସମ୍ପର୍କଚ୍ୟୁତ ହୋଇ, ଜୀବନଧାରାରୁ ବିଚ୍ଛିନ୍ନ ହୋଇ ନିଜକୁ ବାସ୍ତବବାଦୀ ବୋଲି ପରିଚିତ କରିପାରିବ ନାହିଁ । ଜୀବନକୁ ସମଗ୍ର ଭାବରେ ବୁଝିବାକୁ ହେବ, ଜୀବନର ସମଗ୍ର ବିଭାଗ ସହିତ ପରିଚିତ ହେବାକୁ ହେବ, ସମସ୍ତ ସମ୍ଭାବନା ସହିତ ସମ୍ପର୍କ ସ୍ଥାପନ କରିବାକୁ ହେବ, ଅନ୍ୟଥା ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ସମ୍ଭବପର ନୁହେଁ । ବିପୁଳା ପୃଥ୍ୱୀର ଅତୀତ ଓ ଅନାଗତକାଳ ସହିତ ସମ୍ପର୍କ ହିଁ ବାସ୍ତବତା । ଏହି ବାସ୍ତବତାବୋଧ ଜାଗ୍ରତ କରିବା ହିଁ ବର୍ତ୍ତମାନ ସମସ୍ୟା ।

 

ସାହିତ୍ୟ ଯେ କେତେକ କ୍ଷେତ୍ରରେ ପୁରାତନଠାରୁ ବିଚ୍ଛିନ୍ନ ହୋଇପଡ଼ିବ, ଏହା ସ୍ୱାଭାବିକ ଏବଂ ଏହି ବିଚ୍ଛିନ୍ନତାଠାରୁ ହିଁ ଅଗ୍ରଗତି ସମ୍ଭବ । ଗତିର ଅର୍ଥ ହିଁ ସ୍ଥାନାଚ୍ୟୁତି, ସ୍ଥାନିକ ବିଚ୍ଛିନ୍ନତା । ଆମର ଦୁର୍ଭାଗ୍ୟ ଏହି ଯେ ପୃଥିବୀରେ ଦୁଇଗୋଟି ଯୁଦ୍ଧ ହେଲା, ଅସଂଖ୍ୟ ଲୋକକ୍ଷୟ ହେଲା, ଦୈନ୍ୟ-ଦୁର୍ଦ୍ଦଶା ପ୍ରପୀଡ଼ିତ ଲୋକେ ଜୀବନର, ମୂଲ୍ୟମାନର ଅନୁସନ୍ଧାନ କଲେ । ଯୁଦ୍ଧର ଗୌରବ ଉଭେଇଯାଇ ଯୁଦ୍ଧର କାରୁଣ୍ୟ ପୃଥିବୀରେ ପ୍ରତିଷ୍ଠିତ ହେଲା, ପ୍ରାକୃତିକ ଓ ରାଜନୈତିକ ବିପର୍ଯ୍ୟୟରେ ଦେଶ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା, ଅଥଚ ଆମର ସାହିତ୍ୟ ପୁରାତନ ଗତିପଥକୁ ଛାଡ଼ି ନୂତନ ଗତିପଥ ସ୍ଥିରକରି ନେଇପାରିଲା ନାହିଁ । ସ୍ୱାଧୀନତାର ଉନ୍ମାଦନା ସାହିତ୍ୟିକ ଉନ୍ମାଦନା ସୃଷ୍ଟି କରିପାରିଲା ନାହିଁ, ଯାନ୍ତ୍ରିକ ବିଭୀଷିକା ସାହିତ୍ୟ ମଧ୍ୟରେ ଅନୁଭୂତ ହୋଇପାରିଲା ନାହିଁ, ଗତିହୀନ ସାହିତ୍ୟର ଜୀବନ-ବିମୁଖ ସ୍ଥିରସ୍ତବ୍ଧଧାରା ଯେ କ୍ରମଶଃ ଆବିଳ ହୋଇପଡ଼ିଛି, ତାହା ଆମ୍ଭମାନଙ୍କୁ ଅଭିଭୂତ ବା କ୍ଷୁବ୍ଧ କରିପାରୁ ନାହିଁ, କିମ୍ବା ଆମ୍ଭମାନଙ୍କର ହୃଦୟରେ ନୂତନ ଆକାଂକ୍ଷା, ମନରେ ନୂତନ ପ୍ରେରଣା ଜାଗ୍ରତ କରିପାରୁ ନାହିଁ । ସାମୟିକ ଭାବରେ କୌଣସି ନୂତନତ୍ୱର ଉନ୍ମେଷ ଦେଖାଗଲେ ମଧ୍ୟ ତାହା ପାରିପାର୍ଶ୍ୱିକ ଅନ୍ୟାନ୍ୟ ଘାସଜଙ୍ଗଲକୁ ଅତିକ୍ରମ କରି ବଞ୍ଚିରହିପାରୁ ନାହିଁ । ଏହା ଜୀବନ୍ତ ସାହିତ୍ୟର ପ୍ରତୀକ ନୁହେଁ । ଅତୀତରେ ଯେତେବେଳେ ନୂତନ ଭାବଧାରା ଆସିଥିଲା, ସାହିତ୍ୟରେ ତାହାର ଅନୁରଣନ ପ୍ରକଟ ହୋଇଉଠୁଥିଲା । ବୈଷ୍ଣବ ଧର୍ମର ପ୍ରେମବାଦ ପାରସିକ ଧର୍ମର ସଙ୍ଗୀତମୁଖର ଆନନ୍ଦବାଦ, ଇଂରାଜି ସାହିତ୍ୟର ବୈଚିତ୍ର୍ୟବିଳାସ ଆମ୍ଭମାନଙ୍କର ସାହିତ୍ୟରେ ନ୍ୟୁନ ନୂତନ ପ୍ରେରଣା ଆଣିଦେଉଥିଲା, ନୂତନ ଝଙ୍କାରର ଉନ୍ମାଦନାରେ ଆମ୍ଭମାନଙ୍କୁ ଅଭିଭୂତ କରିଦେଉଥିଲା; କିନ୍ତୁ ବିଗତ ୪୦ ବର୍ଷ ମଧ୍ୟରେ ପୃଥିବୀ ଅତି ଦ୍ରୁତ ଅଗ୍ରସର ଦେଉଥିଲେ ମଧ୍ୟ, ତାହାର ଚିନ୍ତାଧାରାରେ ନାନା ବିସ୍ମୟକର ପରିବର୍ତ୍ତନ ଆସିଥିଲେ ମଧ୍ୟ ଆମ୍ଭମାନଙ୍କ ସାହିତ୍ୟରେ ତାହାର କୌଣସି ସାର୍ଥକ ପ୍ରତିକ୍ରିୟା ଦେଖାଯାଉ ନାହିଁ । ମଝିରେ ମଝିରେ ବିଜୁଳି ଚମକେ ସତ୍ୟ, କିନ୍ତୁ ଆମ୍ଭମାନଙ୍କର ଚିତ୍ତରାଜ୍ୟ ଉଦ୍ଭାସିତ ହେଇଉଠେ ନାହିଁ ବା ମନୋରାଜ୍ୟ ଉଦ୍ଦୀପିତ ହୋଇଉଠେ ନାହିଁ । ଏହା ସାହିତ୍ୟିକ ଜାଡ଼୍ୟର ଲକ୍ଷଣ, ମୃତ କଳ୍ପନାର ପରିଚାୟକ, ସ୍ୱାସ୍ଥ୍ୟର ଲକ୍ଷଣ ନୁହେଁ, ସ୍ଥିତଧୀର ପରିଚାୟକ ନୁହେଁ । ସାହିତ୍ୟରେ ବର୍ତ୍ତମାନ ସମସ୍ୟା ଆଧୁନିକ ଜୀବନ ସହିତ ପରିଚୟ ଘଟାଇବା, ଭବିଷ୍ୟତ ମାଙ୍ଗଲ୍ୟର ଦ୍ୟୋତନା ଦେବା, ସାହିତ୍ୟ ମଧ୍ୟରେ ସଚେତନତାର ସୂଚନା ଦେବା ।

 

ସାହିତ୍ୟର ଆଉ ଗୋଟିଏ ସମସ୍ୟା ତାହାର ରୂପଗତ ପରିବର୍ତ୍ତନ । ବର୍ତ୍ତମାନ ସାର୍ଥକ ନାଟକ ଲେଖିବା ଅସମ୍ଭବ । କାରଣ ସବାଳ ଚଳଚ୍ଚିତ୍ରର ପ୍ରତିଯୋଗିତାରେ ତାହା ତିଷ୍ଠି ରହିପାରୁ ନାହିଁ । କ୍ରମଶଃ ଦୂର ରୂପାୟନ ଦ୍ୱାରା ବହୁ ବିସ୍ତୃତ ପରିବର୍ତ୍ତନ ମଧ୍ୟ ସମ୍ଭବପର । ଯାନ୍ତ୍ରିକ ପ୍ରକ୍ରିୟା ଦ୍ୱାରା ଆମ୍ଭେମାନେ ଆନନ୍ଦକୁ ବହୁବ୍ୟାପକ କରିପାରୁ, ବହୁ ଆବର୍ତ୍ତୀ କରିପାରୁ, ଯଥେଷ୍ଟ ଉପଭୋଗଯୋଗ୍ୟ କରିପାରୁ, ବ୍ୟକ୍ତିଗତ ଶିଳ୍ପୀ ପକ୍ଷରେ ଏପରି କରିବା ସମ୍ଭବପର ନୁହେଁ । ପୁଣି କୌଣସି ରଙ୍ଗମଞ୍ଚ ପକ୍ଷରେ ଶିଳ୍ପୀ ବା ଅଭିନେତାକୁ ଚଳଚ୍ଚିତ୍ର ଅନୁରୂପ ବେତନ ଦେବା ମଧ୍ୟ ସମ୍ଭବ ନୁହେଁ । ଏହି କାରଣରୁ ନାଟକର ପ୍ରୟୋଜନ କମିଯାଉଛି, ନାଟ୍ୟକାର ଅବହେଳିତ ଓ ଦୁର୍ଦ୍ଦଶାଗ୍ରସ୍ତ ହେଉଛନ୍ତି । ଜୀବନର ଉନ୍ମାଦନା ବୃଦ୍ଧି ପାଉଛି । ଏଣୁ ଅପସାହିତ୍ୟର ଦୌରାତ୍ମ୍ୟରେ ଉପନ୍ୟାସ ଲେଖକ ଯଥେଷ୍ଟ ଲାଭ ପାଇପାରୁ ନାହାନ୍ତି । କାବ୍ୟ ଯାନ୍ତ୍ରିକଯୁଗରେ ଅବହେଳିତ ହେବା ସ୍ୱାଭାବିକ । ଏଣୁ ଉଚ୍ଚସ୍ତରରେ ସାହିତ୍ୟ କ୍ରମଶଃ ବିତାଡ଼ିତ ହେଉଅଛି । ସାହିତ୍ୟିକ ବର୍ତ୍ତମାନ ସ୍କୁଲ ପାଠ୍ୟପୁସ୍ତକ ଲେଖୁଛି, ଯୌନଧର୍ମୀ ଉତ୍ତେଜନାମୂଳକ ଅପସାହିତ୍ୟର ସୃଷ୍ଟି କରୁଛି । ପ୍ରତିପଦରେ ମନନଶୀଳତାର ଅଭାବ ପରିଲକ୍ଷିତ ହେଉଅଛି, ସୁସ୍ଥ ସାହିତ୍ୟର ପରାଭବ ଘଟୁଅଛି । ମତ୍ତତାଜନିତ ଅବସାଦର ଲକ୍ଷଣ ଅତି ପ୍ରକଟ ହୋଇପଡ଼ୁଛି । ସାହିତ୍ୟ କ୍ଷେତ୍ରରେ ଏହା ଗୋଟିଏ ସମସ୍ୟା । ସାହିତ୍ୟିକ ପକ୍ଷରେ ମଧ୍ୟ ଏହା ଏକ ସମସ୍ୟା । କାରଣ ଜାତି ସ୍ଥିତଧୀ ହୋଇ ଉଚ୍ଚାଙ୍ଗ ସାହିତ୍ୟର ଆଦର ନ କଲେ ଅଚିରେ ଅତି ବିକ୍ଷେପଜନିତ ଉଦ୍ଦାମତାରେ ସାହିତ୍ୟ ଲୋପ ପାଇଯିବ-। ଜାଡ଼୍ୟ ଯେପରି ମୃତ୍ୟୁର ପରିଚାୟକ, ଅତିବିକ୍ଷେପ ମଧ୍ୟ ସେହିପରି ମୃତ୍ୟୁର ଆବାହକ-। ଏଣୁ ପୁରାତନକୁ ଆଶ୍ରୟ କରି ବର୍ତ୍ତମାନକୁ ଉପେକ୍ଷା କରିବା ଜାତି ପକ୍ଷରେ ଯେପରି ଅମଙ୍ଗଳକର, ନୂତନର ଉଦାମତାରେ ବିହ୍ୱଳ ହୋଇ ବର୍ତ୍ତମାନକୁ ଚିନ୍ତାବର୍ତ୍ତ ମଧ୍ୟରେ ନିମଜ୍ଜିତ କରିବା ସେହିପରି ବିପଦଜ୍ଜନକ । ସାହିତ୍ୟର ଜୀବନ-ପ୍ରବାହରେ, ସ୍ଥିରଜଳର ଆବିଳତାରେ ବା ଆବର୍ତ୍ତର ଉଦ୍ଦମତାରେ ଏହା ତିଷ୍ଠି ରହିପାରେ ନାହିଁ ।

 

ଆଜି ସାହିତ୍ୟ ସମସ୍ୟା ବିଚାର କରିବା ସମୟରେ ସ୍ମରଣ ରଖିବାକୁ ହେବ ଯେ, ସାହିତ୍ୟ ରସସୃଷ୍ଟିରେ ସଞ୍ଚାରି-କର୍ମନିଷ୍ଠା ପ୍ରୟୋଜନ ସାହିତ୍ୟର ପ୍ରସାରରେ ସଂଯତ ରସାବେଗର ପ୍ରୟୋଜନ । ଜାତୀୟ ମାନସିକ ଚିନ୍ତାଧାରା ମଧ୍ୟରେ ପ୍ରାଣରସ ଉଜ୍ଜୀବିତ କରିବା ନିମନ୍ତେ ସାହିତ୍ୟକ କେବଳ ଅତ୍ୟୁଚ୍ଚ ଭାଷଣ, ପ୍ରତିମୁଖର ଅଳଙ୍କାର, ଅସ୍ୱଚ୍ଛ ଉତ୍ତେଜନା ଓ ବୁଦ୍ଧିମାର୍ଗୀୟ ଚାଞ୍ଚଲ୍ୟ ପରିହାର କରି ସଂଯତ ବିକାଶଧାରାର ସନ୍ଧାନ ଦେବ । ଏହିପରି ସାହିତ୍ୟ ସୃଷ୍ଟି ନିମନ୍ତେ ଉନ୍ମୁଖ ଓ ଉଦ୍‌ବୁଦ୍ଧ ହେଲେ ସାହିତ୍ୟ ସମସ୍ୟାର ସମାଧାନ ହୋଇପାରିବ । ଏକ ଦିଗରେ ବିଶାଳ ବିଶ୍ୱସାହିତ୍ୟ ପରିଚିତ, ଅନ୍ୟ ଦିଗରେ ନିଜସ୍ୱ ପ୍ରାଚୀନ ସାହିତ୍ୟର ଭିତ୍ତି, ଏକ ଦିଗରେ ଉଦାର ବିଶ୍ୱାତ୍ମିକତା, ଅନ୍ୟଦିଗରେ ଗଭୀର ଅନ୍ତର୍ଦୃଷ୍ଟି ଏହାରି ଉପରେ ଜାତୀୟ ସାହିତ୍ୟ ପ୍ରତିଷ୍ଠିତ ହେବା ଉଚିତ ଓ ଏହି ଉଭୟର ସୁବିନ୍ୟସ୍ତ ପଦବିକ୍ଷେପରେ ଜାତୀୟ ସାହିତ୍ୟର ଅଗ୍ରଗତି ସମ୍ଭବ ।

Image

 

ଛାତ୍ରଧର୍ମ ବିଚାର

(ଅଧ୍ୟାପକ ରତ୍ନାକର ପତି)

 

ଆଜିକାଲି ଛାତ୍ରମାନଙ୍କ ମଧ୍ୟରେ ଯେଉଁ ସବୁ ବିକ୍ଷୋଭ ଓ ବିଶୃଙ୍ଖଳା ପରିଦୃଷ୍ଟ ହେଉଅଛି, ସେଥିପ୍ରତି ଧ୍ୟାନ ଦେଲେ ଦେଶର ଯେ କୌଣସି ଚିନ୍ତାଶୀଳ ତଥା ଦାୟିତ୍ୱସମ୍ପନ୍ନ ବ୍ୟକ୍ତିଙ୍କ ମନରେ ଏହି କେତୋଟି ପ୍ରଶ୍ନ ଉଠେ-ଛାତ୍ରର ଧର୍ମ ବା ଜୀବନନୀତି କ’ଣ, ସମାଜ ବା ଜାତିରେ ତାହାର ଯଥାର୍ଥ ସ୍ଥାନ କେଉଁଠି ? ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରମାନଙ୍କର ବ୍ୟକ୍ତିଗତ ଓ ଶ୍ରେଣୀଗତ କାର୍ଯ୍ୟକଳାପର ନିୟାମକ କିପରି ହେବା ବିଧେୟ ? ଏହି ସବୁ ପ୍ରଶ୍ନର ଯଥାଯଥ ସମାଧାନ ଦେବାକୁ ହେଲେ ଛାତ୍ର-ଜୀବନର ସମୀକ୍ଷାମୂଳକ ଏକ ବିଶ୍ଲଷଣ ଆବଶ୍ୟକ ମନେକରୁ ।

 

‘ଛାତ୍ର’ ଶବ୍ଦଟିର ବ୍ୟୁତ୍ପତ୍ତିଗତ ଅର୍ଥରୁ ଜଣାପଡ଼େ, ଗୁରୁ ଦୋଷାବରଣ’ ଛାତ୍ରର ଧର୍ମ । ଉକ୍ତିଟି ବିଶ୍ଲେଷଣ କଲେ ବହୁତ ତଥ୍ୟ ବାହାରେ । ପ୍ରଥମତଃ ଛାତ୍ରର ଜୀବନ ତାହାର ଗୁରୁଙ୍କ ସହିତ ଉପଯୁକ୍ତ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । ଗୁରୁ ଉପଦେଷ୍ଟା ଓ ଛାତ୍ର ଉପଦିଶ୍ୟ । ଏହି ‘ଉପଦେଷ୍ଟୃ-ଉଦିଶ୍ୟ’ ସମ୍ବନ୍ଧଟି ତେଣୁ ଛାତ୍ରଧର୍ମର ଭିତ୍ତିଭୂମି, କିନ୍ତୁ ଏହି ସମ୍ବନ୍ଧ ରକ୍ଷା କରିବାକୁ ହେଲେ ଛାତ୍ରକୁ ଗୁରୁଙ୍କ ପ୍ରତି ଶ୍ରଦ୍ଧାବାନ ତଥା ଭକ୍ତିଶୀଳ ହେବାକୁ ହେବ । ସାଧାରଣତଃ କୌଣସି ବ୍ୟକ୍ତିର ଦୋଷ ବାଛି ବସିଲେ ମନରେ ଶ୍ରଦ୍ଧା ଓ ଭକ୍ତି ଜାଗରିତ ହୋଇପାରେ ନାହିଁ । ଏହା ବିଶେଷତଃ ଗୁରୁଙ୍କ ସହିତ ଛାତ୍ରର ସମ୍ବନ୍ଧ ପ୍ରତି ପ୍ରଯୁଜ୍ୟ । ଗୁରୁଙ୍କଠାରୁ ଜ୍ଞାନ ଲାଭ କରିବା ଉଦ୍ଦେଶ୍ୟରେ ଛାତ୍ରକୁ ତାଙ୍କର ସମୀପବର୍ତ୍ତୀ ହେବାକୁ ହୁଏ । ଛାତ୍ର ଯଦି ତାଙ୍କର ଗୁଣଗୁଡ଼ିକ ପ୍ରତି ଆକୃଷ୍ଟ ନ ହୋଇ କେବଳ ତାଙ୍କର ଦୋଷ ଦୁର୍ବଳତାଗୁଡ଼ିକ ବାଛି ବସେ, ତା’ ହେଲେ ତାହାର ଜ୍ଞାନଲାଭର ପନ୍ଥା ଦୁର୍ଗମ ହୋଇପଡ଼ିବ । ମାନବ ମାତ୍ରକେ ବହୁ ଦୋଷ-ଦୁର୍ବଳତାର ଆଧାର କହିଲେ ଚଳେ । ଗୁରୁ ତେଣେ ସେ ସବୁରୁ ସ୍ୱାଧୀନ ନୁହନ୍ତି । ତଥାପି ଗୁରୁଙ୍କର ଦୋଷଦୁର୍ଗୁଣ ପ୍ରତି ଦୃଷ୍ଟି ନ ଦେଇ ତାଙ୍କର ଯେଉଁ ଯେଉଁ ଗୁଣ ତାହାର ଜ୍ଞାନଲାଭର ଅନୁକୂଳ, ସେଗୁଡ଼ିକୁ ଅନୁସରଣ କରିବା ହେଉଛି ଛାତ୍ରର ଧର୍ମ ଏବଂ ଗୁରୁଙ୍କ ପ୍ରତି ଭକ୍ତି ଓ ବିଶ୍ୱାସ ରଖି ତାଙ୍କର ଦୋଷକୀର୍ତ୍ତନ ବା ନିନ୍ଦାରେ ଯୋଗ ନ ଦେବା ହେଉଛି ଛାତ୍ରର କର୍ତ୍ତବ୍ୟ । ଅତୀ ପ୍ରାଚୀନକାଳରୁ ମନୁ ଗୁରୁ-ଶିଷ୍ୟ ସମ୍ପର୍କ ନେଇ କେତେଗୁଡ଼ିଏ ନୀତି ପ୍ରଣୟନ କରିଯାଇଅଛନ୍ତି । ଉକ୍ତ ନୀତିମାନଙ୍କ ମଧ୍ୟରୁ ଗୋଟିଏ ହେଉଛି–

 

‘ଗୁରୋର୍ଯତ୍ର ପରୀବାତୋ

ନିନ୍ଦାବାପି ପ୍ରବର୍ତ୍ତତେ

କର୍ଣ୍ଣୌତନ୍ତ୍ର ପିଧାତବ୍ୟୌ

ଗନ୍ତବ୍ୟଂ ବା ତତୋନ୍ୟତଃ ।’

 

ଅର୍ଥାତ୍‌ ଯେଉଁଠାରେ ଗୁରୁଙ୍କର ଦୋଷ ବର୍ଣ୍ଣନା ବା ନିନ୍ଦାଗାନ ହେଉଥିବ, ସେଠାରେ କର୍ଣ୍ଣରୁଦ୍ଧ କରିଦେବ ବା ସେଠାରୁ ଅନ୍ୟତ୍ର ଚାଲିଯିବ । ମନୁଙ୍କର ଏହି ଉକ୍ତିଟି ‘ଛାତ୍ର’ ଶବ୍ଦର ଉଲ୍ଲିଖିତ ବ୍ୟୁତ୍ପତ୍ତିଗତ ଅର୍ଥକୁ ହିଁ ସମର୍ଥନ କରୁଅଛି । ପୁଣି ମନୁ କହିଅଛନ୍ତି, ‘ନଚୈବାସ୍ୟାନୁକୁର୍ବୀତ ଗତଭାଷିତଚେଷ୍ଟିତଂ’-ଅର୍ଥାତ୍‌ ଗୁରୁଙ୍କର ଗମନ, ଭାଷଣ ବା କଥୋପକଥନଭଙ୍ଗୀ ଓ ଚେଷ୍ଟା ବା କର୍ମଭଙ୍ଗୀର ଅନୁକରଣ କରିବ ନାହିଁ । ମନୁ ଏଠାରେ କହିବାକୁ ଚାହାନ୍ତି, ଗୁରୁଙ୍କର ଉକ୍ତି ପ୍ରତି କେତେକ ବ୍ୟକ୍ତିଗତ ବିଶେଷତ୍ୱର ବିକୃତ ଅନୁକରଣ କରି ତାଙ୍କ ପ୍ରତି ବ୍ୟଙ୍ଗବିଦ୍ରୂପାତ୍ମକ ବ୍ୟବହାର ଦେଖାଇବା ଛାତ୍ରର ଧର୍ମ ନୁହେଁ । ମନେପଡ଼େ, ଆଧୁନିକ ଯୁଗରେ କେତେକ ଛାତ୍ର ଗୁରୁ କିପରି ଚାଲନ୍ତି, ସେ କିପରି କଥା କହନ୍ତି ଓ କହିଲାବେଳେ କିପରି ମସ୍ତକ ପ୍ରଭୃତି ଶାରୀରିକ ଭଙ୍ଗୀ ଦେଖାଇଥାନ୍ତି, ସେ ସବୁର ଏକ ହସ୍ୟୋଦ୍ଦୀପକ ବିକୃତ ଅନୁକରଣ ଦେଖାଇ ଲୋକରଞ୍ଜନ କରିବାକୁ ଯାଇଥାନ୍ତି । ସ୍ୱୀକାର କରୁଅଛୁ କୌଣସି ବ୍ୟକ୍ତି ବା ବସ୍ତୁର ସଶ୍ରଦ୍ଧ ତଥା ସତ୍ୟନିଷ୍ଠ ଅନୁକରଣ ଛାତ୍ରର ସ୍ମୃତି ଓ ମେଧାର ପରିଚୟ ଦେଇଥାଏ । ମାତ୍ର ଯାହାଙ୍କଠାରୁ ଜ୍ଞାନ ଓ ଉପଦେଶ ଲାଭକରି ଜୀବନର ଭବିଷ୍ୟତ ଗଠନ କରିବାର କଥା, ଠିକ୍‌ ତାଙ୍କୁ ହିଁ ବ୍ୟଙ୍ଗବିଦ୍ରୂପାତ୍ମକ ଭାବରେ ଚିତ୍ର କରିବା କେବଳ ଉନ୍ମାର୍ଗଗାମିତ୍ୱର ପରିଚାୟକ ନୁହେଁ କି ? ଏହାଦ୍ୱାରା ଛାତ୍ରମାନଙ୍କର ଗୁରୁଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସ କମିଯାଏ ଏବଂ ତାହାରି ଫଳରେ ଜ୍ଞାନାର୍ଜନ ନିମିତ୍ତ ଏକାନ୍ତ ଆବଶ୍ୟକ ନିଷ୍ଠାପର ପ୍ରଚେଷ୍ଟା ରହେ ନାହିଁ । ଏଥିପ୍ରତି ଲକ୍ଷ୍ୟରଖି ଦିବ୍ୟଦ୍ରଷ୍ଟା ମନୁ ବିଜ୍ଞତାର ସହିତ ଉଲ୍ଲିଖିତ ନୀତିମାନ ବୟାନ କରିଯାଇଛନ୍ତି ବୋଲି ମନେହୁଏ । ଏହି ନୀତିଗୁଡ଼ିକୁ ପ୍ରାଚୀନକାଳର ନୀତି କହି ଉଡ଼ାଇଦେବା ଉଚିତ୍‌ ନୁହେଁ । ପ୍ରାଚୀନତା ସବୁବେଳେ ଆଧୁନିକତାର ବିରୋଧୀ ନୁହେଁ । କେବଳ ପ୍ରାଚୀନତାର ଦ୍ୱାହିଦେଇ ସତ୍ୟକୁ ସତ୍ୟ ବୋଲି ଗ୍ରହଣ ନ କରିବେ କେବଳ ଯେ ଆଧୁନିକତାର ଏକ ବିକୃତି ପ୍ରଦର୍ଶନ ତାହା ନୁହେଁ, ବରଂ ଯୁକ୍ତିସମ୍ମତ ଚିନ୍ତାର ଅଭାବର ପରିଚାୟକ । ସୁତରାଂ ଏହି ନୀତିରେ ଚାଳିତ ହେବା ଛାତ୍ରର ଧର୍ମ ।

 

ଛାତ୍ରଧର୍ମର ଏହି ଗୁରୁଦୋଷାବରଣ ନୀତିଟି ଅନ୍ୟ ପ୍ରକାରେ ମଧ୍ୟ ଅର୍ଥ କରାଯାଇପାରେ । ‘‘ଜ୍ଞାନଞ୍ଜନଶଳାକା’’ ଦ୍ୱାରା ଛାତ୍ରର ଅଜ୍ଞାନ ତିମିରାନ୍ଧତା ଦୂର କରିବା ଗୁରୁଙ୍କର ଧର୍ମ । ତେଣୁ ଗୁରୁଙ୍କଠାରୁ ଜ୍ଞାନ ଲାଭ କରି ନିଜ ଜୀବନକୁ ମହୀୟାନ କରିବା ହେଲା ଛାତ୍ରର କର୍ତ୍ତବ୍ୟ । ଏଥିରୁ ସ୍ପଷ୍ଟ ଉପଲବ୍ଧ ହେବ ଯେ, ଛାତ୍ର ଗୁରୁଙ୍କର ସାହଚର୍ଯ୍ୟ ଓ ସାହାଯ୍ୟରେ ଯେତେ ଅଧିକ ଜ୍ଞାନ ଅର୍ଜ୍ଜନ କରିବ, ଗୁରୁଙ୍କର ମହନୀୟତା ସେତେ ଅଧିକ ପ୍ରତିପାଦିତ ହେବ । ଗୁରୁଙ୍କର ମର୍ଯ୍ୟାଦା ଓ ଗୌରବ ବଢ଼ାଇବା ସେଥିପାଇଁ ଛାତ୍ର ଧର୍ମର ଅନ୍ତର୍ଗତ । ଛାତ୍ରର କୃତିତ୍ୱ ବଶତଃ ଗୁରୁ ତାଙ୍କର ବ୍ୟକ୍ତିଗତ ଦୋଷଦୁର୍ବଳତା ଥିବା ସତ୍ତ୍ୱେ ଜଗତରେ ପୂଜ୍ୟ ହୋଇଥାନ୍ତି । ତେଣୁ ଛାତ୍ରର ଧର୍ମ ହେଉଅଛି ସମସ୍ତ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ସହିତ ଗୁରୁଙ୍କ ସାନ୍ନିଧ୍ୟରେ ଜ୍ଞାନାର୍ଜନ କରି ଉକ୍ତ ଜ୍ଞାନର ବଳରେ ଗୁରୁଙ୍କର ପ୍ରତିଷ୍ଠା ଓ ମାନମର୍ଯ୍ୟାଦା ବଢ଼ାଇବା ଏବଂ ତାଙ୍କର ଯାବତୀୟ ଦୋଷ ବା ଦୁର୍ଗୁଣକୁ ଲୋକଲୋଚନରୁ ଦୂରରେ ରଖିବା । ଗୁରୁଦ୍ରୋହୀ ଦୁର୍ଦ୍ଦର୍ଶ ଛାତ୍ର ପ୍ରକୃତ ଜ୍ଞାନ ଅର୍ଜନ କରିପାରେ ନାହିଁ । ପୁଣି ତାହାରି କାର୍ଯ୍ୟଦ୍ୱାରା, ତାହାରି ଅଜ୍ଞାନପ୍ରଣୋଦିତ ବ୍ୟବହାରଦ୍ୱାରା ଲୋକଚକ୍ଷୁରେ ସ୍ଥାନ ନୀଚ ହୋଇଯାଏ । ଜ୍ଞାନାର୍ଜନରେ କୃତିତ୍ୱସମ୍ପନ୍ନ ନ ହେଲେ ଛାତ୍ର ଗୁରଙ୍କର ଦୋଷାବରଣ କରିବ କ’ଣ, ବରଂ ତାଙ୍କୁ ଲୋକରେ ନିନ୍ଦିତ କରାଇଦେବ । ସେଥିପାଇଁ ସିନା କଥିତ ଅଛି ‘କୁଶିଷ୍ୟ ମଧ୍ୟାପୟତଃ କୁତୋ ଯଶଃ’ । ସୁତରାଂ ଗୁରୁଙ୍କଠାରୁ ପ୍ରକୃଷ୍ଟ ଜ୍ଞାନ ଅର୍ଜନ କରି, ତାହାରି ବଳରେ ତାଙ୍କର ଗୌରବ ବଢ଼ାଇ ତାଙ୍କୁ ଯଥାର୍ଥ ଗୁରୁ ପଦବାଚ୍ୟ ବୋଲି ପ୍ରମାଣିତ କଲେ ଯାଇ ପ୍ରକୃତ ଗୁରୁଦୋଷାବରଣ ହେଲା ବୋଲି କହିବାକୁ ହେବ । ଗୁରୁଙ୍କର ଯଶଃଖ୍ୟାତିର ବିସ୍ତାର ହିଁ ଗୁରୁଦେଷାବରଣର ପ୍ରକୃଷ୍ଟ ପନ୍ଥା ।

 

କଥିତ ଅଛି ‘‘ଛାତ୍ରାଣାଂ ଅଧ୍ୟୟନଂ ତପଃ’’ । ଏହି ତପସ୍ୟା ଏହି ଅଧ୍ୟୟନ କାର୍ଯ୍ୟ ଗୁରୁପଦେଶ ସାପେକ୍ଷ ହୋଇଥିବାରୁ ଛାତ୍ରଧର୍ମ ଗୁରୁଙ୍କ ସହିତ ଅନୁକୂଳ ସମ୍ପର୍କ ଉପରେ ପର୍ଯ୍ୟବେସିତ । ପ୍ରାଚୀନ ଭାରତରେ ଶ୍ରୁତିର ସାହାଯ୍ୟରେ ଏହି କାର୍ଯ୍ୟ ସମାହିତ ହେଉଥିଲା । ପୁସ୍ତକାଦିର ଅଭାବରେ ଶିଷ୍ୟ ଗୁରୁଙ୍କ ନିକଟରେ ବିଧିପୂର୍ବକ ଆସୀନ ହୋଇ ତାଙ୍କ ସହିତ ପ୍ରଶ୍ନୋତ୍ତର ଛଳରେ ଜ୍ଞାନର୍ଜନ କରୁଥିଲା । ଆଧୁନିକ ଯୁଗରେ କିନ୍ତୁ ଗୁରୁମୁଖନିଃସୃତ ଜ୍ଞାନ ବା ଉପଦେଶ ସଙ୍ଗେ ସଙ୍ଗେ ଗ୍ରନ୍ଥାଦିରୁ ଜ୍ଞାନଲାଭ କରିବାର ସୁବିଧା ସୁଯୋଗ ଛାତ୍ରକୁ ମିଳିଅଛି । ମାତ୍ର ଅଧ୍ୟୟନ କିପରି ସମାହିତ ହେବା ଉଚିତ, ସେଥିପ୍ରତି ତାହାର ଦୃଷ୍ଟି ସବୁବେଳେ ପଡ଼ିନଥାଏ । ଅଧ୍ୟୟନର ପ୍ରକୃତ ଅର୍ଥ ହେଉଛି, ଜ୍ଞାତବ୍ୟ ବା ପଠିତବ୍ୟ ବିଷୟରେ ସମ୍ୟକ୍‌ ପ୍ରବେଶ । ମାତ୍ର ଅତି ଅଳ୍ପସଂଖ୍ୟକ ଛାତ୍ରଙ୍କୁ ଛାଡ଼ିଦେଲେ ଏହି କାର୍ଯ୍ୟଟି ବଡ଼ ହୃଦୟହୀନ ତଥା ଅସାବଧାନ ଭାବରେ ଚାଲୁଥିବାରୁ ଦେଖାଯାଉଅଛି । ସାଧାରଣତଃ ଛାତ୍ରମାନେ ଅଧ୍ୟୟନ ଗୁରୁତ୍ୱର ହୃଦୟଙ୍ଗମ ନ କରି ‘ଯେନ କେନ ପ୍ରକାରେଣ’ ପାସ୍‌ ନମ୍ବର ରଖିପାରିଲେ ନିଜକୁ କୃତାର୍ଥ ମନେକରୁ ଅଛନ୍ତି । ଅଧ୍ୟୟନଲବ୍ଧ ଜଟିଳ ସମସ୍ୟାମାନଙ୍କର ସମାଧାନ ଦିଗରେ ପ୍ରଚେଷ୍ଟା ସେତେ ପରିଲକ୍ଷିତ ହୁଏ ନାହିଁ । କେବଳ ପଲ୍ଲବଗ୍ରାହିତ୍ୱ ଯେପରି କି ଛାତ୍ରସାଧାରଣର ଲକ୍ଷ୍ୟ ହୋଇପଡ଼ିଛି । ଏହା କିନ୍ତୁ ଛାତ୍ରଧର୍ମର ପୂର୍ଣ୍ଣ ବିରୋଧୀ । କଠିନ ବିଷୟ ପ୍ରତି ବିତୃଷ୍ଣା ଓ ସହଜଲଭ୍ୟ ବଜାର-ନୋଟ୍‍ର ସାହାଯ୍ୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣତା ଲାଭ କରିବା ଯେପରି କି ସେମାନଙ୍କର ଏକ ରୀତି ହୋଇପଡ଼ିଛି । ମନୋନିବେଶ ଓ ଆଦର୍ଶର ଅଭାବ ଏହାର ମୂଳ କାରଣ । ଅଧ୍ୟୟନ ସେଥିପାଇଁ ତପସ୍ୟା ହେବା ପରିବର୍ତ୍ତରେ ତାମସାରେ ପରିଣତ ହୋଇ ପଡ଼ିଛି । ଆଧୁନିକ ସଭ୍ୟତାରେ ସହଗାମୀ କେତେଗୁଡ଼ିଏ ଚିତ୍ତାକର୍ଶକ ବ୍ୟାପାର ପ୍ରତି ଆକୃଷ୍ଟ ହୋଇ ଏ ଅପରିପକ୍ୱମତି ଛାତ୍ରଗଣ ବଡ଼ ବହିର୍ମନା ହୋଇ ପଡ଼ିଛନ୍ତି । ବିଷୟ ପେବବେଶ ନିମିତ୍ତ ଯେଉଁ ସୁସଂଯତ ସାଗ୍ରହ ଅଭିନିବେଶ ଆବଶ୍ୟକ, ତାହାର ଅତ୍ୟଧିକ ଅଭାବ ପରିଲକ୍ଷିତ ହୋଇଥାଏ । ବାସ୍ତବିକ ଧ୍ୟାନଧାରଣାବିହୀନ ଛାତ୍ରଗଣଙ୍କ ପକ୍ଷରେ ଅଧ୍ୟୟନ ତପଃ ହୋଇନପାରେ । ସେଥିପାଇଁ କଠିନସାଧନା ବା ପ୍ରଯତ୍ନ ଆବଶ୍ୟକ । ଅଧ୍ୟୋତବ୍ୟ ବିଷୟରେ ଯଥାଯଥ ବିଶ୍ଲେଷଣ ଓ ଅନୁଧ୍ୟାନ ବଳରେ କଠିନ କଠିନ ସମସ୍ୟାମାନ ଉପସ୍ଥାପିତ କରି ସେଗୁଡ଼ିକର ସମାଧାନରେ ତତ୍ପର ରହିବା ଏବଂ ସେଥିରେ କୃତକାର୍ଯ୍ୟ ହୋଇ ଆତ୍ମପ୍ରସାଦ ଉପଭୋଗ କରିବା ଛାତ୍ରଧର୍ମର ଏକ ବିଶେଷତ୍ୱ । ମାତ୍ର ଦୁଃଖର କଥା, ଅଧିକାଂଶ ସ୍ଥଳରେ ଛାତ୍ରମାନେ ବିଷୟ ଓ ତଦ୍‌ଗତ ସମସ୍ୟାର ସମ୍ମୁଖୀନ ହେବା ପରିବର୍ତ୍ତେ ଭୀରୁପରି ତହିଁରୁ ଅପସରିଯିବାକୁ ଉଦ୍ୟତ ହେବା ଦେଖାଯାନ୍ତି । ତେଣୁ ଜ୍ଞାନର ଗଭୀରତା ଓ ଯଥାଯଥ ପ୍ରସାର ପରିବର୍ତ୍ତରେ ସ୍ଥୂଳତା ଓ ପ୍ରଦର୍ଶନପରତା ଛାତ୍ରଜୀବନକୁ ମାଡ଼ି ବସିଲାପରି ଜଣାପଡ଼େ । ଫଳତଃ ନିଜ ନିଜର ଅଜ୍ଞତା ବା ଅକୃତଜ୍ଞତା ସତ୍ତ୍ୱେ ପଣ୍ଡିତମ୍ମନ୍ୟତା ପ୍ରଦର୍ଶନପୂର୍ବକ ଜଗତକୁ ପ୍ରତାରିତ କରନ୍ତି ମାତ୍ର ।

 

ପୁଣି ଆଧୁନିକ ଛାତ୍ରମାନେ ନିଜ ନିଜର ଉତ୍କର୍ଷ ଦେଖାଇବା ଉଦ୍ଦେଶ୍ୟରେ ସମସାମୟିକ ଅନ୍ୟାନ୍ୟ ଛାତ୍ରମାନଙ୍କର ବୈଶିଷ୍ଟ୍ୟ ଏବଂ ଉତ୍କର୍ଷକୁ ଅନେକ ସମୟରେ ତୁଚ୍ଛ ମଣିବାକୁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । ଈର୍ଷାପରବଶ ହୋଇ କେତେକ ଛାତ୍ର ନିଜ ନିଜଠାରୁ ଉତ୍କୃଷ୍ଟତର ଛାତ୍ରମାନଙ୍କର ଗୁଣ ବା ପ୍ରତିପତ୍ତି ସ୍ୱୀକାର କରିବାକୁ ସୁଖ ପାଆନ୍ତି ନାହିଁ । ଏହି ଛିଦ୍ରାନ୍ୱେଷିଣୀ ପ୍ରବୃତ୍ତି ଈର୍ଷାଜନିତ ଏକ ନୈତିକ ବ୍ୟାଧି ଏବଂ ଏହି ବ୍ୟାଧିରେ ପ୍ରପୀଡ଼ିତ ଛାତ୍ର ତାହାର ଧର୍ମର ସଂରକ୍ଷଣରେ ଏକାନ୍ତ ଅସମର୍ଥ ।

 

ଛାତ୍ରଧର୍ମରେ ବ୍ରହ୍ମଚର୍ଯ୍ୟର ସ୍ଥାନ ଅତି ଉଚ୍ଚ । ନିୟମାନୁବର୍ତ୍ତିତା, ବାକ୍‌-ସଂଯମ, ନିରାଡ଼ମ୍ବରତା, ସତ୍ୟବାଦିତା ଓ ନୈତିକ ସାହସ ପ୍ରଭୃତି ଗୁଣଗୁଡ଼ିକ ବ୍ରହ୍ମଚର୍ଯ୍ୟର ଅଙ୍ଗସ୍ୱରୂପ । ସମୟର ପ୍ରତ୍ୟେକ ମୁହୂର୍ତ୍ତର ସଦ୍‍-ବ୍ୟବହାର ହିଁ ତାହାର ଜୀବନ ବା ଧର୍ମର ପରିପୋଷକ । କେତେ ଛାତ୍ର ଯେ ଅନାବଶ୍ୟକ କ୍ରୀଡ଼ାକୌତୁକ, ଅସାର ଅଥଚ ଆପାତଃ ଚିତ୍ତାକର୍ଷକ କଥୋପକଥନରେ ମହାର୍ଘ ସମୟ ନଷ୍ଟ କରନ୍ତି, ତାହାର କଳନା ନାହିଁ । ଏତଦ୍ଦ୍ୱାରା ଛାତ୍ରଧର୍ମର ବିଶିଷ୍ଟ ଅଙ୍ଗ ଅଧ୍ୟୟନରେ ବହୁତ ଶୈଥିଲ୍ୟ ଆସିପଡ଼େ ଏବଂ ତାହା ଫଳରେ ଛାତ୍ରଜୀବନର ବିକାଶ ବହୁ ବାଧାବିଘ୍ନର ସମ୍ମୁଖୀନ ହୁଏ । ଛାତ୍ରମାନଙ୍କୁ ସର୍ବଦା ମନେରଖିବାକୁ ହେବ, ‘‘ଅନଭ୍ୟାସେ ବିଷଂ ବିଦ୍ୟା’’ । ଅଭ୍ୟାସକୁ ଭାଙ୍ଗିବା ଯେତିକି କଷ୍ଟକର, ଅନଭ୍ୟାସରେ ପରିଣତ କରିବା ତାହାଠାରୁ ବଳି ଆହୁରି କଷ୍ଟକର । ସେଥିପାଇଁ ଅଧ୍ୟୟନରେ ନିୟମାନୁବର୍ତ୍ତିତାକୁ ସର୍ବଦା ଉଚ୍ଚତମ ସ୍ଥାନ ଦେବାକୁ ହେବ । ପୁଣି ବାକ୍‌-ସଂଯମ ଛାତ୍ରଧର୍ମ ସମ୍ପାଦନାରେ ଏକ ପ୍ରଧାନ ସହକାରୀ । ଅଯଥା ବାଗାଡ଼ମ୍ବର ଦେଖାଇ ଲୋକରେ ଶସ୍ତା ପ୍ରାଧାନ୍ୟ ଅର୍ଜନ କରିବାକୁ ଚେଷ୍ଟାକରିବା ଅବିମୃକ୍ଷ୍ୟକାରିତା ମାତ୍ର । ଅନେକ ବୋକା ଛାତ୍ର ଅଛନ୍ତି, ଯେଉଁମାନେ ଇତସ୍ତତଃ ଘୂରିବୁଲି ୟା ତା’ ସାଙ୍ଗରେ ବୃଥାଗଳ୍ପ ବାଗ୍ମିତାର ଘଟାଟୋପ ଦେଖାଇବାରେ ଲାଗି ପଡ଼ିଥାନ୍ତି; ଏପରି କି ସମୟ ସମୟରେ ଅଶ୍ଲୀଳ ବାକ୍ୟପ୍ରୟୋଗ କରିବା ପର୍ଯ୍ୟନ୍ତ ଯାଇଥାନ୍ତି । ଛାତ୍ରର ଏହିସବୁ କାର୍ଯ୍ୟ ତାହାର ଧର୍ମର ମହତ୍ତ୍ୱ ନଷ୍ଟ କରିଦିଏ । ମାତ୍ର ନିରାଡ଼ମ୍ବର ତଥା ସରଳ ଜୀବନ ଛାତ୍ରଧର୍ମର ପ୍ରକୃଷ୍ଟ ଭୂଷଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ବଡ଼ ଦୁଃଖର କଥା, ଆଜିକାଲି ବହୁସଂଖ୍ୟକ ଛାତ୍ର କେବଳ ବେଶଭୂଷା ପରିପାଟିରେ ଆସକ୍ତ ରହି ବାହାରେ ଅଯଥା ବହୁମନ୍ୟତା ବା ଟେକ ଦେଖାଇବାକୁ ଯାଆନ୍ତି । ସେମାନେ ଭାବନ୍ତି ନାହିଁ ଯେ, ‘‘ଲମ୍ବଶାଟପଟାବୃତ’’ ହୋଇ ମୂର୍ଖ ଦୂରରୁ କିଛି କାଳପାଇଁ ଶୋଭା ପାଇଥାଏ, ମାତ୍ର ବିଦ୍ୱଜ୍ଜନଙ୍କ ସମ୍ପର୍କରେ ଆସିଲାମାତ୍ରେ ମୟୁରପୁଚ୍ଛଧାରୀ କାକତୁଲ୍ୟ ପରିହାସିତ ତଥା ପରିତ୍ୟକ୍ତ ହୋଇଥାଏ । ବାସ୍ତବିକ, ଏ ଶ୍ରେଣୀର ଛାତ୍ରମାନେ ମିଥ୍ୟା ବଡ଼ିମା ଛଳନାରେ କେବଳ ଯେ ନିଜ ନିଜର ଜୀବନକୁ ବ୍ୟର୍ଥକରନ୍ତି ତାହା ନୁହେଁ, ସେମାନେ ସମଗ୍ର ଛାତ୍ରସମାଜକୁ ହିଁ କଳଙ୍କିତ କରିଥାନ୍ତି-। ତାହା ଫଳରେ ଜାତୀୟ ବିକାଶ ବା ପ୍ରଗତିର ପଥରୁଦ୍ଧ ହୋଇଯିବା ସ୍ୱାଭାବିକ-। ସେହିପରି ସତ୍ୟବାଦିତା ଓ ନୈତିକ ସାହସ ଛାତ୍ରଧର୍ମର ଦୃଢ଼ତା ସମ୍ପାଦନରେ ବଡ଼ ସହକାରୀ-। ମିଥ୍ୟାଚାର ଯେପରି କି ଆଜିକାଲି ଛାତ୍ର ସାଧାରଣଙ୍କର ଏକ ଦୈନନ୍ଦିନ କାରବାରରେ ପରିଣତ ହୋଇପଡ଼ିଛି-। ଛାତ୍ରଧର୍ମର ପ୍ରତିକୂଳ କାର୍ଯ୍ୟମାନ ଅଭିଭାବକ ବା ଶିକ୍ଷକମାନଙ୍କର ଅଗୋଚରରେ କରିପକାଇ ଅନେକ ସତ୍ୟଭାଷର ଉହାଡ଼ରେ କେବଳ ପ୍ରତାରଣାର ଆଶ୍ରୟ ନେଇଥାନ୍ତି । ସତ୍ୟକଥନ ଓ ଦୋଷଦୁର୍ବଳତା ସ୍ୱୀକାର କରିବାର ସାହସ ପ୍ରତ୍ୟେକ ଛାତ୍ରର ବ୍ରତ ହେବା ଉଚିତ; କିନ୍ତୁ ଏହା ପରିବର୍ତ୍ତରେ ଅଧିକାଂଶ ଛାତ୍ର ସତ୍ୟ ନକହି ନିଜ ନିଜର ଗର୍ହିତ କାର୍ଯ୍ୟଗୁଡ଼ିକୁ ଲୋକଲୋଚନ ଅଗୋଚରରେ ରଖି ମହାକାଳଫଳ ସଦୃଶ ବାହାରକୁ ସତ୍ୟଶିବସୁନ୍ଦର ବୋଲି ଦେଖାଇ ହୁଅନ୍ତି-। ଏହା କଦାଚାର ସଂକ୍ରାମକ ରୋଗ ଭଳି ସମଗ୍ର ଛାତ୍ରସମାଜକୁ ଗ୍ରାସ କରିବାକୁ ବସିଲାଣି-। ସାବଧାନ ଛାତ୍ରଗଣ, ସାବଧାନ ଶିକ୍ଷକବୃନ୍ଦ, ସାବଧଶନ ଅଭିଭାବକଗଣ ! ସର୍ବଦା ଛାତ୍ରମାନଙ୍କ ମନରେ ପ୍ରବେଶ କରାଇବାକୁ ହେବ-ସତ୍ୟବାଦିତା ଓ ନୈତିକ ସାହସ । ଏହି ଦୁଇ ଗୁଣର ଅଧିକାରୀ ନ ହେଲେ ଛାତ୍ରଧର୍ମ-‘ଛାତ୍ରଧର୍ମ’ରେହିଁ ପରିଣତ ହୋଇ ଦେଶ ବା ଜାତିର ଗଣ୍ଡି କୁ ଧ୍ୱଂସ କରିଦେବ । ପ୍ରତାରଣ ଛାତ୍ରଧର୍ମର ପ୍ରଧାନ ଘାତକ, ନୈତିକ ସାହସର ଅଭାବ କେବଳ ଦୁର୍ବଳତା କାହିଁକି, ଜଘନ୍ୟ ଭୀରୁତା ମଧ୍ୟ । ସ୍ଥୂଳରେ କହିବାକୁ ଗଲେ ଗୁରୁଭକ୍ତି, ଆତ୍ମଶୁଦ୍ଧି, ଆତ୍ମସଂଯମ, ନିୟମାନୁବର୍ତ୍ତିତା, ନୈତିକ ସାହସ, ସରଳ ନିରାଡ଼ମ୍ବର ଜୀବନ ଓ ଜ୍ଞାନଲାଭାର୍ଥ ଗଭୀର ଅଭିନିବେଶ, ଶ୍ରଦ୍ଧା ଓ ଗବେଷଣା ଛାତ୍ରଧର୍ମର ରକ୍ଷଣ ତଥା ପାଳନରେ ପ୍ରଧାନ ସହକାରୀ-। ଏହି ଗୁଣଗୁଡ଼ିକର ଅଧିକାରୀ ନ ହେଲେ ‘ଛାତ୍ର’’ ଛାତ୍ରପଦବାଚ୍ୟ ବୋଉ ନପାରେ-। ‘‘ଆଜ୍ଞାଗୁରୁଣାଂହ୍ୟବିଚାରଣୀୟା’’ –ଏହା ହିଁ ଛାତ୍ରଧର୍ମର ମୂଳମନ୍ତ୍ର ।

 

ଏପର୍ଯ୍ୟନ୍ତ ଆମ୍ଭେମାନେ ଛାତ୍ରଧର୍ମର ଏକ ସ୍ଥୂଳ ଧାରଣା ଦେବାକୁ ଯାଇଅଛୁ; ମାତ୍ର ଏହାର ଯଥାଯଥ ପାଳନ କଠିନ ସାଧନାସାପେକ୍ଷ । ଆଧୁନିକ ସଭ୍ୟତାର ପ୍ରସାରରେ ଛାତ୍ରଜୀବନ ଯେପରି ଭାବରେ ପ୍ରଭାବିତ ହେବାକୁ ଯାଉଅଛି, ତାହାରି ଫଳରେ ଛାତ୍ରମାନେ ବିଦିଗରେ ଗତି କରିବାର ଦେଖାଯାଏ । ଆଧୁନିକ ଜଡ଼ମନୋବୃତ୍ତି ସମାଜକୁ ରନ୍ଧ୍ରେ ରନ୍ଧ୍ରେ ଏପରି ପ୍ରଭାବିତ କରିଅଛି ଯେ, ଛାତ୍ରମାନେ ସାଧାରଣତଃ ତାହାର ସ୍ରୋତରେ ତଡ଼ିହୋଇ ଯାଉଥିବାର ଦେଖାଯାଏ । ଛାତ୍ରଧର୍ମର ମେରୁଦଣ୍ଡ ଭାଙ୍ଗିପଡ଼ି ନାନା ବିକ୍ଷୋଭ ଓ ବିଶୃଙ୍ଖଳାର କାରଣ ହୋଇପଡ଼ିଛି । ଯେଉଁ ଯେଉଁ ପ୍ରଭାବରୁ ସ୍ୱାଧୀନ ହେଲେ ଛାତ୍ର ତାହାର ସଂରକ୍ଷଣ ଓ ପ୍ରତିଷ୍ଠାରେ କୃତକାର୍ଯ୍ୟ ହୋଇପାରିବ, ସେଥିପ୍ରତି ପାଠକମାନଙ୍କର ଦୃଷ୍ଟି-ଆକର୍ଷଣ କରିବାକୁ ଯାଉଅଛୁ ।

 

ପ୍ରଥମତଃ, ରାଜନୈତିକ ପ୍ରଭାବ ଛାତ୍ରବିଶୃଙ୍ଖଳାର ଏକ ପ୍ରଧାନ କାରଣ ହୋଇଅଛି । ରାଜନୀତିର କ୍ଷେତ୍ର ଏଡ଼େ ଜଟିଳ ଯେ, ସରଳମତି ଛାତ୍ରଗଣ ଏହାର ପ୍ରଭାବବଶତଃ ଅପରିପକ୍ୱ ଦେଶବତ୍ସଳତାର ଉନ୍ମାଦନାରେ ଅନ୍ଧୀଭୂତ ହୋଇ ନାନା ବିକ୍ଷୋଭ ପ୍ରଦର୍ଶନପୂର୍ବକ ଛାତ୍ରଧର୍ମର ମୂଳରେ କୁଠାରଘାତ କରନ୍ତି । ରାଜନୈତିକ ନେତୃବୃନ୍ଦଙ୍କର ପ୍ରକ୍ଷୋଭପୂର୍ଣ୍ଣ ଆହ୍ୱାନରେ ମୁଗ୍ଧ ହୋଇ କେତେ ଛାତ୍ର ଯେ ଶାନ୍ତିଶୃଙ୍ଖଳା ନଷ୍ଟ କରି ବିଦିଗରେ ଚାଳିତ ହୋଇଥାଆନ୍ତି, ତାହା ଏବେ ଆଉ କାହାରିକୁ ବୁଝାଇବାକୁ ହେବନାହିଁ । ରାଜନୈତିକ କ୍ଷେତ୍ରରେ ଛାତ୍ରର ସ୍ଥାନ କେଉଁଠି, ଏହା ସ୍ଥିର ନ କରି ଅଧିକାଂଶ ନେତା ଛାତ୍ରମାନଙ୍କୁ-‘‘ତୁମ୍ଭେମାନେ ଦେଶର ଭବିଷ୍ୟତ୍‌, ତୁମ୍ଭମାନଙ୍କ ଉପରେ ହିଁ ଦେଶର ଭବିଷ୍ୟତ ନିର୍ଭର କରେ’’ ଇତ୍ୟାଦି ଆହ୍ୱାନ ଘୋଷରେ ଅନୁପ୍ରାଣିତ କରିବାକୁ ଚେଷ୍ଟା କରିଥାନ୍ତି । ଏହି ଅପରିପକ୍ୱ ଦେଶପ୍ରେମ ଛାତ୍ରମାନଙ୍କ ପକ୍ଷରେ ଜ୍ଞାନଲାଭର ଏକ ପ୍ରାଧାନ୍ୟ ଅନ୍ତରାୟ ହୋଇଥାଏ । ଏହାଦ୍ୱାରା ଛାତ୍ରମାନେ କେତେଗୁଡ଼ିଏ ମିଥ୍ୟା-ଧାରଣାର ବଶବର୍ତ୍ତୀ ହୋଇ ଓ ଅଧ୍ୟୟନକୁ ଏକ ଗୌଣକର୍ମ ବୋଲି ମନେ କରି ତଥାକଥିତ ସ୍ୱାଧୀନ ଚିନ୍ତାର ପରିଚୟ ଦେବାକୁ ଯାଇଥାନ୍ତି । ଏହାର ଫଳରେ ରାଜନୀତି କ୍ଷେତ୍ରରେ ଜଟିଳ ଯୋଦ୍ଧୃମନୋବୃତ୍ତି ପ୍ରାବଲ୍ୟ ଲାଭ କରେ ଓ ରାଜନୈତିକ ଅଧିକାରକୁ କରଗତ କରିବାଭଳି ସେମାନେ ଶିକ୍ଷାକ୍ଷେତ୍ରରେ କର୍ତ୍ତୁପକ୍ଷ ତଥା ଅଧ୍ୟାପକମାନଙ୍କର ବିରୁଦ୍ଧାଚରଣ କରି କେତେଗୁଡ଼ିଏ ଦାବୀ ପୂରଣ କରାଇନେବାକୁ ବାହାରି ପଡ଼ନ୍ତି । ଛାତ୍ର ଓ ଶିକ୍ଷକ ମଧ୍ୟରେ ଏହି ସଂଘର୍ଷ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାକ୍ଷେତ୍ରରେ ପବିତ୍ରତା ଓ ଆଦର୍ଶ ନଷ୍ଟ କରି ଦେଇଥାଆନ୍ତି । ରାଜନୈତିକ ନେତୃତ୍ୱର ଅନୁକରଣରେ ଶିକ୍ଷାକ୍ଷେତ୍ରରେ ତଥାକଥିତ ନେତୃତ୍ୱ ସୃଷ୍ଟି କରି କେତେଗୁଡ଼ିଏ ଛାତ୍ର ଅନ୍ୟାନ୍ୟ ଛାତ୍ରମାନଙ୍କୁ ନିଜ ନିଜର ମତରେ ଦୀକ୍ଷିତ ତଥା ଚାଳିତ କରାଇ ନେବାରେ ପ୍ରସନ୍ନ କରି ବସନ୍ତି । ଫଳ ହୁଏ ଅଧ୍ୟୟନରେ ହାନି, ଗୁରୁ ବା ଶିକ୍ଷକମାନଙ୍କଠାରେ ଅବିଶ୍ୱାସ ଓ ସେମାନଙ୍କ ଉପଦେଶରେ ଅନବଧାନ, କିନ୍ତୁ ମନେ ରଖିବାକୁ ହେବ, ଏହି ବିକୃତ ମନୋବୃତ୍ତି ଛାତ୍ରଧର୍ମର ଏକାନ୍ତ ବିରୋଧୀ । ଅବଶ୍ୟ ଯୁକ୍ତି ଉଠିଥାଏ, ଛାତ୍ରମାନେ କ’ଣ ରାଜନୀତିରୁ ଏକାବେଳକେ ଅଲଗାହୋଇ ରହିବେ ? ସେମାନେ କ’ଣ ଅଧ୍ୟୟନବେଳରୁ ରାଜନୀତିର ଧାର ଧାରିବେ ନାହିଁ ? ଏହାର ଉତ୍ତର ଦେବାକୁ ବହୁଦୂର ଯିବାକୁ ହେବ ନାହିଁ । ରାଜନୈତିକ ଜ୍ଞାନ ଓ ରାଜନୈତିକ କର୍ମ ଏ ଦୁଇଟି ଏକ ନୁହେଁ । ଜ୍ଞାନପିପାସୁ ଛାତ୍ର ତାହାର ଶିକ୍ଷାକ୍ଷେତ୍ରରେ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ରାଜନୀତିବିଷୟକ ଚର୍ଚ୍ଚା ଓ ତଜ୍ଜନିତ ଜ୍ଞାନଲାଭ କରିବାରୁ ବିରତ ହେବା ଉଚିତ ନୁହେଁ । ରାଜନୀତିର ଛାତ୍ରମାନେ ପାଠକରି ବିଷୟଟିରେ ବ୍ୟୁତ୍ପତ୍ତି ଲାଭ କରିବା ଗୋଟିଏ ଗୋଟିଏ କଥା; ମାତ୍ର ରାଜନୀତି କ୍ଷେତ୍ରରେ ପ୍ରବେଶ କରି କାର୍ଯ୍ୟକ୍ଷେତ୍ରରେ ଅଂଶଗ୍ରହଣ କରିବା ଗୋଟିଏ ସ୍ୱତନ୍ତ୍ର କଥା । ମନେ ରଖିବାକୁ ହେବ, ଜ୍ଞାନ ହିଁ ଶକ୍ତି, ଜ୍ଞାନ ହିଁ ବଳ । ସୁତରାଂ ଯେ କୌଣସି ବିଷୟରେ ଜ୍ଞାନଲାଭ କରି ତାହାର ଚର୍ଚ୍ଚା ବା ଗବେଷଣା କରିବାରୁ ଛାତ୍ରମାନେ ବଞ୍ଚିତ ନୁହନ୍ତି । ମାତ୍ର ଏହା ବୋଲି ରାଜନନୈତିକ କ୍ଷେତ୍ରରେ ଅବତୀର୍ଣ୍ଣ ହେବା କୌଣସିମତେ ବାଞ୍ଛନୀୟ ନୁହେଁ । ସାମ୍ୟବାଦ ହେଉ, ଏକଛତ୍ରବାଦ ହେଉ ବା ଗଣତନ୍ତ୍ରବବାଦ ହେଉ, କୌଣସି ଗୋଟିଏ ‘ବାଦ’କୁ ଶିକ୍ଷାନୁଷ୍ଠାନରେ ପ୍ରବେଶ କରାଇ ଛାତ୍ରମାନଙ୍କୁ ଦିଗ୍‌ଭ୍ରଷ୍ଟ କରିବା ଛାତ୍ରଧର୍ମର ଅନୁକୂଳ କାର୍ଯ୍ୟ ନୁହେଁ । ଛାତ୍ରମାନଙ୍କର କୋମଳମତିର ଅପରିପକ୍ୱ ଜ୍ଞାନ ଓ ବିଶ୍ୱାସପ୍ରବଣତାର ସୁବିଧା ନେଇ ସେମାନଙ୍କ ମନରେ ସୁଖସ୍ୱପ୍ନ ସୃଷ୍ଟିପୂର୍ବକ ସେମାନଙ୍କୁ ରାଜନୀତିକ୍ଷେତ୍ରରେ କ୍ରୀଡ଼ନକ ରୂପେ ବ୍ୟବହାର କରିବା ଯଥାର୍ଥ ରାଜନୀତିକୁଶଳତା ନୁହେଁ ଯେ ବରଂ ଏକ ପ୍ରଚ୍ଛନ୍ନ ପ୍ରତାରଣା । କଥିତ ଅଛି, ‘କ୍ଷେତ୍ରେ କର୍ମ ବିଧୀୟତେ’, ମାତ୍ର ଆମ ଛାତ୍ରବୃନ୍ଦ ରାଜନୈତିକ କ୍ଷେତ୍ରରେ ନୀତି ଓ କାର୍ଯ୍ୟକୁ ଶିକ୍ଷାରୂପକ ଏକ ସ୍ୱତନ୍ତ୍ର କ୍ଷେତ୍ରରେ ପ୍ରୟୋଗ କରି ଛାତ୍ରଧର୍ମରେ ବିପର୍ଯ୍ୟୟ ଓ ତଜ୍ଜନିତ ଉଚ୍ଛୃଙ୍ଖଳତା ସୃଷ୍ଟି କରିବାରେ ଲାଗିପଡ଼ୁ ଥିବାରୁ ଦୃଷ୍ଟିଗୋଚର ହୁଏ । ସ୍ୱାଧୀନତାଲାଭ ଉଦ୍ଦେଶ୍ୟରେ ଯେଉଁ ରାଜନୈତିକ ଅସହଯୋଗ-ଆନ୍ଦୋଳନ ଭାରତରେ ପ୍ରବର୍ତ୍ତିତ ହୋଇଥିଲା, ତାହାର ଅନୁକରଣରେ ଛାତ୍ରମାନଙ୍କ ମଧ୍ୟରେ ଏକ କୃତ୍ରିମ ଅସହଯୋଗ ମନୋବୃତ୍ତି ଏପରି ଏକ ସ୍ଥାନ ମାଡ଼ିବସିଲା ଯେ, ସେମାନେ ନିଜ ନିଜର ଶିକ୍ଷାମନ୍ଦିରମାନଙ୍କରେ ଏହା ପ୍ରୟୋଗ କରି ଉଦ୍ଦାମ ଉତ୍ତେଜନା, ଉଚ୍ଛୃଙ୍ଖଳ ବିପ୍ଲବାତ୍ମକ ବ୍ୟବହାର ଫଳରେ ଜ୍ଞାନଲାଭର ଗୁରୁତ୍ୱ ଓ ଉପାଦେୟତାକୁ ବିସ୍ମୃତିଗର୍ଭରେ ନିକ୍ଷେପ କରୁଅଛନ୍ତି । ଏହି ଅସହଯୋଗ ଆନ୍ଦୋଳନ କେଉଁ ସମୟରେ ଏବଂ କୀଦୃଶ ପରିସ୍ଥିତିରେ ପ୍ରବର୍ତ୍ତିତ ହୋଇଥିଲା, ତା’ ହୃଦୟଙ୍ଗମ ନ କରି କେବଳ ଅନ୍ଧବିଶ୍ୱାସ ଓ ଅନ୍ଧାନୁକରଣର ବଶବର୍ତ୍ତୀ ହୋଇ ବହୁ ସଂଖ୍ୟକ ଛାତ୍ର ଅକାଳରେ ସେମାନଙ୍କର ଭବିଷ୍ୟତ ନଷ୍ଟ କରି ଦେଇଛନ୍ତି । ଏହି ଅସହଯୋଗ-ମନୋବୃତ୍ତି ପୁଣି ‘ଧର୍ମଘଟ’ ନାମକ ଆହୁରି ଏକ ବିଚିତ୍ର ରୂପରେ ଦେଖାଦେଇଅଛି । ଏହି ଧର୍ମଘଟ ପାଶ୍ଚାତ୍ୟ ଦେଶମାନଙ୍କରେ ଶିଳ୍ପାଦି ଅନୁଷ୍ଠାନମାନଙ୍କରେ ଶ୍ରମିକଶ୍ରେଣୀର ଦାବୀପୂରଣ ଉଦ୍ଦେଶ୍ୟରେ ପ୍ରବର୍ତ୍ତିତ ହୋଇଥାଏ । ଏହାର ଅନୁକରଣରେ ଆଜିକାଲି ଆମ ଦେଶରେ ଶ୍ରମିକମାନେ ଏହାକୁ ପ୍ରଥମେ ଆରମ୍ଭ କରିବାପରେ ଏହା ଏକ ସଂକ୍ରାମକ ରୋଗପରି ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଓ ଶିକ୍ଷାନୁଷ୍ଠାନମାନଙ୍କରେ ବ୍ୟାପିଯାଉଥିବାର ଦେଖାଯାଏ । ବହୁସଂଖ୍ୟକ ଛାତ୍ର ଏଥିରେ ଆକ୍ରାନ୍ତ ହୋଇ ଶିକ୍ଷାନୁଷ୍ଠାନ ବର୍ଜ୍ଜନପୂର୍ବକ ଶ୍ରମିକମାନଙ୍କ ପରି ଶିକ୍ଷାଲାଭ କାର୍ଯ୍ୟ ବନ୍ଦ କରିଦେଉଛନ୍ତି । ଏହି ବର୍ଜନ ପ୍ରଥା ଲାଭଲେଖାର ଶିଳ୍ପପତି ପ୍ରଭୃତିଙ୍କର ଆୟରେ ହାନି ଘଟାଇବା ନିମିତ୍ତ ଉଦ୍ଦିଷ୍ଟ ଥିଲା । ଏହାକୁ ବର୍ତ୍ତମାନ ଶିକ୍ଷାକ୍ଷେତ୍ରରେ ପ୍ରୟୋଗ କରି ଛାତ୍ରମାନେ କର୍ତ୍ତୁପକ୍ଷଙ୍କର କି ହାନି ଘଟାଉଛନ୍ତି, ତାହା ଜାଣିବା ଦୁଷ୍କର; କିନ୍ତୁ ଏହା ସୁପ୍ରମାଣିତ ଯେ, ସେମାନେ ଏହାଦ୍ୱାରା ନିଜ ନିଜର ଜ୍ଞାନାର୍ଜନ କାର୍ଯ୍ୟରେ ବାଧା ଘଟାଉଛନ୍ତି । ଏହା ଏକ ଆତ୍ମଘାତୀ ପ୍ରଣାଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଧର୍ମଘଟ କୌଣସି କାଳେ ଛାତ୍ରଧର୍ମସମ୍ମତ ନୁହେଁ, କାରଣ ଏଥିରେ ଶିକ୍ଷାକ୍ଷେତ୍ରରେ କର୍ତ୍ତୁପକ୍ଷଙ୍କୁ କୌଣସି କ୍ଷତି ସହିବାକୁ ପଡ଼େନାହିଁ; ବରଂ ଛାତ୍ରମାନଙ୍କୁ ବିପରୀତ ଫଳ ଭୋଗ କରିବାକୁ ପଡ଼ିଥାଏ ।

 

ଏହାଛଡ଼ା ଅର୍ଥନୈତିକ ପରିସ୍ଥିତି ଛାତ୍ର ବିକ୍ଷୋଭର ଆଉ ଏକ କାରଣ । ଆମ ଦେଶରେ ଛାତ୍ରମାନେ ସାଧାରଣତଃ ଚାକିରୀ ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ କରୁଥିବାରୁ ଦେଖାଯାଏ । ଜ୍ଞାନଲାଭ ସକାଶେ ଜ୍ଞାନଲାଭ ସେମାନଙ୍କର ନୀତି ହୋଇ ନ ଥାଏ; ମାତ୍ର ଚାକିରୀ ତ ସମସ୍ତଙ୍କୁ ମିଳେନାହିଁ, ଫଳ ହୁଏ ନୈରାଶ୍ୟ ଓ ଅଶାନ୍ତି । ଏହି ଶ୍ରେଣୀର ଛାତ୍ରମାନେ ତେଣୁ ଉପାୟାନ୍ତର ନ ଦେଖି ଦଳଗତ ରାଜନୀତି ବା ତଦନୁରୂପ ଅନ୍ୟ କୌଣସି କ୍ଷେତ୍ରରେ ଲିପ୍ତ ରହିବାକୁ ବାଧ୍ୟ ହୁଅନ୍ତି । ଛାତ୍ରାବସ୍ଥାରୁ ସେମାନେ ଜ୍ଞାନାର୍ଜ୍ଜନକୁ ଅର୍ଥାଗମର ଉପାୟରୂପେ ଧରି ବ୍ୟବସାୟ-ମନୋବୃତ୍ତିସମ୍ପନ୍ନ ବ୍ୟକ୍ତିମାନଙ୍କ ପରି ଉପାଧି ହାସଲ କରିବାପାଇଁ ଉଦ୍‌ଗ୍ରୀବ ହୋଇପଡ଼ନ୍ତି, କିନ୍ତୁ ଏହା ଛାତ୍ରର ଧର୍ମ ନୁହେଁ । କାରଣ ଏହାଦ୍ୱାରା ଅଧ୍ୟୟନ କାର୍ଯ୍ୟଟି ଚାକିରୀପ୍ରତି ଲକ୍ଷ୍ୟରଖି କେବଳ ଏକ ଉପାୟ ବା କୌଶଳରୂପେ ଅବଲମ୍ବିତ ହେଉଥିବାରୁ ଗୁରୁତ୍ୱ ହରାଇ ବସେ ଓ ଛାତ୍ରମାନେ ପରୀକ୍ଷାଲବ୍ଧ ସମସ୍ତ ଉତ୍କର୍ଷସତ୍ତ୍ୱେ ପ୍ରକୃତ ଜ୍ଞାନଲାଭରୁ ବଞ୍ଚିତ ହୋଇଥାନ୍ତି । ଏହି ଆପାତଃ ଉତ୍କର୍ଷର ଭିତ୍ତିରେ ସେମାନେ ସମାଜରେ ଯେଉଁ ସ୍ଥାନ ଅଧିକାର କରନ୍ତି, ତାହାଦ୍ୱାରା ସେମାନଙ୍କର ଚରିତ୍ରର ଉତ୍କର୍ଷ ଘଟେ ନାହିଁ; ବରଂ ସେମାନେ ସ୍ୱାର୍ଥନ୍ୱେଷୀ ହୋଇ ଦେଶ ବା ସମାଜର ପ୍ରତିକୂଳାଚରଣ କରିଥାନ୍ତି ।

 

ଅଭିଭାବକମାନଙ୍କର ଦାୟିତ୍ୱଜ୍ଞାନର ଅଭାବବଶତଃ ଛାତ୍ରମାନେ ସ୍ଵେଚ୍ଛାଚାରୀ ଓ ବିଶୃଙ୍ଖଳ ହୋଇପଡ଼ିଥିବାର ଅନୁମତି ହୁଏ । ପୁତ୍ର କନ୍ୟାମାନଙ୍କ ପ୍ରତି ଅତିବାତ୍ସଲ୍ୟ ଅଭିଭାବକମାନଙ୍କୁ ଏପରି ଅନ୍ଧୀଭୂତ କରିପକାଏ ଯେ, ସେମାନେ ଶାସନ ନିମିତ୍ତ ଯେତିକି କଠୋରତା ଆବଶ୍ୟକ ସେତକ ଦେଖାଇପାରନ୍ତି ନାହିଁ; ତେଣୁ ଛାତ୍ରମାନେ ଦାୟିତ୍ୱହୀନଭାବରେ ମନଇଚ୍ଛା ଗତି କରିବାରେ ଲାଗନ୍ତି । ସେମାନଙ୍କର ଦୋଷ-ଦୁର୍ବଳତା ପ୍ରତି ରୁଦ୍ଧନେତ୍ର ଏହି ଅଭିଭାବକଗଣ ବିଦ୍ୟାଳୟ ପକ୍ଷରୁ ସେମାନଙ୍କ ପ୍ରତି ଦଣ୍ଡବିଧାନ ହେଲା ମାତ୍ରକେ କେବଳ କର୍ତ୍ତୁପକ୍ଷଙ୍କ ଉପରେ ସବୁ ଦୋଷ ଢାଳିଦେଇ ଛାତ୍ରମାନଙ୍କ କଥାରେ ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିଥାନ୍ତି, ପୁଣି ଏହି ଅଭିଭାବକମାନଙ୍କ ମଧ୍ୟରୁ ଅନ୍ତତଃ ଭାରତବର୍ଷରେ ଅଧିକାଂଶ ଅଶିକ୍ଷିତ ଥିବାରୁ ଛାତ୍ରମାନଙ୍କର ଅବୈଧ କାର୍ଯ୍ୟଗୁଡ଼ିକର ବିଷମ ପରିଣତି ଚିନ୍ତା କରିପାରନ୍ତି ନାହିଁ, ଏବଂ ଛାତ୍ରମାନେହିଁ ନିଜ ନିଜର କୁବ୍ୟବହାର ଓ ଉଚ୍ଛୃଙ୍ଖଳ ଗତିକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସେମାନଙ୍କର ଅଜ୍ଞତାର ସୁବିଧା ନେଇଥାନ୍ତି । ପୁନଶ୍ଚ, ଅନେକ ଅଭିଭାବକ ନାନା ପ୍ରଲୋଭନରେ ପଡ଼ି ନିଜ ନିଜର କାର୍ଯ୍ୟକଳାପକୁ ଏପରି ଅର୍ଥନୈତିକ କରିଥାନ୍ତି ଯେ, ଛାତ୍ର ତାହାର ଶୈଶବରୁ ସେଗୁଡ଼ିକ ଦେଖି ଶିଖି ତଦନୁଯାୟୀ ଗଢ଼ିହୋଇଯାଇଥାଏ । ଅଭିଭାବକମାନଙ୍କର ଧୂମ୍ରପାନ, ଦ୍ୟୁତକ୍ରୀଡ଼ା, ଚଳଚ୍ଚିତ୍ରସମ୍ଭୋଗ, ମାଲିମୋକଦ୍ଦମାର ମନୋବୃତ୍ତି ଓ ମିଥ୍ୟାଚାର ପ୍ରଭୃତି କାର୍ଯ୍ୟଗୁଡ଼ିକ ଛାତ୍ରମାନଙ୍କୁ ଏପରି ପ୍ରଭାବିତ କରେ ଯେ, ସେମାନେ ବିଦ୍ୟାଳୟମାନଙ୍କରେ ପ୍ରବେଶ କଲାମାତ୍ରକେ ନିୟମାଧୀନ ହୋଇପାରନ୍ତି ନାହିଁ । ତେଣୁ କେତେବେଳେ ଶିକ୍ଷକ ବା ଅଧ୍ୟାପକଙ୍କ ପ୍ରତି ଅବମାନନା ଦେଖାଇ ନିଜ ନିଜର ତଥାକଥିତ ନେତୃତ୍ୱ ପ୍ରତିଷ୍ଠା କରିବସନ୍ତି, କେତେବେଳେ ସେମାନଙ୍କ ଉପଦେଶଗୁଡ଼ିକର ବିରୁଦ୍ଧରେ ବିଶୃଙ୍ଖଳ ପ୍ରତିକ୍ରିୟା ଦେଖାଇଥାନ୍ତି ଏବଂ କେତେବେଳେ ପୁଣି ପ୍ରତିହିଂସାର ବଶବର୍ତ୍ତୀ ହୋଇ ସେମାନଙ୍କ ଉପରେ ଅତ୍ୟାଚାର କରିବସନ୍ତି । ଉଦାହରଣସ୍ୱରୂପ, ପରୀକ୍ଷାରେ ଉତ୍ତର ଦେଲାବେଳେ ଅବୈଧ ଉପାୟମାନ ଅବଲମ୍ବନ କରି କର୍ତ୍ତୁପକ୍ଷଙ୍କ କର୍ତ୍ତୁକ ବିତାଡ଼ିତ ହେବାକୁ ଆଦିଷ୍ଟ ହେବା ମାତ୍ରକେ ସେମାନେ ଯେଉଁ ଉତ୍ୟକ୍ତ ମନୋଭାବ ଦେଖାଇବାକୁ ଯାଇଥାନ୍ତି, ତାହା କାହାରିକୁ ଅବିଦିତ ନୁହେଁ । ଏହିସବୁ କାରଣରୁ ଛାତ୍ରଧର୍ମ ବହୁ ପରିମାଣରେ ବ୍ୟାହତ ହୋଇପଡ଼ୁଥିବାରୁ ପରିଦୃଷ୍ଟ ହୁଏ । ସୁତରାଂ ପିତାମାତା ବା ଅଭିଭାବକମାନଙ୍କର ଏହିଦିଗରେ ବହୁତ ଗୁରୁ କର୍ତ୍ତବ୍ୟ ରହିଅଛି । ଛାତ୍ରର ଶିକ୍ଷା ଏକ ସହଯୋଗ ବ୍ୟାପାର । ଏକ ଦିଗରେ ଶିକ୍ଷକ, ଅନ୍ୟଦିଗରେ ପିତାମାତା ବା ଅଭିଭାବକ ଏବଂ ଏହି ଦୁଇପକ୍ଷ ମଧ୍ୟରେ ଛାତ୍ର, ଏହିପରି ତିନୋଟି ଦିଗରୁ ଲବ୍ଧ ସହଯୋଗ ଉପରେ ହିଁ ଶିକ୍ଷାଦାନର ସଫଳତା ନିର୍ଭର କରେ । ଗୁରୁ ଶିଷ୍ୟଙ୍କ ମଧ୍ୟରେ ଅଭିଭାବକ ଓ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷଙ୍କ ମଧ୍ୟରେ ସକ୍ରିୟ ତଥା ଶ୍ରଦ୍ଧାତ୍ମକ ସହଯୋଗ ନ ମିଳିଲେ ଛାତ୍ରର ଧର୍ମ ପରିଲକ୍ଷିତ ହୋଇପାରିବ ନାହିଁ ଏବଂ ପରିମାଣରେ ଅଧ୍ୟୟନଜନିତ ଯଥାର୍ଥ ଗଭୀର ଜ୍ଞାନଲାଭ ଓ ତଦନୁରୂପ ଚରିତ୍ର ଗଠନ ଅସମ୍ଭବ ହୋଇପଡ଼ିବ । ଛାତ୍ରଗଣ ସେଥିପାଇଁ ସର୍ବଦା ସର୍ବଥା ସତର୍କ ରହିବା ଉଚିତ୍‌ । ବାସ୍ତବିକ ଯେଉଁ ଦେଶ ବା ଜାତିରେ ଏହି ତ୍ରିବିଧାତ୍ମକ ସାହାଯ୍ୟ ଓ ସହଯୋଗର ଯେତେ ଅଭାବ, ସେହି ଦେଶ ବା ଜାତି ସେତିକି ପରିମାଣରେ ଶିକ୍ଷା ଦିଗରେ ଶିକ୍ଷା ଦିଗରେ ପଶ୍ଚାତ୍‌ପଦ ବା ଅନୁନ୍ନତ ।

 

ସର୍ବଶେଷରେ ଗୁରୁ ବା ଶିକ୍ଷକଙ୍କ ବ୍ୟକ୍ତିତ୍ୱ ଓ ଚରିତ୍ରବତ୍ତା ଉପରେ ଛାତ୍ରଧର୍ମର ସାଫଲ୍ୟ ବହୁ ପରିମାଣରେ ନିର୍ଭର କରେ । ଦୁଶ୍ଚରିତ୍ର, ବ୍ୟକ୍ତିତ୍ୱହୀନ ଶିକ୍ଷକ ଛାତ୍ରଜୀବନକୁ ନିୟନ୍ତ୍ରିତ କରିବା ପାଇଁ ଏକାବେଳକେ ଅକ୍ଷମ । ପ୍ରାରମ୍ଭରୁ କହିଅଛୁ, ଗୁରୁଦୋଷାବରଣ ଛାତ୍ରର ଧର୍ମ । ମାତ୍ର ସେଥି ସଙ୍ଗେ ସଙ୍ଗେ ଶିକ୍ଷକଙ୍କୁ ମଧ୍ୟ ମନେ ରଖିବାକୁ ହେବ ଯେ, ଶିକ୍ଷକ ଅଯୋଗ୍ୟ ହେଲେ, ଶିକ୍ଷକର ଜୀବନ ଆଦର୍ଶହୀନ ହେଲେ, ଛାତ୍ର ବିଧର୍ମୀ ହୋଇ ତାଙ୍କର ବିରୁଦ୍ଧରେ ପ୍ରତିକ୍ରିୟା ଦେଖାଇବାକୁ ଯିବା ବିଚିତ୍ର ନୁହେଁ । ଶିକ୍ଷକଙ୍କର ଦୋଷଦୁର୍ବଳତା ଛାତ୍ରର କର୍ତ୍ତବ୍ୟ ନୁହେଁ ସତ୍ୟ, ମାତ୍ର ଏହି ଦୋଷ ଦୁର୍ବଳତା ଶିକ୍ଷକଙ୍କଠାରେ ଅତି ପ୍ରାବଲ୍ୟ ଲାଭ କରି ଛାତ୍ରଜୀବନକୁ ପ୍ରପୀଡ଼ିତ କଲାବେଳେ ଛାତ୍ର ସ୍ୱୀୟ ସହନଶକ୍ତିର ସୀମା ଲଙ୍ଘନ କରିପକାଏ । ସେଥିପାଇଁ ଶିକ୍ଷାକ୍ଷେତ୍ରରେ ଅଭିଭାବକମାନଙ୍କର ଦାୟିତ୍ୱ ଯେତିକି ରହିଛି, ଶିକ୍ଷକମାନଙ୍କ ଦାୟିତ୍ୱ ସେଥିରେ ଅଧିକ ବୋଲି କହିବାକୁ ହେବ ।

Image

 

ସମାଜ ଉପରେ ସାହିତ୍ୟର ପ୍ରଭାବ

(ଡକ୍ଟର ହରେକୃଷ୍ଣ ମହତାବ)

 

ଋଗ୍‌ବେଦରେ ଦୁଇଟି ନଦୀ ଋଷି-କବିଙ୍କୁ କହିଛନ୍ତି–

 

‘‘ଏତଦ୍‌ ବଚୋ ଜରିତର ମାପିମୃଷ୍ଟ

ଆ ଯତ୍‌ତେ ଘୋଷନ୍‌ ଉତ୍ତର ଯୁଗନି ।’’

 

ଅର୍ଥାତ୍‌ ହେ କବି ! ଏ କଥା ଭୁଲିଯାଅ ନାହିଁ ଯେ ତୁମ ମୁଖନିଃସୃତ କଥା ପରବର୍ତ୍ତୀ ଯୁଗମାନଙ୍କରେ ପ୍ରତିଧ୍ୱନିତ ହେବ । ଏଥିରୁ ଜଣାଯିବ ଯେ ମନୁଷ୍ୟର ଚିନ୍ତା ଯେତେବେଳେ କଥା ବା ଲେଖା ରୂପରେ ପ୍ରକାଶ ପାଏ, ସେତେବେଳେ ତାହା ଆଉ ବ୍ୟକ୍ତିଗତ ବିଷୟ ନୁହେଁ, ତେଣିକି ସେ ସମାଜର ବସ୍ତୁ । ଏଥିରେ ସାହିତ୍ୟ ବା ଲେଖାରେ ଚିନ୍ତାର ପ୍ରକାଶ କିପରି ଦାୟିତ୍ୱପୂର୍ଣ୍ଣ ତାହା ସହଜରେ ଅନୁମାନ କରିହେବ । ବିଜ୍ଞାନ ହେଉଛି ଜ୍ଞାନ ବା ମସ୍ତିଷ୍କର ବିଷୟବସ୍ତୁ, କିନ୍ତୁ ସାହିତ୍ୟ ହେଉଛି ଭାବ ବା ହୃୟୟର ବିଷୟବସ୍ତୁ । ମସ୍ତିଷ୍କ ଓ ହୃଦୟ ମଧ୍ୟରେ ପ୍ରତିଦ୍ୱନ୍ଦିତା ମନୁଷ୍ୟ ସୃଷ୍ଟିରେ ହିଁ ବିଧାତାଦ୍ୱାରା ନିହିତ । ତେଣୁ ବିଜ୍ଞାନ ଓ ସାହିତ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚିରନ୍ତନ । ଗୋଟିଏ ଅନ୍ୟଟିକୁ ପରାଭବ ଦେବାପାଇଁ ବରାବର ଚେଷ୍ଟାରେ ଚାଲିଛି; କିନ୍ତୁ ଶ୍ରୀମଦ୍‌ଭଗବତ୍‌ ଗୀତାର ଦର୍ଶନ ଅନୁସାରେ ଏ ଦୁଇଟିର ନ୍ୟାଯ୍ୟ ସମାବେଶ ହିଁ ବ୍ୟକ୍ତିଗତ ଜୀବନପକ୍ଷରେ ତଥା ସମାଜ ପକ୍ଷରେ ମଙ୍ଗଳଦାୟକ । ବ୍ୟାବହାରିକ ଦୃଷ୍ଟିରେ ମଧ୍ୟ ଏହା ହିଁ ଯଥାର୍ଥ ବୋଲି ମନେ ହୁଏ । ବଟ୍ରେଣ୍ଡ ରସେଲ୍‌ ଆଲୋଚନା କରିଛନ୍ତି, ‘‘ସମାଜ ଉପରେ ବିଜ୍ଞାନର ପ୍ରଭାବ ।’’ ସେଥିରେ ସେ ଦର୍ଶାଇଛନ୍ତି, କିପରି ବିଜ୍ଞାନର ବିକାଶ ମନୁଷ୍ୟ ସମାଜକୁ କ୍ରମେ ଏକ କଳରେ ପରିଣତ କରି ନେଇ ଚାଲିଛି ଓ କିପରି ମଣିଷର ବ୍ୟକ୍ତିତ୍ୱ କ୍ରମେ କ୍ଷୁର୍ଣ୍ଣ ହୋଇ ଚାଲିଛି । ଏକ ସମୟରେ ବ୍ୟକ୍ତିଗତ ସ୍ୱାଧୀନତା, ବ୍ୟକ୍ତିଗତ ଅଧିକାର, ଏହି ସବୁ ଥିଲା ମନୁଷ୍ୟର ଆକାଙ୍‌କ୍ଷିତ ଆଦର୍ଶ, ଯାହା ଋଷୋ ପ୍ରଭୃତି ଲେଖକମାନେ ପ୍ରଚାର କରି ସେତେବେଳେ ମନୁଷ୍ୟ ସମାଜରେ ଉତ୍ତେଜନା ଉତ୍ପାଦନ କରିଥିଲେ । ସେହି ଉତ୍ତେଜନାରେ କେତ ବିପ୍ଲବ ଘଟି ଯାଇଛି, ରାଜାର ମସ୍ତକ ଲୁଣ୍ଠିତ ହୋଇଛି ଓ ଧର୍ମଯାଜକ ନିର୍ବାସିତ ହୋଇଛନ୍ତି । କ୍ରମେ ବିଜ୍ଞାନର ଉନ୍ନତି ସଙ୍ଗେ ସଙ୍ଗେ ସମାଜର ସଙ୍ଗଠନ ଏପରି ପରିବର୍ତ୍ତିତ ହୋଇଛି ଯେ ପୂର୍ବପ୍ରକାର ବ୍ୟକ୍ତିଗତ ସ୍ୱାଧୀନତା ଓ ନାଗରିକ ଅଧିକାର ଆଜି ସମାଜର ବହୁ ଶୃଙ୍ଖଳାଦ୍ୱାରା ନିୟନ୍ତ୍ରିତ । ଏପରି ବିଜ୍ଞାନବିଶ୍ୱାସୀ ସମାଜବାଦରେ ମନୁଷ୍ୟର ବ୍ୟକ୍ତିତ୍ୱ ଆଦୌ ନାହିଁ, ସେ ସମାଜ କଳରେ ଖଣ୍ଡେ ଖିଲ ପରି ।

 

ଏହି ଅବସ୍ଥାରେ ସାହିତ୍ୟିକ ମନରେ ପ୍ରଶ୍ନ ଉଠିବାର କଥା ଯେ, ତା’ର ସ୍ଥାନ କେଉଁଠି ? ଯଦି ସମାଜରେ ପ୍ରଭାବ ବିସ୍ତାର କରିବାର ଅବକାଶ ତା’ର ନାହିଁ, ତେବେ ତା’ର ଉପଯୋଗିତା କେଉଁଠି ? ସମାଜକଳରେ ସାହିତ୍ୟିକ ମଧ୍ୟ ଗୋଟିଏ ଅଙ୍ଗର କାମ କରିପାରେ । କଳ ଚାଳକର ଇଚ୍ଛାମତେ ସାହିତ୍ୟିକ ମଧ୍ୟ କଳ ସହିତ ଘୂରିପାରେ । ବସ୍ତୁତଃ ବହୁକ୍ଷେତ୍ରରେ ସାହିତ୍ୟିକ ଆସି ସେଠି ପହୁଞ୍ଚିସାରିଲାଣି । ସାହିତ୍ୟରେ ‘‘ସାମାଜିକ ବାସ୍ତବତା’’ (Socialist realism) ବୋଲି ଯେଉଁ ସୂତ୍ର ପ୍ରବର୍ତ୍ତିତ ହୋଇଛି ସେଥିରେ ଶାସନଦ୍ୱାରା ପରିଚାଳିତ ହୋଇ ସାହିତ୍ୟିକ ଶାସିତମାନଙ୍କ ମନରେ ବର୍ତ୍ତମାନର ଦୁଃଖକଷ୍ଟ ପ୍ରତି ଦୃଷ୍ଟି ନଦେଇ ଭବିଷ୍ୟତର ସୁଖରେ ବିଶ୍ୱାସ ସ୍ଥାପନ କରିବା ଉଦ୍ଦେଶ୍ୟର ସାହିତ୍ୟ ସୃଷ୍ଟି କରିବାକୁ ବାଧ୍ୟ । ଭବିଷ୍ୟତ ସୁଖ ବିଶ୍ୱାସରେ ବର୍ତ୍ତମାନ ଦୁଃଖବରଣ କରିବାର ଦର୍ଶନ ବୌଦ୍ଧଯୁଗର ‘‘ସୁଖବାଦ’’ ଦର୍ଶନ ସହିତ ସମାନ । ସ୍ୱର୍ଗ କେହି ଦେଖିନାହାନ୍ତି, କିନ୍ତୁ ସ୍ୱର୍ଗସୁଖ ଲାଭ କରିବା ପାଇଁ ଉପବାସ, ଅଗ୍ନି, ତପସ୍ୟା ଇତ୍ୟାଦି ନାନା କଷ୍ଟ ବରଣ କରେ ଲୋକ କେବଳ ବିଶ୍ୱାସରେ । ସେହିପରି ପୂର୍ଣ୍ଣ ସମାଜବାଦରେ ସମସ୍ତ ସୁଖ ମିଳିବା ନିଶ୍ଚିତ, ଏହି ବିଶ୍ୱାସରେ ସବୁ କଷ୍ଟ ସହିଯିବା ପାଇଁ ଆଗ୍ରହୀ ହେଉଛନ୍ତି ବହୁ ଲୋକ କେବଳ ବିଶ୍ୱାସରେ । କିନ୍ତୁ ଏ ବିଶ୍ୱାସକୁ ଶାସନର ଚାପରେ ପ୍ରବର୍ତ୍ତନ କରିବା ନୂତନ କଥା । ପୁଣି ସାହିତ୍ୟକୁ ସେହି ଉଦ୍ଦେଶ୍ୟରେ ବ୍ୟବହାର କରିବା ମଧ୍ୟ ସ୍ୱାଧୀନଚିନ୍ତାର ମୂଲ୍ୟତ୍ପାଟନ । ସେ ଅବସ୍ଥାରେ ସାହିତ୍ୟ ପରୋକ୍ଷ ଭାବରେ ବିଜ୍ଞାନ କବଳରେ ପଡ଼ିବ । ସମାଜର ବିଜ୍ଞାନର ନିରଙ୍କୁଶ ପ୍ରଭାବ ବିସ୍ତାରିତ ହେଲେ ସମାଜ ମନୁଷ୍ୟ ପକ୍ଷରେ ମଙ୍ଗଳଦାୟକ ନୁହେଁ । ବିଜ୍ଞାନ ସାହାଯ୍ୟରେ ଉବ୍ଧ ଜ୍ଞାନ ସାହିତ୍ୟଦ୍ୱାରା ପରିଚାଳିତ ଭାବଦ୍ୱାରା ନିୟନ୍ତ୍ରିତ ହେଲେ ସମାଜ ପକ୍ଷରେ କଲ୍ୟାଣମୟ । ଏଣୁ ସାହିତ୍ୟ କ୍ଷେତ୍ରରେ ସ୍ୱାଧୀନ ଚିନ୍ତା ଓ ସ୍ୱାଧୀନ ଭାବପ୍ରକାଶ ଅକ୍ଷୁର୍ଣ୍ଣ ରହିବା ଉଚିତ ।

 

ସୁଖର ବିଷୟ, ଭାରତରେ ସେ ସ୍ୱାଧୀନତା ଅଛି । ତେଣୁ ସାମାଜିକ ବାସ୍ତବତା ବା ସୋସିଆଲିଷ୍ଟ ରିଏଲିଜ୍‌ମ୍‌ର ଆଲୋଚନା ପାଇଁ ଏଠି ଅବକାଶ ନାହିଁ । ତେଣିକି ଆଲୋଚ୍ୟ ବିଷୟ ହେଉଛି ସାହିତ୍ୟିକ ସୂତ୍ରରେ ସମାଜ ଉପରେ ପ୍ରଭାବ ବିସ୍ତାର କରେ ଓ ଆଜି ଭାରତୀୟ ସମାଜ କି ପ୍ରକାର ସାହିତ୍ୟିକ ପ୍ରଭାବ ଦରକାର କରୁଛି ।

 

ମନୁଷ୍ୟର ଭାବରାଶିକୁ ନିୟନ୍ତ୍ରଣ କରି ସାହିତ୍ୟିକ ନିଜର ପ୍ରଭାବ ସମାଜ ଉପରେ ବିସ୍ତାର କରେ ଓ ତଦନୁସାରେ ସାମାଜିକ ମତ ସଙ୍ଗଠନ କରେ । ବାଲ୍ମୀକି କାମମୋହିତ କ୍ରୋଞ୍ଚଟିକୁ ମାରିଦେବାର ଦେଖି ତାଙ୍କ ନିଜ ମନରେ ଯେ କରୁଣା ଜାଗ୍ରତ ହେଲା, ତାହା ପ୍ରକାଶ ପାଇଲା ଆଦି କବିତା ରୂପେ ‘ମା ନିଷାଦ ପ୍ରତିଷ୍ଠା ତ୍ୱମଗମଃ ଶାଶ୍ୱତୀ ସମାଃ, ଯତ୍‌ କ୍ରୋଞ୍ଚ ମିଥୁନାଦେକ ମବଧିଃ କାମ ମୋହିତମ୍‌’’ । ଏ କବିତା ବିସ୍ତାର କଲା କରୁଣାର ଭାବ, ଜୀବ ପ୍ରତି କରୁଣା ଏହିପରି ସ୍ଥାନ ପାଇଲା ସାମାଜିକ ଆଚରଣରେ, ସାମାଜିକ ଚିନ୍ତାକ୍ଷେତ୍ରରେ । କରୁଣା ତେଣିକି ମାନବିତ ନୀତି ବୋଲି ଗୃହୀତ ହେଲା । କରୁଣାର ପ୍ରବର୍ତ୍ତକ ସେହି ବାଲ୍ମିକୀ ରାମାୟଣ ରଚନା କଲେ ଏକ ସାମାଜିକ ଉଦ୍ଦେଶ୍ୟ ଘେନି । ତଦନୁସାରେ ସେ ସମାଜର ହୃଦୟର ଭାବ ମଧ୍ୟ ନିୟନ୍ତ୍ରଣ କଲେ । ସେ ସମୟର ସାମାଜିକ ଉଦ୍ଦେଶ୍ୟ ହେଉଛି ‘‘ମୁନି’’ (ଆର୍ଯ୍ୟ)ମାନଙ୍କୁ ‘ରାକ୍ଷସ’, (ଅନାର୍ଯ୍ୟ) ମାନଙ୍କ ହାତରୁ ରକ୍ଷା କରିବା ଓ ଆର୍ଯ୍ୟମାନଙ୍କୁ ସେ ଦିଗରେ ଉତ୍ସାହଦାନ କରିବା । କରୁଣାର ଭାବ ନିୟନ୍ତ୍ରିତ ନହେଲେ ବ୍ୟକ୍ତି ବିଶେଷକୁ ବା ଏକ ଜାତି ଅନ୍ୟ ବିରୋଧରେ ଲଢ଼ାଇ ଦେବା ସମ୍ଭବ ନୁହେଁ । ଦେଖାଯାଉ, ସିଦ୍ଧହସ୍ତ ସାହିତ୍ୟିକ ବାଲ୍ମୀକି କିପରି ତାହା କରିପାରିଛନ୍ତି । ଧନୁବିଦ୍ୟା ଶିକ୍ଷାକରି ରାମଚନ୍ଦ୍ର ଯେତେବେଳେ ଦଣ୍ଡକାରଣ୍ୟରେ ରାକ୍ଷସମାନଙ୍କୁ ବଧ କରିବାକୁ ବାହାରିଲେ, ସୀତା ତାଙ୍କୁ କହିଛନ୍ତି-

 

‘‘ନ କଥଞ୍ଚନ ସା କାର୍ଯ୍ୟା ଗୃହୀତା ଧନୁଷା ତ୍ୱୟା ।

ବୁଦ୍ଧି ବୈରଂ ବିନା ହନ୍ତୁଂ ରାକ୍ଷାସନ୍‌ ଦଣ୍ଡକାଶ୍ରିତାନ୍‌ ।’’

 

ବିନା ଶତ୍ରୁତାରେ ଦଣ୍ଡକାରଣ୍ୟନିବାସୀ ଚାଷମାନଙ୍କୁ ମାରିବା ପାଇଁ ତୁମପରି ବୀରଙ୍କର ବୁଦ୍ଧିହେବା କଦାପି ଉଚିତ ନୁହେଁ’’ । ସୀତାଙ୍କ ଏହି କଥାରେ କାରୁଣ୍ୟ ନିହିତ, କିନ୍ତୁ ପୁଣି କବି ଶ୍ରୀରାମଙ୍କ ମୁଖରେ ସୀତାଙ୍କୁ ଉତ୍ତରରେ ଶୁଣାଇଛନ୍ତି–

 

‘‘କ୍ଷତ୍ରିୟେ ଧର୍ଯ୍ୟତେ ଚାପୋନାର୍ତ୍ତେ ଶବ୍ଦୋ ଉବେଦତି

ତେ ଚାର୍ତ୍ତା ଦଣ୍ଡକାରଣ୍ୟେ ମୂନୟଃସଙ୍କ ତବ୍ରତାଃ ।’’

 

ଅର୍ଥାତ୍‌ ଆର୍ତ୍ତ ଶବ୍ଦ ନ ରହୁ ଏଥିପାଇଁ କ୍ଷତ୍ରିୟ ହାତରେ ଧନୁ । ମୁନିମାନେ ଦଣ୍ଡକାରଣ୍ୟରେ ଆର୍ତ୍ତ ।

 

ଆର୍ତ୍ତମାନଙ୍କ ସହାନୁଭୂତି ଜାଗ୍ରତ କରାଇ ବିନା ଶତ୍ରୁରେ ଅସ୍ତ୍ର ଧାରଣକୁ କବି ପ୍ରୋତ୍ସାହନ ଦେଇଛନ୍ତି । ଏଠାରେ କି ସୂକ୍ଷ୍ମ ଭାବରେ କବି ଭାବକୁ ନିୟନ୍ତ୍ରଣ କରୁଛନ୍ତି ଦେଖିବାର କଥା । ଏହିପରି ବୈଦିକ ଯୁଗର ପୁରାଣ ଉପାଖ୍ୟାନ ଇତ୍ୟାଦି ଆକାରରେ ପ୍ରଚାରିତ ସାହିତ୍ୟ ଭାରତୀୟ ସମାଜ ଉପରେ ପ୍ରଭାବ ପକାଇ ସମାଜର ଭାବଧାରାକୁ ନିୟନ୍ତ୍ରଣ କରିଆସିଛି । ଧର୍ମନୀତି, ସମାଜ ନୀତି, ଆଚରଣ ଇତ୍ୟାଦି ସମ୍ବନ୍ଧରେ ଆଜି ଯାହା ବଦ୍ଧମୂଳ ଧାରଣା ଓ ଯାହା ଜୀବନର ଅଙ୍ଗ ହୋଇଗଲାଣି, ସେ ସବୁ କାଳକ୍ରମେ ସାହିତ୍ୟ ଦ୍ୱାରା ସୃଷ୍ଟିହୋଇ ସମାଜର ମତ ସୃଷ୍ଟି କରିଛି ।

 

ସମାଜର ଭାବଧାରା ନିତ୍ୟ ଚିରନ୍ତନ ନୁହେଁ । ଏହା ପରିବର୍ତ୍ତନଶୀଳ । ସମାଜର ସଙ୍ଗଠନର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଭାବଧାରାର ପରିବର୍ତ୍ତନ ଘଟେ ସାହିତ୍ୟ ମାଧ୍ୟମରେ । ଯଦି ଏପରି ହୁଏ ଯେ, ସମାଜର ସଙ୍ଗଠନ କୌଣସି ରାଜନୈତିକ ବା ସାମରିକ ବା ଭୂମିକମ୍ପ, ଦୁର୍ଭିକ୍ଷ ପ୍ରଭୃତି ଆକସ୍ମିକ କାରଣରୁ ବଦଳିଗଲା, କିନ୍ତୁ ତଦନୁସାରେ ଭାବଧାରା ବଦଳିଲା ନାହିଁ, ତେବେ ସମାଜର ସଙ୍ଗଠନ ଓ ସମାଜନ ଭାବଧାରା ମଧ୍ୟରେ ସଂଘର୍ସ ଘଟି ସମାଜ ଦୁର୍ବଳ ହୋଇଯାଏ ଓ ପୃଥିବୀର ତୀବ୍ର ପ୍ରତିଦ୍ୱନ୍ଦିତାରେ ତିଷ୍ଠିପାରେ ନାହିଁ । ଇଜିପ୍ଟ, ବେବିଲନ୍‌ ପ୍ରଭୃତିର ପ୍ରାଚୀନ ସମାଜ ସେହି ସୂତ୍ରରେ ଲୋପ ପାଇଯାଇଛି । ଭାରତୀୟ ସମାଜ ତିଷ୍ଠି ରହିପାରିଛି, କାରଣ ସମାଜର ସଙ୍ଗଠନ ସଙ୍ଗେ ସଙ୍ଗେ ଭାରତୀୟ ଭାବଧାରା ମଧ୍ୟ ବଦଳିଯାଇଛି । ଆର୍ଯ୍ୟ ଭାବଧାରା ପୂର୍ବ ଆର୍ଯ୍ୟ ଭାବଧାରା ପ୍ରଭାବିତ ହୋଇ ପରିବର୍ତ୍ତନ ଗ୍ରହଣ କରିଛି । ତା’ପରେ ଯେତେବେଳେ ରାଜନୈତିକ ପରିବର୍ତ୍ତନ ସମାଜର ସଙ୍ଗଠନ ଉପରେ ପ୍ରଭାବ ପକାଇଛି, ସେତେବଳେ ସେପପରି ସାହିତ୍ୟ ସୃଷ୍ଟିହୋଇ ସମାଜର ଭାବଧାରାକୁ ନିୟନ୍ତ୍ରଣ କରିଛି; କିନ୍ତୁ ଭାରତର ଆଧୁନିକ ସାହିତ୍ୟ ସମାଜ ଉପରେ ସେହିପରି ପ୍ରଭାବ ପକାଇବାର ଉଦ୍ୟମ କରୁନାହିଁ ଓ ପକାଇ ମଧ୍ୟ ପାରୁନାହିଁ ।

 

ବର୍ତ୍ତମାନ ଦେଖାଯାଉ, ଭାରତର ସମାଜ ସଙ୍ଗଠନ କିପରି ରାଜନୈତିକ କାରଣରୁ ଗତ କେତୋଟି ବର୍ଷରେ ମଧ୍ୟ ସମ୍ପୂର୍ଣ୍ଣ ବଦଳିଗଲାଣି । ପ୍ରଥମତଃ; ଭାରତ ଏକଶାସନାଧୀନ କେବେନଥିଲା । ଅଶୋକଙ୍କ ସମୟରେ ମଧ୍ୟ ଦକ୍ଷିଣ ଭାରତ ପୃଥକ୍‍ ରହିଯାଇଥିଲା । ବ୍ରିଟିଶ ରାଜତ୍ୱରେ ସମଗ୍ର ଭାରତ ରାଜାଙ୍କ ଅଧୀନସ୍ଥ ହେଲା; ମାତ୍ର ସର୍ବତ୍ର ଏକପ୍ରକାର ଶାସନ ପ୍ରତିଷ୍ଠିତ ହେଲାନାହିଁ । ବ୍ରିଟିଶ ଭାରତରେ ଆଇନର ଶାସନ ଓ ଗଡ଼ଜାତରେ ରାଜାଙ୍କ ବ୍ୟକ୍ତିଗତ ଶାସନ ଏହିପରି ଦୁଇ ପ୍ରକାର ଶାସନ ଚାଲିଲା । ଏଣୁ ଭାରତର ସ୍ୱାଧୀନତା ଫଳରେ ଖାଲି ଯେ ବିଦେଶୀ ଶାସନ ଗଲା ତା’ ନୁହେଁ, ଏକ ପ୍ରକାର ଶାସନ ସର୍ବତ୍ର ପ୍ରବର୍ତ୍ତିତ ହେଲା । ଗଡ଼ଜାତର ଲୋକଙ୍କ ପକ୍ଷରେ ଏହା କିପରି ଏକ ବିପ୍ଲବ ତାହା ଅଭିଜ୍ଞ ବ୍ୟକ୍ତିମାନେ ଉପଲବ୍ଧି କରନ୍ତି । ପୁଣି ଗଣତନ୍ତ୍ର ଶାସନ ପ୍ରଥା ଭାରତର ପରମ୍ପରାରେ ନୂତନ । ଗବେଷକମାନେ ବହୁ ପ୍ରାଚୀନ କାଳରେ କେଉଁଠି କିପରି ‘ଗଣଶାସନ’ ଥିଲା ବୋଲି ଅନୁମାନ କରୁଥିଲେ ମଧ୍ୟ ଭାରତର ଐତିହ୍ୟ ହେଉଛି ରାଜାର ଶାସନ । ଗଣତନ୍ତ୍ରର କୌଣସି ପରମ୍ପରା ଭାରତର ସାହିତ୍ୟ, ସମାଜ ଓ ରାଜନୀତିରେ କେଉଁଠି ହେଲେ ତିଳେମାତ୍ର ନାହିଁ । ତଥାପି ଭାରତର ସ୍ୱାଧୀନତାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ଗଣତନ୍ତ୍ର ଶାସନର ପ୍ରବର୍ତ୍ତନ । ପୁଣି ସମାଜବାଦୀ ନୀତି ଗୃହୀତ ହୋଇଛି ଯାହା ଭାରତ ପକ୍ଷରେ ଏକ ସମ୍ପୂର୍ଣ୍ଣ ନୂତନ ବସ୍ତୁ । ଏଥିରୁ ଜଣାଯିବ, ଗତ ୭/୮ ବର୍ଷ ମଧ୍ୟରେ ଏକ ପ୍ରକାର ଶାସନ ପ୍ରବର୍ତ୍ତନ ଗଣତନ୍ତ୍ର ଶାସନ ପ୍ରବର୍ତ୍ତନ ଓ ସମାଜବାଦ ପ୍ରବର୍ତ୍ତନ ଏ ତିନୋଟି ଘଟୁଛି । ଏହି ବିପ୍ଲବାତ୍ମକ ପରିବର୍ତ୍ତନ ଫଳରେ ସମାଜର ସଙ୍ଗଠନ ପୂରାପୂରି ବଦଳି ବଦଳି ଯାଉଛି, କିନ୍ତୁ ତଦନୁସାରେ ଭାବଧାରା ବଦଳିବାର କୌଣସି ଉଦ୍ୟମ ସୁଦ୍ଦା ନାହିଁ । ମୁନିମାନଙ୍କ ରକ୍ଷାପାଇଁ ରାକ୍ଷସକୁ ବଧ କରିବାର ଉତ୍ସାହ ବାଣୀ ଆଜି କିପରି କାର୍ଯ୍ୟ କରିବ ? ଆଜି ତ ଜଣେ ରାକ୍ଷସ ଭାରତର ପ୍ରଧାନମନ୍ତ୍ରୀ ହୋଇପାରେ । ଆଜି ତ ମୁନି, ରାକ୍ଷସ ସମସ୍ତଙ୍କର ସମାନ ରାଜନୈତିକ ଅଧିକାର । ଯେ ଅବସ୍ଥାରେ ଦ୍ରୋଣ ଏକଲବ୍ୟର ବାମ ଅଙ୍ଗୁଷ୍ଠି ଦାନ ଗ୍ରହଣ କରି କୁରୁ-ପାଣ୍ଡବ ରାଜପୁତ୍ରମାନଙ୍କ ପ୍ରତି ପକ୍ଷପାତିତା ଦେଖାଇଲେ, ଆଜି ତା’ର ପ୍ରତିକ୍ରିୟା କଅଣ ? ଶମ୍ଭୁ କି ଯଜ୍ଞ କଲା ବୋଲି ତାକୁ ହତ୍ୟା କରିବାର ଯେଉଁ ରାମରାଜ୍ୟ ତା’ର ଆଜି ସ୍ଥାନ କେଉଁଠି ? ‘‘ମହତୀ ଦେବତାହ୍ୟେଷା ନର ରୂପେଣ ତିଷ୍ଠତି’’ ଏହାର ଆଜି ମୂଲ୍ୟ କଅଣ ? ବର୍ଣ୍ଣାଶ୍ରମ ରକ୍ଷକ ରାଜା ନଥିବା ସ୍ଥଳେ ବର୍ଣ୍ଣାଶ୍ରମର ସ୍ଥାନ ଆଜି କେଉଁଠି ? ମୋଟ କଥା, ରାଜନୈତିକ ପରିବର୍ତ୍ତନ ଯୋଗେ ସମାଜର ସଙ୍ଗଠନ ଏପରି ପରିବର୍ତ୍ତିତ ହୋଇଗଲାଣି ଯେ, ଯୁଗଯୁଗ ବ୍ୟାପି ଯେଉଁ ଭାବଧାରା ସମାଜରେ ପ୍ରବାହିତ ହୋଇ ଆସୁଥିଲା, ତା’ ଆଜି ଅବାନ୍ତର ହୋଇଗଲାଣି । ସେହିପରି ଅର୍ଥନୈତିକ ଦୃଷ୍ଟିକୋଣ ପରିବର୍ତ୍ତନ ଯୋଗେ ପୁରାତନ ଭାବଧାରାର ଆଜି ସ୍ଥାନ ନାହିଁ; ଏପରିକି ଗାନ୍ଧିଜୀ ଯେଉଁ ଗ୍ରାମ-ଅର୍ଥନୀତି ଉପରେ ଯେପରି ଭାବରେ ଜୋର ଦେଉଥିଲେ, ତା’ର ଆଜି ସ୍ଥାନ ନାହିଁ । ଯେଉଁଠି ସମାଜବାଦମୂଳକ ଅର୍ଥନୈତିକ ନୀତି ଅନୁସାରେ କାର୍ଯ୍ୟକ୍ରମ ଚାଲିଛି, ସେଠି ଗାନ୍ଧିଜୀଙ୍କ ଅର୍ଥନୀତିର ସ୍ଥାନ କାହିଁ ? ଗ୍ରାମର ପୂର୍ବ ସଙ୍ଗଠନ ତ ନାହିଁ, ପୂର୍ବ କୃଷି ସଭ୍ୟତା ତ ଆଜି ପରିତ୍ୟକ୍ତ, ପୂର୍ବ ଧର୍ବବିଶ୍ୱାସ ତ ଆଜି ବିସ୍ମୃତ । ଏହି ଅବସ୍ଥାରେ ତ୍ୟାଗମୂଳକ ଗାନ୍ଧିନୀତିକୁ ଯେ କୌଣସି ଭାଷାରେ କହିଲେ କେବଳ ମିଥ୍ୟା ପ୍ରଚାରର ପ୍ରଶୟ ଓ ଶେଷରେ ସମାଜର ଅମଙ୍ଗଳ ବ୍ୟତୀତ ଅନ୍ୟ କିଛି ନାହିଁ ।

 

ଏ ସମସ୍ତ ବିଷୟ ଚିନ୍ତା କଲେ ସହଜରେ ଜଣାପଡ଼ିବ ଯେ ସମାଜର ଭାବଧାରା ପୂର୍ବପରି ଚାଲିଛି, କିନ୍ତୁ ଏଣେ ରାଜନୈତିକ ଓ ଆନ୍ତର୍ଜାତିକ କାରଣ ହେତୁରୁ ସମାଜର ସଙ୍ଗଠନ ସମ୍ପୂର୍ଣ୍ଣ ବଦଳିଗଲାଣି । ଏହା ଦେଶ ପକ୍ଷରେ ଏକ ବିପଜ୍ଜନକ ପରିସ୍ଥିତି । ଧର୍ମଗତ ଭାବଧାରା ରାଜନୈତିକ ସ୍ଥିତି ସହିତ ଖାପ ନ ଖାଇବାରୁ ଭାରତ ବିଭକ୍ତ ହେଲା ଓ ତଦ୍ଦ୍ୱାରା ଦେଶର କେତେ କ୍ଷତି ଘଟିଛି ତାହା ଜଣାଶୁଣା କଥା । ପ୍ରାଦେଶିକତା, ଜାତିମନୋଭାବ ଇତ୍ୟାଦି ସବୁକୁ ନିନ୍ଦା କରାଯାଉଛି, କିନ୍ତୁ ସେ ଭାବଧାରା ତ ସମାଜ ଭିତରେ ଅକ୍ଷୁର୍ଣ୍ଣ ରହିଛି । ରାଜନୈତିକ ପ୍ରେରଣା ଦ୍ୱାରା ଭାବଧାରା ପରିବର୍ତ୍ତନ ହେବାର ନୁହେଁ । ସାହିତ୍ୟଦ୍ୱାରା ଭାବଧାରାର ପରିବର୍ତ୍ତନ କରାଯିବା ଉଚିତ । ପ୍ରତ୍ୟେକ ପ୍ରଦେଶ ନିଜ ପ୍ରଦେଶର ଇତିହାସ, ମହାଭାରତଠାରୁ ଆରମ୍ଭ କରି ସବୁ ପୁରାଣ ଉଲ୍ଲେଖ କରି ପ୍ରଦେଶର ପ୍ରାଚୀନତା ଓ ଗୌରବ ଆଜିସୁଦ୍ଧା ବର୍ଣ୍ଣନା କରୁଥିବେ, ଅଥଚ ପ୍ରାଦେଶିକତା ରହିବ ନାହିଁ ! ସବୁ ସାହିତ୍ୟ ଏପରିକି ଗ୍ରାମ୍ୟ ପ୍ରବଚନରେ ମଧ୍ୟ ଜାତିକଥା ଥିବ ମୂଳବସ୍ତୁ ଅଥଚ ଜାତିଆଣ କଥାକୁ ନିନ୍ଦା କରାଯାଉଥିବ, ଏସବୁ ଖାପ ଖାଇବ କିପରି ? ଏହିଠାରେ ନମ୍ରତାର ସହିତ କହିବାକୁ ହେବ ଯେ ରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଭାବଧାରାର ପରିବର୍ତ୍ତନ ଆଣିବାରେ ଆଧୁନିକ ସାହିତ୍ୟ ଅସମର୍ଥ ହୋଇଛି । କାହିଁକି ଅସମର୍ଥ ହେଲା ତା’ର ଆଲୋଚନା ଆବଶ୍ୟକ ।

 

ଭାରତର ଆଧୁନିକ ସାହିତ୍ୟ ଭାରତର ନିଜସ୍ୱ ହୋଇ ପରିବର୍ଦ୍ଧିତ ହୋଇନାହିଁ । ଇଂରେଜୀ ଶିକ୍ଷିତଶ୍ରେଣୀ ଭିତରେ ସେ ସାହିତ୍ୟ ଆବଦ୍ଧ, କିନ୍ତୁ ଦେଶର ଜନସାଧାରଣ ସେହି ପୁରାତନ ସାହିତ୍ୟ ପ୍ରଭାବରେ ରହିଛନ୍ତି । ପୁରାତନ ସାହିତ୍ୟରୁ ଯଦି ଆଧୁନିକ ସାହିତ୍ୟ ଉଦ୍‌ଭୂତ ହୋଇ ବୃଦ୍ଧିଲାଭ କରିଥାନ୍ତା ତେବେ ଭାରତର ଆଧୁନିକ ସାହିତ୍ୟ ସମାଜର ଭାବଧାରା ପରିବର୍ତ୍ତନ କରିପାରିଥାନ୍ତା । ଏହିଠାରେ ଇଂରେଜୀ ସାହିତ୍ୟର ତୁଳନା କରାଯାଉ । ଇଂରେଜୀ ସାହିତ୍ୟରେ ଭିକ୍ଟୋରିଆ ଯୁଗ ଶେଷହେଲା ପ୍ରାୟ ଖ୍ରୀ.୧୮୮୦ରେ । ପରେ ପରିବର୍ତ୍ତନ ମଧ୍ୟଦେଇ ଗତିକରି ଖ୍ରୀ ୧୯୦୦ ବେଳକୁ ନୂତନ ସାହିତ୍ୟର ସୃଷ୍ଟି ହୋଇଗଲା । ଭିକ୍ଟୋରିଆ ଯୁଗର ସାହିତ୍ୟର ସ୍ୱର ଥିଲା ‘ବ୍ୟକ୍ତି’, ମନୁଷ୍ୟ ହିସାବରେ ମନୁଷ୍ୟର ଗୁରୁତ୍ୱ । ସାମ୍ୟ, ଭ୍ରାତୃଭାବ ଏସବୁ ଥିଲା ସେ ଯୁଗର ଭାବଧାରା । ସେହି ଭାବଧାରା ନୂତନ ସାହିତ୍ୟରେ ନୂତନ ରୂପ ନେଲା । ବ୍ୟକ୍ତି ପରିବର୍ତ୍ତେ ସମଷ୍ଟି ହେଲା ନୂତନ । ଧନୀମାନେ ଦରିଦ୍ରଙ୍କୁ ସାହାଯ୍ୟ କରନ୍ତୁ-ଏ ପ୍ରକାର ଆବେଦନ ଛାଡ଼ି ସାହିତ୍ୟର ସ୍ୱର ହେଲା ଶ୍ରେଣୀଶୂନ୍ୟ ସମାଜ । ସାମାଜିକ ଭାବଧାରାର ପରିବର୍ତ୍ତନ ସହଜରେ ଜଣାପଡ଼ିବ, ଯଦି ୱର୍ଡ୍ସୱର୍ଥ ଓ କଲ୍‍ରିଜଙ୍କୁ ୱିଲିୟମ ୱାଟ୍‍ସନ୍‍ ଓ ଜୋନ୍‌ ଡେଭିଡ଼୍‌ସନ୍‌ଙ୍କ ସହିତ ଥୁଆଯାଏ । ଡିକେନ୍ସ ଓ ରିଡ଼୍‌ଙ୍କୁଶ ଓ ୱେଲ୍ସଙ୍କ ସହ ଥୁଆଯାଏ । ଏ ପରିବର୍ତ୍ତନ ଘଟିଲା କ୍ରମେ କ୍ରମେ । କିଙ୍ଗ୍‌ ସଙ୍କ କବିତା ଓ ରସ୍କିନ୍‌ଙ୍କ ଅର୍ଥନତିକ ସମାଲୋଚନା ମଧ୍ୟମରେ ନୂତନ ସାହିତ୍ୟ ପୁରାତନ ସାହିତ୍ୟରୁ ଉଦ୍‌ଭୂତ ହେଲା । ଏଠି ଭାରତରେ ପୁରାତନ ସାହିତ୍ୟ ନୂତନ ସାହିତ୍ୟର ସମ୍ପର୍କ ନାହିଁ । ଏଠି ରାମାୟଣ, ମହାଭାରତ ପ୍ରଭୃତି ପ୍ରାଚୀନ ସାହିତ୍ୟ ନୂତନ ଅବସ୍ଥା ଦୃଷ୍ଟେ ପୁନର୍ଲିଖିତ ହୋଇନାହିଁ । ଆଜିକାର ବାଇବେଲ୍‌ ପୁରାତନ ବାଇବେଲର କେତେ ପରିବର୍ତ୍ତନର ପରିଣାମ !! ଶିଶିର କୁମାର ଭାଦୁଡ଼ି ସୀତା ନାଟକରେ ଶମ୍ଭୁକ ବଧକୁ ନିନ୍ଦାକରି ରାମୟଣର ପୁନର୍ଲିଖିନ କରିଛନ୍ତି, ସ୍ଥାନେ ସ୍ଥାନେ ଏପରି ହେଉଛି । ମାତ୍ର ବ୍ୟାପକ ଭାବରେ ସେପରି ହୋଇନାହିଁ । ପୁରାତନ ସାହିତ୍ୟକୁ ସମ୍ପୂର୍ଣ୍ଣ ଛାଡ଼ିଦେଇ ନୂତନ ସାହିତ୍ୟ ଚାଲିଛି ସ୍ୱତନ୍ତ୍ର ହୋଇ, ଫଳରେ ଏହାର ପ୍ରଭାବ ଏପରି ବେଶି ହେଉନାହିଁ ଯେ ଏହା ସମାଜର ଭାବଧାରା ବଦଳାଇ ପାରିବ ।

 

ଭାବଧାରା ନ ବଦଳିଲେ, ରାଜନୈତିକ ନେତାମାନେ ଯାହା କହନ୍ତୁ ପଛକେ ସେମାନଙ୍କ କାର୍ଯ୍ୟକ୍ରମ ସହିତ ସମାଜର ସଂଘର୍ଷ ଘଟିବ ବା ସମାଜର ସହଯୋଗିତା ମିଳିବ ନାହିଁ । ଏପରି ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ଅଛି । ଏଣୁ ସାହିତ୍ୟର ଦାୟିତ୍ୱ ବର୍ତ୍ତମାନ ଅତି ବେଶି, କିନ୍ତୁ ସାହିତ୍ୟ ଉତ୍ପାଦନ କରିବ କିଏ ?

 

ଯେଉଁ ଜିନିଷକୁ ଯେ ଉଠାଇବାକୁ ଯିବ ସେ ଜିନିଷ ଉପରେ ଜଣେ ଛିଡ଼ାହୋଇ ସେ କଥା ସେ କରିପାରିବ ନାହିଁ । ସମାଜର ଭାବଧାରା ବଦଳାଇବା କାର୍ଯ୍ୟକ୍ରମ ନେଇ ଜଣେ ନିଜର ପ୍ରତିପୋଷଣ ପାଇଁ ନିଜର ଲେଖା ଉପରେ ନିର୍ଭର କରିପାରିବ ନାହିଁ । ପ୍ରତିପୋଷଣ ପାଇଁ ନିଜ ଲେଖା ଉପରେ ନିର୍ଭର କଲେ ଲେଖକ ସମାଜର ଭାବଧାରାକୁ ଆଶ୍ରୟ କରି ଚାଲିବାକୁ ବାଧ୍ୟ ହୋଇଯିବ । ଏଣୁ ବର୍ତ୍ତମାନ ଅବସ୍ଥାରେ ସାହିତ୍ୟିକ ଧନୀ ହେବାର ଆଶା ନାହିଁ । ଅନ୍ୟଥା କୌଣସି ପ୍ରକାର ଜୀବିକାର୍ଜ୍ଜନ କରି କର୍ତ୍ତବ୍ୟ ହିସାବରେ ସାହିତ୍ୟ ସୃଷ୍ଟିକଲେ ଯାଇ ହେବ । ବଟ୍ରେଣ୍ଡ ରସେଲ୍‌ ତାଙ୍କର ‘ଇମ୍ପ୍ୟାକ୍ଟ ଅଫ୍‍ ସାଇନ୍ସ ଅନ୍‍ ସୋସାଇଟି’ ନାମକ ପୁସ୍ତକରେ ବହୁ ବିଶ୍ଲେଷଣ କରି ଦର୍ଶାଇଛନ୍ତି ଯେ ସମାଜର ହିତ ପାଇଁ ସ୍ୱାଧୀନଚେତା ଲୋକ ରହିବା ଆବଶ୍ୟକ ।

 

ସରକାରଙ୍କଠାରୁ ଲେଖିବା ପାଇଁ ବେତନ ପାଇ ଜଣେ ସାହିତ୍ୟିକ ହୋଇ ଭାବଧାରା ପରିବର୍ତ୍ତନ କରିପାରିବ ନାହିଁ । ବଟ୍ରେଣ୍ଡ ରସେଲ୍‍ ମଧ୍ୟ ସ୍ପଷ୍ଟ ମତବ୍ୟକ୍ତ କରିଛନ୍ତି, ସାହିତ୍ୟିକ ହେବାର ଅଭିଳାଷ କ୍ଷୋପଣ କରି ଜଣେ ଧନୀହେବାର ଇଚ୍ଛା ରଖିବା ଉଚିତ ନୁହେଁ । ଏଲ୍‌ଡ଼ସ୍‌ ହକ୍ସଲି ମଧ୍ୟ ତାଙ୍କର ‘‘ଗ୍ରେ ଏମିନେନ୍ସ’’ ଠାରୁ ଆରମ୍ଭ କରି ସବୁ ପୁସ୍ତକରେ ଏହି କଥା ଉପରେ ଜୋର ଦେଇଛନ୍ତି ଯେ ସମାଜ ପାଇଁ ଯେଉଁମାନେ ଚିନ୍ତାକରିବେ, ସେମାନେ ସମାଜଠାରୁ ଟିକିଏ ଦୂରରେ ରହିବେ ଓ ସେପରି ଅଳ୍ପ କେତେକ ଲୋକ ରହିବା ଆବଶ୍ୟକ ।

 

ଏଇଥିରୁ ଜଣାଯିବ, ସାହିତ୍ୟର ଦାୟିତ୍ୱ କେତେ ଓ ସାହିତ୍ୟିକର ଅସୁବିଧା କେତେ । ଯେହେତୁ ବେଶି, ସେହି ହେତୁରୁ ଅସୁବିଧା ମଧ୍ୟ ବେଶି । ସାହିତ୍ୟ ଓ ସାହିତ୍ୟିକ ଏହି ଦାୟିତ୍ୱ ସମ୍ଭାଳିବେ କି ନା, ଏହି ହେଉଛି ପ୍ରଶ୍ନ !

Image

 

ଶିକ୍ଷା ଓ ସାହିତ୍ୟ

(ଶ୍ରୀ ଶତ୍ରୁଘ୍ନ ନାଥ)

 

ଶିକ୍ଷା ଓ ସାହିତ୍ୟର ସମ୍ପର୍କ ସହଜରେ ଜଣାପଡ଼େ ନାହିଁ । ସ୍ପଷ୍ଟ ଚିନ୍ତା ଓ ଆଲୋଚନାର ଅଭାବରୁ ଏକ ବିରାଟ ବ୍ୟବଧାନ ରହେ । ତଥାକଥିତ କେତେକ ଅବାନ୍ତର ଓ ଅଳୀକ ଭାବନା ସାଧାରଣତଃ ଏ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରେ । ଯେ କିଛି କରିପାରେ ନାହିଁ, ସେ ଶିକ୍ଷା ଦିଏ । ତେଣୁ ଶିକ୍ଷାରେ ସାଧନାର ସ୍ଥାନ ନାହିଁ ବୋଲି ଧରି ନିଆଯାଏ । ପୁଣି କୁହାଯାଏ ଯେ ଶିକ୍ଷା ଏକ ଯନ୍ତ୍ରଚାଳିତ ସହଜ ପ୍ରକ୍ରିୟା ତେଣୁ ଯେ କେହି ଶିକ୍ଷା ଦେଇପାରିବ । ଏସବୁ କାରଣରୁ ଶିକ୍ଷା ସମ୍ଭବତଃ ଏକମାତ୍ର ବିଷୟ ଯେଉଁଥିରେ ବିନା ଅଧ୍ୟୟନ ଓ ଜ୍ଞାନରେ ସର୍ବାଧିକ ଚିନ୍ତା ପ୍ରକାଶିତ ହୁଏ-। ଅଥଚ ସାହିତ୍ୟ କଳ୍ପନା-ବିଳାସର ଲୀଳାଭୂମି । ତେଣୁ ଏହା ‘‘ତୈଳ-ତଣ୍ଡୁଳ’’ ଜୀବନର ବାସ୍ତବତା ଓ ଜଞ୍ଜାଳକୁ ସ୍ପର୍ଶକରେ ନାହିଁ । ଜନସାଧାରଣଙ୍କ ପାଇଁ ଏହାର ଆବଶ୍ୟକତା ଥିଲା ପରି ଜଣାପଡ଼େ ନାହିଁ । ଏପରି ସ୍ଥଳରେ ପ୍ରକୃତ ତଥ୍ୟ ନିରୂପଣ ପୂର୍ବକ ଶିକ୍ଷା ଓ ସାହିତ୍ୟ ମଧ୍ୟରେ ସମ୍ପର୍କ ସ୍ପଷ୍ଟ କରିବା ଉଚିତ ।

 

ଶିକ୍ଷା ଓ ସାହିତ୍ୟ ପ୍ରତ୍ୟେକ ସମାଜର ଅଙ୍ଗ । ସାମାଜିକ ସାଧନାର ସିଦ୍ଧି ହିଁ ସାହିତ୍ୟ ଓ ଶିକ୍ଷା । ସାମାଜିକ କୃତିତ୍ୱର ସୂଚନା ଏଥିରୁ ମିଳେ । ଯେଉଁ ସମାଜ ଯେତେ ଆଗୁଆ, ଉନ୍ନତ, ଗତିଶୀଳ, ଅଙ୍ଗର ମାନ ସେତେ ଉଚ୍ଚ । ସାମାଜିକ ଉତ୍କର୍ଷ ପରାକାଷ୍ଠାର ମାନଦଣ୍ଡରୂପେ ଶିକ୍ଷା ଓ ସାହିତ୍ୟ ସର୍ବତ୍ର ପରିଚିତ । ସେଥିପାଇଁ ଅନଗ୍ରସର ଅନୁନ୍ନତ ଓ ଅଚଳ ସମାଜରେ ବିଧିବିଦ୍ଧ ଓ ଆନୁଷ୍ଠାନିକ ଶିକ୍ଷାବ୍ୟବସ୍ଥା ନ ଥାଏ । ସାହିତ୍ୟ ସମ୍ପଦହୀନ ବା ନାମମାତ୍ର ହୋଇଥାଏ । ପୃଥିବୀପୃଷ୍ଠରେ ସମାଜର ଗତି ସହିତ ଜଡ଼ିତ ରହି ଶିକ୍ଷା ଓ ସାହିତ୍ୟ ଅଗ୍ରଗତି କରିଛି । ସମାଜରୂପକ ମୁଦ୍ରାର ଉଭୟପାର୍ଶ୍ୱ ଶିକ୍ଷା ଓ ସାହିତ୍ୟଦ୍ୱାରା ସୂଚିତ ହୋଇ ତା’ର ମୂଲ୍ୟ, ମାନ ଓ ଚଳନି ପ୍ରତିପାଦିତ ହେଉଛି ।

 

ଅତଏବ ଶିକ୍ଷା ଓ ସାହିତ୍ୟର ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ଏହି ଦୁଇ ଶବ୍ଦର ଅର୍ଥ ଓ ପ୍ରୟୋଗ ବୁଝିବା ସର୍ବଦୌ ଉଚିତ । ପ୍ରଥମତଃ ଶିକ୍ଷା ଏକ ବ୍ୟକ୍ତିକୈନ୍ଦ୍ରିକ ପ୍ରକ୍ରିୟା । ଶିକ୍ଷାଗୁରୁ ସକ୍ରେଟିସ୍‌ ମାନବର ଅନ୍ତର୍ନିହିତ ଶକ୍ତିର ବିକାଶପାଇଁ ଶିକ୍ଷାର କଳ୍ପନା କରିଥିଲେ । ସାମର୍ଥ୍ୟ ଉତ୍ପାଦନ ଶିକ୍ଷାର ଅର୍ଥ ଓ କାମ୍ୟ । ଏ ସାମର୍ଥ୍ୟ ଇତରପ୍ରାଣୀ ବା ପଶୁର ନୁହେଁ । ଏହା ‘‘ଭାବୁଛି’’ ଓ ‘‘ଭୁଲ୍‍ କରୁଛି’’ ଏପରି ମନୁଷ୍ୟର । ଦ୍ୱିତୀୟତଃ, ଏହା ଏକ ଧାରାବାହିକ ଓ ବିଧିବଦ୍ଧ ପ୍ରକ୍ରିୟା । ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ସାଧନ କରିବା ପାଇଁ ଏହା ଅଭିପ୍ରେତ । ସେଥିପାଇଁ ଗଣତାନ୍ତ୍ରିକ ଓ ଏକଛତ୍ର-ଶାସିତ ସମାଜ ମଧ୍ୟରେ ଲକ୍ଷ୍ୟର ପାର୍ଥକ୍ୟ ହେତୁରୁ ଶିକ୍ଷାରେ ପ୍ରଭେଦ ଦେଖାଯାଏ । ଶିକ୍ଷା ସମ୍ମୁଖରେ ଏକ ଧ୍ୟେୟ ଥାଏ । ତୃତୀୟତଃ, ଶିକ୍ଷା ସମାଜର ସାଧନ ହେଲେହେଁ ସେଥିରେ ପ୍ରଣାଳୀ, ପଦ୍ଧତି ଓ ବିଧିର ବ୍ୟବହାର କରାଯାଏ । ଜ୍ଞାନର ଭଣ୍ଡାରରୂପେ ପାଠ୍ୟପୁସ୍ତକ, ପ୍ରକୃତି ଓ ଶିକ୍ଷକଙ୍କ ବ୍ୟକ୍ତିତ୍ୱକୁ ଗ୍ରହଣ କରାଯାଏ । ସାମାଜିକ, ପ୍ରାକୃତିକ ଓ ଅର୍ଥନୀତିକ ପରିବେଶ ଶିକ୍ଷାର ମାଧ୍ୟମ ହୁଏ-। ଜ୍ଞାନବିଜ୍ଞାନ-ଅଭିମୁଖୀ ସଭ୍ୟତାର ଦ୍ୱାର ଶିକ୍ଷାରେ ଉନ୍ମୁକ୍ତ ହୁଏ । ମାନବର ବିକାଶ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ । ଶରୀର, ମନ ଓ ଆତ୍ମାର ସର୍ବାଙ୍ଗୀନ ଓ ସର୍ବୋତ୍ତମ ବିକାଶ ସାଧନ କରିବା ପାଇଁ ଗାନ୍ଧୀ, ନନ୍‌, ଡିଉଇ, ଫ୍ରୋବେଲ, କନଫୁସିଅସ୍‌, ମଣ୍ଡେଶରୀ ଆଦି ଶିକ୍ଷାଗୁରୁ ଶିକ୍ଷାର ସ୍ୱରୂପ ନିର୍ଣ୍ଣୟ କରିଥିଲେ । ଅତଏବ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷାୟତନ ଓ ଶିକ୍ଷାପ୍ରେମୀ ଶିକ୍ଷାର ଏକ ବ୍ୟାପକ ପୃଷ୍ଠଭୂମିରେ ବିକାଶର ସାଧନାରେ ରତ ଥାଆନ୍ତି । ଠିକ୍‌ ଏହି ଧର୍ମରେ ସାହିତ୍ୟର ସତ୍ତା ଓ ସ୍ୱରୂପ ରୂପାୟିତ । ସାହିତ୍ୟ-ରସାନଭିଜ୍ଞ ମନୁଷ୍ୟ ପଶୁବତ୍‌ । ସାହିତ୍ୟର ସୃଷ୍ଟି ମାନବ ପାଇଁ-। ରସ୍କିନ୍‌ଙ୍କ ଭାଷାରେ ସାହିତ୍ୟ ହେଲା ମନୁଷ୍ୟର ମନ, ଆଶା ଓ ଆକାଂକ୍ଷାର ରୂପାୟିତ ଛବି-। ତା’ର ଅବଚେତନ ମନର ଅସ୍ପଷ୍ଟ ଚିନ୍ତାକୁ ଅନୁଭୂତି, କରୁଣା ଓ ସମବେଦନାରେ ଫୁଟାଇବା ସାହିତ୍ୟର କାମ । ମାନବ ଓ ତା’ ସହିତ ନିତ୍ୟସମ୍ପୃକ୍ତ ପରିବେଷ୍ଟନୀର ମାଧ୍ୟମରେ ମାନବ ପାଇଁ ସାହିତ୍ୟର ସୃଷ୍ଟି । ସେତେବେଳେ ସାହିତ୍ୟ ମାନବର ଓ ମାନବିକ, ତେଣୁ ଶିକ୍ଷା ଓ ସାହିତ୍ୟ ଉଭୟ ଏକ ମାନବିକ ପ୍ରକ୍ରିୟା । ଟି. ଏସ୍‌. ଇଲିୟଟ୍‌ ସାହିତ୍ୟସୃଷ୍ଟି ମୂଳରେ ସାମାଜିକ ଉଦ୍ଦେଶ୍ୟରେ ଅବତାରଣା କରନ୍ତି । ତାହା ଶିକ୍ଷାରେ ମଧ୍ୟ ସତ୍ୟ । ଶିକ୍ଷା ଓ ସାହିତ୍ୟ ହର୍ଷ ଓ ବିଷାଦରେ ପୂର୍ଣ୍ଣ ସମାଜରୁ ଉଦ୍ଧୃତ ଓ ସମାଜର ଛବିରେ ଛବିଳ । ସେଥିରେ ଶୋଷିତ ଓ ପତିତର ମର୍ଯ୍ୟାଦା ସ୍ୱୀକୃତିଲାଭ କରେ । ଅପାଙ୍‌କ୍ତେୟ ଓ ଅବହେଳିତ ଲୋକଲୋଚନକୁ ଆସେ । ସାମାଜିକ ମୂଲ୍ୟର ପରିବର୍ତ୍ତନ ଘଟେ । ବିଶ୍ୱକବି ରବୀନ୍ଦ୍ରନାଥ କହନ୍ତି ଯେ ସାହିତ୍ୟ କେବଳ ଭାବ ସହିତ ଭାବର, ଭାଷା ସହିତ ଭାଷାର, ଗ୍ରନ୍ଥ ସହିତ ଗ୍ରନ୍ଥର ମିଳନ ନୁହେଁ । ଏହା ମନୁଷ୍ୟ ସହିତ ମନୁଷ୍ୟର, ଅତୀତ ସହିତ ବର୍ତ୍ତମାନର ଓ ଦୂର ସହିତ ନିକଟର ଅନ୍ତରଙ୍ଗ ମିଳନ ଅଟେ । ଏ ପ୍ରକାର ସାହିତ୍ୟ ଶିକ୍ଷାର ଭୂମିକା ଗ୍ରହଣ କରେ । ଶିକ୍ଷା ଓ ସାହିତ୍ୟ ମଧ୍ୟରେ ଅଭେଦତ୍ୱ ପ୍ରତିପାଦନ କରେ ।

 

ତେଣୁ ସମାଜରେ ଶିକ୍ଷା ଓ ସାହିତ୍ୟ ସହଧର୍ମୀ ଓ ସହକର୍ମୀ । ସମାଜର ବ୍ୟକ୍ତି ମୁଖରେ ଏମାନେ ଅଭିବ୍ୟକ୍ତି ଦିଅନ୍ତି । ସମାଜ ଓ ସଂସ୍କୃତିର ଧାରକ ଓ କାରକ ହୁଅନ୍ତି । ଶିକ୍ଷା ଓ ସାହିତ୍ୟ ଯୁଗପତ୍‌ ଏହି ଯୁଗ୍ମଦାୟିତ୍ୱ ଯୁଗେ ଯୁଗେ ବହନ କରିଅଛନ୍ତି । ଚିରନ୍ତନ ମୂଲ୍ୟବୋଧର ରକ୍ଷା ସାହିତ୍ୟ ଓ ଶିକ୍ଷାରେ କରାଯାଇଛି । ତଦ୍ଦ୍ୱାରା ସମାଜ ତଥା ସଂସ୍କୃତି ନିରବଚ୍ଛିନ୍ନ ଓ କ୍ରମପ୍ରବାହମାନ ହୋଇଆସିଛି । ସମାଜର ଅନୁରୂପ ମନୁଷ୍ୟ ତିଆରି କରିବା ଶିକ୍ଷାର ଅନ୍ୟତମ କାମ । ସତ୍ୟ, ଶାନ୍ତି, ଦୟା, ଭକ୍ତି ଆଦି ମାନବିକ ସଦ୍‌ଗୁଣ ଶିକ୍ଷା ମାଧ୍ୟମରେ ମନୁଷ୍ୟ ସମାଜରୁ ଗ୍ରହଣ କରି ଆସିଅଛି । ଶିକ୍ଷାଦ୍ୱାରା ସଂସ୍କୃତିର ସଂକ୍ରମଣ କରାଯାଇଛି । ସାହିତ୍ୟଦ୍ୱାରା ଅନୁରୂପ କାର୍ଯ୍ୟ ସମ୍ପାଦିତ ହେଉଅଛି, ଐକ୍ୟ ଓ ମାନବିକ ସମ୍ପର୍କରେ ପ୍ରତୀକ ରାମାୟଣ ଓ ମହାଭାରତର ଆଦର ସର୍ବ ଯୁଗରେ ରହିଛି । ଏହି କାବ୍ୟଦ୍ୱୟର ଅନୁବାଦ ମଧ୍ୟ ବିଭିନ୍ନ ଭାଷାରେ କରାଯାଇଛି । ସୁଦୂର ଅତୀତର କେଉଁ ଯୁଗରେ କେଉଁ ମାନବିକ ସତ୍ୟର ସନ୍ଧାନ ମିଳିଥିଲା ତାହା ଏ ପର୍ଯ୍ୟନ୍ତ ସାହିତ୍ୟରେ ସାଇତା ହୋଇ ରହିଛି । ଅନ୍ଧକବି ଭୀମ ଭୋଇଙ୍କ–

 

‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ,

ଜଗତ ଉଦ୍ଧାର ହେଉ,’’

 

ପୃଥିବୀର ବିଭିନ୍ନ ସାହିତ୍ୟର ପ୍ରତିଫଳନ ମାତ୍ର । କାଳିଦାସ ଆଦି ମହାକବିଙ୍କ ଲେଖନୀ ସମାଜର ବାସ୍ତବ ଚିତ୍ରକୁ ଫୁଟାଇ ଅମର ହୋଇଛି । ସେକ୍ସପିୟର, ଟଲଷ୍ଟୟ ଆଦି ମହାକବିଗଣ ବ୍ୟକ୍ତିସ୍ୱାତନ୍ତ୍ର୍ୟ ମଧ୍ୟରେ ବିଶ୍ୱମାନବିକତାର ଚିତ୍ର ଆଙ୍କିବାଦ୍ୱାରା ସାହିତ୍ୟ ସମୟର ସୀମାକୁ ଲଙ୍ଘି ଯାଇଛି । ‘‘ସତ୍ୟ-ଶିବ-ସୁନ୍ଦର’’ର ଆଧାରରୂପେ ସାହିତ୍ୟ ସର୍ବଜନ ଆଦର ଲାଭ କରିଛି । ସାହିତ୍ୟର ଗନ୍ତାଘରେ ଓ ଶିକ୍ଷାୟତନରେ ସମାଜର ଗତିର ନିରବଚ୍ଛିନ୍ନତାର ଜ୍ୱଳନ୍ତ ଓ ଅଲିଭା ଆଲେଖ୍ୟ ଦେଖିବାକୁ ମିଳେ ।

 

ଏ ତ ଗଲା କେବଳ ଗୋଟିଏ ଦିଗ । ସଂକ୍ରମଣ ଦ୍ୱାରା ସଂରକ୍ଷଣ କାମ । କେବଳ ଏତିକି ଶିକ୍ଷା ଓ ସାହିତ୍ୟଦ୍ୱାରା ହେଉନାହିଁ । ଏହି ଶିକ୍ଷା ସହିତ ଶୋଧନ ଓ ସୃଷ୍ଟି ଚାଲିଛି । ତତ୍କାଳୀନ କଳୁଷିତ ସମାଜର ସଂସ୍କାରପାଇଁ ଫରାସୀ ରାଷ୍ଟ୍ରବିପ୍ଲବର ନାୟକ ରୂପେ କେବଳ ଯେ ନୂତନ ଶିକ୍ଷାଯୋଜନାର ମୂଳମନ୍ତ୍ର ଦେଇଥିଲେ, ତା’ ନୁହେଁ, ସେ ସାହିତ୍ୟ, ସମାଜନୀତି ଓ ରାଜନୀତି ଶାସ୍ତ୍ରରେ ବିପ୍ଲବ ଆଣିଥିଲେ । ବାଳକୈନ୍ଦ୍ରିକ ଶିକ୍ଷାନୀତିର ସେ ଥିଲେ ଜନକ । ରୁଷୋ ଓ ଭଲଟେୟାରଙ୍କ ଅଗ୍ନ୍ୟୁଦ୍‌ଗାରୀ ଲେଖନୀ ଓ ବାଣୀ ଶିକ୍ଷା ଏବଂ ସାହିତ୍ୟରେ ଏକ ନୂତନ ଯୁଗର ଆହ୍ୱାନ କରିଥିଲା, ସାମାଜିକ ଆଦର୍ଶର ସମତା ବିରୁଦ୍ଧରେ ଆନ୍ଦୋଳନ କରି ସକ୍ରେଟିସ୍‌ ମୃତ୍ୟୁବରଣ କଲେ ଓ ତଦ୍ଦ୍ୱାରା ଶିକ୍ଷା ଓ ସମାଜରେ ବ୍ୟକ୍ତିର ସ୍ୱାତନ୍ତ୍ର୍ୟକୁ ସେ ପ୍ରତିପାଦନ କଲେ । ଗାନ୍ଧୀ, ରବୀନ୍ଦ୍ର ଓ ଅରବିନ୍ଦ ପ୍ରଚଳିତ ଶିକ୍ଷା ଓ ସମାଜ ବିରୁଦ୍ଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଏକ ନୂତନ ସମାଜର ପରିକଳ୍ପନାକୁ ରୂପାୟିତ କରିବା ପାଇଁ ସାହିତ୍ୟ ଓ ଶିକ୍ଷାରେ ବିପ୍ଲବ ଆଣିଲେ-। ‘ଶୋଷଣହୀନ’ ସର୍ବୋଦୟ ସମାଜର ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଅଭିନବ ଶିକ୍ଷାଯୋଜନାର ସୂତ୍ରପାତ ଭାରତରେ ହେଲା । ଗାନ୍ଧୀ ଓ ବିନୋବାଙ୍କ ସର୍ବୋଦୟ ସାହିତ୍ୟ ବିଶ୍ୱ ସରସ୍ୱତପୀଠରେ ଏକ ନୂତନ ପଦକ୍ଷେପ । ଗାନ୍ଧୀ, ଗର୍କୀ, ଗାରିବାଲ୍‌ଡ଼ି ଆଦି ମନୀଷୀଗଣ ସାହିତ୍ୟକ୍ଷେତ୍ରରେ ଏକ ନବଯୁଗର ଆବାହନ ଜଣାଇଛନ୍ତି । ବହୁ ଦେଶରେ ଜାତୀୟତା ବହ୍ନିଶିଖା ସାହିତ୍ୟର ମାଧ୍ୟମରେ ପ୍ରଜ୍ୱଳିତ ହୋଇଛି । ଯୁଗେ ଯୁଗେ ମନୁଷ୍ୟ ମନରେ ଏହା ଫଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ତେଣୁ ମୁକ୍ତି ସଂଗ୍ରାମରେ ଏ ଦେଶର ଅଖଣ୍ଡତା ରକ୍ଷା କରିବାରେ ସାହିତ୍ୟ ଓ ଶିକ୍ଷା ନାଗରିକ ମନରେ ଚେତନା, ଉନ୍ମାଦନା ଓ ପ୍ରାଣବିସର୍ଜ୍ଜନ କରିବାର ଦମ୍ଭ ଆଣିଦେଇଛି । ସମାଜର ସକଳ ସମସ୍ୟା ସାହିତ୍ୟ ଓ ଶିକ୍ଷାର ଉପଜୀବ୍ୟ କାଳେ କାଳେ ହୋଇଛି ।

 

‘‘ବାକ୍ୟମ୍‌ ରସାତ୍ମକମ୍‌ କାବ୍ୟମ୍‌’’–ଏ ଦୃଷ୍ଟିରୁ କବି ଓ କାବ୍ୟ ସୃଷ୍ଟିଧର୍ମୀ ଅଟନ୍ତି । ‘‘ସା ବିଦ୍ୟା ଯା ବିମୁକ୍ତୟେ’’ ଏ ଦୃଷ୍ଟିରୁ ବିଦ୍ୟ ଓ ବିଦ୍ୟାଦାତା ଠିକ୍‌ ସେହିପରି ବିକାଶର ଅଭିନବ ସ୍ରଷ୍ଟା ।

 

‘‘ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟାପିହତଂ ମୁଖଂ,

ତତ୍ତ୍ୱଂ ପଷନ୍ନପାବୃଣ୍ଡ ସତ୍ୟଧର୍ମାୟ ବୃଷ୍ଟୟେ ।’’

 

ବ୍ରହ୍ମୋପଲବ୍ଧି ପାଇଁ ହରିନ୍ମୟପାତ୍ରରୂପକ ଆବରଣ ପ୍ରତିବନ୍ଧକ ହୋଇଅଛି । ସେହି ଆବରଣର ଅପସାରଣ ସାହିତ୍ୟିକ ଓ ଶିକ୍ଷକର କାମ । ଉଭୟେ କ୍ରାନ୍ତିଦର୍ଶୀ ସ୍ରଷ୍ଟା । ସୃଷ୍ଟି ଉଭୟଙ୍କର ଲକ୍ଷ ଓ ଲକ୍ଷଣ । ସୃଷ୍ଟି-ପ୍ରଧାନ ସାହିତ୍ୟ ଯୁଗେ ଯୁଗେ ଅମର ହୋଇଛି ଓ ଶିକ୍ଷାଗୁରୁଙ୍କ ଦର୍ଶନକୁ ଅଙ୍ଗୀଭୂତ କରି ଅମରତ୍ୱ ଲାଭ କରିଛି । କବି ଓ ଶିକ୍ଷକ ସତ୍ୟସନ୍ଧାନୀ ଓ ସେ ଦିଗରେ ପ୍ରାଣପାତ ମଧ୍ୟ କରିଛନ୍ତି । ଶିକ୍ଷକଙ୍କର ଜୀବନର ନିଷ୍ଠା ଓ ସାଧନା ଶିକ୍ଷାପ୍ରକ୍ରିୟାକୁ ପ୍ରାଣବନ୍ତ କରିଛି-। ଶ୍ରୀ ରାମକୃଷ୍ଣ ପରମହଂସଙ୍କ ସମ୍ପର୍କରେ ସଂକ୍ରମଣ ବିବେକାନନ୍ଦଙ୍କ ପ୍ରତିଭାକୁ ଆଲୋକିତ କରିଥିଲା ଓ ସେ ଯେଉଁ ଶିକ୍ଷାକୁ ‘‘ଆତ୍ମୋପଲବ୍ଧି’’ କହନ୍ତି, ତାହା ହିଁ ଲାଭ କରିଥିଲେ-। ଧନ୍ୟ ସେ ଗୁରୁ ଓ ଧନ୍ୟ ସେ ଶିଷ୍ୟ ! ଉଭୟ ଅବିସ୍ମରଣୀୟ । ଏହି ‘‘ଅଧୀତବୋଧ ଆଚରଣ ପ୍ରଚାରଣେ’’ର ନିଷ୍ଠା ଶିକ୍ଷକ ଜୀବନରେ ବିଶେଷ ଉଲ୍ଲେଖଯୋଗ୍ୟ ।

 

ତେଣୁ ଶିକ୍ଷା ଗାନ୍ଧିଜୀଙ୍କ ଭାଷାରେ ଏକ ଜୀବନବ୍ୟାପୀ, ଜୀବନ ମାଧ୍ୟମରେ ଜୀବନ ପାଇଁ ପ୍ରକ୍ରିୟା ଅଟେ । ତାଙ୍କ ନିତ୍ୟନୂତନ ସମଗ୍ର ନୀତିଶିକ୍ଷା ସାହିତ୍ୟର ଭୂମିକା ଅଟେ । ଯେତେ କ୍ଷୁଦ୍ର ହେଉ ପଛକେ ଜୀବନର ଏପରି ସମସ୍ୟା ନାହିଁ ଯାହା ଶିକ୍ଷାର ଅନ୍ତର୍ଭୁକ୍ତ ନୁହେଁ । ଗାନ୍ଧିଜୀଙ୍କର ଏହି ସ୍ପଷ୍ଟ-ଘୋଷଣା ଶିକ୍ଷା ଓ ସାହିତ୍ୟର ନିଗୂଢ଼ ସମ୍ପର୍କକୁ ପ୍ରତିପାଦନ କରେ । ସମାଜର ବିକାଶ ଓ ବିଭାଗଦ୍ୱାରା ପ୍ରଭାବିତ ଜୀବନକୁ ପ୍ରସ୍ତୁତ କରିବା ସାହିତ୍ୟ ଓ ଶିକ୍ଷାର ପ୍ରଧାନ କାମ । ଜୀବନକୁ ମହିମାମୟ କରି ଗୌରବରେ ଭୂଷିତ ହୋଇ ଶିକ୍ଷା ଓ ସାହିତ୍ୟର ସମ୍ପର୍କ ଅବିଚ୍ଛେଦ୍ୟ ହୋଇଛି ।

 

ଶିକ୍ଷାର ବିକାଶ ଓ ବିସ୍ତାର ଫଳରେ ସାହିତ୍ୟର ଶ୍ରୀବୃଦ୍ଧି ଓ ଆଦର ସମ୍ଭବ ହୁଏ । ଆଲୋଚନା ଓ ସମାଲୋଚନା ପାଇଁ ପାଗଯୋଗ ହୁଏ । ଉତ୍କୃଷ୍ଟ ସାହିତ୍ୟର ଉପଭୋଗ ପାଇଁ ବାସନା ଜାତ ହୁଏ । ଅର୍ଥ ଓ ଅର୍ଥାନ୍ତରଦ୍ୱାରା ସାହିତ୍ୟର ଆତ୍ମାର ସନ୍ଧାନ ନିଆଯାଏ । ଭାବର ଉନ୍ମେଷ ଓ ପ୍ରକାଶ ପାଇଁ ଶିକ୍ଷା ସହାୟକ ହୁଏ । ପ୍ରତି ଶିଶୁର ଆଦିଗୁରୁ ଜନନୀ । ସେ ଯେ କେବଳ କେତେକ ଅଭ୍ୟାସର ବଶବର୍ତ୍ତୀ କରାଇ ଶିଶୁକୁ ସମାଜର ଅନୁରୂପ କରି ଗଢ଼ନ୍ତି, ତାହା ନୁହେଁ; ମୂକ ମୁଖରେ ବାଚାଳର ସମ୍ଭାବନା ସେ ଆଣିଦିଅନ୍ତି । ସ୍ୱପ୍ନର ସ୍ପନ୍ଦନ ସେ ଦିଅନ୍ତି । ତଦ୍ଦ୍ୱାରା ପ୍ରାଣରେ ମୂର୍ଚ୍ଛନା ଜାତ ହୁଏ । ଶିଶୁର ଦରୋଟିରେ ଆଦିକବି ବାଲ୍ମୀକିଙ୍କର କାବ୍ୟର ସମ୍ଭାବନା ଥାଏ । ଜନନୀଙ୍କର ଉଦାହରଣ ଦ୍ୱାରା ଶିଶୁପ୍ରକୃତିରେ ଦରୋଟି ଫୁଟିଉଠେ । ଶ୍ରେଣୀଶିକ୍ଷା ମଧ୍ୟ ଏକ ବିରାଟ ସମ୍ଭାବନାର ସ୍ୱପ୍ନରେ ଛାତ୍ରଙ୍କୁ ବିଭୋର କରେ । ସେଥିପାଇଁ ବିଶ୍ୱକବି ରବୀନ୍ଦ୍ର ‘‘ବେଞ୍ଚ ଓ ବୋର୍ଡ଼, ପୋଥି ଓ ପରୀକ୍ଷା’’ ଅପେକ୍ଷା ‘‘ଗଛପତ୍ର, ସ୍ୱଚ୍ଛ ଆକାଶ, ମୁକ୍ତବାୟୁ, ନିର୍ମଳ ଜଳାଶୟ ଓ ଉଦାର ଦୃଶ୍ୟର’’ ଆବଶ୍ୟକତା ଅଧିକ ଅନୁଭବ କରନ୍ତି । ବହୁ ପ୍ରକୃତିକବି ଓ ସ୍ୱଭାବଶିକ୍ଷକ ଶିକ୍ଷା କ୍ଷେତ୍ରରେ ‘‘ବିଶ୍ୱଜନନୀର ପ୍ରତ୍ୟକ୍ଷ ଲୀଳାର’’ ସ୍ପର୍ଶ ଅନୁଭବ କରିବା ପାଇଁ ଆବେଗ ସହକାରେ ନିବେଦନ କରନ୍ତି । କାନ୍ଥ ବାଡ଼ ଦେଇ, ଫାଟକ ବନ୍ଦ କରି, ଜଗୁଆଳଦ୍ୱାରା ଜଗାଇ ଶାସ୍ତି ଦ୍ୱାରା କଣ୍ଟକିତ କରି ଓ ‘‘ଘଣ୍ଟାର ଢଁ ଢଁ ଶବ୍ଦ କାନରେ ବାଡ଼େଇ’’ ଯେଉଁ ଶିକ୍ଷା ଦିଆଯାଏ, ତାହା କେବଳ ନିରାନନ୍ଦ ସୃଷ୍ଟି କରାଏ । ଫଳରେ ଶିଶୁ ମନରେ ଶିକ୍ଷା ଓ ସାହିତ୍ୟର ଗଜାମରୁଡ଼ି ହୁଏ । ଜ୍ଞାନର ଅନାବୃଷ୍ଟି ହୁଏ ।

 

ଆହୁରି ମଧ୍ୟ ସାହିତ୍ୟ ଦ୍ୱାରା ଶିକ୍ଷା ସମୃଦ୍ଧ ଓ ପରିପୃଷ୍ଟ ହୁଏ । ଏହା ଶୂନ୍ୟଗର୍ଭକ ନ ହୋଇ ଜ୍ଞାନଗର୍ଭକ ହୁଏ । ସମସ୍ତ ଶିକ୍ଷାର ଆଧାର ସାହିତ୍ୟ ଅଟେ । ପାରିବାରିକ ଶିକ୍ଷା ଆନୁଷ୍ଠାନିକ ନ ହେଲେ ସୁଦ୍ଧା, ସ୍ନେହ, ମମତା, କରୁଣା ଆଦି ସଦ୍‌ଗୁଣ ଉପରେ ପ୍ରତିଷ୍ଠିତ ହୋଇ ଭାଷା ଓ ଭାବ ଶିକ୍ଷାର ଭିତ୍ତି ଅଜ୍ଞାତରେ ସ୍ଥାପନ କରେ । ସେଥିରେ ସାହିତ୍ୟ ଶିକ୍ଷାର ରୂପ ଓ ରୀତିନିର୍ଣ୍ଣୟ କରିବା ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନର ବିଷୟ । ସମସ୍ତ ଆନୁଷ୍ଠାନିକ ଶିକ୍ଷାରେ ପ୍ରାୟ ସବୁ ସ୍ତରରେ ଭାଷା ଓ ସାହିତ୍ୟ ଶିକ୍ଷା ମୁଖ୍ୟସ୍ଥାନ ଅଧିକାର କରିଛି, ଏହା ଶିକ୍ଷାର ମୌଳିକ ଅଙ୍ଗ । ବିଜ୍ଞାନ ଉଦ୍‌-ଯୋଗ କାରିଗରୀ କୌଶଳ ଆଦି ବିଷୟରେ ସାହିତ୍ୟଶିକ୍ଷା ବିରୁଦ୍ଧାଚରଣ କରେ ବୋଲି ଭାବିବା ଅବୈଜ୍ଞାନିକ ଓ ଭ୍ରାନ୍ତ ଧାରଣା । ସବୁ କ୍ଷେତ୍ରରେ ଓ ସମସ୍ତ ଶିକ୍ଷାରେ ଭାବଗ୍ରହଣ ଓ ଭାବପ୍ରକାଶ ଅପରିହାର୍ଯ୍ୟ । ଜୀବନକୁ ସରସ, ସୁନ୍ଦର ଓ ପ୍ରାଣବନ୍ତ କରିବାରେ ସାହିତ୍ୟର ଦାନ ରହିଛି । ବୈଜ୍ଞାନିକ ମନୋଭାବ ଓ ଦର୍ଶନ ଶିକ୍ଷା ସାହିତ୍ୟର ଅଙ୍ଗ ଅଟେ । କଳା ଓ ସାହିତ୍ୟର ଯଥାର୍ଥ ସଂଯୋଗ ଅଭାବରୁ ଶିଳ୍ପସମୃଦ୍ଧ ଜୀବନ ହାହୁତାଶମୟ ଓ ବ୍ୟର୍ଥ ହୋଇଯାଉଛି । ମାନବିକତାହୀନ ମାନବ ଏ ଯୁଗର ସର୍ବପ୍ରଧାନ ସମସ୍ୟା । ଦିଗନ୍ତବିସ୍ତାରୀ ମନ ସହିତ ଦରଦଶୂନ୍ୟ ସଂକୀର୍ଣ୍ଣ ହୃଦୟ ଆଜି ମନୁଷ୍ୟକୁ ବିକଳାଙ୍ଗ କରିଛି । ଏପରି ସ୍ଥଳରେ ସାହିତ୍ୟଶିକ୍ଷାର ସ୍ଥାନ ନିରୂପଣ କରିବା ବିଧେୟ । ବିଭିନ୍ନ ଶ୍ରେଣୀର ପାଠକଙ୍କ ଶକ୍ତି ସାମର୍ଥ୍ୟ ଓ ଅଭିରୁଚି ଅନୁଯାୟୀ ସାହିତ୍ୟରଚନା ଅନ୍ୟତମ ସମସ୍ୟା । ସୁସ୍ଥ, ସାଧୁ ଓ ସ୍ୱଚ୍ଛ ସାହିତ୍ୟର ପ୍ରକାଶ ବିଶେଷ ଆବଶ୍ୟକ । ସେଥିରେ ନିର୍ଭୀକତାର ଛାପ ରହିବ, ପୁଣି ମୂଲ୍ୟବୋଧର ବିଚାର ମଧ୍ୟ ରହିବ । ସାହିତ୍ୟଶିକ୍ଷାର ପ୍ରଣାଳୀରେ ବୈପ୍ଲବିକ ପରିବର୍ତ୍ତନ ଆବଶ୍ୟକ । ପ୍ରାଣପ୍ରଚୁର ନ ହୋଇ ଶିକ୍ଷା ପ୍ରାଣଶୂନ୍ୟ ହୋଇଯାଉଛି । ସାହିତ୍ୟଶିକ୍ଷାରେ ଉଚିତ ପ୍ରଣାଳୀ ଅବଲମ୍ବନ କରାଗଲେ ଛାତ୍ରମାଧ୍ୟମରେ ଗ୍ରନ୍ଥାକାର ଓ ଗ୍ରନ୍ଥପାଠକ ଏବଂ ଭାବମଧ୍ୟରେ ଭାବୁକ ଓ ଭାବଗ୍ରହୀତା ମଧ୍ୟରେ ନିକଟ-ସମ୍ପର୍କ ସ୍ଥାପିତ ହେବ । ତେବେ ଯାଇ ରବୀନ୍ଦ୍ରନାଥଙ୍କ ସାହିତ୍ୟର ସଂଜ୍ଞା ସାର୍ଥକ ହେବ ।

 

ଅନ୍ୟ ଦିଗରେ ଦେଖିବାକୁ ଗଲେ ସାହିତ୍ୟକୁ ବଳିଷ୍ଠ ଓ ସମୃଦ୍ଧ କରିବା ପାଇଁ ଶିକ୍ଷା ସାହିତ୍ୟର ରଚନା ହେଉଛି । ଲକ୍‌, ପେଷ୍ଟାଲଟ୍‌ସୀ, ନନ୍‌, ଡିଉଇ, ହାଇଟହେଡ଼, ଗାନ୍ଧୀ, ରବୀନ୍ଦ୍ର ପ୍ରଭୃତି ମନୀଷୀମାନଙ୍କର ଶିକ୍ଷା, ଦର୍ଶନ ଓ ପ୍ରୟୋଗ ଏ ପ୍ରକାର ସାହିତ୍ୟର ଅନ୍ତର୍ଗତ । ସେମାନଙ୍କ ବିଚାର ଶିକ୍ଷାରେ ସମ୍ପୃକ୍ତ ପିତାମାତା, ଅଭିଭାବକ ,ଶିକ୍ଷକ, ଶିକ୍ଷାପ୍ରେମୀ ପ୍ରଭୃତିଙ୍କର ପ୍ରଣିଧାନର ବିଷୟ । ପାଠକର ବ୍ୟକ୍ତିଗତ ଜୀବନକୁ ଉଦାର ଓ ମହନୀୟ କରି ସେମାନଙ୍କର କାର୍ଯ୍ୟ ସମ୍ପର୍କକୁ ତଦନୁରୂପ କରେ । ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଇଁ ବୋଧଗମ୍ୟ ଓ ଗ୍ରହଣୀୟ ଭାଷାରେ ଏହି ଶିକ୍ଷାସାହିତ୍ୟର ଅଭାବ ବିଶେଷ ଦେଖାଯାଏ । ଟଲଷ୍ଟୟ ଆଶ୍ରମରେ ଗାନ୍ଧିଜୀଙ୍କର ଶିକ୍ଷାପରୀକ୍ଷା ଯେ କୌଣସି ଲୋକ ମନରେ ସଭାବନାର ଦ୍ୟୋତକ ହେବ । ରୁଷୋଙ୍କ ‘‘ଏମିଲି’ ଏକ ଉତ୍କୃଷ୍ଟ ଶିକ୍ଷାସାହିତ୍ୟ ଅଟେ । ସକ୍ରେଟିସ୍‌, ସ୍ପେନ୍‌ସାର ଆଦି ଶିକ୍ଷାଗୁରୁଙ୍କ ଲେଖା ସାହିତ୍ୟର ଅମୂଲ୍ୟ ସମ୍ପଦ ଅଟେ । ୧୮୯୦ ସାଲରେ ଜେମ୍ସଙ୍କ ଲିଖିତ ଶିକ୍ଷକଙ୍କ ପ୍ରତି ଭକ୍ତି ଏବେ ସୁଦ୍ଧା ପଠିତ ଓ ଆଦୃତ ହୁଏ । ରବୀନ୍ଦ୍ରନାଥଙ୍କ ‘ଶିକ୍ଷା’ ତାଙ୍କ ଦର୍ଶନ ଓ ତା’ର ପ୍ରୟୋଗର ଏକ ସାବଲୀଳ ଓ ସୁନ୍ଦର ଚିତ୍ର ।

 

ଅତଏବ ଶିକ୍ଷା ଓ ସାହିତ୍ୟ ଏକ ପରିପୂରକ । ସାହିତ୍ୟଶିକ୍ଷା ଓ ଶିକ୍ଷା ସାହିତ୍ୟ ସମ୍ବନ୍ଧରେ ଏ ଆଲୋଚନା ଯଥେଷ୍ଟ ନୁହେଁ କିନ୍ତୁ ସେହି ପରିପୂରକ ସମ୍ପର୍କରେ ସୂଚନା ମାତ୍ର । ବ୍ୟକ୍ତି, ସମାଜ, ଜୀବନପ୍ରବାହ ସଂସ୍କୃତି ସହିତ ଶିକ୍ଷା ଓ ସାହିତ୍ୟ ନିବିଡ଼ ଭାବରେ ସଂପୃକ୍ତ ।

Image

 

ଗଣତନ୍ତ୍ର-ଶାସନ

(ଶ୍ରୀ ବୈଦ୍ୟନାଥ ମିଶ୍ର)

 

ଗଣତନ୍ତ୍ର ଏକ ଶାସନ ପ୍ରଣାଳୀ । ଅତି ଆଦିମକାଳରୁ ଏହାର ପ୍ରଚାର ହୋଇଆସିଛି । ଅନେକ ବଡ଼ ବଡ଼ ମନୀଷୀ ଏହା ସପକ୍ଷରେ ମତ ଦେଇଛନ୍ତି । ତଥାପି ଗଣତନ୍ତ୍ର ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଆସୁନାହିଁ । ଗଣତନ୍ତ୍ର ଦ୍ୱାରା ଆମର ଅଭାବ ଓ ଅସୁବିଧା ଦୂର ହୋଇପାରିବ ନାହିଁ ବୋଲି ଅନେକ ବୁଦ୍ଧିଜୀବି ମଧ୍ୟ ଯୁକ୍ତି ବାଢ଼ୁଛନ୍ତି । ପ୍ରଥମ ମହାଯୁଦ୍ଧବେଳେ ଆମେରିକାର ସଭାପତି ଉଇଲସନ୍‌ ଘୋଷଣା କଲେ ଯେ ପୃଥିବୀରେ ଗଣତନ୍ତ୍ରକୁ ଦୃଢ଼ କରିବା ପାଇଁ ଏହି ଯୁଦ୍ଧରେ ଲଢ଼େଇ କରିବା ଦରକାର ପଡ଼ିଛି । ଯୁଦ୍ଧ ଶେଷ ହେଲା; କିନ୍ତୁ ଗଣତନ୍ତ୍ର ବିଜୟ ହାସଲ କରିପାରିଲା ନାହିଁ । ପ୍ରଥମ ମହାଯୁଦ୍ଧ ଓ ଦ୍ୱିତୀୟ ମହାଯୁଦ୍ଧ ଭିତିରେ ତୁର୍କୀ, ଇଟାଲି, ପର୍ତ୍ତୁଗାଲ୍‌, ଯୁଗୋସ୍ଲୋଭିଆ, ଜର୍ମାନୀ, ଜାପାନ ପ୍ରଭୃତି ଅନେକ ଦେଶର ଏକଛତ୍ର ଶାସନ ମୁଣ୍ଡଟେକି ଉଠିଲା । ଏପରି କି ମାର୍କ୍ସଙ୍କର ବୈଜ୍ଞାନିକ ସାମ୍ୟବାଦ ନାଁରେ ରୁଷିଆରେ ୧୯୧୭ ମସିହାରେ ଯେଉଁ ପ୍ରଗତିଶୀଳ ସାମାଜିକ ବିପ୍ଲବ ସୃଷ୍ଟି ହେଲା, ଶେଷରେ ତା’ ମଧ୍ୟ ଏକଛତ୍ର ଶାସନରେ ଯାଇ ପହଞ୍ଚିଲା । ଦ୍ୱିତୀୟ ମହାଯୁଦ୍ଧରେ ହିଟଲର, ମୁସୋଲିନ ଓ ଟୋଜୋ ପ୍ରଭୃତି ପରାସ୍ତ ହେଲେ ସତ; କିନ୍ତୁ ଏକଛତ୍ର ଶାସନର ଅବସାନ ହେଲାନାହିଁ; ବରଂ କେତେକ କ୍ଷେତ୍ରରେ ଏହାର ଶକ୍ତି ବଢ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁ ଗଣତନ୍ତ୍ରର ପୂଜା ଗ୍ରୀକ୍‌ମାନଙ୍କଠାରୁ ଆରମ୍ଭ ହୋଇଛି, ଯାହାକୁ ବିଶିଷ୍ଟ ରାଜନୀତିଜ୍ଞମାନେ ଜୀବନରେ ଏକ ଧାରା ବା ସଭ୍ୟତାର ନିଦର୍ଶନ ବୋଲି ଆଖ୍ୟା ଦେଇଛନ୍ତି, ସେ ଗଣତନ୍ତ୍ର ଆଜି ଅସହାୟ ହୋଇପଡ଼ିଛି କାହିଁକି ? ଗଣତନ୍ତ୍ର ସପକ୍ଷରେ ଆଜି କହିବା ଗଣତନ୍ତ୍ର ଶାସନର ଏକ ଦୁର୍ବଳତା ଛଡ଼ା କ’ଣ କୁହାଯିବ ? ଏ ଏକ ବଡ଼ ପ୍ରଶ୍ନ; କିନ୍ତୁ ଏ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଗଣତନ୍ତ୍ରର ଅର୍ଥ ଓ ସ୍ୱରୂପ କଣ, ପ୍ରଥମେ ବିଚାର କରାଯାଉ । କାରଣ ଗଣତନ୍ତ୍ର ଯେପରି ପୁରାତନ, ତା’ର ଅର୍ଥ ସେହିପରି ବ୍ୟାପକ ।

 

ପ୍ରତିନିଧିମୂଳକ ଶାସନ

 

ଗଣତନ୍ତ୍ର ନାଁ ଉଠାଇଲେ ଲୋକମାନେ ସାଧାରଣତଃ ଲିଙ୍କନ୍‌ଙ୍କର ବ୍ୟାଖ୍ୟାକୁ ଉଦ୍ଦାର କରି କହନ୍ତି ଯେ ଗଣତନ୍ତ୍ର ଶାସନ ଲୋକସାଧାରଣଙ୍କର ଶାସନ । ଲିଙ୍କନ୍‌ ଙ୍କର ବ୍ୟାଖ୍ୟାଟି ଏତେ ସରଳ ଓ ସହଜ ଯେ ତା’ର ଗୁରୁତ୍ୱ ଆମେ କେବେ ବୁଝିପାରୁନା । ଯାହା ସହଜ, ତାହା ସାଧାରଣତଃ ଅବୋଧ୍ୟ । କାରଣ ତାକୁ ବୁଝିବାକୁ କେବେ ଚେଷ୍ଟା ହୁଏ ନାହିଁ । ଗଣତନ୍ତ୍ର ଶାସନର ପ୍ରଧାନ କଥା ଏହି ଯେ ଏଥିରେ ଜନସାଧାରଣ ନିଜର ସରକାର ବାଛନ୍ତି । ଗ୍ରୀକ୍‌ ଯୁଗରେ ଗୋଟିଏ ଜାଗାର ସବୁ ଲୋକ ଏକାଠି ମିଶି ନିଜ ସମସ୍ୟା ସମାଧାନ କରୁଥିଲେ । ପ୍ରତିନିଧି ନିର୍ବାଚନ କରି ପାର୍ଲିଆମେଣ୍ଟକୁ ପଠାଇବା ଦରକାର ପଡ଼ୁନଥିଲା । ଏବେ ମଧ୍ୟ ଆମର ମଫସଲ ଗାଁମାନଙ୍କରେ ଦିଅଁ ଦେବତା, କଳିକଜିଆ, ମାଡ଼ପିଟ୍‌ କଥା କେତେକାଂଶରେ ଗାଁର ସମସ୍ତେ ବସି ବିଚାର କରୁଛନ୍ତି-। ଜାତିଆଣ ସଭାମାନଙ୍କରେ ମଧ୍ୟ ଗ୍ରୀକ୍‌ ଅମଳର ଖାଣ୍ଟି ଗଣତନ୍ତ୍ର ଏ ପର୍ଯ୍ୟନ୍ତ ଚାଲିଛି; କିନ୍ତୁ ରାଷ୍ଟ୍ରଗୁଡ଼ିକର ଜନସଂଖ୍ୟା ବଢ଼ିବା ଯୋଗୁ ସମସ୍ତେ ଏକାଠି ବସି ରାଷ୍ଟ୍ର ସମସ୍ୟା ସମାଧାନ କରିବା ସମ୍ଭବ ହୋଇପାରୁନାହିଁ । ପୁଣି ଆଜିକାଲି ରାଷ୍ଟ୍ରଗୁଡ଼ିକୁ ଏତେପ୍ରକାର ଜଟିଳ ସମସ୍ୟା ସମାଧାନ କରିବା ଦରକାର ପଡ଼ୁଛି ଯେ, ସାଧାରଣ ଲୋକମାନଙ୍କ ପକ୍ଷରେ ସେ ସବୁ ବୁଝିବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ । ତେଣୁ ଲୋକଶାସନ ପରିବର୍ତ୍ତେ ପ୍ରତିନିଧିମୂଳକ ଶାସନକୁ ଆମେ ଗଣତନ୍ତ୍ର ବୋଲି ଧରିନେଉଛୁ । ସାଧାରଣ ଲୋକମାନେ ଭୋଟ ଦେଇ ସେମାନଙ୍କର ପ୍ରତିନିଧି ବାଛୁଛନ୍ତି ଓ ଏମାନେ ସର୍ବସାଧାରଣଙ୍କ ପାଇଁ ଶାସନ ପରିଚାଳନା କରୁଛନ୍ତି । ପ୍ରତି ପାଞ୍ଚବର୍ଷରେ ଥରେ ଥରେ ନିର୍ବାଚନ ହେଉଛି । ଥର୍ମୋମିଟରରେ ଆମେ ଉତ୍ତାପ ମାପିଲା ପରି ନିର୍ବାଚନଦ୍ୱାରା ଜନମତ ମପାଯାଉଛି । ଯେଉଁଠି ରାଜନୀତିକ ଦଳ ସରକାର ଗଢ଼ୁଛନ୍ତି, ସେମାନେ ଜନସାଧାରଣଙ୍କ ଅପ୍ରିୟଭାଜନ ହୋଇପଡ଼ିଲେ ନୂତନ ନିର୍ବାଚନରେ ପରାସ୍ତ ହୋଇଯାଉଛନ୍ତି । ଅନ୍ୟ ଏକ ଦଳ ଶାସନଗାଦି ଦଖଲ କରୁଛନ୍ତି ।

 

କ୍ଷମତା ନିୟନ୍ତ୍ରଣ

 

ନିଜ ପାଇଁ ନିଜ ସରକାର ବାଛିବା ଏକ ବଡ଼ କ୍ଷମତା ! ଗଣତନ୍ତ୍ରରେ ଅବଶ୍ୟ ପ୍ରତ୍ୟେକ ଲୋକର ମନ ଅନୁଯାୟୀ ସରକାର ଗଢ଼ାଯାଏ ନାହିଁ । ସଂଖ୍ୟାଗରିଷ୍ଠ ମତକୁ ଆମେ ଜନମତ ବୋଲି ଧରିନେଉ । କାରଣ ପ୍ରତ୍ୟେକ ଲୋକର ମତ ସମାନ ହେବା କେବେ ସମ୍ଭବ ନୁହେଁ । ନିଜ ପାଇଁ ନିଜ ସରକାର ବାଛିବା କ୍ଷମତା ନ ଥିଲେ, ଲୋକମାନେ ସରକାରଙ୍କର କାର୍ଯ୍ୟକଳାପକୁ କେବେ ନିୟନ୍ତ୍ରଣ କରିପାରିବେ ନାହିଁ । କ୍ଷମତା ଏକ ବଡ଼ ମୋହ । ଯେତେ ଭଲଲୋକ ହେଲେ ବି କ୍ଷମତା ପାଇଲେ ଖରାପ ହୋଇଯିବାର ବହୁତ ସମ୍ଭାବନା । ଯେତେ ଆଦର୍ଶ ବ୍ୟକ୍ତି ହୁଅନ୍ତୁ ବା ପ୍ରଗତିଶୀଳ ରାଜନୀତିକ ଦଳ ହୁଅନ୍ତୁ, ସେମାନଙ୍କ କ୍ଷମତାମୋହକୁ ଓଟାରି ଧରିବାକୁ ଯଦି ଲଗାମ୍‌ ନ ଥାଏ, ତାହା ହେଲେ ସେମାନେ ଜନସାଧାରଣଙ୍କର ମତ ଅନୁଯାୟୀ କାର୍ଯ୍ୟ କରିପାରିବେ ନାହିଁ-। ସେଥିପାଇଁ ସେମାନଙ୍କୁ ଜନସାଧାରଣଙ୍କଠାରେ ଦାୟୀ ହୋଇ ରହିବାକୁ ହେବ । ଥରେ ନିର୍ବାଚନ ହୋଇଗଲେ ମଧ୍ୟ ଚଳିବ ନାହିଁ । ଥରେ ନିର୍ବାଚନରେ ଜିଣି କ୍ଷମତାକୁ ଆସି ଅନେକ ଏକଛତ୍ର ଶାସନ ନିଜର ପ୍ରଭୂତ୍ୱ ଏପରି ଭାବରେ ବିସ୍ତାର କରିଛନ୍ତି ଯେ ଜନସାଧାରଣଙ୍କ ସହିତ ତାଙ୍କର କୌଣସି ସଂପର୍କ ରହିନାହିଁ । ତେଣୁ ଗଣତନ୍ତ୍ର ଶାସନରେ ପ୍ରତି ୪/୫ ବର୍ଷରେ ଥରେ ଥରେ ନିର୍ବାଚନ ହେବା ଆବଶ୍ୟକ । ତା’ ହେଲେ ସରକାର ଗଠନ କରିବା ଓ ବିତାଡ଼ିତ କରିବାର ଜନସାଧାରଣଙ୍କର ପୂର୍ଣ୍ଣ ଅଧିକାର ରହିବ । ଏପରି କି ସରକାର ଗଠନ କରିବାଠାରୁ ଗୋଟିଏ ସରକାରକୁ ବିତାଡ଼ିତ କରି ଆଉ ଗୋଟିଏ ସରକାର ପ୍ରତିଷ୍ଠା କରିବା ଅଧିକାର ଜନସାଧାରଣ ପକ୍ଷରେ ଅଧିକ ମୂଲ୍ୟବାନ । କାରଣ ଦ୍ୱିତୀୟଟିରେ ସାଧାରଣ ମନରେ ଯେତେ ଆନନ୍ଦ ଆସେ, ପ୍ରଥମଟିରେ ତାହା ମିଳେ ନାହିଁ । ଏହି ଦୁଇଟି ଅଧିକାରର ସମାବେଶରେ ଗଣତନ୍ତ୍ର ହାସଲ ହୁଏ ।

 

ମୁର୍ଖ-ଶାସନ ନା ଗୁଣ ବିକାଶ

 

ଅନେକ ଯୁକ୍ତି କରିଛନ୍ତି ଯେ ସରକାର ବାଛିବା କ୍ଷମତା ସାଧାରଣ ଲୋକମାନଙ୍କ ହାତରେ ଛାଡ଼ିଦେଲେ, ଦେଶରେ ଏକ ମୁର୍ଖଶାସନ ପ୍ରତିଷ୍ଠିତ ହେବ । କାରଣ ଆମ ଦେଶର ଅଧିକାଂଶ ଲୋକେ ଅଶିକ୍ଷିତ, କିନ୍ତୁ ଶିକ୍ଷା ସହିତ ବୁଦ୍ଧିର ସମ୍ପର୍କ ସବୁବେଳେ ଘନିଷ୍ଠ ନୁହେଁ । ଅନେକ ଶିକ୍ଷିତ ଲୋକ ନିର୍ବୋଧ ଥିବାର ଦେଖାଯାଉଅଛି । ଅନେକ ଅଶିକ୍ଷିତ ଲୋକ ବୁଦ୍ଧିମାନ ମଧ୍ୟ ଅଛନ୍ତି । କେବଳ ଅଭାବ ଓ ଅସୁବିଧା ଯୋଗୁ ସେମାନଙ୍କର ବୁଦ୍ଧିର ପ୍ରକାଶ ହୋଇପାରୁନାହିଁ-। ଯେଉଁମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି, ସେମାନେ ମାନନ୍ତି ଯେ ସାଧାରଣ ଲୋକର ସରକାର ବାଛିବା ପାଇଁ ଯଥେଷ୍ଟ ଶକ୍ତି ଅଛି । ସରକାର ବାଛିବା ଓ ସରକାର ଚଳାଇବା ଏକା କଥା ନୁହେଁ-। ଯେଉଁମାନେ ସରକାର ଚଳାନ୍ତି, ସେମାନେ ରାଷ୍ଟ୍ରର ଅନେକ ଜଟିଳ ସମସ୍ୟା ସମାଧାନ କରନ୍ତି-। ସେଥିପାଇଁ ଯେଉଁ ଜ୍ଞାନ ଓ ବିଚକ୍ଷଣତା ଦରକାର, ତା’ ସବୁ ଭୋଟରମାନଙ୍କର ନାହିଁ, କିନ୍ତୁ କିଏ ସରକାରକୁ ଗଲେ ଦେଶର ମଙ୍ଗଳ ହେବ, ଦେଶରେ ଜମିଦାରୀ ରହିବ କି ନାହିଁ, କେଉଁ ରାଜନୀତିକ ଦଳର କାର୍ଯ୍ୟକ୍ରମ ଭଲ–ଏ ସବୁ ମୌଳିକ କଥା ବିଚାର କରି ଏକ ସିଦ୍ଧାନ୍ତରେ ପହଞ୍ଚିବା ସାଧାରଣ ଲୋକ ପକ୍ଷରେ ବେଶି କିଛି କଷ୍ଟ ନୁହେଁ । ହୁଏ ତ ପ୍ରଥମରେ କିଛି କିଛି ଭୁଲ୍‍ ହୋଇପାରେ, କିନ୍ତୁ ଗଣତନ୍ତ୍ରର ବିକାଶ ସଙ୍ଗେସଙ୍ଗେ, ଏ ଭୁଲ୍‍ ସୁଧୁରିଯିବ । ଯେଉଁମାନେ ଏକଛତ୍ରବାଦରେ ବିଶ୍ୱାସ କରନ୍ତି, ସେମାନେ ଭାବନ୍ତି ଯେ ସହସ୍ର ତାରା ଏକ ଚନ୍ଦ୍ର ସଙ୍ଗେ ସମାନ ନୁହେଁ । ଗଣତାନ୍ତ୍ରିକ ଏ କଥା ମାନେ, କିନ୍ତୁ ଏତିକି କହେ ଯେ ଚନ୍ଦ୍ର ଆମ ପାଖରେ ଥିବାରୁ ଏତେ ଶୋଭାପାଉଛି । ତାରାମାନେ ଆମଠାରୁ ଅନେକ ଦୂରରେ ଅଛନ୍ତି-ସେମାନେ ବି ପାଖକୁ ଆସିଗଲେ ଚନ୍ଦ୍ର ପରି ଶୋଭନୀୟ ହୋଇଉଠିବେ । ଗଣତନ୍ତ୍ର ଗୁଣର ଅମର୍ଯ୍ୟାଦା କରେ ନାହିଁ; ବରଂ ଜଙ୍ଗଲ ଭିତରେ ଥାଇ ଯେଉଁ ଫୁଲଟି ତା’ର ଶୋଭା ବିତରଣ କରିପାରୁ ନାହିଁ ଓ ଅତଳ ସମୁଦ୍ର ଗର୍ଭରେ ରହି ଯେଉଁ ମୁକ୍ତାଖଣ୍ଡ ନିଜର ମୂଲ୍ୟ ପାଇପାରୁ ନାହିଁ, ଗଣତନ୍ତ୍ର ସେମାନଙ୍କର ଆବିଷ୍କାର ଚାହେଁ । ଏହା ସଙ୍ଗେ ଗଣତାନ୍ତ୍ରିକ ମଧ୍ୟ ବିଶ୍ୱାସ କରେ ଯେ ସମସ୍ତେ ପ୍ରତିଭାଶଳୀ ନ ହେଲେ ମଧ୍ୟ ସାଧାରଣ ଲୋକର ନିଜ କଥା ବୁଝିବା ପାଇଁ ଯଥେଷ୍ଟ କ୍ଷମତା ଅଛି । ସୁବିଧା ଓ ସୁଯୋଗ ପାଇଲେ ସେ ନିଜକୁ ଶାସନ କରିପାରିବ-ଅନ୍ୟ ସହିତ ସହଯୋଗ କରି ଏକ ସୁନ୍ଦର ସମାଜ ବି ଗଢ଼ିପାରିବ । ଏକଛତ୍ରବାଦୀମାନେ ଭାବନ୍ତି ଯେ, ମନୁଷ୍ୟକୁ ବିଶ୍ୱାସ କରିବା ଉଚିତ ନୁହେଁ-ସେମାନଙ୍କୁ ଶାସନ କରିବା ଉଚିତ, କିନ୍ତୁ ଗଣତାନ୍ତ୍ରିକ ଆଶାବାଦୀ । ତେଣୁ ସେ ମନୁଷ୍ୟ ପ୍ରକୃତି ସନ୍ଦେହ କରେ ନାହିଁ, ମନୁଷ୍ୟଶକ୍ତିକୁ ଉପହାସ କରେ ନାହିଁ । ଲୋକମାନେ ନିଜ ବୁଦ୍ଧିରେ ନିଜେ ସରକାର ବାଛି, ଦେଶର ଶାସନକାର୍ଯ୍ୟ ପରିଚାଳନା କଲେ ସମୂହ ମଙ୍ଗଳ ହେବ ବୋଲି ବିଶ୍ୱାସ କରେ ।

 

ସ୍ୱାଧୀନତା

 

ନିଜ ଅନୁସାରେ ନିଜ ସରକାର ବାଛିବା ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ; କିନ୍ତୁ ଏହି ଅଧିକାର ହାସଲ କରିବାକୁ ହେଲେ ଜନସାଧାରଣଙ୍କୁ ସ୍ୱାଧୀନତା ମିଳିବା ଚାହି । ସ୍ୱାଧୀନ ଭାବରେ ଚିନ୍ତାକରିବା, ସ୍ୱାଧୀନ ଭାବରେ ନିଜର ମତ ପ୍ରକାଶ କରିବା, ସରକାରଙ୍କର ଦୋଷ ଓ ଦୁର୍ବଳତାକୁ ସମାଲୋଚନା କରିବା ପ୍ରଭୃତି ସୁବିଧା ଓ ସୁଯୋଗ ନାଗରିକମାନଙ୍କୁ ନ ମିଳିଲେ, ପ୍ରତିଷ୍ଠିତ ସରକାର ପରିବର୍ତ୍ତନ ସମ୍ଭବ ନୁହେଁ । କାରଣ ଆଜିକାଲି ସରକାରମାନଙ୍କ ହାତରେ ଯେପରି ପ୍ରଚାରପତ୍ର ଅଛି, ସେମାନେ ଖୁବ୍‌ ସହଜରେ ମିଛକୁ ସତ ଓ ମିଛ କରିପାରିବେ । ସାଧାରଣ ଭୋଟରମାନଙ୍କୁ ନିଜ ପ୍ରଚାର ପ୍ରଣାଳୀ ଦ୍ୱାରା ଖୁବ୍‌ ସହଜରେ ନିଜ ହାତକୁ ଆଣିପାରିବେ । ସେଥିପାଇଁ ବ୍ୟକ୍ତିଗତ ସ୍ୱାଧୀନତା ଓ ସମାଲୋଚନାର ଅଧିକାର ଆଜି ଖୁବ୍‌ ଜରୁରୀ ହୋଇ ପଡ଼ିଛି-। ବିଶେଷତଃ ଏକଛତ୍ର ଶାସନରେ ସରକାର ଖବର କାଗଜ ସିନେମା, ରେଡ଼ିଓ ପ୍ରଭୃତି ଅକ୍ତିଆର କରି ଏପରି ଭାବରେ ମାସ୍‌-ପ୍ରୋପାଗଣ୍ଡା କରୁଛନ୍ତି ଯେ, ସାଧାରଣ ଲୋକ ସ୍ୱାଧୀନ ଭାବରେ ଚିନ୍ତା କରିବାର ବି ସୁବିଧା ପାଉନାହି । ପ୍ରକାଶ କରିବାର ତ ସେଠି ଅଧିକାର ନାହିଁ । ଏକଛତ୍ର ଶାସନର ପ୍ରଚାର ଫଳରେ ଗଣତନ୍ତ୍ରମାନେ ମଧ୍ୟ ସେ ଦିଗରେ ଗତି କରିବାକୁ ଆରମ୍ଭ କଲେଣି; କିନ୍ତୁ ଯେଉଁଦିନ ସରକାରକୁ ସମାଲୋଚନା କରିବାର ଅଧିକାର ଚାଲିଯିବ, ସେ ଦିନ ଗଣତନ୍ତ୍ର ମଧ୍ୟ ଲୋପ ପାଇଯିବ । କାରଣ ସମାଲୋଚନାକୁ ବନ୍ଦ କରିବା ଅର୍ଥ ଜନସାଧାରଣଙ୍କ ସାର୍ବଭୌମ ଅଧିକାର କାଢ଼ିନେବା ।

 

ସପକ୍ଷ ସମାଲୋଚନା ନା ବିପକ୍ଷ ସମାଲୋଚନା

 

ସମାଲୋଚନା ଅର୍ଥ କେବଳ ସପକ୍ଷ ସମାଲୋଚନା ନୁହେଁ । ରୋଜା ଲକ୍ସମ୍ବର୍ଗ (Rosa Luxemburg)ଙ୍କ ଭାଷାରେ ଯେଉଁମାନେ ଆମଠାରୁ ଅଲଗା ଭାବରେ ଚିନ୍ତା କରୁଛନ୍ତି, ସେମାନଙ୍କୁ ସ୍ୱାଧୀନତା ଦେବା ଅର୍ଥ ପ୍ରକୃତ ସ୍ୱାଧୀନତା । ଭଲଟାଏର୍‌ ଥରେ କହିଥିଲେ, ‘‘ତୁମେ ଯାହା କହୁଛ, ସେଥିରେ ମୁଁ ଆଦୌ ଏକମତ ନୁହେଁ । କିନ୍ତୁ ତୁମର ଏହି କହିବାର ଅଧିକାରକୁ ମୁଁ ପ୍ରାଣଦେଇ ରକ୍ଷା କରିବି ।’’ ତେଣୁ ଯେଉଁଥିରେ ଆମ ମତ ନାହିଁ, ସେହି ମତକୁ ସହିବା, ସେହି ମତ କିପରି ପ୍ରକାଶ ହେବ, ସେଥିପାଇଁ ସମସ୍ତ ସୁବିଧା ଓ ସୁଯୋଗ ଦେବା ଗଣତନ୍ତ୍ରର ପ୍ରକୃତ ଉଦ୍ଦେଶ୍ୟ । କାରଣ ଆମ ମତ ଯେ ଠିକ୍‌ ଓ ଆମ ମତଦ୍ୱାରା ଦେଶ ଚାଲିଲେ, ସମସ୍ତଙ୍କର ଉପକାର ହେବ; ଏ କଥା ସ୍ୱୟଂ ଭଗବାନ ବି କହିପାରିବେ ନାହିଁ । ମନୁଷ୍ୟର ତ ଭୁଲ୍‍ ହେବାର କଥା । କିନ୍ତୁ ଏକଛତ୍ରବାଦୀମାନେ କେବଳ ସପକ୍ଷ ମତର ପୃଷ୍ଠପୋଷକତା କରନ୍ତି । ଯେପର୍ଯ୍ୟନ୍ତ ଲୋକମାନେ ସେମାନଙ୍କ ପଛରେ ଅଛନ୍ତି, ସେପର୍ଯ୍ୟନ୍ତ ସେମାନେ ଲୋକମାନଙ୍କୁ ବିଶ୍ୱାସ କରନ୍ତି । ଲେନିନ୍‌ଙ୍କ ବିଷୟରେ ଲିଓ ମୋଲିନଙ୍କର ମଧ୍ୟ ଏହି ଅଭିଯୋଗ ଥିଲା ।

 

ଜାତୀୟ ଏକତା

 

ବିରୋଧକୁ ସହିବା ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ । ଗଣତନ୍ତ୍ରରେ ବିରୋଧିଦଳର ନେତାଙ୍କୁ ସରକାରୀ ଦଳର ନେତାଙ୍କ ପରି ସମ୍ମାନ ମଧ୍ୟ ଦେଖାଯାଏ, କିନ୍ତୁ ଏହି ବିରୋଧ ଯୋଗୁଁ ଅନେକେ ଯୁକ୍ତି କରନ୍ତି, ଗଣତନ୍ତ୍ରରେ ଜାତୀୟ ଏକତା ସମ୍ଭବ ନୁହେଁ । ଏତେ ବିରୋଧୀଦଳ ମୁଣ୍ଡ ଟେକିଉଠି ଯେ ସେମାନେ ଜାତୀୟ ବିପଦ ସମୟରେ ମଧ୍ୟ ଏକାଠି ହୋଇପାରନ୍ତି ନାହିଁ । ରାଜନୀତିକ ଦଳମାନେ ଦେଶ ଏପରି ଭାବରେ ବିଭକ୍ତ କରିଦିଅନ୍ତି ଯେ, ଦେଶର ଚାରିଆଡ଼େ ସବୁବେଳେ ଆନ୍ଦୋଳନ ଚାଲିଥାଏ । ସରକାରକୁ ସବୁବେଳେ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼େ । ଦେଶର ସଂହତି ଉପରେ ବାଧା ଆସେ । ସରକାର ମଧ୍ୟ ନିଜ କାମ ସୁରୁଖୁରୁରେ କରିପାରନ୍ତି ନାହିଁ । ଲୋକଙ୍କର ସହଯୋଗ ପାଆନ୍ତି ନାହିଁ । ଏପରି କି ସ୍ଥାୟୀ ଭାବରେ ୪/୫ ବର୍ଷ ଗୋଟିଏ ସରକାର ମଧ୍ୟ କାମ କରିବାକୁ ସୁବିଧା ପାଏନାହିଁ ।

 

ଏସବୁ ଅଭିଯୋଗ ଗଣତନ୍ତ୍ର ଅନଭିଜ୍ଞ ଦେଶମାନଙ୍କ ପକ୍ଷରେ ସମ୍ଭବ, ସବୁଠାରେ ନୁହେଁ-। ଅବଶ୍ୟ ଫ୍ରାନ୍ସରେ ଏକକାଳୀନ ୪/୫ ବର୍ଷ ପାଇଁ ସ୍ଥାୟୀ ସରକାର ଗଠିତ ହୋଇପାରୁ ନାହିଁ-। ସେଥିପାଇଁ ଗଣତନ୍ତ୍ରକୁ ଦୋଷ ଦିଆଯାଇ ପାରିବ ନାହିଁ । ଫ୍ରାନ୍ସର ନିର୍ବାଚନରେ ରାଜନୀତିକ ଦଳମାନେ ଯେତିକି ଭୋଟ ପାଆନ୍ତି, ସେଇ ଅନୁପାତରେ ସେମାନଙ୍କୁ ବ୍ୟବସ୍ଥାପକସଭାରେ ସିଟ୍‌ ଦିଆଯାଏ । ତେଣୁ କୌଣସି ଦଳ ସଂଖ୍ୟାଗରିଷ୍ଠ ଦଳ ହୋଇପାରନ୍ତି ନାହିଁ । ଶାସନକୁ କ୍ଷମତାଶାଳୀ କରିବାକୁ ହେଲେ ଗୋଟିଏ ଦଳର ସରକାର ଅନ୍ତତଃ ୪/୫ ବର୍ଷ ପାଇଁ ଶାସନଗାଦିରେ ରହିବା ଉଚିତ । ସେଇ ଦୃଷ୍ଟିରୁ ଫ୍ରାନ୍ସ ପରି ନିର୍ବାଚନ ପ୍ରଣାଳୀ ଆମକୁ ଗଣତନ୍ତ୍ରରୁ ବାଦ ଦେବାକୁ ହେବ ।

 

ସେ ଯାହାହେଉ, ଏ କଥା ମାନିବାକୁ ହେବ ଯେ ଗଣତନ୍ତ୍ର ଜାତୀୟ ଏକତା ବିରୋଧୀ ନୁହେଁ । ରାଜନୀତିକ ଦଳମାନଙ୍କ ଭିତରେ ମତଭେଦ ହୁଏ, କିନ୍ତୁ ସେମାନେ ଜାତିକୁ ଭାଗ ଭାଗ କରନ୍ତି ନାହିଁ । ଭିନ୍ନ ଭିନ୍ନ ରାଜନୀତିକ ଦଳ ମଧ୍ୟରେ ପାର୍ଲିଆମେଣ୍ଟରେ ଯେତେ ଯୁକ୍ତିତର୍କ ଓ କଳିତକରାଳ ହେଲେ ମଧ୍ୟ ସେମାନେ ଯାହା ଦେଶର ହିତ, ତାକୁ ଭୁଲିଯାଆନ୍ତି ନାହିଁ । ଆଲୋଚନା ଓ ସମାଲୋଚନାରୁ ପରସ୍ପରକୁ ବୁଝାଯାଏ । ଏହି ବୁଝାବୁଝିରୁ ପରସ୍ପର ପ୍ରତି ସହୃଦୟତା ଜନ୍ମେ-। ଏକଛତ୍ର ଶାସନରେ ବିରୋଧର ସ୍ୱର ଶୁଣାଯାଏ ନାହିଁ ବୋଲି ଅନେକେ ତାକୁ ଜାତୀୟ ଏକତା କହନ୍ତି, କିନ୍ତୁ ତାହା ଜାତୀୟ ଏକତା ନୁହେଁ-ଏକପ୍ରକାର ଚିନ୍ତାଧାରା (uniformity)-। ଯଦି ଏକତା ଥାନ୍ତା ତା’ ହେଲେ ଶାସକମାନେ ବନ୍ଧୁକ ମୁନରେ କାହିଁକି ଶାସନ ଚଳାଇଥାନ୍ତେ ? ହଜାର ହଜାର ଲୋକ ବିନା ବିଚାରରେ କାହିଁକି ଜେଲ ଭୋଗୁଥାନ୍ତେ ବା କନ୍ସେଣ୍ଟ୍ରେସନ କ୍ୟାମ୍ପରେ ନରକ ଯନ୍ତ୍ରଣା ପାଉଥାନ୍ତେ ? ଯେଉଁଠି ଏକତା ଅଛି, ସେଠି ବିରୋଧକୁ ଦବାଇ ମୂଳପୋଛ କରିବା କାହିଁକି ଦରକାର ପଡ଼ୁଥାନ୍ତା ? ଏକଛତ୍ର ଶାସନକୁ ଯେ ପୂଜା, ଅଭିନନ୍ଦନ ବା ସ୍ୱାଗତ ହେଇଛି, ତାକୁ ଦେଖି ଜାତୀୟ ଏକତା ଅଛି ବୋଲି ବିଶ୍ୱାସ କରିବା ଉଚିତ ନୁହେଁ । କାରଣ ସେ ଅଭିନନ୍ଦନରେ କେବଳ ନିଜ ଦଳର ଲୋକ ଥାନ୍ତି । ୨୦/୨୫ କୋଟି ଲୋକଙ୍କ ଭିତରେ ୧୦/୧୫ ହଜାର ମତାନ୍ଧ ଲୋକ ବାହାରିଲେ ଏକଛତ୍ରଶାସକଙ୍କର ପୂଜା ବା ଅଭିନନ୍ଦନର ଅଭାବ ରହିବ ନାହିଁ ଡର୍ବିନଙ୍କ ଭାଷାରେ ଏକଛତ୍ର ଶାସକମାନେ ଦିନ ଦ୍ୱି’ପହରେ ବି ଡରି ଡରି ଚାଲିଥାନ୍ତି–ମ୍ୟାକ୍‌ବେଥ ପରି ନିଜର ଛାଇକୁ ଦେଖି ମଧ୍ୟ ଚମକି ଉଠନ୍ତି । କାରଣ ନିଜର ରାଜନୀତିକ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଯେଉଁ ବିରୋଧୀ ନେତାମାନଙ୍କୁ ସେମାନେ ହତ୍ୟା କରିଥାନ୍ତି, ସେମାନଙ୍କ ଭୂତ ନିଜ ଛାଇ ଭିତରେ ବି ଦେଖାଦିଏ ।

 

ବିରୋଧ ଓ ବିଦ୍ରୋହ

 

ନାନାପ୍ରକାର ବିରୋଧ ବା ସମାଲୋଚନା ଥିଲେ ମଧ୍ୟ ଗଣତନ୍ତ୍ରଶାସନରେ ପ୍ରକୃତ ଏକତା ପ୍ରକାଶ ପାଏ, କିନ୍ତୁ ବିରୋଧ ବା ସମାଲୋଚନା ଅର୍ଥ ଉଚ୍ଛୃଙ୍ଖଳତା ବା ଆଇନଭଙ୍ଗ ନୁହେଁ । ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବାକୁ ହେବ-ଗଣତାନ୍ତ୍ରିକ ଉପାୟରେ ସରକାର ବିରୁଦ୍ଧରେ ପ୍ରଚାରକରି ଶାସନଗାଦି ହାସଲ କରିବାକୁ ହେବ । ସକ୍ରେଟିସଙ୍କର ଉଦାହରଣ ଆମ ଆଗରେ ଜାଜ୍ଜ୍ୱଲ୍ୟମାନ ହୋଇରହିଛି । ସେ ସ୍ୱାଧୀନ ଚିନ୍ତାର ପକ୍ଷପାତୀ ଥିଲେ, କିନ୍ତୁ ବିଦ୍ରୋହର ବିରୋଧ କରୁଥିଲେ । ଏହି ସ୍ୱାଧୀନ ଚିନ୍ତାପାଇଁ ଯେତେବେଳେ ତାଙ୍କୁ ପ୍ରାଣଦଣ୍ଡ ଦିଆଗଲା, ସେତେବେଳେ ତାଙ୍କର ଅନେକ ବନ୍ଧୁ ତାଙ୍କୁ ଖସିପଳାଇବା ପାଇଁ ପ୍ରବର୍ତ୍ତାଇ ଥିଲେ । ହୁଏ ତ ସେ ଲୁଚି ପଳାଇ ବିଦ୍ରୋହ ସୃଷ୍ଟି କରିପାରିଥାନ୍ତେ, କିନ୍ତୁ ରାଷ୍ଟ୍ରର ଆଇନକୁ ଅନୁରକ୍ତି ଦେଖାଇ ସେ ହସି ହସି ପ୍ରାଣ ଦେଇଥିଲେ । ଆମ୍ଭେମାନେ ହୁଏତ ସକ୍ରେଟିସ୍‌ଙ୍କ ପରି ଆଦର୍ଶବାଦ ନ ହୋଇପାରୁ, କିନ୍ତୁ ଆଇନ୍‌କୁ ରଖି ଆଇନ୍‌ ଜରିଆରେ ଆନ୍ଦୋଳନ ବା ବିରୋଧ ନ କଲେ, ଗଣତନ୍ତ୍ର ରକ୍ଷା ହୋଇପାରିବ ନାହିଁ ।

 

ଆର୍ଥିକ ସମତା

 

ଗଣତନ୍ତ୍ର ଅର୍ଥ କେବଳ ରାଜନୀତିକ ସମାନତା ନୁହେଁ, ଅର୍ଥନୀତିକୁ ସମାନତା ମଧ୍ୟ । ଊନବିଂଶ ଶତାବ୍ଦୀରେ ରାଜନୀତିକ ସ୍ୱାଧୀନତାକୁ ଜୋର ଦିଆଯାଉଥିଲା । ବିଂଶ ଶତାବ୍ଦୀରେ ଆର୍ଥନୀତିକ ସମାନତା ପ୍ରତି ଲୋକଙ୍କର ବେଶି ନଜର ପଡ଼ିଛି । ଆଇନ ଅନୁସାରେ ସମସ୍ତଙ୍କୁ ସମାନ କରିଦେଲେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଯିବ ନାହିଁ । ଯେତେବେଳେ ସ୍ପୋର୍ଟସ୍‌ରେ ୧୦୦ଗଜ ରେସ୍‌ ହୁଏ, ସେତେବେଳେ ପ୍ରତିଯୋଗୀମାନେ ଏକ ସ୍ଥାନରୁ ଦୌଡ଼ ଆରମ୍ଭ କରନ୍ତି, କିନ୍ତୁ ଯଦି ରେଫ୍‍ରି ଦୌଡ଼ିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରେ, କିନ୍ତୁ କେଉଁଠାରୁ ଆରମ୍ଭ ହେବ ତାହା ନିରୂପଣ କରେନାହିଁ, ତାହାହେଲେ ପ୍ରତିଯୋଗିତାର କିଛି ମୂଲ୍ୟ ରହେନାହିଁ । ସେହିପରି ଶାସନକ୍ଷେତ୍ରରେ ସମସ୍ତଙ୍କୁ ସମାନ ଅଧିକାର ଦେବାକୁ ହେଲେ ଅର୍ଥନୈତିକ କ୍ଷମତା ମଧ୍ୟ ରକ୍ଷା କରିବାକୁ ପଡ଼ିବ । ଯେ ପେଟରେ ସବୁଦିନ ଓଦାକନା ଦେଇ ଶୋଉଛି, ସେ ରାଜନୀତିକ ସ୍ୱାଧୀନତାକୁ କ’ଣ ବୁଝିବ ? ପ୍ରତ୍ୟେକ ଲୋକ ଅବଶ୍ୟ ସମାନ ହୋଇ ଜନ୍ମ ହୋଇନାହିଁ, କିନ୍ତୁ ପ୍ରତ୍ୟେକ ଲୋକ ସ୍ୱାଧୀନ ହୋଇ ଜନ୍ମ ହୋଇଛି । ସମାଜରେ ତା’ର ସମାନ ଅଧିକାର ଅଛି । ତେଣୁ ସେ ସମାନ ସୁବିଧା ଓ ସୁଯୋଗ ପାଇବା ଉଚିତ । ଏଥିପାଇଁ ଅର୍ଥନୀତିକ ଗଣତନ୍ତ୍ରର ପ୍ରୟୋଜନ । ଅର୍ଥନୀତିକ ଗଣତନ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜର ସଂସାର ଚଳାଇବା ପାଇଁ ଯଥେଷ୍ଟ ଆୟ ପାଇବା ଦରକାର । କେବଳ ଦି’ ଓଳି ଗଣ୍ଡେ ଖାଇ, ଖଣ୍ଡେ ପିନ୍ଧି, ଗୋଟିଏ କୁଡ଼ିଆରେ ଶୋଇବା ପାଇଁ ବ୍ୟବସ୍ଥା କରିଦେଲେ ଗଣତନ୍ତ୍ରର କାମ ସରିଯିବ ନାହିଁ । ପ୍ରତ୍ୟେକ ଲୋକ ଯେପରି ଏକ ପୂର୍ଣ୍ଣ ଓ ସର୍ବାଙ୍ଗସୁନ୍ଦର ଜୀବନ ଉପଭୋଗ କରିପାରିବେ, ତାହା ମଧ୍ୟ ଗଣତନ୍ତ୍ରର ଦେଖିବାର କଥା । ଦ୍ୱିତୀୟରେ ପ୍ରତ୍ୟେକ ଲୋକ ମଧ୍ୟ ସମାନ ସୁବିଧା ଓ ସୁଯୋଗ ପାଇବା ଉଚିତ । କେତେକ ଏଥିପାଇଁ ଆର୍ଥିକ ସମତା ଆଣିବାକୁ ମତ ଦେଇଛନ୍ତି । ଆର୍ଥିକ ସମତା ନ ଥାଇ ମଧ୍ୟ ସମାନ ସୁବିଧା ଓ ସୁଯୋଗ ଦେବାରେ ବେଶି କିଛି ଅସୁବିଧା ହେବ ନାହିଁ ବୋଲି ଅନ୍ୟ କେତେକଙ୍କର ମତ । ସେ ଯାହା ହେଉ, ଏ କଥା ସତ ଯେ, ସମାଜରେ ଯଦି ଅର୍ଥନୈତିକ ତାରତମ୍ୟ ପ୍ରବଳ ଭାବରେ ଦେଖାଯାଏ, ତା’ ହେଲେ ଅର୍ଥନୀତିକ ଗଣତନ୍ତ୍ର ସମ୍ଭବ ହୋଇପାରିବ ନାହିଁ । ସମସ୍ତଙ୍କର ଆୟ ସମାନ ନ ହେଲେ ମଧ୍ୟ ଆଜି ଯେପରି ଆୟରେ ଆକାଶ ପାତାଳ ପ୍ରଭେଦ ଅଛି, ସେଥିରେ ପରସ୍ପର ସହିତ ସହଯୋଗ ମଧ୍ୟ ସମ୍ଭବ ନୁହେଁ-। ଗଣତନ୍ତ୍ର ସହଯୋଗ ଓ ସହୃଦୟତା ଉପରେ ପ୍ରତିଷ୍ଠିତ । ଆପୋଷରେ ମିଳାମିଶା କରିବା ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ । ଏହି ଆପୋଷ ମିଳାମିଶା ପାଇଁ ସମାଜରୁ ବିଭେଦ ଦୂର କରି ସମତା ଆଣିବାକୁ ଯତ୍‌ପରୋନାସ୍ତି ଚେଷ୍ଟା କରାଯିବ । ତୃତୀୟରେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ଶ୍ରମିକମାନଙ୍କର ମଧ୍ୟ କିଛି କର୍ତ୍ତୁତ୍ୱ ରହିବା ଆବଶ୍ୟକ । ଯେପରି ରାଜନୀତିକ କ୍ଷେତ୍ରରେ ସ୍ୱେଚ୍ଛାଚାରୀ କ୍ଷମତା ପରିହାର୍ଯ୍ୟ, ସେହିପରି ଅର୍ଥନୀତି କ୍ଷେତ୍ରରେ ଅନିୟନ୍ତ୍ରିତ କ୍ଷମତା ମଧ୍ୟ ପରିହାର୍ଯ୍ୟ । ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ସ୍ୱାୟତ୍ତ ଶାସନ ଗଣତନ୍ତ୍ରର ପ୍ରଧାନ ଉଦ୍ଦେଶ୍ୟ-

 

ଅନାକ୍ରମଣ ଚୁକ୍ତି

 

ଏପର୍ଯ୍ୟନ୍ତ ଆମେ ଗଣତନ୍ତ୍ରର ଅର୍ଥ ବା ସ୍ୱରୂପ ଆଲୋଚନା କରିଛୁ, କିନ୍ତୁ ଗଣତନ୍ତ୍ର ଶାସନ ଯେତେ ଭଲ ହେଲେ ମଧ୍ୟ ସାମାଜିକ ଅବସ୍ଥା ଅନୁକୂଳ ନ ହେଲେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ । ଶାସନ ସମାଜ ଉପରେ ନିର୍ଭର କରେ । ସମାଜ ଲୋକଚରିତ୍ର ଉପରେ ନିର୍ଭର କରେ । ଯେଉଁ ଦେଶର ଲୋକ ଯେପରି, ସେ ଦେଶର ଶାସନ ସେହିପରି । ଗଣତନ୍ତ୍ରର ସ୍ଥାୟିତ୍ୱ ପାଇଁ ଏକ ଉଚ୍ଛ୍ୱାସ ଦରକାର–ଏକ ସହନଶୀଳ ମନୋଭାବ ଦରକାର । ଯେଉଁ ରାଜନୀତିକ ଦଳମାନେ କ୍ଷମତା ପାଇଁ ପ୍ରତିଯୋଗିତା କରୁଛନ୍ତି, ସେମାନଙ୍କ ଭିତରେ ବିଶ୍ୱାସ ରହିବା ଦରକାର । ଗୋଟିଏ ଦଳ କ୍ଷମତାକୁ ଆସିଲେ ଅନ୍ୟ ଦଳକୁ ଉତ୍ପୀଡ଼ନ କରିବାର ଯଦି ସମ୍ଭାବନା ରହେ, ତାହେଲେ ଗଣତନ୍ତ୍ରର ସଫଳ ହେବାର କୌଣସି ସମ୍ଭାବନା ନାହିଁ, କାରଣ ବୈଧାନିକ ଉପାୟରେ ଓ ଶାନ୍ତିପୂର୍ଣ୍ଣ ଭାବରେ ଶାସନର ପରିବର୍ତ୍ତନ ଗଣତନ୍ତ୍ରର ଲକ୍ଷ୍ୟ । ଯେଉଁ ଦଳ ଆଜି କ୍ଷମତାରେ ଅଛନ୍ତି, ସେମାନଙ୍କର ଯଦି ବିଶ୍ୱାସ ହୁଏ ଯେ ବିରୋଧୀଦଳ କ୍ଷମତାକୁ ଆସିଲେ ସେମାନଙ୍କର ମୂଳତ୍ପାଟନ କରିବେ ତାହେଲେ ସେମାନେ କ୍ଷମତାକୁ ଜାବୁଡ଼ି ଧରିବାକୁ ଚେଷ୍ଟା କରିବେ । ଯଦି ବିରୋଧୀ ଦଳର ବିଶ୍ୱାସ ହୁଏ ଯେ, ଯେଉଁମାନେ କ୍ଷମତାରେ ଅଛନ୍ତି, ସେମାନେ ଯେ କୌଣସି ଉପାୟରେ କ୍ଷମତାରେ ରହିବାକୁ ଚାହାନ୍ତି, ତା’ ହେଲେ ସେମାନେ ଆଇନଭଙ୍ଗ ଆନ୍ଦୋଳନ କରିବେ । ତେଣୁ ଗଣତନ୍ତ୍ରରେ ଭିନ୍ନ ଭିନ୍ନ ରାଜନୀତିକ ଦଳ ମଧ୍ୟରେ ଏକ ଅନାକ୍ରମଣ ଚୁକ୍ତି ହେବା ଆବଶ୍ୟକ । ରାଜନୀତି କ୍ଷେତ୍ରରେ ଯେତେ ମତଭେଦ ଥାଉପଛେ, କୌଣସି ଦଳ ଅନ୍ୟଦଳକୁ ଉତ୍ପୀଡ଼ନ କରିବେ ନାହିଁ-ବୈଧାନିକ ଉପାୟରେ କ୍ଷମତା ହାସଲ କରିବାକୁ ଚେଷ୍ଟା କରିବେ ।

 

ଆଇନ୍‌ ଅମାନ୍ୟ ଦଣ୍ଡ

 

ଏଠି ଏ କଥା ମଧ୍ୟ କୁହାଯାଇପାରେ ଯେ, ଯେଉଁ ଦଳ ଗଣତନ୍ତ୍ରରେ ବିଶ୍ୱାସ କରେ ନାହିଁ, ସେ ଦଳକୁ ଗଣତନ୍ତ୍ର ଶାସନର ସୁବିଧା ଓ ସୁଯୋଗ ଦେବା ଉଚିତ୍‌ ନୁହେଁ । ସ୍ୱାଧୀନ ଭାବରେ ମତବ୍ୟକ୍ତ କରିବା ବା ସରକାରକୁ ସମାଲୋଚନା କରିବାର ଅଧିକାର ପାଇବା ଗଣତନ୍ତ୍ରର ପରିଣତି, କିନ୍ତୁ ନିର୍ବାଚନ ପ୍ରଣାଳୀ ଦ୍ୱାରା ଶାସନ ଗଢ଼ିବା ଓ ଆଲୋଚନାଦ୍ୱାରା ଶାସନ ପରିଚାଳନା କରିବା ଗଣତନ୍ତ୍ର ଶାସନର ପ୍ରଣାଳୀ । ସେହିପରି ବିରୋଧୀ ଦଳକୁ ଉତ୍ପୀଡ଼ନ ନ କରିବା ଗଣତନ୍ତ୍ରର ଭିତ୍ତି । ଯେଉଁମାନେ ଗଣତନ୍ତ୍ରର ପ୍ରଣାଳୀ ବା ଭିତ୍ତିଉପରେ ବିଶ୍ୱାସ କରନ୍ତି ନାହିଁ, ସେମାନେ ଗଣତନ୍ତ୍ର ଶାସନର ସୁବିଧା ଓ ସୁଯୋଗ ପାଇବା ଉଚିତ ନୁହେଁ । ତେଣୁ ଗଣତନ୍ତ୍ରର ରକ୍ଷାପାଇଁ ଦରକାର ପଡ଼ିଲେ ସେମାନଙ୍କ ରାଜନୀତିକ ଦଳକୁ ଦମନ କରିବା ପାଇଁ ଡର୍ବିନ (Politics of Democratic Socialism) ଯେଉଁ ମତ ଦେଇଛନ୍ତି ତାହା ସହିତ ଆମେ ଏକମତ । ଯେଉଁମାନେ ଖେଳର ନିୟମ ମାନିବେ ସେମାନେ ସିନା ଖେଳିବେ ! ସେହିପରି ଯେଉଁମାନେ ଗଣତନ୍ତ୍ର ଶାସନର ସହନଶୀଳତା ଓ ଆପୋଷ ମିଳାମିଶା ନିୟମ ମାନିବେ ସେମାନେ ଗଣତନ୍ତ୍ରର ସୁବିଧା ଓ ସୁଯୋଗ ଉଠାଇବେ, ଅନ୍ୟମାନେ ନୁହେଁ ।

Image

 

ଧର୍ମ ଓ ମାନସିକ ସ୍ୱାସ୍ଥ୍ୟ

(ରବୀନ୍ଦ୍ରନାଥ କାନୁନଗୋ)

 

ମାନସିକ ସ୍ୱାସ୍ଥ୍ୟରକ୍ଷା କହିଲେ ଏକ ସୁଚିନ୍ତିତ ଜୀବନଯାପନ ପ୍ରଣାଳୀକୁ ବୁଝାଏ; କିନ୍ତୁ ଏ ପ୍ରକାର ଏକ ଜୀବନ ଯାପନ ପ୍ରଣାଳୀର ରୂପରେଖ ନିର୍ଦ୍ଧାରଣ କରିବାକୁ ଗଲାବେଳେ ବିଭିନ୍ନ ଦିଗରୁ ବ୍ୟକ୍ତିତ୍ୱର କିପରି ପୂର୍ଣ୍ଣବିକାଶ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼େ । ବ୍ୟକ୍ତିତ୍ୱ କହିଲେ ମନୁଷ୍ୟର ଦୈହିକ, ମାନସିକ ଓ ଆଧ୍ୟାତ୍ମିକ ଜୀବନରେ ଏକ ସଙ୍ଗଠନକୁ ବୁଝାଏ । ତେଣୁ ଜୀବନର ଏ ସମସ୍ତ ଅଙ୍ଗକୁ ନେଇ ଏକ ବହୁମୁଖୀ ବିକାଶ ଉପରେ ମାନସିକ ସ୍ୱାସ୍ଥ୍ୟ ନିର୍ଭର କରେ । ସାଧାରଣତଃ ଆମ୍ଭମାନଙ୍କର ଧାରଣା ଯେ ଦେହ, ମନ ଓ ଆଧ୍ୟାତ୍ମିକ ଜୀବନ ପ୍ରତ୍ୟେକର ବ୍ୟକ୍ତିତ୍ୱ ମଧ୍ୟରେ ପୃଥକ୍‌ ଅସ୍ତିତ୍ୱ ଅଛି, କିନ୍ତୁ ମନୋବୈଜ୍ଞାନିକ ଗବେଷଣାରୁ ଏହା ସୁବିଦିତ ଯେ ଯେଉଁ ଲୋକଠାରେ ଶାରୀରିକ ସୁସ୍ଥତା ଦେଖାଦିଏ, ସେ ପ୍ରକୃତ ଆଧ୍ୟାତ୍ମିକ ତୃପ୍ତି ପାଇଥାଏ; ସେହିପରି ଧର୍ମଗତ ଭକ୍ତି ବା ପ୍ରେମଦ୍ୱାରା ଆବେଗଗତ ବିଶୃଙ୍ଖଳା ଦୂର ହୁଏ ଓ ମନୁଷ୍ୟ ମାନସିକ ଶାନ୍ତି ପାଇଥାଏ । ତେଣୁ ମାନସିକ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିକୋଣରୁ ମନୁଷ୍ୟ ଜୀବନ ଉପରେ ଧର୍ମର ଗଠନକାରୀ ପ୍ରଭାବ କିଛି କମ୍‌ ନୁହେଁ ।

 

ଆଜିକାଲି ଧର୍ମ କହିଲେ ସାଧାରଣ ଲୋକ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ, ଯଥା–ହିନ୍ଦୁ, ମୁସଲମାନ ଧର୍ମ ଇତ୍ୟାଦି ବୁଝନ୍ତି । ସେ ପ୍ରକାର ଧର୍ମର କୁ-ପ୍ରଭାବ ବେଶି । କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରଭାବରୁ ମନରେ ସଂକୀର୍ଣ୍ଣତା ଭାବ ଆସେ ଓ ଯାହା ଫଳରେ ଧର୍ମର ମୂଳ ଉଦ୍ଦେଶ୍ୟ ଆମେ ଭୁଲିଯାଇ ଧର୍ମବିରୋଧୀ ଆଚରଣ କରି ବସୁ । ବିଚାର ବୁଦ୍ଧି ପ୍ରୟୋଗ ନକରି ଅନ୍ଧବିଶ୍ୱାସ ନେଇ ଯେଉଁ ଧର୍ମ ଗ୍ରହଣ କରାଯାଇଥାଏ; ତାହା ମାନସିକ ସୁସ୍ଥତା ପରିବର୍ତ୍ତେ ଅସୁସ୍ଥତାର କାରଣ ହୁଏ । ଅବଶ୍ୟ ଧର୍ମ, ବିଶ୍ୱାସ ଉପରେ ପ୍ରତିଷ୍ଠିତ କିନ୍ତୁ ଯଦି ଏହା ଅନ୍ଧବିଶ୍ୱାସ ନ ହୋଇ ବିଜ୍ଞତା ଉପରେ ପ୍ରତିଷ୍ଠିତ ହୁଏ, ତେବେ ତାହା ମନୁଷ୍ୟ ଜୀବନରେ ଆବେଗଗତ ସ୍ଥିରତା ଓ ସୁଖଶାନ୍ତି ଆଣିଦେଇ ପାରିବ । ମାନସିକ ସ୍ୱାସ୍ଥ୍ୟପାଇଁ ଏ ପ୍ରକାର ଏକ ବିଜ୍ଞ ନିରପେକ୍ଷ ସର୍ବବ୍ୟାପୀ ଧର୍ମର ଯଥେଷ୍ଟ ଉପାଦେୟତା ଅଛି; କିନ୍ତୁ ଦୁଃଖର ବିଷୟ ଯେ ଆମ ଦେଶରେ ବିଭିନ୍ନ ଧର୍ମର ଯେପରି ପ୍ରଚାର ହୋଇଥାଏ ଓ ଆମ୍ଭମାନଙ୍କୁ ନୈତିକତା ଓ ଧର୍ମ ସମ୍ବନ୍ଧରେ ଯେପରି ଶିକ୍ଷା ଦିଆଯାଇଥାଏ, ତାହାର ପ୍ରଭାବ ଆମ ଜୀବନରେ ବହୁତ କ୍ଷତି ଘଟାଇଥାଏ । ବ୍ୟକ୍ତିଗତ ଜୀବନରେ ଧର୍ମର ଦ୍ୱାହି ଦେଇ ଆମେ ନାନାଦି ଭୁଲ୍‍ କରି ବସୁ ଓ ଅଯଥା ଖର୍ଚ୍ଚାନ୍ତ ହୋଇଥାଉ । ସାମାଜିକ କ୍ଷେତ୍ରରେ ଧର୍ମ ନାମରେ ଅସ୍ପୃଶ୍ୟତା, ଭେଦଭାବ ଦେଖାଦିଏ ଓ ଶେଷରେ ଆମେ ମାନବିକତା ହରାଇ ବସୁ । ଏ ସମସ୍ତ ମାନସିକ ଅଶାନ୍ତିର କାରଣ ହୋଇଥାଏ । ତେଣୁ ଅନେକେ ମତ ଦେଇଥାନ୍ତି ଯେ ବୈଜ୍ଞାନିକ ଯୁଗରେ ମନୁଷ୍ୟ ଜୀବନରେ ଧର୍ମର ସ୍ଥାନ ନାହିଁ । ଯେପରି କି ଧର୍ମ ଓ ବିଜ୍ଞାନ ପରସ୍ପର ବିରୋଧୀ, କିନ୍ତୁ ଧର୍ମ ଓ ବିଜ୍ଞାନ ମନୁଷ୍ୟ ଜୀବନ ଉପରେ ଯେଉଁ ପ୍ରକାର ପ୍ରଭାବ ପକାଇଥାନ୍ତି, ତାହା ବିଶ୍ଲେଷଣ କରି ଦାର୍ଶନିକମାନେ ମତପ୍ରକାଶ କରୁଅଛନ୍ତି ଯେ ଉଭୟେ ମନୁଷ୍ୟ ଜୀବନରେ ସୁଖଶାନ୍ତି ଆଣିଦେବା ପାଇଁ ଉଦ୍ଦିଷ୍ଟ; ଯଦିଓ ଧର୍ମ ବିଶ୍ୱାସ ଉପରେ ପ୍ରତିଷ୍ଠିତ ହୋଇଥିବା ସ୍ଥଳେ ବିଜ୍ଞାନ କେବଳ ବୈଷୟିକ ପର୍ଯ୍ୟବେକ୍ଷଣର ସାହାଯ୍ୟ ନେଇଥାଏ । ବୁଦ୍ଧ, ଖ୍ରୀଷ୍ଟ, ଗାନ୍ଧୀ ପ୍ରଭୃତି ମହାମାନବଙ୍କର ଜୀବନୀ ଅନୁଶୀଳନ କଲେ ଏହା ସ୍ପଷ୍ଟ ଜଣାଯାଏ ଯେ, ସେମାନଙ୍କର ଧର୍ମଗତ ବିଶ୍ୱାସ ଓ ମନୋଭାବ ସେମାନଙ୍କ ଜୀବନରେ କି ପ୍ରକାର ଗଠନକାରୀ ପ୍ରଭାବ ପକାଇଥିଲା । ଧର୍ମବିଶ୍ୱାସ ମନୁଷ୍ୟକୁ ଏକ ଗଠନମୂଳକ ଜୀବନ ଦର୍ଶନର ଅନୁସରଣ କରିବାରେ ସହାଯ୍ୟ କରିଥାଏ ଏବଂ ଏହି ପ୍ରକାର ଜୀବନ ଦର୍ଶନର ପ୍ରଚାରଗୀତା, ବାଇବେଲ, କୋରାନ୍‌ ପ୍ରଭୃତି ବିଭିନ୍ନ ଧର୍ମପୁସ୍ତକ ମାଧ୍ୟମରେ ହୋଇଅଛି । କ୍ଷୁଦ୍ର ମନୁଷ୍ୟର ବ୍ୟକ୍ତିଗତ ଜୀବନରୁ ନିରର୍ଥକତା, ବ୍ୟର୍ଥତା, ନିରାଶବାଦ; ଅପାରଗତା ପ୍ରଭୃତି ଆବେଗଗତ ବିଶୃଙ୍ଖଳା ଦୂର କରିବାରେ କେବଳ ଧର୍ମବିଶ୍ୱାସ ହିଁ ସାହାଯ୍ୟ କରିଅଛି । ମାନସିକ ସ୍ୱାସ୍ଥ୍ୟରକ୍ଷା ପାଇଁ ଧର୍ମର ଯଥେଷ୍ଟ ଉପାଦେୟତା ଅଛି; ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

 

କେତେଗୁଡ଼ିଏ ଦୃଷ୍ଟି କୋଣରୁ ବିଚାର କଲେ ଆମେ ବେଶ ଉପଲବ୍ଧି କରିପାରିବା ଯେ, ମାନସିକ ସ୍ୱାସ୍ଥ୍ୟ ପାଇଁ ଯେଉଁ କେତେକ ମୌଳିକ ପ୍ରୟୋଜନୀୟତା ଅଛି, ତାହା ଧର୍ମବିଶ୍ୱାସ ପୂରଣ କରିଥାଏ । ପ୍ରଥମତଃ ମନୁଷ୍ୟ ନିଜ ବ୍ୟକ୍ତିତ୍ୱର ଅଭିବୃଦ୍ଧି ଚାହେଁ । ବ୍ୟକ୍ତିତ୍ୱର ପୂର୍ଣ୍ଣତା ଓ ବିକାଶ ପାଇଁ ମନୁଷ୍ୟର ସର୍ବାଙ୍ଗୀନ ଅଭିବୃଦ୍ଧି ଏକାନ୍ତ ପ୍ରୟୋଜନ ଏବଂ ଏହି ଅଭିବୃଦ୍ଧି ଓ ପରିପକ୍ୱତା ହାସଲ କରିବାରେ ଧର୍ମବିଶ୍ୱାସ ଏକ ଉଦ୍ଦୀପକଭାବେ କାର୍ଯ୍ୟ କରିଥାଏ । ଈଶ୍ୱର ସ୍ୱରୂପ ଏକ କାଳ୍ପନିକ ଆଦର୍ଶ ନିଜ ସମ୍ମୁଖରେ ସ୍ଥାପିତ କରି ତା’ର ଅନୁସରଣଦ୍ୱାରା ଓ ନିଜ ଜୀବନକାଳ ମଧ୍ୟରେ ସେହି ଈଶ୍ୱରତ୍ୱ ପ୍ରାପ୍ତ ହେବାପାଇଁ ସଚେଷ୍ଟା ହେବାଦ୍ୱାରା ମନୁଷ୍ୟର ବୁଦ୍ଧି, ଭାବନା, ଆବେଗ ଇତ୍ୟାଦି ମାର୍ଜିତ ଓ ପରିବର୍ଦ୍ଧିତ ହୁଏ । ଜୀବନରେ ଜ୍ଞାନ ସଙ୍ଗେ ସଙ୍ଗେ ଧର୍ମବିଶ୍ୱାସର ଆଶ୍ରୟ ନେଲେ ନିଜଠାରେ ଆତ୍ମବିଶ୍ୱାସ ଓ ନିଶ୍ଚିତତାବୋଧ ବୃଦ୍ଧିପାଏ ଓ ନିଜର ଭବିଷ୍ୟତ ପାଇଁ ମନୁଷ୍ୟ ନିଜେ ଆଶାବାଦୀ ହୋଇଉଠେ । ଜୀବନର ଦୁଃଖ ଦୁର୍ଦ୍ଦଶା, ଅଭାବ ଅସୁବିଧା ସମସ୍ତ ସହ୍ୟ କରିବାକୁ ସେ ସମର୍ଥ ହୋଇଥାଏ । କାରଣ ସେ ହୃଦୟଙ୍ଗମ କରିଥାଏ ଯେ ତା’ର ସମସ୍ତ ଦୁଃଖ, ଅନିଶ୍ଚିତ ଓ କ୍ଷଣସ୍ଥାୟୀ । ଏହାଛଡ଼ା ତା’ଠାରେ ବିଭିନ୍ନ ମାନବିକ ଗୁଣ, ଯଥା-ସତ୍‌, ଦୟା, ସାହସ, କ୍ଷମା, ଆତ୍ମସମ୍ମାନ ପ୍ରଭୃତି ବିକାଶ ଲାଭ କରେ । ଜୀବନରେ ବ୍ୟର୍ଥତା, ଆଶଙ୍କା ବା ଅକୃତକାର୍ଯ୍ୟ ହୋଇ ମନୁଷ୍ୟ ଯେତେବେଳେ ଭାଙ୍ଗିପଡ଼େ, କେବଳ ଧର୍ମବିଶ୍ୱାସ ହିଁ ତା’ ମନରେ ନୂତନ ସାହସ ଓ ବଳରେ ସଞ୍ଚାର କରିଥାଏ ।

 

ଅନେକ ସମୟରେ ମନୁଷ୍ୟ ଜ୍ଞାନ ଓ ଚିନ୍ତାଶକ୍ତିର ଆଶ୍ରୟ ନେଇ ଜୀବନଯାପନ କରୁଥିଲାବେଳେ ଆକସ୍ମିକ ଦୁର୍ଘଟଣା, ବ୍ୟାଧି, ବେକାରଗ୍ରସ୍ତତା ବା ଆର୍ଥିକ ଦୂରବସ୍ଥାଜନିତ ମାନସିକ କ୍ଲେଶ ଅନୁଭବ କରେ । ଏ ସମସ୍ତ ଅପ୍ରତ୍ୟାଶିତ ଭାବେ ଆସି ଜୀବନକୁ କଣ୍ଟକିତ କରିଥାଏ ଓ ମାନସିକ ଅସୁସ୍ଥତାର କାରଣ ହୋଇଥାଏ । କିନ୍ତୁ ଧର୍ମବିଶ୍ୱାସ ଦ୍ୱାରା ମନୁଷ୍ୟ ଏ ସବୁକୁ ଅକ୍ଲେଶରେ ସହ୍ୟ କରିପାରେ ଓ ମନେକରେ ଯେ, ଜୀବନର ଅଭିବୃଦ୍ଧି ପାଇଁ ଓ ବ୍ୟକ୍ତିତ୍ୱର ବିକାଶ ପାଇଁ ଏସବୁ କେବଳ ଏକ ପରୀକ୍ଷା । ଏ ନିରାଟ ବାସ୍ତବତାର ସମ୍ମୁଖୀନ ହୋଇ ସେ ନିଜର ଆତ୍ମପ୍ରକାଶ ପାଇଁ ଆହ୍ୱାନ ପାଇଥାଏ । ଏହି ପ୍ରକାର ମନୋଭାବ ନେଇ ଯେ ଜୀବନରେ ଧର୍ମବିଶ୍ୱାସର ସାହାଯ୍ୟ ନେଇଥାଏ, ସେ ପଳାୟନପନ୍ଥୀ ନୁହେଁ ବା ସେ ଆଦର୍ଶବାଦୀ ନୁହେଁ । ସେ ପ୍ରକୃତ ବାସ୍ତବବାଦୀ ଓ ବିଜ୍ଞ କର୍ମୀ । ଧର୍ମ ବିଶ୍ୱାସଦ୍ୱାରା ଜୀବନର ତିକ୍ତତା ସହ୍ୟ କରିବା ସହଜସାଧ୍ୟ ହୁଏ ଓ କ୍ରମଶଃ ତାଠାରେ ସହିଷ୍ଣୁତା ବୃଦ୍ଧିପାଏ । ତିତିକ୍ଷା ମାନସିକ ସ୍ୱାସ୍ଥ୍ୟ ନିମିତ୍ତ ଏକାନ୍ତ ପ୍ରୟୋଜନ ଏବଂ ଗୀତା, ବାଇବେଲ୍‌ ପ୍ରଭୃତିରେ ଏହି ମନ୍ତ୍ରର ପ୍ରଚାର ଅନେକ ସ୍ଥାନରେ ଦେଖିବାକୁ ମିଳେ ।

 

ଯେଉଁଲୋକର ବ୍ୟକ୍ତିତ୍ୱ ଯେତେ ଦୃଢ଼ ଓ ଯେ ଜୀବନରେ ଯେତେ ବେଶୀ ନିଶ୍ଚିତତା ବୋଧ କରେ ତାହାଠାରେ ସହନଶୀଳତା ତେତେ ବେଶୀ ଦେଖାଯାଏ । ପିତାମାତାଙ୍କର ସ୍ନେହ ଶ୍ରଦ୍ଧା ପାଇ ବଢ଼ିଥିବା ହେତୁ ମନୁଷ୍ୟଠାରେ ତା’ର ଶୈଶବାବସ୍ଥାରୁ ନିଶ୍ଚିତତା ଦେଖା ଦେଇଥାଏ ପିତାମାତାଙ୍କ ଆଶ୍ରାନେଇ ରହିଥିବାରୁ ବାଲ୍ୟବସ୍ଥାରେ କୌଣସି ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହେଲେ ସେ ଖୁବ୍‌ ବେଶୀ ବିବ୍ରତ ନ ହୋଇ ପିତାମାତାଙ୍କର ସାହାଯ୍ୟ ଲୋଡ଼ିଥାଏ ଓ ସେମାନଙ୍କର ସାହାଯ୍ୟ ପାଇବାର ସାହସ ନେଇ ତା’ର ଜୀବନର ସମସ୍ତ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥାଏ । ପିତାମାତାଙ୍କ ଉପରେ ଆସ୍ଥା ରଖି ସେ ତା’ ଜୀବନର ଅଭାବ ଅସୁବିଧା, ଦୁଃଖ ଯନ୍ତ୍ରଣା, ବିଫଳତା ସବୁ କିଛି ସହ୍ୟ କରିବାକୁ ସକ୍ଷମ ହୁଏ, କିନ୍ତୁ ବୟସ ବୃଦ୍ଧି ସଙ୍ଗେ କ୍ରମଶଃ ତାକୁ ସ୍ୱାଧୀନ ଭାବେ ବିଭିନ୍ନ କାର୍ଯ୍ୟ ସମ୍ପନ୍ନ କରିବାକୁ ପଡ଼ିଥାଏ । ତା’ର ସମସ୍ୟାଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଏ । କ୍ରମଶଃ ନିଜେ ଓ ପିତାମାତା ଉପଲବ୍ଧି କରନ୍ତି ଯେ, ତା’ର ସମସ୍ୟାର ସମାଧାନ କରିବା ସେମାନଙ୍କର ଶକ୍ତିର ବହିର୍ଭୂତ । ବାଲ୍ୟାବସ୍ଥାରେ ସେ ପିତାମାତାଙ୍କୁ ସର୍ବଶକ୍ତିମାନ ଈଶ୍ୱରସ୍ୱରୂପ ଜ୍ଞାନକରି ଓ ସେମାନଙ୍କଠାରେ ଆଶ୍ରିତଭାବେ ରହି ନିଜ ଜୀବନର ନିଶ୍ଚିତତା ବୋଧ କରିଥାଏ; କିନ୍ତୁ ବୟସ୍କ ଅବସ୍ଥାରେ ସେମାନଙ୍କଠାରେ ମାନବିକ ଦୋଷ ଦୁର୍ବଳତାଜନିତ ବିଫଳତା ଦେଖି ତା’ ମନରେ ଅନିଶ୍ଚିତଭାବ ଦେଖାଦିଏ । ସେ ନିଜକୁ ଅସହାୟ ମନେକରେ । ଠିକ୍‌ ଏହି ସମୟରେ ତା’ ଜୀବନରେ ପିତାମାତାଙ୍କ ଶକ୍ତି ଉପରେ ଥିବା ବିଶ୍ୱାସ ଲୋପ ପାଇ ଧର୍ମବିଶ୍ୱାସ ସେ ସ୍ଥାନ ଅଧିକାର କରେ । ତା’ ନିଜ ଶକ୍ତିର ବହିର୍ଭୁତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଲାବେଳେ ଏହି ଧର୍ମ ବିଶ୍ୱାସ ତା’ ମନରୁ ନିଃସହାୟତା ଓ ନିଃସଙ୍ଗତା ଦୂରକରି ତାକୁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଇଥାଏ । ଧର୍ମ ବିଶ୍ୱାସ କହିଲେ କେବଳ ଈଶ୍ୱର ଆରାଧନା ବୁଝାଏ ନାହିଁ । କାରଣ କେବଳ ଆରାଧନା କଲେ ଜୀବନରେ ଶାନ୍ତି ଆସିପାରେ ନାହିଁ । ତେଣୁ ଈଶ୍ୱର ବିଶ୍ୱାସ ସଙ୍ଗେ ସଙ୍ଗେ କର୍ତ୍ତବ୍ୟରେ ବିଶ୍ୱାସହିଁ ଜୀବନର ପ୍ରକୃତ ଧର୍ମ । ଭିକ୍ଷୁକପରି କର୍ତ୍ତବ୍ୟ ନ କରି ଈଶ୍ୱରଙ୍କଠାରେ କେବଳ ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ଅଧୋଗତି ଛଡ଼ା ଉନ୍ନତି ଅସମ୍ଭବ । ତା’ ଦ୍ୱାରା ମନୁଷ୍ୟ ଆତ୍ମନିର୍ଭରଶୀଳତା ସମ୍ପୂର୍ଣ୍ଣଭାବେ ହରାଇ ବସେ । ତେଣୁ ନିଜର ଅନ୍ତର୍ନିହିତ ଶକ୍ତିର ପୂର୍ଣ୍ଣ ବିକାଶ ନିଜ ମଧ୍ୟରେ ଈଶ୍ୱରସତ୍ତା ଉପଲବ୍ଧି କରି କର୍ମବୀର ହେବ ପ୍ରତ୍ୟେକ ମନୁଷ୍ୟର କାମ୍ୟ । ଏହାକୁ ହିଁ ଆତ୍ମଉପଲବ୍ଧି ବୋଲାଯାଏ ଓ ଏହାଦ୍ୱାରାହିଁ ପ୍ରକୃତ ମାନସିକ ସୁସ୍ଥତାର ମାନ ନିର୍ଦ୍ଧାରିତ ହୋଇଥାଏ-

 

ମନୁଷ୍ୟର ସାମାଜିକ ଜୀବନରେ ସଂହତି ପାଇଁ ଧର୍ମବିଶ୍ୱାସ ତାହାକୁ ସାହାଯ୍ୟ କରିଥାଏ । ମନୁଷ୍ୟଠାରୁ ଆତ୍ମକୈନ୍ଦ୍ରିକ ମନୋଭାବ ଦୂରକରି ତା’ର ଚିନ୍ତାଧାରାକୁ ସମାଜକୈନ୍ଦ୍ରିକ କରିବା ପାଇଁ ଉଦ୍ଦିଷ୍ଟ ଶୈଶବାବସ୍ଥାରେ ମନୁଷ୍ୟର ଚିନ୍ତାଧାରା ଓ କାର୍ଯ୍ୟକଳାପ କେବଳ ଆତ୍ମସୁଖପାଇଁ ବ୍ୟବହୃତ ହୋଇଥାଏ, କିନ୍ତୁ କ୍ରମଶଃ ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ତା’ର ଚିନ୍ତାଧାରା ଆତ୍ମସୁଖ ପାଇଁ ସୀମିତ ହୋଇ ରହିପାରେ ନାହିଁ ଓ ସେ ତା’ର ସାମାଜିକ ଅସ୍ତିତ୍ୱ ବଜାୟ ରଖିବାକୁ ଯାଇ ସମାଜର କଲ୍ୟାଣ ଓ ସାମାଜିକ ସୁଖଶାନ୍ତି ପାଇଁ ଚିନ୍ତାକରି ବସେ ଏହି ପ୍ରକାର ସମାଜକୈନ୍ଦ୍ରିକ ଚିନ୍ତାଧାରାହିଁ ମାନସିକ ପରିପକ୍ୱତି ର ଲକ୍ଷଣ ଏହାଛଡ଼ା ଯେଉଁ ମାନଙ୍କଠାରେ ମାନସିକ ବିକୃତି ଦେଖାଯାଏ ସେମାନଙ୍କ ଚିନ୍ତାଧାରା ମଧ୍ୟ ଆତ୍ମକୈନ୍ଦ୍ରିକ । ସେମାନେ ନିଜର ଭାବନା ଓ ଆବେଗ ସହିତ ଏତେ ବେଶୀ ସଂଶ୍ଲିଷ୍ଟ ଥାନ୍ତି ଯେ, ବାସ୍ତବତା କଳ୍ପନା ମଧ୍ୟରେ ଥିବା ପାର୍ଥକ୍ୟ ଅନୁଭବ କରିପାରନ୍ତି ନାହିଁ । ବାସ୍ତବ ଜଗତରୁ ସମ୍ପୂର୍ଣ୍ଣ ଅଲଗା ରହି ସେମାନେ ସେମାନଙ୍କର କାଳ୍ପନିକ ଜଗତରେ ଘୂରି ବୁଲୁଥାନ୍ତି । ସେମାନେ ଅନୁଭବ କରନ୍ତି ଯେ ବାସ୍ତବ ଜଗତର କଷାଘାତ ସହ୍ୟ କରିବାକୁ ସେମାନେ ସମ୍ପୂର୍ଣ୍ଣ ଅକ୍ଷମ । ତେଣୁ କେବଳ ନିଜର ସୁଖପାଇଁ ସେମାନେ ସ୍ୱପ୍ନ ଓ କଳ୍ପନାର ଆଶ୍ରୟ ନିଅନ୍ତି ଏଥିରୁ ବେଶ୍‌ ଅନୁମାନ କରାଯାଇପାରିବ ଯେ, ଆତ୍ମକୈନ୍ଦ୍ରିକ ଭାବଧାରା ମାନସିକ ଅସୁସ୍ଥତାର ଏକ ଲକ୍ଷଣ । ତେଣୁ ମାନସିକ ଅସୁସ୍ଥତା ଦୂର କରିବାକୁ ଯାଇ ମନୁଷ୍ୟ ମନରେ ସମାଜକୈନ୍ଦ୍ରିକ ଭାବଧାରା ଆଣିଦେବା ପାଇଁ ଧର୍ମ ସ୍ୱାର୍ଥପରତା ବିରୁଦ୍ଧରେ ପ୍ରଚାର କରେ । ହୁଏତ ବିଭିନ୍ନ ଧର୍ମରେ ଏହି ମନ୍ତ୍ର ବିଭିନ୍ନ ଉପାୟରେ ପ୍ରଚାରିତ ହୋଇଛି, କିନ୍ତୁ ପ୍ରତେକ ଧର୍ମବିଶ୍ୱାସ ମୂଳରେ ସେହି ଗୋଟିଏ ନୀତି-ତାହା ହେଉଛି-‘ସମାଜ ସେବା ହିଁ ଈଶ୍ୱର ସେବା ।’ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ ଈଶ୍ୱର ମନୁଷ୍ୟ ମନର କଳ୍ପନାପ୍ରସୂତ; କିନ୍ତୁ ଏହି ଈଶ୍ୱର ତା’ ଆଗରେ ଏକ ଆଦର୍ଶ ମନୁଷ୍ୟ ଭାବେ ରହି ତାକୁ ତା’ ଜୀବନରେ ପୂର୍ଣ୍ଣତା ଓ ତା’ର ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ ପଥପ୍ରଦର୍ଶନ କରୁଅଛି ସେହି ଐଶ୍ୱରିକ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ମନୁଷ୍ୟ ସମାଜସେବା କରିବାକୁ ସକ୍ଷମ ହେବ । ଲୋକସେବା ଓ ସମାଜ କଲ୍ୟାଣ ପାଇଁ ଧର୍ମବିଶ୍ୱାସ ମନୁଷ୍ୟଠାରେ ତ୍ୟାଗ, ଶ୍ରଦ୍ଧା, ଭକ୍ତି, ସହଯୋଗ ମନୋଭାବ ଇତ୍ୟାଦି ଆଣି ଦେଇଥାଏ ଓ ସମାଜ ପ୍ରତି ତା’ର ଯେଉଁ ଦାୟିତ୍ୱ ଥାଏ, ଧର୍ବବିଶ୍ୱାସ ସେ ବିଷୟରେ ତାକୁ ସବୁବେଳେ ସଜାଗ ରଖେ । ଈଶ୍ୱରଙ୍କୁ ଆଦର୍ଶଭାବେ ରଖି, ତାଙ୍କୁ ଦରିଦ୍ର ନାରାୟଣ, ଅଧମ ତାରଣ, ପତିତପାବନ ଇତ୍ୟାଦି ଆଖ୍ୟା ଦେବାର ଅର୍ଥ ହେଉଛି ଯେ, ମନୁଷ୍ୟ ଲୋକସେବା ବା ସମାଜସେବା ଦ୍ୱାରାହିଁ ଈଶ୍ୱରତ୍ୱ ପ୍ରାପ୍ତହେବ ଓ ତା’ର ଆନୁସଙ୍ଗିକ ମାନସିକ ସୁଖଶାନ୍ତି ପାଇପାରିବ । ଏହି ଦୃଷ୍ଟିକୋଣରୁ ମହାତ୍ମାଗାନ୍ଧୀ, ପୁଣ୍ୟାତ୍ମା ଗୋପବନ୍ଧୁ ପ୍ରଭୃତିଙ୍କ ଜୀବନୀ ପର୍ଯ୍ୟଲୋଚନା କଲେ ବେଶ୍‌ ବୁଝାଯିବ ଯେ, ମାନବ ଜୀବନର ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ପାଇଁ ଧର୍ମର ଏକ ବଳିଷ୍ଠ ପ୍ରଭାବ ଅଛି ।

 

ମାନସିକ ସୁସ୍ଥତା ଓ ଜୀବନରେ ସଫଳତା ପାଇଁ ପ୍ରକାର ଧର୍ମବିଶ୍ୱାସ ଯେଉଁ ଉପାୟରେ ସାହାଯ୍ୟ କରିଥାଏ, ତା’ର ଏକ ରୂପରେଖ ମାତ୍ର ଦର୍ଶାଯାଇଅଛି । କିନ୍ତୁ ପୃଥିବୀର ଅଧିକାଂଶ ଲୋକଙ୍କଠାରେ ଧର୍ମବିଶ୍ୱାସ ଥାଏ । ପ୍ରାୟ ପ୍ରତ୍ୟେକ ଲୋକ ଏକ ଧର୍ମାବଲମ୍ବୀ, କିନ୍ତୁ ତଥାପ୍ରି ସେମାନଙ୍କର ଜୀବନରେ ମାନସିକ ସୁସ୍ଥତାର ଅଭାବ କାହିଁକି ଦେଖାଯାଏ ? ଏହାର ଏକମାତ୍ର କାରଣ ହେଉଛି ସେମାନଙ୍କର ସଂକୀର୍ଣ୍ଣ ଧର୍ମମନୋଭାବ ଏବଂ ଯେଉଁ ଧର୍ମ ବାସ୍ତବ ଜୀବନ ସହ ସମସ୍ତ ସମ୍ପର୍କ ତୁଟାଇବାକୁ ନା ମନରୁ ସଂକୀର୍ଣ୍ଣତା ବଢ଼ାଇବାକୁ ଉଦ୍ଦିଷ୍ଟ; ତାହା ମାନସିକ ଅଶାନ୍ତି ବା ଅସୁସ୍ଥତା ଓ ସାମାଜିକ ବିଶୃଙ୍ଖଳା ଘଟାଇବାର କାରଣ ହୋଇଥାଏ, ହୁଏତ କେତେକ କ୍ଷେତ୍ରରେ ଏହିପ୍ରକାର ସଂକୀର୍ଣ୍ଣ ଧର୍ମର ପ୍ରଭାବରୁ ବ୍ୟକ୍ତିଗତ ଜୀବନରେ ମାନସିକ ଅସୁସ୍ଥି ଓ ସାମାଜିକ ବିଶୃଙ୍ଖଳା ଦେଖାଦେଇଥାଏ । ଏହି କାରଣରୁ ଜୀବନରୁ ଧର୍ମବିଶ୍ୱାସକୁ ଦୂରରେ ରଖିବା ପାଇଁ ଅନେକ ମତ ଦେଇଥାନ୍ତି, କିନ୍ତୁ ଗାଁର ଜଣେ ଲୋକ ଚୋରିକଲେ ଗାଁଟା ସାରା ସମସ୍ତଙ୍କୁ ଚୋର କହିବା ଯେତିକି ଭ୍ରମାତ୍ମକ, ସ୍ଥଳବିଶେଷରେ ଧର୍ମର କୁ-ପ୍ରଭାବ ଦେଖି ସମସ୍ତ ପ୍ରକାର ଧର୍ମ ବିଶ୍ୱାସ ଯେ ମନୁଷ୍ୟ ଜୀବନ ପାଇଁ କ୍ଷତିକାରକ ଏକଥା କହିବା ମଧ୍ୟ ସେତିକି ନିର୍ବୋଧତା ।

 

ତେବେ କି ପ୍ରକାର ଧର୍ମ ବିଶ୍ୱାସ ଜୀବନରେ କ୍ଷତି ଓ ସମାଜରେ ବିଶୃଙ୍ଖଳା ଘଟାଇଥାଏ, ତାହା ଜାଣିରଖିବା ଉଚିତ । ତେବେ ଯାଇଁ ମାନସିକ ସ୍ୱାସ୍ଥ୍ୟରକ୍ଷା ପଥ ସୁଗମ ହେବ ।

 

କେତେକ ଧର୍ମ ପରଜନ୍ମ ଓ ପୂର୍ବଜନ୍ମ ଉପରେ ବିଶେଷ ଗୁରୁତ୍ୱ ଆରୋପ କରି ମନୁଷ୍ୟଠାରେ ଭ୍ରାନ୍ତ ବିଶ୍ୱାସ ସୃଷ୍ଟି କରିଥାନ୍ତି । ଏ ପ୍ରକାର ଧାରଣା ଥିବା ଲୋକ ଭାବନ୍ତି ଯେ, ଏ ଜୀବନର ଯାବତୀୟ ସୁଖଦୁଃଖ ପୂର୍ବଜନ୍ମର କର୍ମଫଳ । ତେଣୁ ସେମାନେ ଜୀବନରେ ଉନ୍ନତି ପାଇଁ ଚିନ୍ତା କରନ୍ତି ନାହିଁ । ସେମାନେ ଭାବନ୍ତି ଯେ ଜୀବନର ସଫଳତା ବା ବିଫଳତା ଏ ଜୀବନର କାର୍ଯ୍ୟକଳାପ ଉପରେ ନିର୍ଭର କରେ ନାହିଁ । ସମାଜରେ ଅନେକ ଦିନ ଧରି ଏହି ପ୍ରକାର ମନୋଭାବ ଥିବାରୁ ଅପରାଧୀ ଓ ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରି ଠିକ୍‌ ବାଟକୁ ଆଣିବା ପାଇଁ ଲୋକେ କେତେବେଳେ ହେଲେ ଚେଷ୍ଟା କରୁନଥିଲେ । ଏହାଛଡ଼ା ଅନେକ ଧାର୍ମିକ ଲୋକ ଭାବନ୍ତି ଯେ ମୃତ୍ୟୁପରେ ସେମାନଙ୍କର ଆତ୍ମା ପ୍ରକୃତ ସୁଖଶାନ୍ତି ପାଇପାରିବ । ତେଣୁ ସେମାନେ ଜୀବନ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଚେଷ୍ଟା ନକରି କେବଳ ମୃତ୍ୟୁ ପାଇଁ ଅପେକ୍ଷା କରି ରହନ୍ତି । ଏହି କାରଣରୁ ଏମାନଙ୍କର ଜୀବନରେ ଓ ପରିବାର ମଧ୍ୟରେ ନାନାଦି ଅଶାନ୍ତି ଉପୁଜିଥାଏ । ତେଣୁ ଏ ପ୍ରକାର ମନୋଭାବ ମାନସିକ ଅସୁସ୍ଥତାର ଏକ ପ୍ରଧାନ କାରଣ ।

 

ଦ୍ୱିତୀୟତଃ ବାସ୍ତବତାର ସମ୍ମୁଖୀନ ହୋଇ ବିଭିନ୍ନ ସମସ୍ୟାର ସମାଧାନ କରିବା ହିଁ ପ୍ରକୃତ ମନୁଷ୍ୟତାର ପରିଚାୟକ; କିନ୍ତୁ ଅନେକ ସମୟରେ ଧର୍ମବିଶ୍ୱାସ ମନୁଷ୍ୟକୁ ତା’ର କର୍ତ୍ତବ୍ୟ ପଥରେ ଦୃଢ଼ କରିବା ପରିବର୍ତ୍ତେ ପଳାୟନପନ୍ଥୀ ହେବାରେ ସାହାଯ୍ୟ କରିଥାଏ । ସେମାନେ ପ୍ରକୃତ କର୍ମପଥରେ ଅଗ୍ରସର ହେବା କଷ୍ଟକର ମଣି କେବଳ ଇଶ୍ୱର ଆରାଧନାରେ ସମୟ ନଷ୍ଟ କରିଥାନ୍ତି । ସେମାନେ ଭାବନ୍ତି ଯେ, ଈଶ୍ୱରଙ୍କ ଇଚ୍ଛାହିଁ ପୂରଣ ହେବ । ତେଣୁ ସେମାନେ ବା କାହିଁକି କିଛି ଇଚ୍ଛା କରିବେ ଓ ସେ ଦିଗରେ କାର୍ଯ୍ୟ କରିବେ ? କେବଳ ତାଙ୍କରି ପ୍ରାର୍ଥନା କଲେ ହିଁ ଈଶ୍ୱର ଫଳ ଦେବେ । ଏହି ପ୍ରକାର ଲୋକଙ୍କର ପରିବାର ମଧ୍ୟରେ କାହାର ଦେହ ଦୁଃଖ ହେଲେ ବା ସେମାନଙ୍କର ଜୀବନରେ କୌଣସି କ୍ଷତି ହେଲେ ସେ ପରିସ୍ଥିତିଗୁଡ଼ିକୁ ସୁଧାରିବା ପରିବର୍ତ୍ତେ ସେମାନେ କହିଥାନ୍ତି ‘‘ଇଶ୍ୱର ଯାହା କରନ୍ତି ମଙ୍ଗଳ ପାଇଁ’’ ଓ ଏହି ବିଶ୍ୱାସରୁ ସେମାନେ ସାନ୍ତ୍ୱନା ପାଇଥାନ୍ତି । ଯେଉଁମାନଙ୍କର ଏ ପ୍ରକାର ପଳାୟନପନ୍ଥୀ ମନୋଭାବ ଥାଏ, ସେମାନଙ୍କର ଜୀବନରେ ସଫଳତା ଅସମ୍ଭବ । ଏମାନଙ୍କର ଧର୍ମ ସମ୍ବନ୍ଧୀୟ ବୁଝାମଣା ଅତି ସଂକୀର୍ଣ୍ଣ । ଆଉ କେତେକ ଲୋକଙ୍କର ଧର୍ମବିଶ୍ୱାସରେ ଜୀବନ ସମ୍ବନ୍ଧୀୟ ନିରାଶବାଦ ପ୍ରତିଫଳିତ ହୋଇଥାଏ ତେଣୁ ସେମାନଙ୍କଠାରେ ଦାୟିତ୍ୱବୋଧ ଆସିବ ବା କିପରି ? ଦାୟିତ୍ୱବୋଧହୀନ ମନୁଷ୍ୟ ଜୀବନରେ ସଫଳତା ସ୍ୱପ୍ନ ସମ ଅଳୀକ ।

 

ଏହାଛଡ଼ା ଧର୍ମ ପ୍ରଚାରକୁ ଅନ୍ଧଭାବେ ଅନୁସରଣ କରିବା ମାନସିକ ସ୍ୱାସ୍ଥ୍ୟରକ୍ଷା ନିରୋଧୀ ପନ୍ଥା କିନ୍ତୁ ପ୍ରାୟ ଅଧିକାଂଶ ଲୋକ ଧର୍ମବିଶ୍ୱାସର ଉପାଦେୟତା ସମ୍ବନ୍ଧରେ ଚିନ୍ତା ନକରି ଧର୍ମ ପ୍ରଚାରିତ ତତ୍ତ୍ୱକୁ ପ୍ରକୃତ ଓ ଅପରିବର୍ତ୍ତନୀୟ ସତ୍ୟ ଆଖ୍ୟା ଦେଇଥାନ୍ତି । ଏହା ଫଳରେ ଜଣେ ନୈଷ୍ଠିକ ହିନ୍ଦୁ ହୁଏତ ଭାବେ ଯେ କେବଳ ତା’ର ଧର୍ମ ପୁସ୍ତକରେ ପ୍ରଚାରିତ ସମସ୍ତ ତଥ୍ୟ ସତ୍ୟ ଓ ଅନ୍ୟ ସବୁ ଜ୍ଞାନ ବିଜ୍ଞାନ ମିଥ୍ୟା, କିନ୍ତୁ ଏ ପ୍ରକାର ମନୋବୃତ୍ତି ଯେ ଭ୍ରାନ୍ତ ଧାରଣା ଉପରେ ପ୍ରତିଷ୍ଠିତ, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ପ୍ରକାର ଅନ୍ଧ ଧର୍ମବିଶ୍ୱାସ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ନାନାଦି ବିଶୃଙ୍ଖଳା ସୃଷ୍ଟି କରିଥିବା ଦେଖାଯାଏ । ଶୈଶବାବସ୍ଥାରୁ ପିତାମାତା ଓ ଶିକ୍ଷକମାନଙ୍କର କଠୋର ଶାସନ ତଳେ ରହି ଆମେ ଯେଉଁ ପ୍ରକାର ଧର୍ମ ଓ ନୈତିକତା ଶିକ୍ଷାଲାଭ କରୁ, ସେପରି ଅବସ୍ଥାରେ ସ୍ୱାଧୀନଭାବେ ସେସବୁ ବିଷୟରେ ଚିନ୍ତା କରିବାକୁ ସୁଯୋଗ ଆମେ ପାଇ ନ ଥାଉ । ଅନେକ ସମୟରେ ବିଭିନ୍ନ ଧର୍ମତତ୍ତ୍ୱ ବିଚାରବୁଦ୍ଧି ରହିତ ହୋଇ ଅନ୍ଧଭାବରେ ଗ୍ରହଣ କରିବାଦ୍ୱାରା ସେଗୁଡ଼ିକର ପ୍ରକୃତ ଅର୍ଥ ପରିବର୍ତ୍ତେ ବିକୃତ ଅର୍ଥ କରାଯାଇଥାଏ । ଏହା ଫଳରେ ଆମେ ଜୀବନର ଧର୍ମ ଓ ନୈତିକତାର ସୁପ୍ରଭାବ ପରିବର୍ତ୍ତେ କୁପ୍ରଭାବ ବେଶୀ ଦେଖାଦିଏ-

 

ଅନେକ ସମୟରେ ଧର୍ମବିଶ୍ୱାସଦ୍ୱାରା ମନୁଷ୍ୟ ମନରେ ଭୀରୁତା ଓ ଅପରାଧବୋଧ ଦେଖାଦେଇଥାଏ । କାରଣ ଧର୍ମବିଶ୍ୱାସଦ୍ୱାରା ମନୁଷ୍ୟ ମନରେ ପାପ ଓ ପୁଣ୍ୟ ବିଷୟକ ଧାରଣା ଜନ୍ମେ ଓ ବିନା କାରଣରେ ଅନେକ ସ୍ୱାଭାବିକ ପ୍ରବୃତ୍ତିଜନିତ କାର୍ଯ୍ୟକୁ ପାପ କର୍ମ ଓ ନାନାଦି ଅବାନ୍ତର ଓ ଅଯଥା କାର୍ଯ୍ୟକୁ ପୁଣ୍ୟ କର୍ମ ବୋଲି ଧାରଣା କରାଯାଇ ଥାଏ । ତେଣୁ ମନୁଷ୍ୟ ମନରେ ତା’ର ସ୍ୱାଭାବିକ ପ୍ରବୃତ୍ତି ଧର୍ମଗତ ଧାରଣା ନେଇ ଦ୍ୱନ୍ଦ ଜନ୍ମେ । ଏହା ଫଳରେ ମାନସିକ ଅଶାନ୍ତି ବୃଦ୍ଧିପାଏ ଓ ଏହି ପ୍ରକାର ଦ୍ୱନ୍ଦ ହେତୁ ମନୁଷ୍ୟଠାରେ ନାନାଦି ମାନସିକ ବିକୃତି ଦେଖାଦେଇଥାଏ ।

 

ହୁଏତ ଏହି ସମସ୍ତ କାରଣରୁ ବୈଜ୍ଞାନିକ ଯୁଗରେ ଧର୍ବବିଶ୍ୱାସ ଉପରୁ ଲୋକମାନଙ୍କର ଆସ୍ଥା କ୍ରମଶଃ ଲୋପ ପାଇପାରେ, କିନ୍ତୁ ଜୀବନରେ ବିଜ୍ଞାନର ଉପାଦେୟତା ଯୋଗୁଁ ବିଜ୍ଞାନ ଯେପରି ଆଦୃତ ହୋଇଅଛି, ସେହିପରି ଜୀବନରେ ଧର୍ମର କି ପ୍ରକାର ପ୍ରୟୋଜନତା ଅଛି, ସେହି ଦୃଷ୍ଟିକୋଣରୁ ଧର୍ମବିଶ୍ୱାସର ବିଚାର କଲେ ଏହା ସ୍ପଷ୍ଟ ଜଣାଯିବ ଯେ, ମାନସିକ ସୁଖଶାନ୍ତି ଓ ଜୀବନରେ ପୂର୍ଣ୍ଣତା ଓ ସଫଳତା ନିମିତ୍ତ ଏହା ଏକ ନିର୍ଭରଯୋଗ୍ୟ ପନ୍ଥା; କିନ୍ତୁ ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଏକ ଧର୍ମର ପ୍ରଚାର ଆବଶ୍ୟକ । ଏପରି ଏକ ଧର୍ମ ମନୁଷ୍ୟକୁ ସାମ୍ୟ, ମୈତ୍ରୀ, ଶାନ୍ତି ଓ ପ୍ରୀତିର ସନ୍ଧାନ କରିବାରେ ସାହାଯ୍ୟ କରିବ, ଏ ଧର୍ମର ମାନବତ୍ୱ ଉପରେ ଆସ୍ଥା ଓ ବିଶ୍ୱାସ ରହିବ । ଏ ଧର୍ମର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ଓ ମାନବ ଜାତିର ସମୂହ କଲ୍ୟାଣ ସାଧନ । ମାନସିକ ସୁସ୍ଥତା ପାଇଁ ଓ ଜୀବନରେ ପରମ ସାର୍ଥକତା ପାଇଁ ଏହି ପ୍ରକାର ଏକ ସୁଚିନ୍ତିତ ଧର୍ମବିଶ୍ୱାସ ଅବଲମ୍ବନ କରିବା ଅବୈଜ୍ଞାନିକ ପନ୍ଥା ନୁହେଁ ଏବଂ ସେହିପରି ବୈଜ୍ଞାନିକ ପଦ୍ଧତି ଦ୍ୱାରା ପ୍ରତିଷ୍ଠିତ ଜ୍ଞାନ ଅର୍ଜନ କରିବା ଓ ଜୀବନରେ ଅପରାଜିତ ହୋଇ ରହିବା ପାଇଁ ତା’ର ସାହାଯ୍ୟ ନେବା ଅଧର୍ମ ନୁହେଁ ।

Image

 

Unknown

ମାନସିକ ଦ୍ୱନ୍ଦ

(ଡକ୍ଟର ରାଧାନାଥ ରଥ)

 

ପାରିପାର୍ଶ୍ୱିକ ଅବସ୍ଥା ସହିତ ମିଳାଇ ନେଇ ଚାଲିବା ହେଉଛି ଜୀବନୀଶକ୍ତିର ପ୍ରଧାନ ଧର୍ମ-ସାଧାରଣ ସମୟରେ ମନୁଷ୍ୟର ଚାଲି ଚଳନ, ହାବଭାବ, ଆଚାରବିଚାର, ରୀତିନୀତି ସବୁ ପରିସ୍ଥିତି ଉପଯୋଗୀ ହେବା ଉଚିତ । ତାହେଲେ ସେ କୃତକାର୍ଯ୍ୟତର ସହିତ ଆଗରେ ଚାଲିପାରିବ, ନଚେତ୍‌ ପଛେଇ ଯିବ-ଜୀବନ ସଂଗ୍ରାମରେ ହାରିଯିବ-ଯେଉଁମାନେ ଏପରି ଭାବରେ ତାଳ ପକାଇ ଅଗ୍ରସର ହେବେ, ସେମାନେ ଟପିଯିବେ । ଏ ପ୍ରକାର ଅଗ୍ରଗତିରେ ହିଁ ମନୁଷ୍ୟର ଉନ୍ନତି, ସଭ୍ୟତାର ପ୍ରଗତି, ସଂସ୍କୃତିର ପରାକାଷ୍ଠା ଓ ଜୀବନର ସରସତା ପ୍ରାଗୈତିହାସିକ ଯୁଗରୁ ମାନବଜାତିର ଏ ପ୍ରକାର ପ୍ରବଳ ଚେଷ୍ଟା ଲାଗି ଆସିଛି । ତେଣୁ ଏହା ମହାମାନବୀୟ ନୀତିଧର୍ମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ମନୁଷ୍ୟ ବଞ୍ଚିବା ପାଇଁ ପ୍ରକୃତିର ସାହାଯ୍ୟ ନିଏ । ପ୍ରକୃତିର ବିନା ସାହାଯ୍ୟରେ ତା’ର କୌଣସି ସୁବିଧା ହୋଇପାରିବ ନାହିଁ । ମନୁଷ୍ୟ ପ୍ରକୃତିଠାରୁ ଗୋଟିଏ ପୁରାପୁରି ଅଲଗା ଜୀବ ନୁହେଁ । ବରଂ ସେ ହେଉଛି ପ୍ରକୃତି ନିୟନ୍ତ୍ରିତ ଗୋଟିଏ କାର୍ଯ୍ୟକାରୀ କେନ୍ଦ୍ର । ମାତ୍ର, ମନୁଷ୍ୟ ସଚେତ ଅବସ୍ଥା ପ୍ରାପ୍ତ ହୋଇଥିବାରୁ ପ୍ରକୃତିର ବିଭିନ୍ନ ଶକ୍ତି ଭିତରୁ ନିଜର ସୁବିଧା ଲାଗି ବ୍ୟବହୃତ ହୋଇପାରୁଥିବା ଶକ୍ତିଗୁଡ଼ିକୁ ଆଦର କରେ-ନାନା ରକମର କାମରେ ଖଟାଇ ନିଜର ସୁବିଧା ହାସଲ କରିପାରେ ଏବଂ ଅନ୍ୟାନ୍ୟ କ୍ଷତିକାରକ ଶକ୍ତିଗୁଡ଼ିକୁ ଅନେକ ସମୟରେ ଦୂରରେ ରଖିବାକୁ ଚେଷ୍ଟାକରେ-ନିଜର ସୁବିଧା ଅନୁସାରେ କାମରେ ଲଗାଇ ନ ପାରିବା ପର୍ଯ୍ୟନ୍ତ ସେଗୁଡ଼ିକୁ ଶତ୍ରୁବୋଲି ମଧ୍ୟ ମନେକରେ । ଯେଉଁ ପ୍ରାକୃତିକ ଶକ୍ତି-ସମୂହକୁ ନିଜର ଉପକାରୀ ବନ୍ଧୁ ବୋଲି ମନେକରେ, ସେମାନଙ୍କୁ ଦେବତା ବୋଲି ଗ୍ରହଣ କରିଥାଏ । ବିଶେଷତଃ ବହୁ ସହସ୍ର ବର୍ଷ ତଳେ ମନୁଷ୍ୟ ଜୀବନ କେତେବେଳେ ସରଳ ଥିଲା ଓ ପାରିପାର୍ଶ୍ୱିକ ପରିସ୍ଥିତି ମଧ୍ୟ ତା’ର କାର୍ଯ୍ୟକଳାପ ଯୋଗୁଁ ଜଟିଳ ହୋଇନଥିଲା, ସେତେବେଳେ ମନୁଷ୍ୟ ସରଳ ମନ ପ୍ରାକୃତିକ ଜଗତ ପ୍ରତି ସମ୍ମାନ ଦେଖାଉଥିଲା-ଆଦରରେ ପୂଜା କରୁଥିଲା । ନିଜର ଆକୃତି ଦେଇ ସେ ସବୁକୁ ମାନବୋଚିତ ଦୟା, ସେବା, କ୍ଷମାଗୁଣରେ ବିଭୂଷିତ କରି ନିଜର ପରମ ବନ୍ଧୁ ହିସାବରେ ଗ୍ରହଣ କରିପାରିଥିଲା । ଆର୍ଯ୍ୟମାନେ ସୂର୍ଯ୍ୟ, ଚନ୍ଦ୍ର, ବରୁଣ, ଇନ୍ଦ୍ର, କୁବେର ପ୍ରଭୃତିଙ୍କୁ ଯେଉଁ ସମ୍ମାନ ଓ ଭକ୍ତି ଦେଖାଉଥିଲେ, ତାହା ସେମାନଙ୍କର ଅତି ସରଳ ମନର ଯଥେଷ୍ଟ ଆଭାସ ଦିଏ । ସଙ୍ଗୀତର ପ୍ରାଣ-ମତାଣିଆ ଉଚ୍ଛ୍ୱାସରେ ସେମାନଙ୍କର ପ୍ରାଣର ନିଷ୍କପଟ ଆବେଦନ ଓ ବିଶ୍ୱାସ ଫୁଟିଉଠେ । ସୃଷ୍ଟିକର୍ତ୍ତା ଭଗବାନ ଯେ ସେମାନଙ୍କ ସୁବିଧା ପାଇଁ ଚନ୍ଦ୍ର ଓ ସୂର୍ଯ୍ୟ ସୃଷ୍ଟି କରିଛନ୍ତି, ଇନ୍ଦ୍ରକୁ ବୃଷ୍ଟି କରିବା ପାଇଁ ନିୟୋଜିତ କରିଛନ୍ତି ଓ ଅନ୍ୟାନ୍ୟ ଯାବତୀୟ ଜଡ଼ବସ୍ତୁକୁ ଜୀବଜଗତ ବିଶେଷତଃ ସର୍ବଶ୍ରେଷ୍ଠ ମାନବ ସମାଜନ ସୁଖସ୍ୱାଚ୍ଛନ୍ଦ୍ୟ ଲାଗି ସୃଷ୍ଟି କରିଛନ୍ତି, ଏ ବିଷୟରେ ବୋଧହୁଏ କାହାରି ସନ୍ଦେହ ନଥିଲା । ମନୁଷ୍ୟ ମନୁଷ୍ୟର ତଥା ଅନ୍ୟାନ୍ୟ ଜୀବଜନ୍ତୁଙ୍କର ଉପକାର ସାଧନ କରିପାରେ ଦୟା ଦେଖାଇ ଯଦି ଜଣେ ଜଣକୁ ଯନ୍ତ୍ରଣା-ଜ୍ୱାଳାରୁ ରକ୍ଷା କରିପାରେ, କିମ୍ବା କେତେକ କ୍ଷେତ୍ରରେ ମୃତ୍ୟୁମୁଖରୁ ବଞ୍ଚାଇପାରେ କିମ୍ବା ଖାଇବାକୁ ଦେଇ ଆଜୀବନ ନିଜପାଖରେ ସମସ୍ତ ପ୍ରକାର ସୁବିଧା ସହ ବଞ୍ଚାଇ ରଖିପାରେ- ତା’ ହେଲେ ସେ ତାହାର ତ୍ରାଣକର୍ତ୍ତା ବା ପାଳନକର୍ତ୍ତା ବୋଲି ବିବେଚିତ ହୋଇଥାଏ । ତେବେ ଏତେବଡ଼ ସୃଷ୍ଟିରେ ଏତେ ବେଶି ସୁବିଧା ଯେତେବେଳେ ମନୁଷ୍ୟ ପାଇଁ ସୃଷ୍ଟି ହୋଇଛି, ସେତେବେଳେ ନିଶ୍ଚୟ ଜଣେ ସୃଷ୍ଟିକର୍ତ୍ତା ମନୁଷ୍ୟର ସୁଖପାଇଁ ଏ ନିୟମକ ହିସାବରେ ରହିଛନ୍ତି ଏବଂ ଏହି ନିୟମାକ ମନୁଷ୍ୟ ପରି ହେଲେ ସୁଦ୍ଧା ମନୁଷ୍ୟଠାରୁ ବହୁଗୁଣରେ ଶକ୍ତିଶାଳୀ- ପ୍ରକୃତରେ ସୃଷ୍ଟିର ଅସୀମତା ଦୃଷ୍ଟିରୁ ସେ ନିଶ୍ଚୟ ଅସୀମ, ସମସ୍ତ ପ୍ରକାର ଗୁଣରେ ଅପରିସୀମ, ଅଭିଜ୍ଞତାରେ ସର୍ବଜ୍ଞତା ଓ ସମୟ ଦୃଷ୍ଟିରୁ ଅବିନିଶ୍ୱର ହୋଇଥିବେ । ଏହି ଦୃଢ଼ବିଶ୍ୱାସ ଯେଉଁମାନଙ୍କର ଥିଲା, ସେହିମାନେ ହେଉଛନ୍ତି ସେ ଯୁଗର ସର୍ବଶ୍ରେଷ୍ଠ ମାନବଜାତି–ସେମାନଙ୍କର ଏହି ଦୃଢ଼ବିଶ୍ୱାସ ହିଁ ସେମାନଙ୍କୁ ପ୍ରଗତି ପଥରେ ଆଗେଇ ନେଇପାରିଥିଲା । ଦ୍ୱନ୍ଦ୍ୱହୀନ ଯୁକ୍ତିରହିତ ଅଖଣ୍ଡ ବିଶ୍ୱାସ ହିଁ ମନୁଷ୍ୟର ଉନ୍ନତିପ୍ରଥର ପ୍ରଧାନ ବନ୍ଧୁ । ଅବଶ୍ୟ ଏ ପ୍ରକାର ଅତି ଉଚ୍ଚଧରଣର ବିଶ୍ୱାସ ସେ ଯୁଗର ସବୁଶ୍ରେଣୀର ମାନବ ସମାଜରେ ନ ରହିବା ସ୍ୱାଭାବିକ । କେବଳ ବୁଦ୍ଧ, ବିଚାରଯୁକ୍ତ ସାମାନ୍ୟ କେତେକ ଉପର ଶ୍ରେଣୀର ଲୋକଙ୍କ ମନରେ ହିଁ ଏପରି ବିଶ୍ୱାସ ସମ୍ଭବ । କାୟିକ ପରିଶ୍ରମରେ ସାରାଦିନ ଲିପ୍ତ ଥିବା ଜନସାଧାରଣଙ୍କ ମନରେ ଏ ପ୍ରକାର ବୁଦ୍ଧି, ବିଚାରଯୁକ୍ତ କଠିନ ଦାର୍ଶନିକ ବିଶ୍ୱାସ ଜନ୍ମିବା କଷ୍ଟକର, ତା’ର ଅର୍ଥ ସେମାନଙ୍କର ଯେ କିଛି ବିଶ୍ୱାସ ନଥିଲା, ତାହା ନୁହେଁ । ସେମାନଙ୍କର ବିଶ୍ୱାସ ସେମାନଙ୍କର ପାରିପାର୍ଶ୍ୱିକ ପରିସ୍ଥିତି ଅନୁଯାୟୀ ଅତି ସରଳ ତଥା ବଡ଼ ସ୍ଥୂଳ ଥିଲା । କାରଣ ମନରେ କୌଣସି ନା କୌଣସି ବିଶ୍ୱାସ ନ ରଖି ମନୁଷ୍ୟ ସୁରୁଖୁରୁରେ ଜୀବନଯାପନ କରିପାରେନା । ସକାଳୁ ସନ୍ଧ୍ୟା ଓ ବୁଦ୍ଧିର ବିକାଶ ହେଲାଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତରେ ବିଶ୍ୱାସ ହିଁ ମନୁଷ୍ୟକୁ ଚଳାଇଥାଏ । ସକାଳୁ ଉଠିବା କ୍ଷଣି ସେ ପୂର୍ବଦିନକୁ ଚାହେଁ, କାରଣ ତା’ର ବିଶ୍ୱାସ ଯେ ସୂର୍ଯ୍ୟ ପ୍ରତିଦିନ ସେହିପରି ସେହି ଗୋଟିଏ ସ୍ଥାନରେ ଦେଖାଦେବେ ଦିନଯାକ କାମ କଲାପରେ ସେ ଅପେକ୍ଷା କରେ ରାତିକୁ ବିଶ୍ରାମ ପାଇଁ -ଗୋଟିଏ ସମୟରେ ସେ ଆଶା କରେ ଯେ ବର୍ଷା ହେବ, ଆଉଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଶୀତ ବା ଗ୍ରୀଷ୍ମ ହେବ । ସେହି ଅନୁସାରେ ସେ ତା’ର ଦୈନନ୍ଦିନ ଜୀବନର କାର୍ଯ୍ୟାବଳି ନିୟନ୍ତ୍ରିତ କରେ । ଏହିସବୁ ବିଶ୍ୱାସ ସହିତ ବାସ୍ତବ ଘଟଣାର କୌଣସି ସାମଞ୍ଜସ୍ୟ ନ ଥାଇପାରେ–ମଝିରେ ମଝିରେ ସେଥିଲାଗି ତା’ର ଅସୁବିଧା ହୋଇପାରେ, ତଥାପି ନବଯୁଗର ବୈପ୍ଳବିକ ନୂତନ ବିଶ୍ୱାସ ପୁରାତନ ବିଶ୍ୱାସର ସ୍ଥାନ ଅଧିକାର ନ କଲା ଯାଏ ମନୁଷ୍ୟ ପୂର୍ବ ବିଶ୍ୱାସକୁ ମିଥ୍ୟା ବୋଲି ବିସର୍ଜନ କରିଦେଇପାରେନା–ନିଜର ଭାଗ୍ୟ, ପ୍ରାକୃତିକ ଦୁର୍ଘଟଣା ପ୍ରଭୃତି ସାହାଯ୍ୟରେ ସିନା ସେ ସବୁକୁ ବୁଝିବାକୁ ଚେଷ୍ଟାକରେ, ତଥାପି ପୂର୍ବ ବିଶ୍ୱାସକୁ ଛାଡ଼ିପାରେନା, ଫଳରେ ବିଶ୍ୱାସ କୁସଂସ୍କାରଯୁକ୍ତ ହୋଇପଡ଼େ ଓ କ୍ରମେ କ୍ରମେ ନୂତନ ଯୁଗର ନୂତନ ଆଲୋକରେ ମ୍ରିୟମାଣ ହୋଇଯାଏ ଯେଉଁମାନେ ସେ ସବୁକୁ ସହଜରେ ଛାଡ଼ିପାରନ୍ତି ନାହିଁ, ସେମାନେ ପଛେଇଯାଆନ୍ତି–ନବଯୁଗର ନୂତନ ମଶାଲଧାରୀ ସୈନିକମାନେ ଏମାନଙ୍କୁ ପଛକୁ ହଟାଇ ଆଗକୁ ମାଡ଼ିଯାଆନ୍ତି । କ୍ରମେ ବିଶ୍ୱାସସବୁ ବଦଲିଯାଏ–କିନ୍ତୁ ପୁରୁଣା ବିଶ୍ୱାସ ପରିବର୍ତ୍ତେ ନୂତନ ବିଶ୍ୱାସର ପ୍ରତିଷ୍ଠା ହେବାଲାଗି ଅନେକ କ୍ଷେତ୍ରରେ ବହୁ ସମୟ ଲାଗେ–ମାନବ ସମାଜକୁ ବହୁଚେଷ୍ଟା କରିବାକୁ ହୁଏ । ଅନେକ ସମୟରେ ଯୁଦ୍ଧବିଗ୍ରହ, ରାଷ୍ଟ୍ରବିପ୍ଲବ ମଧ୍ୟ ଦେଖାଯାଇଥାଏ । ଏଥିରେ କେତେକ ଉନ୍ନତ ଦେଶ ହୁଏ ତ ପୂରାପୂରି ଧ୍ୱଂସ ହୋଇଯାଏ ଏବଂ ଆଉ କେତେକ ଅପେକ୍ଷାକୃତ ଅବନତ ଦେଶ ହୁ ହୁ କରି ଉନ୍ନତିର ସୋପାନଶ୍ରେଣୀରେ ଉଠିପଡ଼ନ୍ତି ।

 

ସାରା ମନୁଷ୍ୟଜାତିର କ୍ରମବିବର୍ତ୍ତନର ଇତିହାସ ଆଲୋଚନା କଲେ ଦେଖାଯାଏ ଯେ ନାନାପ୍ରକାର ବିଶ୍ୱାସ ଭିତରେ ଅବିରତ ଦ୍ୱନ୍ଦ୍ୱ ଲାଗିରହିଛି । ଇନ୍ଦ୍ର, ଚନ୍ଦ୍ର, ବରୁଣ, ସୂର୍ଯ୍ୟ ପ୍ରଭୃତି ମାନବକଳ୍ପନାପ୍ରସୂତ ଦେବତାମାନଙ୍କର କ୍ଷମତା, ସେମାନଙ୍କର ମନୁଷ୍ୟମାନଙ୍କୁ ଯତ୍ନସହକାରେ ପାଳନ କରିବାର ଅଭିପ୍ରାୟ ପ୍ରଭୃତି ବିଷୟରେ ଯେଉଁ ଦୃଢ଼ବିଶ୍ୱାସ, ତାହା ସବୁ ସମୟରେ ଧରି କାର୍ଯ୍ୟକାରୀ ହୋଇପାରେନା । ପରିବର୍ତ୍ତିତ ଯୁଗର ପରିବର୍ତ୍ତିତ ଜ୍ଞାନର ସୀମା ବଢ଼ି ଚାଲିବା ସଙ୍ଗେ ସଙ୍ଗେ ଏ ପ୍ରକାର ସରଳ ବିଶ୍ୱାସ ଭିତରେ ଦ୍ୱନ୍ଦ୍ୱ ଦେଖାଯିବ ସ୍ୱାଭାବିକ । ବୁଦ୍ଧିମାନ ମନୁଷ୍ୟ ନିଜର ବିଚାରଶକ୍ତି ସାହାଯ୍ୟରେ ଦେଖିପାରିଲା ଯେ ବହୁତ ପୂଜା କଲେ ସୁଦ୍ଧା ଅସମୟରେ ଇନ୍ଦ୍ରଦେବଙ୍କୁ କେବେ ହେଲେ ସନ୍ତୁଷ୍ଟ କରିପାରୁ ନାହିଁ–କିନ୍ତୁ କୌଣସି ପୂଜା ନ କଲେ ସୁଦ୍ଧା ଏବଂ କୌଣସି ଦରକାରରେ ଆସୁ ନଥିଲେ ସୁଦ୍ଧା ଅନବରତ ବୃଷ୍ଟିରେ ସବୁ ବୁଡ଼ିଯାଉଛି ଦିନ ଦିନ ଧରି ପୂଜା କଲେ ସୁଦ୍ଧା ଜଣେ ଅନବରତ ଯନ୍ତ୍ରଣା ପାଉଛି ଓ ଆଉ ଜଣେ ପୂଜାପୂଜି ନ କରି, ଦିଅଁ–ଦେବତାଙ୍କର ନାମ ନ ନେଇ ସୁଦ୍ଧା ଆରାମରେ ରହିପାରୁଛି-ଜଣେ କୃତ୍ରିମ ଉପାୟରେ ବସନ୍ତ କିମ୍ୱା ହଇଜାରୁ ରକ୍ଷା ପାଇପାରୁଛି ଓ ଆଉ ଜଣେ ଗଣ୍ଡା ଗଣ୍ଡା ଛେଳି–କୁକୁଡ଼ା ଯାଚି ସୁଦ୍ଧା ସପରିବାର ମୃତ୍ୟୁମୁଖରେ ପଡ଼ୁଛି । ଏହି ବ୍ୟର୍ଥତା ପଛରୁ ଉଙ୍କିମାରିଛି ଏ ପୁରୁଣା ବିଶ୍ୱାସର ଚିତା–ଯାହା ଦିନେ ଦୃଢ଼ବିଶ୍ୱାସ ବୋଲି ଗୃହୀତ ହେଉଥାଏ, ତାହା କ୍ରମେ ଅବିଶ୍ୱାସରେ ପରିଣତ ହୁଏ । ପ୍ରଥମେ ଅତି ବୁଦ୍ଧମାନ୍ ଲୋକଙ୍କ ମନରେ ଏ ପ୍ରକାର ବିପ୍ଲବାତ୍ମକ ସନ୍ଦେହ ଦେଖାଯାଏ, କିନ୍ତୁ କ୍ରମେ ଏହା ସମାଜର ସବୁ ଶ୍ରେଣୀର ମନୁଷ୍ୟମାନଙ୍କ ମନରେ ଆସି ଆସ୍ଥାନ ମାଡ଼ିବସେ ।

 

ସଚେତନ ମନୁଷ୍ୟର ପ୍ରତିଚ୍ଛବି ଅନୁସାରେ ଅଚେତନ ପ୍ରାକୃତିକ ବସ୍ତୁ ଓ ଜଡ଼ ନିୟମଗୁଡ଼ିକୁ ଦେଖିବାକୁ ଯେଉଁ ଭୁଲ୍‍ ବିଶ୍ୱାସ ମନୁଷ୍ୟ ମନକୁ ଆବୋରି ରଖୁଥିଲା, ସେସବୁ କ୍ରମେ କ୍ରମେ ଦୂରୀଭୂତ ହୋଇଯିବା ପରେ ଯେ ମନୁଷ୍ୟର ବିଶ୍ୱାସସବୁ ଯୁକ୍ତିଯୁକ୍ତ ଓ ମନୁଷ୍ୟର ଚିନ୍ତାଧାରା ବୈଜ୍ଞାନିକ ବିଶ୍ଳେଷଣରେ ପର୍ଯ୍ୟବସିତ ହେଲା, ତାହା ନୁହେଁ । ମନୁଷ୍ୟ କେବେହେଲେ ଧ୍ରୁବନିଶ୍ଚିତ ତଥ୍ୟରେ ପହଞ୍ଚିପାରିବ ନାହିଁ । ଯାହା ଆଜି ସତ୍ୟ ବୋଲି ମନେ ହେଉଛି, ହୁଏତ ଜ୍ଞାନର ସୀମା ବଢ଼ିଯିବା ସଙ୍ଗେ ସଙ୍ଗେ କାଲି ତାହା ମିଥ୍ୟା ବୋଲି ପ୍ରମାଣିତ ହୋଇଯିବ- ଆଜିର ବିଶ୍ୱାସ କାଲିର କୁସଂସ୍କାରରରେ ପରିଣତ ହୋଇଯିବ । ତେଣୁ ମନୁଷ୍ୟର ବିଶ୍ୱାସ ସେହି ଅନୁସାରେ ବଦଳିବା ଉଚିତ; କିନ୍ତୁ ଏପରି ବଦଳିବା ଯୁକ୍ତିଯୁକ୍ତ ବୋଲି ମନୁଷ୍ୟର ମନେହେଲେ ସୁଦ୍ଧା ଏବଂ କୌଣସି ଗୋଟିଏ କଥାକୁ ସେ ମିଥ୍ୟା ବୋଲି ଗ୍ରହଣ କଲେ ସୁଦ୍ଧା ତା’ରି ପୁରାତନ ବିଶ୍ୱାସକୁ ସେ ସହଜରେ ଛାଡ଼ିପାରେନା । ସମାଜର ଅଧିକାଂଶ ଲୋକେ ନିଜର ଜ୍ଞାନସୀମା ବଢ଼ିଥିଲେ ସୁଦ୍ଧା ସେମାନଙ୍କର ପୁରାତନ ବିଶ୍ୱାସକୁ ଖୁବ୍ ଶୀଘ୍ର ଛାଡ଼ିପାରନ୍ତି ନାହିଁ । ତା’ ଅର୍ଥ, ବୁଦ୍ଧି ଗୋଟିଏ କଥାକୁ ସତ୍ୟ ବୋଲି ସ୍ୱୀକାର କରୁ ନ ଥିଲେ ସୁଦ୍ଧା ମନରେ ଆଉ ଗୋଟିଏ କ୍ଷେତ୍ରରେ ତାହା ଆଦର୍ଶ ରୂପେ ଗୃହୀତ ହୋଇଥାଏ । ଯେତେବେଳେ ଜ୍ଞାନରାଜ୍ୟରେ ବିପ୍ଲବାତ୍ମକ ପରିବର୍ତ୍ତନ ଆସେ, ସେତେବେଳେ ମନୁଷ୍ୟ-ଜୀବନର ସାମାନ୍ୟ ଗୋଟିଏ ଅଂଶକୁ ମାତ୍ର ପ୍ରଭାବିତ କରେ, କିନ୍ତୁ ବିଶ୍ୱାସ ତା’ର ସାରା ପ୍ରାଣକୁ ଆନ୍ଦୋଳିତ କରିଦେଇପାରେ । ସେଥିପାଇଁ ବୁଦ୍ଧିର ଆଦେଶରେ ବିଶ୍ୱାସ ହଠାତ୍ ବଦଳିଯାଏ ନାହିଁ । ଅବଶ୍ୟ କେତେକ ଯେ ବିଚାରଶକ୍ତି ଅନୁସାରେ ବିଶ୍ୱାସ ବଦଳାଇ ନପାରନ୍ତି, ତାହା ନୁହେଁ, କିନ୍ତୁ ସାଧାରଣ ଲୋକେ ଏହା ସହଜରେ କରିପାରନ୍ତି ନାହିଁ । ବୁଦ୍ଧି ବହୁତ ଆଗକୁ ମାଡ଼ିଯାଉଥିବା ବେଳେ ବିଶ୍ୱାସ ପଛ ଦୁନିଆ ଆଡ଼କୁ ଟାଣିଧରେ- କିନ୍ତୁ ଏ ଦୁଇ ଶକ୍ତି ଭିତରେ ଉପଯୁକ୍ତ ମିଳନ ନ ହେଲେ ମନୁଷ୍ୟର ମନ ବଡ଼ ଦୁର୍ବଳ ହୋଇପଡ଼େ- ଜୀବନୀଶକ୍ତି ବାଧାବିଘ୍ନ ଅତିକ୍ରମ କରି ଆଗକୁ ଅଗ୍ରସର ହେବାକୁ ସାହସ କରିପାରେ ନାହିଁ । ବ୍ୟକ୍ତିବିଶେଷଙ୍କର ଏ ପ୍ରକାର ଦ୍ୱନ୍ଦ୍ୱଯୁକ୍ତ ମନ ସାରା ସାମାଜିକ ଜୀବନକୁ ମଧ୍ୟ ଦୁର୍ବଳ ଓ କଳୁଷିତ କରିପକାଏ । ଯେଉଁ ଜାତି ଯେତେ ସଭ୍ୟ ଓ ଶକ୍ତିଶାଳୀ, ସେ ଜାତିର ଲୋକେ ଏ ପ୍ରକାର ମାନସିକ ଦ୍ୱନ୍ଦ୍ୱରୁ ସେତେ ବାହାରେ-। ମନୁଷ୍ୟର ବିଶ୍ୱାସ, ବୁଦ୍ଧି ଓ ବିଚାରଶକ୍ତି ସହିତ ତାଳ ପକାଇ ଚାଲି ନ ପାରିଲେ ତା’ର କାମ କରିବା ପାଇଁ ଦୃଢ଼ତା ଆସିପାରେ ନାହିଁ ।

 

ଆଧୁନିକ ଯୁଗରେ ପ୍ରତ୍ୟେକ ଦେଶରେ ବିଚାରଶକ୍ତି ପରିଚାଳିତ ବିଜ୍ଞାନପ୍ରସୂତ ଫଳାଫଳ ସହିତ ମନୁଷ୍ୟର ବିଶ୍ୱାସ ଅନେକ ସମୟରେ ଖାପ ଖାଉ ନାହିଁ- ଏଥିଲାଗି ଯେଉଁ ବ୍ୟର୍ଥତା ଓ ମାନସିକ ଦ୍ୱନ୍ଦ୍ୱ ଦେଖାଯାଉଛି, ତାହା ବହୁ କ୍ଷତି କରୁଛି । ବିଣେଷତଃ ଆମ ଦେଶରେ ଏହାର ସତ୍ୟତା ଭଲଭାବରେ ଉପଲବ୍ଧ କରିହୁଏ । ଆମ ଦେଶରେ ବିଜ୍ଞାନର ପ୍ରଭାବ ଯେଉଁମାନଙ୍କ ଉପରେ ପଡ଼ିଛି, ସେମାନେ ପ୍ରକୃତରେ ବିଜ୍ଞାନ ଓ ମନୁଷ୍ୟର ବିଚାରଶକ୍ତିର ପ୍ରଶଂସା କରୁଥିଲାବେଳେ ଘରକୁ ଫେରିଲା ପରେ ହଜାର ହଜାର ବର୍ଷଧରି ଗଡ଼ି ଆସୁଥିବା ନାନାପ୍ରକାର ସମ୍ପୂର୍ଣ୍ଣ କୁସଂସ୍କାରରେ ଦୃଢ଼ବିଶ୍ୱାସ ରଖି କାମ କରନ୍ତି । ତେଣୁ ପୋଥି-ବାଇଗଣ ଓ ବାରି-ବାଇଗଣ ଭିତରେ ଯେଉଁ ପ୍ରଭେଦ, ତାହା ପ୍ରତି କ୍ଷେତ୍ରରେ ଆମ୍ଭେମାନେ ଦେଖିବାକୁ ପାଉଁ । ନିଜେ ଡାକ୍ତର ବିଜ୍ଞାନସମ୍ମତ ଜ୍ଞାନ ବିଷୟରେ ବକ୍ତୃତା କରୁଥିଲାବେଳେ ପୁଅର ଦେହ ଖରାପ ହେଲେ ମା’ କାଳୀଙ୍କୁ କୁକୁଡ଼ା ଯାଚେ କିମ୍ୱା ଶିବମୂର୍ତ୍ତି ପାଖରେ ବ୍ରାହ୍ମଣ ବସାଇ ଅଭିଷେକ କରେ । ସମାଜସେବୀ ନେତା ଶ୍ରେଣୀହୀନ, ଜାତିହୀନ ଓ ବର୍ଣ୍ଣହୀନ ସମାଜ ପ୍ରତିଷ୍ଠା କରିବାପାଇଁ ଯେଉଁମାନଙ୍କର ଆଗରେ ଜ୍ୱାଳାମୟୀ ବକ୍ତୃତା କରେ ସେହିମାନଙ୍କୁ ପୁଅର ବ୍ରତଘରପାଇଁ ମଧ୍ୟ ନିମନ୍ତ୍ରଣ କରେ । ଧର୍ମପରାୟଣ ଜନସେବୀ ‘ସର୍ବଦେହେ ନାରାୟଣ’ ବୋଲି କହୁଥିଲାବେଳେ ହରିଜନମାନଙ୍କଠାରୁ ଜଳସ୍ପର୍ଶ କରେନା ଓ ଜଗନ୍ନାଥ ମନ୍ଦିର ଉପରେ ପତିତପାବନ ବାନା ଉଡ଼ାଇଲା ପରେ ମଧ୍ୟ ହରିଜନ ପିଲାଟିଏ ମନ୍ଦିର ଭିତରେ ପଶିଗଲାକ୍ଷଣି ପତିତପାବନଙ୍କର ଭୋଗକୁ ଅପବିତ୍ର ହେଲା ବୋଲି ପୋତି ପକାଏ; ଏହିପରି ନାନାପ୍ରକାର ଦ୍ୱନ୍ଦ୍ୱ ଆମ୍ଭମାନଙ୍କ ମନରେ ଦେଖାଦେଇଛି । ତେଣୁ ଆମ ଲୋକଙ୍କ ଭିତରେ ଗୋଟିଏ ବଳିଷ୍ଠ ଆତ୍ମବିଶ୍ୱାସ ଦେଖାଯାଏ ନାହିଁ କି କୌଣସି କାମରେ ମନର ଦୃଢ଼ତା ପ୍ରକାଶ ପାଏନାହିଁ । ଶିକ୍ଷିତ ସଂପ୍ରଦାୟ ଭିତରେ ହିଁ ଏ ପ୍ରକାର ଦ୍ୱନ୍ଦ୍ୱ ବେଶି ଦେଖାଯାଏ । ଯେଉଁମାନେ ଆଧୁନିକ ଯୁଗର ସଂସ୍ପର୍ଶରେ ଆସି ନାହାନ୍ତି–ଯେଉଁମାନଙ୍କର ପୁରୁଣା ଆଦର୍ଶ ବିଜ୍ଞାନର ନୂତନ ସତ୍ୟ ଆଗରେ ମୁହାଁମୁହିଁ ଭେଟି ନାହିଁ, ସେମାନଙ୍କ ଭିତରେ ବରଂ ଏ ପ୍ରକାର ଦ୍ୱନ୍ଦ୍ୱ ଦେଖାଯାଏ, କିନ୍ତୁ ବର୍ତ୍ତମାନ ଆମ ଦେଶରେ ଯେଉଁ ଅବସ୍ଥା, ସେଥିରେ ଶିକ୍ଷିତ ଲୋକ ହିଁ ସମାଜର ପ୍ରକୃତ କର୍ମକର୍ତ୍ତା । ତେଣୁ ଏମାନଙ୍କ ଭିତରେ ଦ୍ୱନ୍ଦ୍ୱହୀନ ବଳିଷ୍ଠ ମନୋଭାବ ସୃଷ୍ଟି ନହେଲା ଯାଏ ଆମ ସମାଜ କୌଣସିମତେ ଆଗେଇପାରିବ ନାହିଁ । ଯେଉଁ ଦେଶରେ ଅଧିକାଂଶ ନରନାରୀ ଅତୀତ ଯୁଗର ଆଦର୍ଶ ଛାଡ଼ି ଆଧୁନିକ ଯୁଗର ବିଜ୍ଞାନସମ୍ମତ ଚିନ୍ତାଧାରାଦ୍ୱାରା ଅନୁପ୍ରାଣିତ, ସେମାନେ ଆମ୍ଭମାନଙ୍କୁ ପାଦରେ ଦଳି ଆଗେଇଯିବେ ଏବଂ ଆମେ ଦୁର୍ବଳ ଓ ପରାଧୀନ ହୋଇ ପଡ଼ିରହିବା । ତେଣୁ ପ୍ରତ୍ୟେକଙ୍କର ଏ ବିଷୟରେ ଗଭୀର ଚିନ୍ତା କରି ଦେଖିବା ଉଚିତ ।

Image

 

ବିପ୍ଲବ

(ଶ୍ରୀ ଚିତ୍ତରଞ୍ଜନ ଦାସ)

 

ଏବେ ସମସ୍ତେ କହୁଛନ୍ତି ଯେ, ଆମ ଦେଶରେ ବର୍ତ୍ତମାନ ଗୋଟିଏ ବିପ୍ଲବ ଦରକାର । ଅର୍ଥାତ୍ ଯିଏ ଯେଉଁ କ୍ଷେତ୍ରେ ଅଛନ୍ତି, ସେମାନେ ସେହି କ୍ଷେତ୍ରରେ ବର୍ତ୍ତମାନର ସ୍ଥିତିରେ ଆଦୌ ସନ୍ତୁଷ୍ଟ ନୁହନ୍ତି, ତେଣୁ ସେମାନେ ସେହି କ୍ଷେତ୍ରରେ ପରିବର୍ତ୍ତନ ସେମାନେ ବିପ୍ଲବ ବୋଲି କହୁଛନ୍ତି । ମନ୍ତ୍ରୀ ଓ ଯନ୍ତ୍ରୀ ଆଜି ସମସ୍ତେ କହୁଛନ୍ତି, ଆମ ଦେଶରେ ବର୍ତ୍ତମାନ ଏକ ବିପ୍ଲବ ନିତାନ୍ତ ଦରକାର । କେହି ବିରକ୍ତ ହୋଇ ଏପରି କହୁଛନ୍ତି, କେହି ବା ବିବ୍ରତ ହୋଇ ଏପରି କହୁଛନ୍ତି । ସେଦିନ ଜଣେ ଉଚ୍ଚପଦସ୍ଥ ଓ ଅତି ବିଶ୍ୱସ୍ତ ସରକାରୀ କର୍ମଚାରୀ- ଜଣେ ଇଞ୍ଜିନିୟର୍, ଯିଏ କି ନିଜର ଅଫିସ ହାକିମ ଓ ଗସ୍ତକ୍ରମ ବ୍ୟତୀତ ଦୁନିଆରେ ପ୍ରାୟ ଆଉ କିଛିହେଲେ ଜାଣନ୍ତି ନାହିଁ, ଜଣେ ଉଚ୍ଚପଦସ୍ଥ ପୋଲିସ ଅଫିସରଙ୍କ ଆଗରେ ସିଏ ବି ଆପଣା ଭିତରେ କୌଣସି ଅନିର୍ଣ୍ଣିତ ଗହ୍ୱରରେ କେଉଁ ଅନିଶ୍ଚିତ ଜ୍ୱଳା ଅନୁଭବ କରୁଥିବା ପରି ହଠାତ୍ ଶାନ୍ତିଭଙ୍ଗ କରି କହିପକାଇଲେ, ଏ ଦେଶରେ ଗୋଟିଏ ବିପ୍ଲବ ଅତି ସତ୍ୱର ଅବଶ୍ୟ ଦରକାର । ଭାରତୀୟ ଜନ ସମାଜର ସହିବାର ସୀମାରେ ସେ ବିସ୍ମୟ ପ୍ରକାଶ କରିଥିଲେ । ପ୍ରକାରନ୍ତରେ ସେ ହୁଏ ତ ଆପଣା ସହିବା ଶକ୍ତିର ସୀମାରେ ହିଁ ବିସ୍ମୟ ପ୍ରକାଶ କରୁଥିଲେ ।

 

ବିପ୍ଲବ ସମସ୍ତେ ଚାହୁଁଛନ୍ତି । ତେଣୁ କାରଣ ଓ ଅକାରଣରେ ସମସ୍ତେ ବିପ୍ଲବର ଆରୋପଣ ବି କରୁଛନ୍ତି । ଆମ ଜୀବନ ସଂସ୍ଥାନର ପୁରୁଣା ଚାଳଗୁଡ଼ାକୁ ଏକାବେଳକେ ଓଲାରି ଦେବାକୁ ସମସ୍ତେ ଚାହୁଁଛନ୍ତି । ହୁଏ ତ ସେହି କାରଣରୁ କେଉଁଠି କୋଉ ଗାଈକୁ ଚାଳ ଓଲାରୁଥିବାର ଦେଖିଲେ ସେମାନେ ଗୋଟାଏ ପ୍ରକାର ହର୍ଷ ଅନୁଭବ କରୁଛନ୍ତି ଏବଂ ସେହି ହର୍ଷଦାହର ଉତ୍ତେଜନାରେ ପଡ଼ି ସେମାନେ ସେଇଟାକୁ ସେମାନଙ୍କର ଅତି ଆକାଙ୍‍କ୍ଷିତ ବିପ୍ଲବର ଏକ ପୂର୍ବ ସୂଚନା ବୋଲି ଭାବିବାକୁ ମଧ୍ୟ ଆରମ୍ଭ କରୁଛନ୍ତି । ଆଗେ ଆମେ ସମାଜରେ ସୁନାପୁଅ ହେବାକୁ ବା ବୋଲାଇବାକୁ ଭଲ ପାଉଥିଲୁ; ଏବେ ହୁଏତ ବିପ୍ଲବୀ ହେବାକୁ ବା ବୋଲାଇବାକୁ ଭଲପାଉଛୁ । ଆଗେ ଆମେ ଆମ ପିଲାଙ୍କ ନାଆଁ ‘ସୁଶୀଳ’, ‘ସୁଶାନ୍ତ’ ବା ‘ସୁକୁମାର’ ବୋଲି ଦେଇଥିଲୁ ଏବେ ‘ବିପ୍ଲବୀ’ ବୋଲି ଦେଲୁଣି । ଏପରି ନାଆଁରେ ଆମର ପିଲାଏ ଏବେ ବେଶ ଗର୍ବ ଓ ଗୌରବ ବି ଅନୁଭବ କଲେଣି ! ଆମ ଚାରିପାଖରେ ଆମେ ବିପ୍ଲବ ବ୍ୟତୀତ ସତେ ଅବା ଆଉ କିଛିହେଲେ ଦେଖିପାରୁନାହୁଁ । କିଏ ନିତ୍ୟଜଗତରେ ବିପ୍ଲବ ସୃଷ୍ଟି କରୁଛି । କେଉଁ ତାରକା ଚିତ୍ରଜଗତରେ ବି ବିପ୍ଲବ ସୃଷ୍ଟି କରୁଛି । ଗୋଆଲିଅର ବା ଗୋରଖପୁରର କେଉଁ ଲୁଗାକଳ ସୁଟ ଓ ସାର୍ଟଜଗତରେ ବିପ୍ଲବ ସୃଷ୍ଟି କରୁଛି ତ ପୁଣି କେଉଁ ପ୍ରକାଶକ ବହିର ଗେଟ୍-ଅପ୍ ଜଗତରେ ମଧ୍ୟ ବିପ୍ଲବ ସୃଷ୍ଟି କରୁଛି । କିଏ ଫେସନ୍ ଜଗତରେ ବିପ୍ଲବ ସୃଷ୍ଟି କରୁଛି ତ ଆଉ କିଏ ମଡ଼େଲ ଜଗତରେ ବି ବିପ୍ଲବ ସୃଷ୍ଟି କରୁଛି । ବିପ୍ଲବ କହିଲେ ଆଗେ ଆମେ ରୁଷ-ବିପ୍ଲବ, ଫରାସୀ ବିପ୍ଲବ ବା ଶିଳ୍ପବିପ୍ଲବ ଆଦି ଇତିହାସର କେତୋଟି ବିଶେଷ ଘଟଣାକୁ ବୁଝୁଥିଲୁ । ସଂସାରର ବିପ୍ଲବଗୁଡ଼ାକ ସେତେବେଳେ ଆମର ହାତ ଆଙ୍ଗୁଠି ଆଗରେ ଗଣିହୋଇ ଯାଉଥିଲା । ଗୋଟାଏ ଯୁଗର ହୁଏତ କେବଳ ଗୋଟାଏ ବିପ୍ଲବ ହେଉଥିଲା । ମାତ୍ର ଏବେ ବିପ୍ଲବ ପଦେ ପଦେ ହେଉଛି, ବିପ୍ଲବ କଥା କଥାକେ ହେଉଛି, ଥଳଅଥଳରେ ଧୂମାଳ ଉଠୁଛି ଏବଂ ଅଥଳଥଳରେ ବିପ୍ଲବରେ ନାଆ ପଡ଼ୁଛି । କିଏ କହୁଛି ଆମେ ଚାହୁ ବା ନ ଚାହୁଁ, ଆମକୁ ଓ ଆମର ଚତୁଃପାର୍ଶ୍ୱକୁ ନେଇ ଏକ ତୁନ୍ତାନ୍ ବିପ୍ଲବ ଏବେ ନିରନ୍ତର ଚାଲିଛି । ବିନା ଶବ୍ଦରେ ଷ୍ଟୋଭ୍ ଜଳିଲା ପରି ଓ ବିନା ଘୁ ଘୁ ରେ ଜେଟ୍‍ ବିମାନ ଚାଲିଲା ପରି ଏହି ତୁନ୍ ତାନ୍ ବିପ୍ଲବ ଚାଲିଛି । ତୁନ୍ ତାନ ହୋଇ କରଡ଼ାମାନ ଖସିବାରେ ଲାଗିଛନ୍ତି; ଖାଲି ଖସିବାରେ ହିଁ ଲାଗିଛନ୍ତି । ହସିବାକୁ ବେଳ ନାହିଁ କି ମୋ’ ଦିନ-କାଳ ଆସୁଚି ବୋଲି କହିବାକୁ ବି ବେଳ ନାହିଁ । ଆମ ସାମୂହିକ ଓ ପ୍ରାତ୍ୟହିକ ଜୀବନର ଅନ୍ତରୀକ୍ଷ ଉପରେ କେତେ କୃତ୍ରିମ ବିପ୍ଲବର ହାବେଳୀମାନ ଯେ ଉପଗ୍ରହ ସଦୃଶ କେତେ କେତେ ନୂଆ କକ୍ଷରେ ବୁଲିବାରେ ଲାଗିଛନ୍ତି ଓ ଆମକୁ ନୋଟିସ୍ ନ ଦେଇ ଆମର ଜୀବନକୁ କେତେପ୍ରକାରେ ଯେ ନିୟନ୍ତ୍ରିତ କରିବାରେ ଲାଗିଛନ୍ତ ସେ କଥା ଆମକୁ ବି ଜଣାନାହିଁ ।

 

ସରକାରୀ ପତାକା ତଳେ ସଭାରେ ବସି ଆମକୁ ଆମ ମନ୍ତ୍ରୀମାନେ ବିପ୍ଲବର କଥା କହୁଛନ୍ତି; କଳାପତାକା ଧରି ସଡ଼କ ଉପରେ ଯାଉ ଯାଉ ମନ୍ତ୍ରୀଙ୍କର ବିରୋଧିମାନେ ବି ବିପ୍ଲବର କଥା କହୁଛନ୍ତି । ମଜଦୁରମାନେ ଧର୍ମଘଟ କରି ମାଲିକମାନଙ୍କ ବିରୁଦ୍ଧରେ ବିପ୍ଲବ କରୁଛନ୍ତି । ମହଙ୍ଗାଭତ୍ତା ବଢ଼ାଅ ବୋଲି ଦାବୀକରି ତଳିଆ କର୍ମଚାରୀମାନେ ବିପ୍ଲବ କରୁଛନ୍ତି । ମାହାଳିଆ ଭତ୍ତାମାନ ବଢ଼ାଅ ଆମକୁ ଇଂଲଣ୍ଡ ଓ ଆମେରିକାର ସମପଦସ୍ଥ ବାବୁମାନଙ୍କ ପରି ହେବାକୁ ଦିଅ ବୋଲି ଦାବୀକରି ଆମ ହାକିମମାନେ ମଧ୍ୟ ବିପ୍ଲବ କରୁଛନ୍ତି । ରେଳଗାଡ଼ି ଅଟକାଇ, ଶିକ୍ଷା ଅଫିସରେ ଓ ଶିକ୍ଷକମାନଙ୍କୁ ଘେରାଉ କରି ଏବଂ ପରୀକ୍ଷା ବର୍ଜନ କରି ଆମ ଛାତ୍ରମାନେ ବିପ୍ଲବ କରୁଛନ୍ତି । ସେମାନଙ୍କର ସମଧର୍ମୀ ଶିକ୍ଷକମାନେ ବି କମ୍ କାମ କରି ଓ ବେଶି ଦାବୀ କରି ବିପ୍ଲବର ବଜାରରେ ଅନ୍ୟ ଯେକୌଣସି ଉତ୍ତେଜିତ ପଲର ସମକକ୍ଷ ହୋଇ ସଉଦା କରି ବାହାରୁଛନ୍ତି । ଆଗେ ଶିକ୍ଷକମାନେ ଆବଶ୍ୟକ ପଡ଼ିଲେ ଛାତ୍ରମାନଙ୍କୁ ପରୀକ୍ଷାଘରୁ ବାହାର କରି ଦେଉଥିଲେ । ଏବେ ଆବଶ୍ୟକ ପଡ଼ିଲେ ଛାତ୍ରମାନେ ବି ଶିକ୍ଷକମାନଙ୍କୁ ପରୀକ୍ଷାଘରୁ ବାହାର କରି ଦେଉଛନ୍ତି । ପ୍ରବୀଣ ଓ ପୁରାତନମାନଙ୍କୁ ସତେ ଅବା ଯେ କୌଣସି ପ୍ରକାରେ ଅବଜ୍ଞା କରିବା ଲାଗି ଆଧୁନିକ ସାହିତ୍ୟିକ ଆପଣାକୁ ବିପ୍ଲବୀ ବୋଲି କହୁଛି । ତାକୁ ଟିକିଏ ନିକଟରୁ ଦେଖିବାକୁ ଚେଷ୍ଟାକଲେ ମନେହେଉଛି, ସତେ ଯେପରି ସେ ସାହିତ୍ୟିକ ହେବା ଆଗରୁ ପ୍ରଥମେ ବିପ୍ଲବୀ ହିଁ ହେବାକୁ ଇଚ୍ଛାକରୁଛି, କାରଣ କେଉଁ କାମଚଣ୍ଡୀଙ୍କର ବୋଲ ମାନିଥିବା ପରି ସିଏ ସାହିତ୍ୟ ଅପେକ୍ଷା ବିପ୍ଲବଟାକୁ ଚିହ୍ନିବା ଲାଗି ହିଁ ଯେପରି ଆପଣାର ଭବ୍ୟତମ ଧର୍ମରୂପେ ଗ୍ରହଣ କରିନେଇଛି !

 

ସ୍ୱାଧୀନତା ପରେ ଅର୍ଥାତ୍ ଗତ କୋଡ଼ିଏ ବର୍ଷ ଭିତରେ ଆମ ଦେଶରେ କେତେ ନାମରେ କେତେ ବିପ୍ଲବ ହୋଇଯାଇଛି । ସରକାରୀ ଓ ବେସରକାରୀ ଉଭୟବିଧ ଶିବିରରୁ ଏହିସବୁ ବିପ୍ଲବର ଡାକରା ଦିଆଯାଉଛି, ଉଭୟବିଧ ମଞ୍ଚା ଉପରୁ ବିପ୍ଲବର ନହବତ୍ ବାଜିଛି । ଦିଲ୍ଲୀରୁ ଦେଶକୁ ଚଳାଉଥିବା ବଡ଼ ବଡ଼ ସରକାରୀ ଅଫିସରମାନେ ଓ ସେମାନଙ୍କର ବ୍ୟାଖ୍ୟାଦ୍ୱାରା ପରିଚାଳିତ ହେଉଥିବା ମନ୍ତ୍ରୀମାନେ ସରକାରୀ ଗୋଷ୍ଠୀବିକାଶ ଯୋଜନାକୁ ବେଶ୍ କେତେଦିନ ଲାଗି ଏକ ତଥାକଥିତ ‘ନୀରବ ବିପ୍ଲବ’ ବୋଲି କହିବାରେ ଲାଗିଥିଲେ । ଏହି ନୀରବ ବିପ୍ଲବରେ ବିପ୍ଲବ ନଥିଲା କି ନୀରବତା ମଧ୍ୟ ନଥିଲା । କାରଣ ଏହାକୁ ନେଇ ଦିଲ୍ଲୀସ୍ତରରୁ ଆମ ବ୍ଲକ୍‍ସ୍ତର ପର୍ଯ୍ୟନ୍ତ ସବୁଠି ବିପ୍ଲବକୁ ବାଦ୍ ଦେଇ ପ୍ରଧାନତଃ କୋଳାହଳ ହିଁ ସୃଷ୍ଟି କରାଯାଉଥିଲା । ସେହି କୋଳାହଳ ମଧ୍ୟ ଏବେ କ୍ରମେ ଧିମେଇ ଆସିଥିବା ପରି ମନେହେଉଛି । ଅଫିସର ସମେତ ସରକାରୀ ମନ୍ତ୍ରୀମାନେ ଏବେ ପରିବାର ନିୟନ୍ତ୍ରଣକୁ ବିପ୍ଲବର ନୂତନତ୍ୱର ସ୍ଲୋଗାନ ରୂପେ ଗ୍ରହଣ କଲେଣି । ସେମାନେ ଏବେ ତାହାରି ସକାଶେ ଅଧିକ ବକ୍ତୃତା ଦେଉଛନ୍ତି ଓ ଅଧିକ କାଗଜ ଚଷୁଛନ୍ତି । ଏପରି କରି ସେମାନେ ଗୋଟିଏ ବଡ଼ ବିପ୍ଲବରେ ଗୌରବାନ୍ୱିତ ଅଂଶଗ୍ରହଣ କରୁଛନ୍ତି ବୋଲି ଭାବୁଛନ୍ତି । ଏହିମାତ୍ର ଏପରି କରି ସେମାନେ ହୁଏ ତ ଅସଲ ବିପ୍ଲବଗୁଡ଼ାକୁ କୁଣ୍ଠିତ ଓ ବିଳମ୍ୱିତ କରିବାରେହିଁ ଅଧିକ ସାହାଯ୍ୟ କରୁଛନ୍ତି । ଆମ ଦେଶରେ ଭାଷାକୁ ନେଇ ଯେ ବିପ୍ଲବ ହୋଇପାରେ, ଗାଈର ଲାଂଗୁଳ ଧରି ଧର୍ମମଠର ମହନ୍ତଗୁରୁମାନେ ଯେ ଭଗବାନଙ୍କର ନାମ ନେଇ ବିପ୍ଲବ କରିବାକୁ ବାହାରିପାରନ୍ତି, ଆମେ ଗତ କେତେ ବର୍ଷର ଘଟଣାଗୁଡ଼ିକରେ ତାହାର ଏକାଧିକ ଦୃଷ୍ଟାନ୍ତ ବି ଦେଖିବାକୁ ପାଇଛୁ । ଆମ ଦେଶରେ ଜାତିକୁ ନେଇ ମଧ୍ୟ ବିପ୍ଲବ ହୋଇପାରେ, ଅର୍ଥାତ୍ ଗୋଟିଏ ଜାତି ଓ ଗୋଟିଏ ରାଷ୍ଟ୍ରରୂପେ ଆପଣାକୁ ଗଢ଼ିବା ସ୍ୱପ୍ନ ଦେଖୁଥିବା ଓ ଉଦ୍ୟମ କରୁଥିବା ଏହି ଭାରତବର୍ଷରେ ଆମେ ବିପ୍ଲବର ବାନା ଧରି ଗୋଟାଏ ଖଣ୍ଡଜାତିକୁ ଆଉ ଗୋଟିଏ ଖଣ୍ଡ ଜାତି ସହିତ ବେଶ୍ ଲଢ଼ାଇ ଦେଇପାରୁ । ଏସବୁ କଥା କେବଳ କଳ୍ପନା ବା ସମ୍ଭାବନା ନୁହେଁ; କାରଣ ଗତ କୋଡ଼ିଏ ବର୍ଷ ଭିତରେ ଏସବୁ ଆମ ଦେଶରେ ନାନା ନାମରେ ଓ ନାନା ଭେକରେ କେତେ କେତେ ଜାଗାରେ ଘଟିଯାଉଛି । ଓଡ଼ିଶାରେ ଘଟିଛି, ଓଡ଼ିଶା ବାହାରେ ମଧ୍ୟ ଘଟିଛି । ଅତୀତରେ ଘଟିଛି, ହୁଏ ତ ବର୍ତ୍ତମାନ ମଧ୍ୟ ଅଦମିତ ଉତ୍ସାହର ସହିତ ଘଟିବାରେ ଲାଗିଛି; କିନ୍ତୁ ଏହିସବୁ ତଥାକଥିତ ବିପ୍ଲବ ଭିତରେ ଆମେ ଗୋଟିଏ ସର୍ବସାମାନ୍ୟ ଲକ୍ଷଣକୁ ଅବଶ୍ୟ ବାରି ରଖିବା । ସରକାରୀ ତଥା ବେସରକାରୀ ଏହି ସବୁ ପ୍ରାୟ ପ୍ରତ୍ୟେକ ବିପ୍ଲବରେ, ତାହା ଯାହାକୁ ଆଶ୍ରୟ କରି ସଂଘଟିତ ହୋଇଥାଉ ପଛକେ, ସବୁଥିରେ ରାଜନୀତିବାଲାଏ ହିଁ ନେତୃତ୍ୱ ଗ୍ରହଣ କରିଛନ୍ତି । ବିପ୍ଲବ ଧର୍ମକୁ ନେଇ ହୋଇଛି, ଗୋମାତାକୁ ନେଇ ହୋଇଛି; କିନ୍ତୁ ରାଜନୀତି ହିଁ ଏହିସବୁ ବିପ୍ଲବରେ ମୂଳ ପ୍ରେରଣା ଓ ମୂଳ ପ୍ରେରକ ରୂପେ କାର୍ଯ୍ୟ କରିଛି । ଯେଉଁମାନେ କ୍ଷମତାରେ ଅଛନ୍ତି, କ୍ଷମତାରେ ତିଷ୍ଠି ରହିବା ଲାଗି ସେମାନେ ଅନୁରୂପ ବିପ୍ଲବର ବଖାଣ କରି ଆମ ସମସ୍ତଙ୍କର ମନକୁ ଫୁସୁଲାଇ ରଖିବାର ଉଦ୍ୟମ କରିଛନ୍ତି ଏବଂ ଯେଉଁମାନେ କ୍ଷମତାରେ ନାହାଁନ୍ତି ସେମାନେ କ୍ଷମତାସୀନମାନଙ୍କୁ ଉଠାଇ ଆପେ ଯାଇ ସେମାନଙ୍କ ସ୍ଥାନରେ ବସିବା ମତଲବରେ ଆମ ସମସ୍ତଙ୍କର ମନକୁ ଉଖାରି ଦେବାର ଉଦ୍ୟମ କରିଛନ୍ତି ଓ ଯାହା କରିଛନ୍ତି, ତାହାକୁ ହିଁ ବିପ୍ଲବ ବୋଲି କହିଛନ୍ତି । ଫଳରେ ଆମ ଦେଶର ନେତା ବଦଳିଛନ୍ତି, ସ୍ଲାଗାନ୍ ବଦଳିଛି । ଆମ ରୋଷ ଓ ଅସନ୍ତୋଷଗୁଡ଼ିକରେ ନିମିତ୍ତମାନ ବଦଳି ଯାଇଛନ୍ତି ସତ, ମାତ୍ର ରାଜନୀତିକ ସ୍ୱାଧୀନତା ହାସଲ କରିବା ପରେ ଆମ ଦେଶରେ ଯାହା ସବୁ ଆଗ ବଦଳିବା ଉଚିତ ଥିଲା ଓ ଯାହାସବୁ ବଦଳିଥିଲେ ଏଠି ଯଥାର୍ଥରେ ଗୋଟିଏ ବିପ୍ଲବ ହେଲା ବୋଲି କୁହାଯାଇ ପାରିଥାନ୍ତା, ସେ ସବୁ ଏ ପର୍ଯ୍ୟନ୍ତ ବଦଳି ନାହିଁ ।

 

ବିପ୍ଲବର କେତେ ରକମର, କାରଣ ବିପ୍ଲବୀ କେତେ ରକମର । ମୂଳତଃ ମଣିଷ ହିଁ ବିପ୍ଲବ କରେ, ମଣିଷ ହିଁ ବିପ୍ଲବର ସ୍ୱପ୍ନ ଦେଖେ ଓ ବିପ୍ଲବର ମଙ୍ଗମୋଡ଼େ । ସେଦିନ ଭାରତ ସରକାରଙ୍କର ଜଣେ ମନ୍ତ୍ରୀ ଛାତ୍ରମାନଙ୍କୁ ଭାଷଣ ଦେଇ କହିଲେ ଯେ, ସ୍ଲୋଗାନ ଦ୍ୱାରା ବିପ୍ଲବ ହୁଏ ନାହିଁ । ଏହା ଅତ୍ୟନ୍ତ ସତ କଥା, କିନ୍ତୁ ହୁଏତ ଅସଲ କଥାଟି ଏଡ଼ିଦେବାକୁ ସିଏ ତାହାପରେ ମିଛ କଥାଟିଏ ବି କହିଲେ । ସେ କହିଲେ ଯେ ବିଜ୍ଞାନ ଓ ଯନ୍ତ୍ରକୌଶଳ ଦ୍ୱାରା ସମାଜରେ ବିପ୍ଲବ ହୁଏ । ମୁଁ କହିବି ମଣିଷ ଚାହିଁଲେ ଯାଇ ବିଜ୍ଞାନ ଏବଂ ଯନ୍ତ୍ରକୌଶଳ ବିପ୍ଲବର ସାଧନ ରୂପେ ବ୍ୟବହୃତ ହୁଅନ୍ତି । ପୁଣି କେତେକ ଅନ୍ୟକାମୀ ମଣିଷ ଚାହିଁଲେ ବିଜ୍ଞାନ ଓ ଯନ୍ତ୍ରକୌଶଳର ସାହାଯ୍ୟରେ ଅନେକ ମଣିଷଙ୍କୁ ପ୍ରତାରିତ ମଧ୍ୟ କରିପାରନ୍ତି । ଗତ କୋଡ଼ିଏ ବର୍ଷ ଧରି ଆମ ଦେଶ ଓ ଆମର ସମାଜକୁ ଦେଖି ଆସିଥିବା କୌଣସି ପାଠକକୁ ଏ କଥା ବୁଝାଇ କହିବା ହୁଏ ତ ଆବଶ୍ୟକ ହିଁ ହେବନାହିଁ । ଆମ ପୁରୁଣା କଥାଟିର ଖିଅ ଧରି ଆମେ କହିବା ଯେ ବିପ୍ଲବ କେତେ ରକମର, କାରଣ ବିପ୍ଲବୀ କେତେ ରକମର । ସ୍ଲୋଗାନ୍ ବିପ୍ଲବ କରେନାହିଁ, ମତବାଦ ବିପ୍ଲବ କରେନାହିଁ, ବିପ୍ଲବୀର ଦୃଷ୍ଟିହିଁ ବିପ୍ଲବକୁ ଅସଲି ବା ନକଲି ଅର୍ଥ ଦେଇଥାଏ । ବିପ୍ଲବୀର ଦୃଷ୍ଟି ଯେତିକି ପ୍ରଶସ୍ତ ହୁଏ, ବିପ୍ଲବ ମଧ୍ୟ ସେତିକି ହୁଏ । ବିପ୍ଲବୀର ଦୃଷ୍ଟି ସଙ୍କୁଚିତ ହୋଇଆସିଲେ, ତାହା ଯେ କୌଣସି କାରଣରୁ ବା ଅକାରଣରୁ ହେଉ ପଛକେ ସକଳ ଆଡ଼ମ୍ୱର ଓ ଆସ୍ଫାଳନ ସତ୍ତ୍ୱେ ତା’ର ବିପ୍ଲବ ମଧ୍ୟ ସଙ୍କୁଚିତ ହୋଇଯାଏ । ରାଜନୀତିକ ସ୍ୱାଧୀନତା ସକାଶେ ଏ ଦେଶରେ ସଂଗ୍ରାମ ଚାଲିଥିବା ସମୟରେ ସ୍ୱାଧୀନତା ହାସଲ ହୋଇଯିବା ପରେ ଆମେ ଆପଣାର ଦେଶକୁ କିପରି ଭାବରେ ଗଢ଼ିବା, ତତ୍କାଳୀନ ନେତୃତ୍ୱର ଏ ବିଷୟରେ ଏକ ସମଗ୍ର ସଙ୍ଗତ ଦୃଷ୍ଟି ସବୁବେଳେ ରହିଆସିଥିଲା । ସ୍ୱାଧୀନତା ଆସିଗଲେ ଆମେ ସମସ୍ତେ ଯେ ଶୋଇବାକୁ ଚାଲିଯିବା, ଅର୍ଥାତ୍ ଗୋଟିଏ ଜାତି ବା ସମୂହହିସାବରେ ଯେ ଆମର ଆଉ କିଛି କରିବାକୁ ନଥିବ, ସେତେବେଳର ନେତୃତ୍ୱ କଦାପି ଏପରି ଚିନ୍ତା କରୁନଥିଲା । ଆମ ହାତକୁ ସ୍ୱାଧୀନତା ଆସିଲେ ଆମେ ତାହାପରେ ଆମ ସମାଜକୁ ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ ତିଆରି କରିବା- ପ୍ରଧାନତଃ ସେଇଥିଲାଗି ଆମେ ସ୍ୱାଧୀନତାକୁ ଆବଶ୍ୟକ ପ୍ରଥମ ସୋପାନ ରୂପେ ଗ୍ରହଣ କରିଥିଲୁ । ଦେଶର ପ୍ରତ୍ୟେକ ମନୁଷ୍ୟ ଲାଗି ବିକାଶର ବାଟକୁ ଉନ୍ମୁକ୍ତ କରି ଏଠି ଏକ ଯୋଗ୍ୟତର ସମାଜର ପ୍ରତିଷ୍ଠା ହେବ, ମଣିଷର ହାତଗୋଡ଼ ଓ ମନକୁ ନାନାପ୍ରକାରରେ ବାନ୍ଧି ରଖିଥିବା ଯାବତୀୟ ଆର୍ଥିକ, ସାମାଜିକ ଓ ରାଜନୀତିକ ବାଧା ଅପସରି ଯିବା, ବିଦେଶୀ ଶାସକର ଗୋଲାମୀକୁ କେବଳ ରାଷ୍ଟ୍ରୀୟ ଶାସକର ଗୋଲାମ ହେବା ପାଇଁ ଗୋଟାଏ ନୂଆ ଭେକ ପିନ୍ଧାଇଦେଲେ ଯଥେଷ୍ଟ ହେବନାହିଁ, ମଣିଷକୁ ମଣିଷଭଳି ମୁକ୍ତି, ବିକାଶୋତ୍ସାହୀ ଓ ଦାୟିତ୍ୱସମ୍ପନ୍ନ କରି ଗଢ଼ିବାଲାଗି ଏହି ଦେଶର ପୂର୍ଣ୍ଣଶକ୍ତି ଉଦ୍ୟମ କରାଯିବ, ଦେଶର ଶିକ୍ଷାକୁ ମଧ୍ୟ ଆମେ ତଦନୁରୂପ ବଦଳାଇ ଦେବା, ପୁରୁଣା ସଂସ୍କାରଗୁଡ଼ାକୁ ମଧ୍ୟ ତଦନୁରୂପ ବଦଳାଇ ଦେବା । ଏସବୁ ହେବ ବୋଲି ଆମେ ଆମ ଦେଶକୁ ସ୍ୱାଧୀନ କରିବାକୁ ଚାହିଁଥିଲୁ । ଏହିସବୁ କାର୍ଯ୍ୟକ୍ରମକୁ ତତ୍କାଳୀନ ଜାତୀୟ ନେତୃତ୍ୱ, ଜାତୀୟ ବିପ୍ଲବର ପ୍ରତୀକ ଗାନ୍ଧୀ ଆପଣା ଭାଷାରେ ରଚନାତ୍ମକ କାର୍ଯ୍ୟକ୍ରମ ବୋଲି କହୁଥିଲେ । ଦେଶରୁ ବିଦେଶୀ ଶସନ ହଟିଯିବା ପୂର୍ବରୁ ମଧ୍ୟ ନୂଆ ଭାରତର ଉଦ୍ୟାନ ଲାଗି ସତେ ଅବା ମାଟି ପାଗକରି ରଖିବାଲାଗି ସେ ରଚନାତ୍ମକ କାର୍ଯ୍ୟକୁ ଆରମ୍ଭ ବି କରିଦେଇଥିଲେ । ଆପଣାର ନିର୍ମାଣମୂଳକ ଦୃଷ୍ଟିରେ ପରିଚାଳିତ ହୋଇ ସେ ରାଜନୀତିକ ସ୍ୱାଧୀନତା ହାସଲ କରିବାର ସଂଗ୍ରାମଠାରୁ ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ଆବଶ୍ୟକ ଓ ଅଧିକ ଜରୁରୀ ବୋଲି କହୁଥିଲେ । କାରଣ ସେ ଭାବୁଥିଲେ ଯେ ରାଜନୀତିକ ସ୍ୱାଧୀନତା ସଙ୍ଗେ ସଙ୍ଗେ ଆର୍ଥିକ, ସାମାଜିକ ଓ ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ବିପ୍ଲବ ସଂଘଟିତ ହୋଇପାରିଲେ ଯାଇ ଆମ ଦେଶର ମଣିଷକୁ ମଣିଷ ପରି ଗଢ଼ିବାର ବିପ୍ଲବ ସମ୍ପୂର୍ଣ୍ଣ ହୋଇପାରିବ-। ଆମ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଏହି ଦୃଷ୍ଟିରୁ ପ୍ରତିନିଧି ହୋଇ ରହିଥିଲେ-। ଦେଶର ରାଜନୀତିକ ସ୍ୱାଧୀନତା ଉପରେ ସେ ଯେତେ ଲେଖି ନାହାନ୍ତି ବା କହିନାହାନ୍ତି, ସ୍ୱାଧୀନ ଦେଶର ଅନୁକୂଳ ଭୂମି ଉପରେ ମଣିଷକୁ ତା’ର ଯାବତୀୟ ମହିମାରେ ସର୍ବଥା ସମ୍ପନ୍ନ କରି ଗଢ଼ିବା ବିଷୟରେ ତା’ର ଯାବତୀୟ ମହିମାରେ ସର୍ବଥା ସମ୍ପନ୍ନ କରି ଗଢ଼ିବା ବିଷୟରେ ତା’ଠାରୁ ଅଧିକ କହିଛନ୍ତି ଓ ଲେଖିଛନ୍ତି, ଅଧିକ ବ୍ୟାକୁଳତା ପ୍ରକାଶ କରିଛନ୍ତି । ଗାନ୍ଧୀ କହ ବା ଗୋପବନ୍ଧୁ କହ, କେତେଜଣ ତଥାକଥିତ ସୁନାଗରିକ ଗଢ଼ିବା ଏମାନଙ୍କର ମୂଳ ଲକ୍ଷ୍ୟ ନଥିଲା । ନାଗରିକ ଶବ୍ଦଟିର ପରିଧି ପ୍ରଧାନତଃ କେବଳ ଏକ ରାଜନୀତିକ ମୂଲ୍ୟ କଳ୍ପନା ଭିତରେ ସୀମାବଦ୍ଧ । ପ୍ରତ୍ୟେକ ନାଗରିକକୁ ପରିପୂର୍ଣ୍ଣତାର ମଣିଷ ହେବା ଲାଗି ଆବଶ୍ୟକ ବାତାବରଣ ଓ ଉତ୍ ପ୍ରେରକମାନ ଯୋଗାଇଦେବା ହେଉଛି ଯେ କୌଣସି ସ୍ୱରାଷ୍ଟ୍ର ବା ସ୍ୱରାଜ୍ୟର ସର୍ବପ୍ରଧାନ କର୍ତ୍ତବ୍ୟ । କେବଳ ଜଣେ ସୁନାଗରିକ ହେବା ଯଥାର୍ଥ ମଣିଷର ଲକ୍ଷ୍ୟ ନୁହେଁ । ନାଗରିକତାର ଗୋଚରଭୂମିଠାରୁ ମଣିଷପଣିଆର ଗୋଚରମୂମି ଅନେକ ବଡ଼ । ମଣିଷକୁ ନାନାଭାବରେ ଧରିବାନ୍ଧି ଫୁସୁଲାଇ କେବଳ ଏକ ବାଧ୍ୟ ନାଗରିକ କରି ରଖିବାର ଅପଚେଷ୍ଟା ଆମ ଇତିହାସରେ ଅନେକ ହୋଇଛି ଏବଂ ଏହି ଅପଚେଷ୍ଟାକୁ ବିପ୍ଲବ ବୋଲି କୁହାଯାଇଛି । ରାଷ୍ଟ୍ର ମଣିଷର ଅନୁକୂଳ ହେବ, ଏହା ଏକ ବୈପ୍ଳବିକ ବିଚାର । ମଣିଷ ରାଷ୍ଟ୍ରାୟତ୍ତ ହୋଇରହିବ, ଏହା ହେଉଛି ଏକ ପୁରୁଣା ସଂସ୍କାର ।

 

ଆମ ଦେଶ ସ୍ୱାଧୀନ ହେଲା, ଇଂରେଜ ଗଲେ, ସ୍ୱାଧୀନତା ସକାଶେ ସଂଗ୍ରାମ କରୁଥିବା ବୀରମାନେ ଦେଶର ଶାସକ ହେଲେ; କିନ୍ତୁ ଆମର କଳ୍ପିତ ‘ବିପ୍ଲବ’ ଗଲା କୁଆଡ଼େ ? କାଲି ତତ୍କାଳୀନ ନେତୃତ୍ୱ ପାଖରେ ସେମାନେ ଯେଉଁ ସମ୍ପୂର୍ଣ୍ଣ ବିପ୍ଲବର ଶପଥ ନେଇଥିଲେ, ତାହାକୁ ଏପର ଅଧାପନ୍ତରିଆ କରିପକାଇ ରଖିଲେ କାହିଁକି ? ଗୋଟାଏ ଦୃଷ୍ଟିରୁ ଦେଖିଲେ ଆମ ଦେଶରେ ଗତ କୋଡ଼ିଏ ବର୍ଷର ଇତିହାସ ହେଉଛି ଏକ ଆବଶ୍ୟକ ଓ ସ୍ୱାଭାବିକ ବିପ୍ଲବକୁ ଅଟକାଇ ରଖିଥିବାର ଇତିହାସ ଓ ତାହାରି ଆନୁସାଙ୍ଗିକ ଯାବତୀୟ ଅସ୍ୱାଭାବିକତାର ଇତିହାସ । ବିପ୍ଲବର ସମାଜଶାସ୍ତ୍ରୀୟ ଆଲୋଚନା କରି ଅନେକ ସମୀକ୍ଷକ କହିଛନ୍ତି ଯେ, ବିପ୍ଲବ ଦ୍ୱାରା କୌଣସି ଜନସମୂହ ଯାହାସବୁ ହାସଲ କରିପାରେ ନାହିଁ । ଆଜି ଝଣ୍ଡାଧରି ବିପ୍ଲବକରି ବାହାରିଥିବା ବିପ୍ଲବୀ ଭିତରେ କାଲି ବିପ୍ଲବ ପରେ କୋଉଠି କି ଶିଥିଳତା ବା ଅପାରଗତା ଆସେ କେଜାଣି ପରବର୍ତ୍ତୀ ବିପ୍ଲବମାନ କରିବା ସକାଶେ ସେ ସମର୍ଥ ନେତୃତ୍ୱ ଦେଇପାରେ ନାହିଁ । ବିପ୍ଲବର ଦ୍ୱାହିଦେଇ ସେ ପୁରୁଣା ଗାଦିକୁ ଭାଙ୍ଗେ କିନ୍ତୁ ବିପ୍ଲବ ପରେ ନିଜେ ନୂଆଗାଦିରେ ବସିଯିବା ପରେ ସେ ଆଉ ବିପ୍ଲବର ନାଆଁ ବି ଧରେନାହିଁ; କାରଣ ସେ କେବଳ ଗାଦି ମାଡ଼ିବସି ରହିବାକୁ ଚାହେଁ । ଏହି ସୂତ୍ରରେ ପଡ଼ି କାଲିର ବିପ୍ଲବୀ ଆଜି ପ୍ରତିକ୍ରିୟାଶୀଳ ପକ୍ଷରେ ପରିଣତ ହୁଏ । ଗୋଟାଏ ସ୍ତରର ସ୍ୱେଚ୍ଛାଚାରିତା ପରେ, ଆଉ ଗୋଟାଏ ସ୍ତରରେ ସ୍ୱେଚ୍ଛାଚାରିତା ଆରମ୍ଭ ହୋଇଯାଏ, ବିପ୍ଲବ ଅଟକିଯାଏ କାଲିକା ବିପ୍ଲବର ନେତା ଆଜିର ସତ୍ତାକୁ ହସ୍ତାୟତ୍ତ କରିସାରିବା ପରେ ଆଉ ଉପ୍ଳବ କଥା କହେନାହିଁ । ସେ ଯେଉଁଠି ଅଛି ସେଇଠି ରହିବାକୁ ଚାହେଁ । ତା’ର ଅନୁଗତ ମଣିଷସମୂହ ମଧ୍ୟ ସେ ସେଇଠି ତୁଣ୍ଡିବାନ୍ଧି ପକାଇ ରଖିବାକୁ ଚାହେଁ । ତାଙ୍କ ଗାଦିରୁ ତଡ଼ିବାଲାଗି ହୁଏତ ଆଉ ଦଳେ ବିପ୍ଲବୀ ବାହାରନ୍ତି, ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ପାଲଟି ଶୀତଳ ହୋଇଯାଆନ୍ତି ବି ପ୍ରତିକ୍ରିୟାଶୀଳ । ଇତିହାସରେ ଏକାଧିକ ଦେଶରେ ଆମେ ଏହି ବିଷଚକ୍ରର କରାମତି ଦେଖିବାକୁ ପାଇବା । ଏକଥା ରୁଷିଆରେ ହୋଇଛି, ଏକ ବିପ୍ଲବୀ ବିଚାରର ସୂତ୍ରଗୁରୁ କାର୍ଲମାର୍କ୍ସ ମଧ୍ୟ ଏହାରି ଉତ୍ତେଜନାରେ ପଡ଼ି ଆପଣା ବିଚାରରେ ସର ପକାଇ ଦେଇଛନ୍ତି । ହୁଏତ ଏହି ଦୃଷ୍ଟିରୁ ବିଚାର କରି ଆଲୋଚକ ଟଏନ୍‍ବୀ ଆମେରିକାକୁ ‘ବିପ୍ଲବ ଫେଲ୍ ମାରିଥିବାର ଏକ ଦେଶ’ ବୋଲି କହିଛନ୍ତି । ରାଜନୀତିକ ସ୍ୱାଧୀନତା ଆସିବ, ସେଥିରେ ହୁଏ ତ ଆମ ଭାରତବର୍ଷରେ ମଧ୍ୟ ଏହିପରି ଗୋଟିଏ ଦୁର୍ଘଟଣା ବା ଦୁଃଖଦ ଘଟଣା ଘଟିଛି । କାଲିର ବିପ୍ଲବରେ ସବୁଠାରୁ ବେଶି ଗର୍ଜନ କରିଥିବା ନେତୃତ୍ୱ ଆଜି କ୍ଷମତାସୀନ ହୋଇ ପ୍ରତିକ୍ରିୟାଶୀଳ ପାଲଟି ଯାଇଛି ଓ ଯାବତୀୟ ଯଥାର୍ଥ ବିପ୍ଲବର ମୁହଁ ବନ୍ଦକରି ରଖିବାକୁ ହିଁ ଆପଣାର ସର୍ବପ୍ରଧାନ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛି । ସେ ରାଜନୀତିକ ସ୍ୱାଧୀନତାକୁ ହିଁ ମନୁଷ୍ୟାକାଂକ୍ଷାର ଆଦି ଓ ଅନ୍ତରୂପେ ଗ୍ରହଣ କରିନେଇଛି । କୌଣସି ପ୍ରକାର ବିବେକଚାଳିତ ବିଚାରଦ୍ୱାରା ପ୍ରଣୋଦିତ ହୋଇ ନୁହେଁ, ଆପଣାର ଆସ୍ଥାନଟିକୁ ଯେ କୌଣସି ପ୍ରକାର ଦୃଢ଼ କରି ରଖିବାକୁ ଦୁଷ୍ଟଲୋଭରେ ପଡ଼ି ସେ ଏପରି କରିଛି । ଏକଥା ଶୁଣି ଆମେ ମୁଣ୍ଡ କୋଡ଼ୁ ବା ଦାନ୍ତ ରଗଡ଼ୁ ପଛକେ, ଆମ ଦେଶରେ ଏହିପରି ହିଁ ହୋଇଛି, ନ ହେଲେ ବିଗତ କୋଡ଼ିଏ ବର୍ଷର ସୁଦୀର୍ଘ ଅବସର ଭିତରେ ଆମ ଦେଶର ଇତିହାସ ଭିନ୍ନ ଅକ୍ଷରରେ ଲେଖାହୋଇଥାନ୍ତା । ଏ ଦେଶରେ ଅନ୍ୟ ମୂଲ୍ୟର ଅର୍ଚ୍ଚନା ହୋଇଥାନ୍ତା ଏବଂ ଆମ ସମସ୍ତଙ୍କର ଉତ୍ସାହ ଗୋଟିଏ ଅନ୍ୟ ମାର୍ଗରେ ଧାବିତ ହୋଇଥାନ୍ତା । ସମଗ୍ର ଦେଶକୁ ଗୋଟିଏ ସୁଯୋଗ ଓ ଆହ୍ୱାନର କ୍ଷେତ୍ରରୂପେ ଗ୍ରହଣ କରି ଏଠି ମଣିଷ ଜୀବନକୁ ନେଇ ଫୁଲ ଫୁଟାଇବା ଲାଗି ଶ୍ରଦ୍ଧାର ସହିତ ଜମି ତିଆରି ହୋଇଥାନ୍ତା, ଅନାବାଦୀ ଅବାଦୀ ହୋଇଥାନ୍ତା । ମାତ୍ର ଗୋଟାଏ ଦେଶକୁ ଏତେ ଭାବରେ ବାଣ୍ଟି ଦେବାଲାଗି ଦିନକୁ ଦିନ ନୂଆ ନୂଆ ବାଡ଼ ପଡ଼ୁ ନଥାନ୍ତା କି ନୂଆ ନୂଆ କାନ୍ଥି ବା ଅଧାକାନ୍ଥିମାନ ଉଠି ନଥାନ୍ତା । ଅସଲ ବିପ୍ଲବଟି ଏଠି ବାରିତ ହୋଇ ରହିଛି ବୋଲି ବୋଧହୁଏ ଆମର ଚାରିପାଖକୁ ଗ୍ରାସ କରି ଏତେ ଏତେ ଖଣ୍ଡବିପ୍ଲବ ବା ଖଣ୍ଡପ୍ରଳୟର ଅଶୁଭ ଶକୁନ ମୁଣ୍ଡ ଟେକିବାରେ ଲାଗିଛନ୍ତି । ଅସଲ ମଣିଷକୁ ବାରିତ କରି ରଖାଯାଇଛି ବୋଲି ବୋଧହୁଏ ଏଠି ଗତ କୋଡ଼ିଏ ବର୍ଷ ହେଲା ମଣିଷଙ୍କ ସକାଶେ ଅଧିକ ପ୍ରଶ୍ରୟ ଦିଆଯାଉଛି । ଯାହାସବୁ ନ ଘଟିବା ଉଚିତ ଥିଲା, ଆମ ଦେଶରେ ସେହିଗୁଡ଼ାକ ହିଁ ଅଧିକ ନିଶ୍ଚିତ ଭାବରେ ଘଟି ଘଟି ଚାଲିଛି । ବାହାରେ କୋଳାହଳ ବଢ଼ୁଛି, ବିପ୍ଲବ ବିଷୟରେ ଲମ୍ବା ଚଉଡ଼ା ଭାଷଣ ଦିଆଯାଉଛି, କିନ୍ତୁ ଆପଣା ଆପଣାର ଆସ୍ଥାନ ଉପରେ ତିଷ୍ଠି ରହିବାଲାଗି ହିଁ ଆମ ଦେଶର ବିଭିନ୍ନଭେକୀ ନେତୃତ୍ୱସବୁ ଲଢ଼େଇ କରି ବାହାରିଛନ୍ତି । ଶକ୍ତି ଏଥିରେ ସରୁଛି । ତେଣୁ ଅସଲ ବିପ୍ଲବ କରିବା ପାଇଁ ଆଉ ଶକ୍ତି ଆସିବ କୁଆଡ଼ୁ ? ଚତୁରତା, ଧୂର୍ତ୍ତତାକୁ ହିଁ ଏବେ ପ୍ରତ୍ୟୁତ୍ପନ୍ନମତିତା ବୋଲି କୁହାଯାଉଛି, ତେଣୁ ମଣିଷଲାଗି ଯଥାର୍ଥ ବିପ୍ଲବର ଅବସର ଖାଲି ଗଡ଼ି ଗଡ଼ି ଯାଉଛି ।

 

ଆମର ଦେଶ ବିଦେଶୀ ଶାସନରୁମୁକ୍ତି ପାଇବା ଲାଗି ସଂଗ୍ରାମ କରୁଥିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ମୁଖ୍ୟତଃ ଏକ ରାଜନୀତିକ ସଂଗ୍ରାମ ହୋଇ ରହିଥିଲା । ଏପରି ହେବା ଅତ୍ୟନ୍ତ ସ୍ୱାଭାବିକ ଥିଲା । ରାଜନୀତି କହିଲେ ସେତେବେଳେ ବିଦେଶୀ ପ୍ରଭୃତ୍ୱକୁ ହଟାଇବାର ସାମ୍ମୁଖ୍ୟଟିକୁ ହିଁ ବୁଝାଉଥିଲା, କିନ୍ତୁ ରାଜନୀତିକ ସ୍ୱାଧୀନତା ଆସିବା ପରେ ଯଦି ଆମର ଦେଶ ସ୍ୱାଭାବିକ ଭାବରେ ଆବଶ୍ୟକ ଅନ୍ୟାନ୍ୟ ବିପ୍ଲବଗୁଡ଼ିକର ସ୍ୱାଗତ କରିଥାନ୍ତା, ତେବେ ଏ ଦେଶରେ ରାଜନୀତି କ୍ରମେ ଗୌଣ ହୋଇଯାଇଥାନ୍ତା, ବିପ୍ଲବ ହିଁ ମୁଖ୍ୟ ହୋଇଥାନ୍ତା । ଶାସନ ଚଳାଇବା ଲାଗି ନିର୍ବାଚିତ ହେଉଥିବା ପାତ୍ରମନ୍ତ୍ରୀମାନେ ମଧ୍ୟ ଏ ଦେଶରେ ମୁଖ୍ୟତଃ ବିପ୍ଲବକୁ ଆଗେଇ ନେବାରେ ହିଁ ସହଯୋଗ କରିଥାନ୍ତେ । ବଡ଼ ନିକୃଷ୍ଟ ଅଥଚ ବଡ଼ ଚତୁର ଭାବରେ ସେମାନେ ଶାସନ କାମୁଡ଼ି ରହିବାକୁ ହିଁ ଦେଶର ମଣିଷ ପ୍ରତି ସେମାନଙ୍କର ଏକମାତ୍ର କର୍ତ୍ତବ୍ୟ ବୋଲି ଧରିନେଇ ନଥାନ୍ତେ । ସ୍ୱାଧୀନତା ପରେ ଏ ଦେଶରେ ବିପ୍ଲବ ଲାଗି କେତେ କଅଣ କ୍ଷେତ୍ର ନଥିଲା ! ଦେଶର ପାଞ୍ଚଲକ୍ଷ ଗାଁ ସେମାନଙ୍କର ନିଷ୍ଠାପର ହାତର ଯତ୍ନ ଲାଗି ଅପେକ୍ଷା କରି ରହିଥିଲେ; ଦେଶର କୋଟି କୋଟି ନିରକ୍ଷର ଆଖି ପାଇବେ ବୋଲି ଅନାଇ ରହିଥିଲେ, ଦେଶର ପିଲାଏ ପାଠ ପଢ଼ିବାକୁ ଯିବେ ବୋଲି ଚାହିଁ ବସିଥିଲେ; ଦେଶର ଚାଷୀ ଚାହିଁ ରହିଥିଲା, ଦେଶର ଶ୍ରମିକ ଚାହିଁ ରହିଥିଲା, କିନ୍ତୁ ସ୍ୱାଧୀନତା ପରେ ଆମ ଜାତୀୟଜୀବନର ବିଭିନ୍ନ ସ୍ତରରେ ଯେଉଁମାନେ କ୍ଷମତାରେ ରହିଲେ ସେମାନେ ଏହିସବୁ ଆହ୍ୱାନକୁ ଉପେକ୍ଷାକରି କେଡ଼େ ଅଯୋଗ୍ୟତା ଓ ନିର୍ମମତା ନ ଦେଖାଇଲେ ! ସେମାନେ ଆପଣାର କର୍ତ୍ତଟିକୁବ୍ୟ ଛାଡ଼ି ଆଉ ସବୁ କାମକଲେ । ମନ୍ତ୍ରୀ ସଭା କଲେ ମାଲ୍ୟଚନ୍ଦନ ଭୂଷିତ ହେବାକୁ ଗସ୍ତରେ ଧାଇଁଲେ, ସୁଧୀ ବୋଲାଇବାକୁ ବତ୍କୃତା କରିବୁଲିଲେ ଓ ସବୁପ୍ରକାର ଆସନରେ ଯାଇ ଆଗ ବସିବାକୁ ବ୍ୟସ୍ତ ହୋଇପଡ଼ିଲେ । ସେମାନେ ସାହିତ୍ୟ କଲେ, ଧର୍ମସଭାରେ ଯୋଗ-ସନ୍ୟାସୀଙ୍କ ଗହଣରେ ଯାଇ ବସିଲେ, ସଙ୍ଗୀତ କଲେ, ନାଟକ କଲେ, ଏକାଡେମୀ କଲେ, କିନ୍ତୁ ଆପଣାର କାମଟି କଲେ ନାହିଁ- ପ୍ରତିନିଧି ହିସାବରେ ଦେଶର ଯେଉଁସବୁ ବିପ୍ଲବରେ ନିମିତ୍ତ ରୂପେ ବ୍ୟବହୃତ ହୋଇ ସେମାନେ ଧନ୍ୟ ହୋଇଥାନ୍ତେ, ସେହିସବୁ ବିପ୍ଲବରୁ ଦେଶର ମନକୁ ହୁରୁଡ଼ାଇ ନେବାରେ ହିଁ ସେମାନେ ନିମିତ୍ତ ପରି କାର୍ଯ୍ୟ କଲେ । ଏହି ଅସାଧୁତା ଜ୍ୟାମିତିକ ସୂତ୍ରରେ କ୍ରମେ ଅଧିକ ସଂପ୍ରସାରିତ ହେଲା, ଅର୍ଥାତ୍ ଦେଶରୁ ଆହୁରି ଅନେକ କ୍ଷେତ୍ରରେ ଆସ୍ଥାନସ୍ଥ ବଡ଼ମଣିଷମାନେ ମଧ୍ୟ କ୍ରମେ ଆପଣାର କାର୍ଯ୍ୟଟିକୁ ବାଦ୍ ଦେଇ ଆଉସବୁ କଥା କରିବାରେ ମନ ବଳାଇଲେ । ବିଶ୍ୱବିଦ୍ୟାଳୟର ବିଦ୍ୟାକ୍ଷେତ୍ରରେ ହୁଏତ କାଉ ଉଡ଼ିଲେ, ମାତ୍ର ଅଧ୍ୟାପକଙ୍କ ସମେତ ବିଶ୍ୱବିଦ୍ୟାଳୟର ଥାନପତିମାନେ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ବୀରପଣିଆ ଦେଖାଇ ବାହାରିଲେ-। ସାହିତ୍ୟସଭାଠାରୁ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ସବୁ ଥାନକୁ ଯିବାକୁ ସମୟ ମିଲିଲା, ସେମାନଙ୍କର ଶକ୍ତି ପାଇଲା, ମାତ୍ର ବିଦ୍ୟାଚର୍ଚ୍ଚା ଓ ଅଧ୍ୟାପନା ଲାଗି ଶକ୍ତି ପାଇଲା ନାହିଁ କି ସମୟ ଅଣ୍ଟିଲା ନାହିଁ-। ସଫଳତା ଓ ସାବାସୀ ପାଇବାର ଏହି ଆତ୍ମସଚେତକ ଦୌଡ଼ରେ ସେମାନେ ପରସ୍ପରର ନିନ୍ଦୁକତା କଲେ, ପରସ୍ପରର ଗାତ ଖୋଳିବାରେ ଲାଗିଲେ ଏବଂ ସର୍ବୋପରି ଆପଣା ଆପଣାର ସ୍ଥାନଗୁଡ଼ିକୁ ସୁଦୃଢ଼ ରଖିବା ଲାଗି ସବୁଠାରୁ ଅଧିକ ତତ୍ପର ହୋଇ ରହିଲେ । ଇଞ୍ଜିନିୟର ଗୁଣେ ଜାଗାରେ ହୁଏ ତ ପାଞ୍ଚ ଗୁଣ କମାଇଲା, କିନ୍ତୁ ବାଧ୍ୟ ହୋଇ ଆପଣା କାମର ଚଉଠେ ମାତ୍ର କଲା । ଡାକ୍ତର ଔଷଧ ଲାଗି ଚିଠା ଲେଖିଦେଲା, ପଇସା ନେଇ ବଡ଼ଲୋକ ହେଲା । ଯେଉଁ ଗୁଣ ଓ ଯୋଗ୍ୟତା ଥିଲେ କୌଣସି ମଣିଷକୁ ଜଣେ ଯୋଗ୍ୟ ଡାକ୍ତର ବୋଲି କୁହାଯାଇପାରନ୍ତା, ସେହିସବୁ ଗୁଣ ଓ ଯୋଗ୍ୟତାକୁ ସିଏ ପୁରୁଣା ପଢ଼ାବହି ଭିତରେ ରଖିଦେଇ ଆସିଲା । ଶିକ୍ଷା ବିଭାଗରେ ସର୍ବୋଚ୍ଚ କର୍ମଚାରୀଠାରୁ ଆରମ୍ଭ କରି ଗାଆଁ ସ୍କୁଲର ଶିକ୍ଷକ ପର୍ଯ୍ୟନ୍ତ ସମସ୍ତେ ପ୍ରଚଳିତ ଶିକ୍ଷାରୀତି ଓ ପରୀକ୍ଷାରୀତି ବଦଳିବା ଉଚିତ ବୋଲି କହିଲେ; କିନ୍ତୁ ଶିକ୍ଷା ଓ ପରୀକ୍ଷାର ମାଲ୍‍ଗୋଦାମମାନଙ୍କରେ ପାରମ୍ପରିକ ରୀତିରେ ଯେଉଁ ବ୍ୟବସାୟ ସମ୍ପୃକ୍ତ ସଭିଙ୍କର ସୌହାର୍ଦ୍ଦ୍ୟ ଭିତରେ ଚାଲିଆସୁଛି, ସେମାନେ ସମସ୍ତେ ସେଥିରୁ ଲାଭ ଉଠାଇବାରେ କୌଣସି କାର୍ପଣ୍ୟ କଲେ ନାହିଁ । ଏହି ବ୍ୟବସାୟ ଭାଙ୍ଗିଲେ ସିନା ଶିକ୍ଷା ଓ ପରୀକ୍ଷାର ରୀତି ବଦଳିପାରନ୍ତା ! ତେଣୁ ଏହିସବୁ ମଣିଷମାନେ ବିପ୍ଲବ କରିଥାନ୍ତେ ଆଉ କେତେବେଳେ ? ଆମ ଦେଶରେ ବିପ୍ଲବକୁ ଟାଳିଦେବାରେ ଆମ ସାହିତ୍ୟିକ ମଧ୍ୟ କମ୍ ଦାୟୀ ନୁହେଁ । ଗତ କୋଡ଼ିଏ ବର୍ଷ ଭିତରେ ସେ ସାହିତ୍ୟରେ ଯେତେ ଆଗ୍ରହ ନ ଦେଖାଇଛି, ରାଜନୀତିକୁ ଆଣି ସାହିତ୍ୟସଭାରେ ବସାଇବା ଲାଗି ହୁଏତ ତା’ ଠାରୁ ଅଧିକ ଆଗ୍ରହ ଦେଖାଇଛି । ସାହିତ୍ୟରସିକ ଓ ମଣିଷହିସାବରେ ସେମାନେ ଯେଡ଼େ ଅଯୋଗ୍ୟ ହୋଇଥାଆନ୍ତୁ ପଛକେ, ରାଜନୀତିକ କ୍ଷମତାଧାରୀମାନେ ଆମ ସ୍ୱାଧୀନ ଭାରତରେ ସଫଳ ସାହିତ୍ୟର ଆରାଧନୀୟ ହୋଇ ରହିଛନ୍ତି । ସେମାନଙ୍କୁ ସାହିତ୍ୟସଭାରେ ରଥୀ କରି ବସାଇ ଆମ ସାହିତ୍ୟିକମାନେ କୁସୁମ ପରଶରେ ପଟ ନିସ୍ତରିଗଲା ପରି ଅନୁଭବ କରୁଛନ୍ତି । ଏଥର ଅତି ସହଜରେ ବୁଝିହେବ, ଆମ ଦେଶର ସାହିତ୍ୟିକର ଆକାଂକ୍ଷା କାହିଁକି ଅନେକାଂଶରେ ଏକ ଭାବପ୍ରବଣ ଜାତୀୟତାର ହୁଡ଼ାବନ୍ଧ ଭିତରେ ଏକ ଶାନ୍ତ ଜଳାଶୟ ପରି ହୋଇ ରହିଛି । ରାଜନୀତିକ ସ୍ୱାଧୀନତା ପରେ ଆମ ଦେଶରେ ଜାତୀୟତାର ସଂଜ୍ଞାରେ ମଧ୍ୟ ଏକ ବିପ୍ଲବ ହୋଇଯାଇଥାନ୍ତା ଏବଂ କେହି କିଛି ନ କରିଥିଲେ ମଧ୍ୟ ସାହିତ୍ୟିକ ହିଁ ଏହି କାର୍ଯ୍ୟରେ ଅଗ୍ରଣୀ ହୋଇ ବାହାରିଥାନ୍ତା; ମାତ୍ର ତାହା ହୋଇପାରିଲା ନାହିଁ । ପ୍ରଧାନତଃ ସାହିତ୍ୟିକର ଅଶକ୍ତତା ହେତୁ ହିଁ ଆମର ଜାତୀୟତା ଏ ପର୍ଯ୍ୟନ୍ତ ମଣିଷ ଜୀବନର ଯଥାର୍ଥତାର ଜୀବନପରିଧିଗୁଡ଼ିକୁ ସ୍ପର୍ଶ ବି କରିପାରିଲା ନାହିଁ, ସେହି ତୁଚ୍ଛା ଓ ଭୂଇଁଛଡ଼ା ରୋମାଣ୍ଟିକ୍ ଯୁଗରେ ହିଁ ପଡ଼ିରହିଲା । ପୂରାକାଳରେ କୋଉ ଶତାବ୍ଦୀରେ ଓଡିଆମାନେ କୁଆଡ଼େ ସୁଦୂର ପୂର୍ବ ଏସିଆରେ ଚମ୍ପାରାଜ୍ୟର ପ୍ରତିଷ୍ଠା କରିଥିଲେ । ସେ ଯୁଗର ଚମ୍ପାରାଜ୍ୟ ହୋଇଚି ଏବର ଭିଏତ୍‍ନାମ । ତେଣୁ ମଜି ଭିଏତ୍‍ନାମ ଯୁଦ୍ଧରେ ସେଠି ଯେଉଁ ରକ୍ତ ବହୁଛି, ସେଥିରେ ଓଡ଼ିଆରେ ରକ୍ତ ମଧ୍ୟ ରହିଛି । ଦୁଃଖରେ ପଡ଼ିଥିବା ମଣିଷଙ୍କ ସହିତ ଆତ୍ମୀୟତା ଅର୍ଜ୍ଜନ କରିବା ଲାଗି ସେଦିନ ଏକ କବି-ସଭାରେ ଓଡ଼ିଶାର ଜଣେ ସୁପ୍ରତିଷ୍ଠିତ ଲେଖକ ଏହିପରି ଏକ ମାର୍ଗର ସୂଚନା ଦେଇଥିଲେ ଏବଂ ଉପସ୍ଥିତି କବିମଣ୍ତଳୀ ଏଥିରେ କୌଣସି ବିସ୍ମୟ ପ୍ରକାଶ କରି ନ ଥିଲେ ।

 

ଆମ ସଂସାରରେ ଅନେକ ଲୋକ ବିପ୍ଲବୀ ହୋଇ ବାହାରନ୍ତି, ମାତ୍ର ସମସ୍ତେ ବିପ୍ଲବ ଚାହାନ୍ତି ନାହିଁ- ଅଧିକାଂଶ କ୍ଷମତା ଚାହାନ୍ତି । ଯେଉଁମାନେ ଆଗରୁ କ୍ଷମତାରେ ବସି ରହିଥିଲେ, ସେମାନଙ୍କୁ ହଟାଇ ଆପେ କ୍ଷମତାରେ ବସିବାକୁ ଚାହାନ୍ତି ଏବଂ ସେଇଥିରେ ହିଁ ପରିପୂର୍ଣ୍ଣ ଚିତ୍ତପ୍ରସାଦ ଅନୁଭବ କରନ୍ତି । ସେମାନଙ୍କର ନୂଆ ଶାସନରେ ଆଗର ସେଇ ଅନ୍ଧତା ରହିଥାଏ । ସେଇ ଅନ୍ୟାୟ ଓ ସେଇ ଅରାଜକତାଗୁଡ଼ାକ ମଧ୍ୟ ରହିଥାଏ, ତଥାପି ଆଖିବୁଜି ପରମ ଦମ୍ଭର ସହିତ ସେମାନେ ଏପରି ଏକାଗ୍ର ଭାବରେ କ୍ଷମତା ଉପରେ ସମାଧି ମାଡ଼ି ବସିଯାଇଛନ୍ତି ଯେ ସେମାନେ ତାହାକୁ ହିଁ ବିପ୍ଲବ ବୋଲି କହନ୍ତି । ସେମାନଙ୍କୁ କ୍ଷମତାରେ ଆଣି ବସାଇଦେବା ବ୍ୟତୀତ । ସତେ ଯେପରି ବିପ୍ଲବର ଆଉ କିଛି ହେଲେ କରିବାର ନଥିଲା ! ମୁଁ ଏଠାରେ କ୍ଷମତାକୁ ଅକାମ୍ୟ ଓ ସର୍ବଥା ବର୍ଜନୀୟ ବୋଲି କଦାପି କହୁନାହିଁ । ଯଥାର୍ଥ ବିପ୍ଲବ ସମ୍ଭବ କରିବାକୁ ହେଲେ କ୍ଷମତା ଅବଶ୍ୟ ଦରକାର, ରାଜନୀତିକ କ୍ଷମତା ଦରକାର, ବିଜ୍ଞାନର କ୍ଷମତା ଦରକାର, ହୁଏତ ଶାସନଦଣ୍ଡର କ୍ଷମତା ବି ଦରକାର । ସେଥିପାଇଁ ବିପ୍ଲବ ଲାଗି ଆହ୍ୱାନ ଦେଉଥିବା ସମସ୍ତେ ବିପ୍ଲବ ପୂର୍ବରୁ ଜନଗଣଠାରୁ କ୍ଷମତା ମାଗି ବୁଲନ୍ତି । ସେମାନଙ୍କ ଉପରେ ବିଶ୍ୱାସ କରି ଜନଗଣ ସେମାନଙ୍କ ହାତରେ ଯାବତୀୟ ଦଣ୍ଡକୁ ଆଣି ଧରାଇଦିଅନ୍ତି ଏବଂ ତା’ପରେ ସେମାନେ ବିପ୍ଲବ କଥା ଭୁଲିଯାଆନ୍ତି, କାରଣ ସେମାନେ କ୍ଷମତାରେ ହିଁ ଲାଖିରହନ୍ତି । ଏହି ଅନିତ୍ୟ ସଂସାରରେ ସେମାନେ ଆଉ ଅଧିକ ବିପ୍ଲବର ଅଳୀକତା ଭିତରେ ନ ପଡ଼ି ନିତ୍ୟ କ୍ଷମତାଭୋଗର ଶରଣାଗତ ଭଜନ୍ତି । ବିପ୍ଲବ ଲାଗି କ୍ଷମତା ଦରକାର, ସମାଜକୁ ବଦଳାଇବା ଲାଗି କ୍ଷମତା ଦରକାର, ନ୍ୟାୟ ଓ ମନୁଷ୍ୟୋଚିତ ଶାସନ କାଏମ୍ କରିବା ପାଇଁ ହୁଏତ କ୍ଷମତା ଦରକାର; କିନ୍ତୁ କ୍ଷମତା ଆସିଲେ ହିଁ ବିପ୍ଲବ ଆସିଯାଏ ନାହିଁ । କ୍ଷମତା ଆସିଲେ ହିଁ ସମାଜରେ ଆପେ ଆପେ ସତ୍ୟ ଓ କଲ୍ୟାଣର ପ୍ରତିଷ୍ଠା ହୋଇଯାଏ ନାହିଁ । ଏଥିଲାଗି ବିପ୍ଲବର ବାସନା ରଖିବାକୁ ପଡ଼େ, ସତ୍ୟ ଓ କଲ୍ୟାଣର ବାସନା ରଖିବାକୁ ପଡ଼େ । କ୍ଷମତାର ବାସନା ଅନେକ ସମୟରେ କ୍ଷମତାସୀନକୁ ଉପର୍ଯ୍ୟୁକ୍ତ ଅନ୍ୟ ବାସନାଗୁଡ଼ିକ ବିଷୟରେ ବିସ୍ମୃତ କରି ରଖେ । ଅନେକ ଅସତ୍ୟ ଓ ଅନେକ ଅକଲ୍ୟାଣ ଭିଆଇ ମଧ୍ୟ ସେ ତଥାପି ସେଗୁଡ଼ାକୁ ଅସତ୍ୟ ଓ ଅକଲ୍ୟାଣ ବୋଲି କହିପାରେ ନାହିଁ । ଅନ୍ଧାରକୁ ଅନ୍ଧାର ବୋଲି କହିପାରେ ନାହିଁ । ଢୋଲକୁ ଢୋଲ ବୋଲି କହିପାରେ ନାହିଁ । ତା’ର କ୍ଷମତା ଲାଗି ଯାହା ସୁହାଏ, ସେ ତାହାକୁ ହିଁ ସତ୍ୟ ଓ କଲ୍ୟାଣ ବୋଲି କହେ । ତା’ର କ୍ଷମତା ଯେଉଁଠି ବିଚରଣ କରେ, ସେ ସେଠାରେ କେବଳ ଆଲୋକର ହିଁ ପ୍ରତ୍ୟକ୍ଷ କରିଥାଏ । କ୍ଷମତାର ବାସନା ବିପ୍ଲବର ବାସନାକୁ ମାରିଦିଏ ବିପ୍ଲବ ବାରିତ ହୋଇ ରହେ । କ୍ଷମତାସୀନ ରାଜାଗଣଙ୍କର ରାଜ୍ୟ ଚାଲେ । ସେମାନେ ସେତିକିବେଳେ ଜାତୀୟତାର ଆଦର୍ଶକୁ ଏକ ଅତ୍ୟନ୍ତ ଅମୋଘ ଆୟୁଧ ରୂପେ ବ୍ୟବହାର କରନ୍ତି । ଜାତୀୟ ଆୟ, ଜାତୀୟ ସୁରକ୍ଷା, ଜାତୀୟ ସମ୍ମାନ, ଜାତୀୟ ସଂସ୍କୃତି ଓ ଜାତୀୟ ସାହିତ୍ୟର ଭାରି ଧୁମ୍ ଧାମ୍ ଆରମ୍ଭ ହୁଏ । ଅତୀତର ଉଦ୍‍-ବୋଧନ କରିବାକୁ ଯାଇ ବର୍ତ୍ତମାନ ସମ୍ବନ୍ଧରେ ଅନେକ ମଣିଷଙ୍କ ଭିତରେ ରହିଥିବା ଅସନ୍ତୋଷକୁ ଶୀତଳ କରିଦିଆଯାଏ, ମଣିଷର ମଣିଷପଣିମକୁ ଶୀର୍ଣ୍ଣ ଓ ଶ୍ରୀହୀନ କରି ରଖିବାର ଚକ୍ରାନ୍ତ ଦ୍ୱାରା ଚାଳିତ ହୋଇ ଜାତିକୁ ବଡ଼ କରି ଗଢ଼ିବାରେ ମନ୍ତ୍ରଣା ଦିଆଯାଏ । ମନ୍ତ୍ରୀଗଣ ହେଲା ପରି ଜନଗଣ ମଧ୍ୟ ଆପଣାର ଭୋକ ଭୁଲି ଜାତିର ଜୟଗାନ କରନ୍ତି, ଅର୍ଥାତ୍ କ୍ଷମତାସୀନର କ୍ଷମତାଲାଳସାକୁ ଆହୁରି ଉଗ୍ର ହେବା ଲାଗି ବାଟ ଛାଡ଼ିଦିଅନ୍ତି ।

 

ବର୍ତ୍ତମାନ ଆମ ଦେଶକୁ ମୋଟାମୋଟି ସେଇ ଦଶା ପଡ଼ିଛି । ଆମର ଆଗର ବିପ୍ଲବୀମାନେ କ୍ଷମତାର ଖୋଳପା ଭିତରେ ଶୀତଳ ହୋଇ ବସିଛନ୍ତି । ଆଉ ଯେଉଁମାନେ ଅର୍ବାଚିନ, ଉତ୍ସାହ ନେଇ ସେମାନଙ୍କ ସହିତ ଆସି ମିଶୁଛନ୍ତି । ବିପ୍ଲବ ଅପେକ୍ଷା କ୍ଷମତାଟାହିଁ ସେମାନଙ୍କୁ ଅଧିକ ଆକର୍ଷଣ କରୁଥିବା ପରି ମନେହେଉଛି । ଏ ଦେଶରେ ଏବେ କେତେ କେତେ ଦଳ ଗଢ଼ାହେଉଛି, ଦଳମଣ୍ଡୁକମାନେ କେତେପ୍ରକାରେ ଭେକ ବଦଳାଉଛନ୍ତି, କେତେପ୍ରକାରେ ନୂଆ ମାଳି ଗଡ଼ାଉଛନ୍ତି । କ୍ଷମତାରେ ବସିପାରିବାର ସୁରାକ ପାଇଲାମାତ୍ରେ ସେମାନେ ଏ ଅନ୍ଧୁଳୀରୁ ବାହାରି ସେ ଅନ୍ଧୁଳୀ ଭିତରେ ଯାଇ ପଶୁଛନ୍ତି । ଆମ ଦେଶବାସୀଙ୍କ ବିଷୟରେ ସେମାନେ କଅଣ ଭାବୁଥିବେ କେଜାଣି, ମାତ୍ର ସେମାନଙ୍କଦ୍ୱାରା ଯେ କିଛି ହୋଇପାରିବ ନାହିଁ ଦେଶବାସୀ ସେ କଥା କ୍ରମେ ଭଲକରି ଜାଣିସାରିଲେଣି । ଆପଣାର କାମ ହାସଲ କରିବା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ କେହି ଏ ନେତାଙ୍କ ପାଖକୁ ଯାଉନାହାନ୍ତି । ରାଜନୀତି କଥା ଶୁଣିବାଲାଗି କେହି ରାଜନୀତି ଘରର କ୍ଷମତାଧାରୀମାନଙ୍କ ପାଖକୁ ଯାଉ ନାହାନ୍ତି । ହୁଏତ ଖୋସାମତ କରି ନିଜର କାମ ହାସଲ କରିବାକୁ ଯାଉଛନ୍ତି । ଶିକ୍ଷା ବିଷୟରେ କିଛି ଆଲୋଚନା କରିବା ଲାଗି ଶିକ୍ଷାମନ୍ତ୍ରୀ ବା ଅଧ୍ୟାପକମାନଙ୍କୁ ଏବେ କେହି ଆପଣା ଗାଆଁକୁ ବା ଆପଣା ସ୍କୁଲକୁ ଡାକୁନାହାନ୍ତି । ସରକାରୀ ଶିକ୍ଷାବିଭାଗରେ ବହୁଦିନ ଶାସନ ସ୍ତରରେ ରହିଆସିଥିବା କର୍ମଚାରୀ ବା ହାକିମମାନଙ୍କୁ ପ୍ରୟୋଜନତଃ ବାଧ୍ୟ ହୋଇ ସେମାନେ ଶିକ୍ଷାବିତ୍ ବୋଲି କହୁଛନ୍ତି । ଦେଶଯାକ ପରିବର୍ତ୍ତନ ଓ ବିପ୍ଲବର ଘୋଷଣା କରି ବୁଲୁଥିବା ଏହି କ୍ଷମତାସ୍ଥୂଳଲାଭ- ଲାଳସୀମାନେ ମଣିଷର ଅସଲ ବିକାଶ ଓ ସାମୂହିକ ଜୀବନର ଅସଲ ବିପ୍ଲବ ଲାଗି ଅପେକ୍ଷା କରିବାକୁ ବି ଅସମର୍ଥ ହୋଇପଡ଼ିଲେଣି । କୌଣସି ପ୍ରକାର ଯଥାର୍ଥ ବିକାଶ ଓ ବିପ୍ଲବ ଲାଗି କିଛି କରିବାର ସାମର୍ଥ୍ୟ ମଧ୍ୟ ଆଉ ସେମାନଙ୍କଠାରେ ନାହିଁ । କିଏ ଜାଣେ ହୁଏ ତ ସେମାନେ ବିକାଶ ବିପ୍ଲବକୁ ଭୟ ବି କରୁଛନ୍ତି । କାରଣ ଆପଣା ଭିତରେ ମଧ୍ୟ ବିକାଶ ଓ ବିପ୍ଲବ ଲାଗି ବାଟ ଛାଡ଼ିଦେବାକୁ ସେମାନେ ଡରୁଛନ୍ତି । ବାଧ୍ୟହୋଇ ପଡ଼ି ରହିବାକୁ ଓ ପଡ଼ିରହିବାଲାଗି ଅନ୍ୟମାନଙ୍କୁ ବାଧ୍ୟକରିବାକୁ ସେମାନେ ବିକାଶ ଓ ବିପ୍ଲବ ଶବ୍ଦରୁ ଗୋଟିଏ ପନ୍ଥାଭାବରେ ଗ୍ରହଣ କରି ନେଲେଣି ।

 

କେବଳ କଥା କହି ବିପ୍ଲବର ରଡ଼ନିଆଁ ଉଦ୍ଗାର କଲେ ବା ବଡ଼ପାଟିରେ ବିପ୍ଲବର ସ୍ଲୋଗାନ ଦେଲେ ଜଣେ ବିପ୍ଲବୀ ହୋଇଯିବ ନାହିଁ । କେବଳ ଜଣେ ମୁକ୍ତ ମଣିଷ ହିଁ ବିପ୍ଲବୀ ହୋଇପାରିବ । ସେ ସମସ୍ତ ପ୍ରକାର ଆବଦ୍ଧତା, ସ୍ଥାନୀୟତା ଓ ପ୍ରାଦେଶିକତାରୁ ମୁକ୍ତ ହୋଇଥିବ; ଆପଣା ବଂଶ ଓ ଆପଣା ମାଟିର ସଂସ୍କାରଗୁଡ଼ାକୁ ମୁଣାପରି କରି ସେ ତାହାରି ଭିତରେ ଲାଖି ରହିନଥିବ । ଆପଣାର ରାଷ୍ଟ୍ର, ବର୍ଗ, ଜାତି ଦଳ ବା ଧର୍ମକୁ ସିଏ ଆପଣାର ଅନୁରକ୍ତି ଗୁଡ଼ାକ ଲାଗି ଗୋଟିଏ ଗୋଟିଏ କୂପ ପରି ବ୍ୟବହାର କରୁନଥିବ । ଯଥାର୍ଥ ବିପ୍ଲବୀ ମାନବବାଦୀ ହେବା ଅର୍ଥାତ୍ ସମଗ୍ର ମାନବ ଜାତିକୁ ସେ ଆପଣା ଭିତରେ ଅନୁଭବ କରିପାରୁଥିବ । ମାନବଜୀବନ ସମ୍ପର୍କୀୟ କୌଣସି ଆଗ୍ରହ ସ କୌଣସି ଅଭିଳାଷକୁ ସେ ଆପଣା ଠାରୁ କବାଟ କିଳି ରଖିନଥିବ । ସିଏ ଜୀବନକୁ ଭଲ ପାଉଥିବ, ଜୀବନକୁ ସମ୍ମାନ ଦେଉଥିବ । ଜୀବନ ଉପରେ ତା’ର ଅଟଳ ଆସ୍ଥା ରହିଥିବ, ଅଥଚ କୌଣସି କଥାକୁ ସେ ଅନ୍ଧ ଓ ଭାବପ୍ରବଣ ଭାବରେ ମାନି ନେଉନଥିବ- ମନୋବିଜ୍ଞାନକୁ ଆପଣାର କ୍ଷେତ୍ରରୂପେ ଗ୍ରହଣ କରିଥିବ । ଏ ଯୁଗର ଜଣେ ଜୀବନଜିଜ୍ଞାସୁ ବିପ୍ଲବୀ ମଣିଷର ଏହିପରି ଏକ ବ୍ୟାଖ୍ୟା କରିଛନ୍ତି ।

 

ବିପ୍ଲବ କହିଲେ କେବଳ ଭାଙ୍ଗିଦେବା ବା କେବଳ ଚାଳ ଓଲାରି ପକାଇବାକୁ ବୁଝାଏ ନାହିଁ । ଏଥିରେ ନେଗେଟିଭ ଅପେକ୍ଷା ପଜିଟିଭ ଆହ୍ୱାନ ଅଧିକତର ମାତ୍ରାରେ ରହିଛି । ବିପ୍ଲବ କହିଲେ କେବଳ କେତେଟା ତତ୍କାଳୀନ ଉତ୍ତୋଜନାମୂଳକ କାର୍ଯ୍ୟକ୍ରମକୁ ହିଁ ବୁଝାଏ ନାହିଁ । ବ୍ୟକ୍ତିଗତ ଓ ସାମୂହିକ ଜୀବନରେ ଏହା ହେଉଛି ଏକ ସମଗ୍ର ଦୃଷ୍ଟିକୋଣ, ଇଂରେଜୀରେ ଯାହାକୁ A way of life ଜର୍ମାନୀ ଭାଷାରେ welt ansehauung ବୋଲି କୁହାଯାଇପାରେ । ବିପ୍ଲବୀ ମଣିଷ ଅଳ୍ପକରେ ସନ୍ତୁଷ୍ଟ ହୁଏ ନାହିଁ, ସେ ଅଧିକ ହେବାକୁ ଚାହେଁ । ସମଗ୍ର ଜୀବନର ନୂତନତ୍ୱର ନିର୍ମାଣ ଲାଗି ସେ ଆପଣାକୁ ଅଧିକରୁ ଅଧିକ ହେବାକୁ ଚାହେଁ ଓ ତାହାରି ଜରିଆରେ ପରିପୂର୍ଣ୍ଣତା ଉପଲବ୍ଧି କରେ । ଏହି ଦୃଷ୍ଟିରୁ ଜଣେ ଧର୍ମରାଜ୍ୟରେ ବିପ୍ଲବ ଆଣିପାରେ, ସମାଜନୀତି ଓ ରାଜନୀତିରେ ବିପ୍ଲବ ଆଣିପାରେ, ସାହିତ୍ୟରେ ବି ବିପ୍ଲବ ଆଣିପାରେ । ଜଣେ ବିପ୍ଲବୀର ଜୀବନରେ ବ୍ୟକ୍ତିଗତ ଓ ସାମାଜିକ ହିତ ଭିତରେ କୌଣସି ଦ୍ୱନ୍ଦ୍ୱ ନଥାଏ, ଠିକ୍ ଯେପରି ଗାନ୍ଧୀଙ୍କ ଜୀବନରେ ଏପରି କୌଣସି ଦ୍ୱନ୍ଦ୍ୱ ନଥିଲା, ଗୋପବନ୍ଧୁଙ୍କ ଜୀବନରେ ମଧ୍ୟ ନଥିଲା । ସେମାନେ ମହାନ୍ ବ୍ୟକ୍ତି ଥିଲେ- ସେମାନଙ୍କର ଜୀବନରୀତି ମହାନ୍ ଥିଲା ସମାଜ ଲାଗି ମଧ୍ୟ ସେମାନେ ମହାନ୍ ଅବଦାନର ଯୋଗ୍ୟ ହୋଇପାରିଥିଲେ । ସେମାନଙ୍କର ବ୍ୟକ୍ତିଗତ ଜୀବନ ସୁନ୍ଦର ଥିଲା ଏବଂ ଆପଣାର କାର୍ଯ୍ୟଦ୍ୱାରା ସେମାନେ ସମାଜକୁ ମଧ୍ୟ ଅଧିକ ସୁନ୍ଦର କରି ଗଢ଼ିବାରେ ବଳିଷ୍ଠ ନେତୃତ୍ୱ ଦେଇପାରିଥିଲେ । ସେହିପରି ଜଣେ ବିପ୍ଲବୀ ଗୋଟାଏ ଯୁଗକୁ ମଧ୍ୟ ବଦଳାଇ ଦିଅନ୍ତି । ଗୋଟାଏ ଗୋଟାଏ ଦେଶର ନିଦକୁ ଭାଙ୍ଗିଦିଅନ୍ତି, ଗୋଟାଏ ଗୋଟାଏ ସାମ୍ରାଜ୍ୟକୁ ମଧ୍ୟ ଦୋହଲାଇ ଦିଅନ୍ତି । ଭକ୍ତ ଯେଉଁଠାକୁ ଯାଏ, ସେହିସ୍ଥାନକୁ ତୀର୍ଥରେ ପରିଣତ କରିଦେଲା ପରି ସେମାନେ ବି ଯେଉଁଥିରେ ହାତଦିଅନ୍ତି, ସେଥିରେ ନୂତନ ସ୍ୱପ୍ନ, ନୂତନ ପ୍ରେରଣା ଓ ବିଶ୍ୱାସ ଭରିଦିଅନ୍ତି । ସେମାନେ ଯାହାକୁ ଆପଣାର କାର୍ଯ୍ୟ ବୋଲି ଗ୍ରହଣ କରନ୍ତି ସେହି କାର୍ଯ୍ୟ ବିପ୍ଲବାତ୍ମକ ଶକ୍ତିର ସଞ୍ଚାର କରେ ଓ କେତେ ମନରେ ନୂଆ ନୂଆ ଉତ୍‍-ପ୍ରେରଣା ସୃଷ୍ଟି କରିବାରେ ଲାଗେ । ସେମାନେ ଆପଣାକୁ ବଦଳାଇବା ଲାଗି ପ୍ରସ୍ତୁତ ହୋଇ ବାହାରିଥାଆନ୍ତି ତେଣୁ ସମସ୍ତେ ସେମାନଙ୍କର କଥା ବୁଝିପାରନ୍ତି, ସେମାନଙ୍କ କଥା ଉପରେ ବିଶ୍ୱାସ ରଖନ୍ତି, ସେମାନଙ୍କ ନେତୃତ୍ୱରେ ସବୁ ପଣକରି ବାହାରନ୍ତି । ଏହି ନ୍ୟାୟରୁ ବିଚାର କରି ଦେଖିଲେ ବିପ୍ଲବୀ ହିଁ ବିପ୍ଲବ କରେ । ଖାଲି ସାମୂହିକ ଜୀବନରେ ବିପ୍ଲବର ଆବଶ୍ୟକତା ତୀବ୍ର ଓ ପ୍ରଖର ହୋଇଉଠିଲେ ବିପ୍ଲବ ମନକୁ ମନ ହୋଇଯାଏ ନାହିଁ । ପାଣି ଫୁଟି ମନକୁ ମନ ବାମ୍ଫ ହୋଇଗଲା ପରି ଅସନ୍ତୋଷ ଫୁଟି ମନକୁ ମନ ବିପ୍ଲବ ହୋଇଯାଏ ନାହିଁ । ଆମ ଦେଶରେ ଗତ କୋଡ଼ିଏ ବର୍ଷହେଲା କେତେ ପ୍ରକାର ଅସନ୍ତୋଷର ପଟଳ ଆମର ଯାବତୀୟ ଜୀବନକ୍ଷେତ୍ରକୁ ଗ୍ରାସି ରହିଛି, କିନ୍ତୁ ବିପ୍ଲବ କାହିଁ ? କେଉଁଠି ହେଉଛି ? ବହ୍ୱାରବ୍ଧ ଅଜା ଯୁଦ୍ଧପରି ଆମ ଦେଶରେ କେତେ କେତେ ବିପ୍ଲବ ବିଜୁଳିବତୀ ଭାଙ୍ଗିବା ଓ ରେଳଗାଡ଼ି ଉପରକୁ ଟେକା ଫୋପାଡ଼ିବାରେ ଫୁସ୍ ହୋଇଯାଇଛି । କେତେ ମାନବିକ ଅସନ୍ତୋଷ ଭାଷା, ପ୍ରଦେଶ, ଗୋମାତା ଓ ଧର୍ମଗତ ବୁଦ୍‍ବୁଦାକାର ଧାରଣ କରି ଏହି ଦେଶରେ ଫାଟିଯିବାରେ ଲାଗିଛି । ଅସଲ ବିପ୍ଲବ ହେବାକୁ ଏବେ ମଧ୍ୟ ବାକୀ ରହିଛି, ମାତ୍ର ବିପ୍ଲବୀ ନାହାନ୍ତି-। କ୍ଷମତାଲୋଭୀ ହୁଏତ ଆବଶ୍ୟକତାରୁ ଅଧିକ ଅଛନ୍ତି, ପଦ ଓ କର୍ତ୍ତୃତ୍ୱଲୋଭୀ ଅଧିକ ଅଛନ୍ତି-। ଭାଙ୍ଗିରୁଜି ହୋ ଧୋ କରି ଅଶାନ୍ତ ମନର କଣ୍ଟା ମେଣ୍ଟାଇବା ଲାଗି ତଥାକଥିତ ବିଦ୍ରୋହୀ ମଧ୍ୟ ଅଛନ୍ତି, କିନ୍ତୁ ବିପ୍ଲବୀ କାହାନ୍ତି ? ସମଗ୍ର ଜୀବନ, ସମଗ୍ର ମଣିଷ ଓ ସମଗ୍ର ସମାଜଭୂମିକୁ ବଦଳାଇବାର ଆହ୍ୱାନ ଦେଇପାରିବାକୁ ବର୍ତ୍ତମାନ ଆମ ଦେଶରେ ସେହି ସୃଜନଶୀଳ ବିପ୍ଲବର ନେତୃତ୍ୱ କିଏ ନେଉଛି ?

 

ଉପରେ ଆଲୋଚିତ ପୁସ୍ତକଟିର ଲେଖକ ପୁଣି କହିଛନ୍ତି, ‘‘ଆମରି ଏହି ଅସୁସ୍ଥ ପୃଥିବୀରେ ଯିଏ ତଥାପି ସୁସ୍ଥଜୀବନ ଧରି ବଞ୍ଚିବାକୁ ଚେଷ୍ଟାକରୁଛି, ନାନାପ୍ରକାରେ ପଙ୍ଗୁ ଓ ବିକଳାଙ୍ଗ ହୋଇ ପଡ଼ିଥିବା ଏକ ପୃଥିବୀରେ ଯିଏ ତଥାପି ଆପଣାକୁ ପରିପୂର୍ଣ୍ଣ ରୂପେ ବିକଶିତ କରିବାର ଉଦ୍ୟମ କରୁଛି, ଅଧା ଶୋଇଥିବା ଏକ ପୃଥିବୀରେ ଯିଏ ସମ୍ପୂର୍ଣ୍ଣ ଭାବରେ ଜାଗ୍ରତ ରହିଛି, ସେହି ହେଉଛି ବିପ୍ଲବୀ, ତାହାରି ଜୀବନବୃଷ୍ଟି ହେଉଛି ଜଣେ ବିପ୍ଲବୀର ଜୀବନଦୃଷ୍ଟି । ’’ ଏହି ଉକ୍ତିଟିର ମନନ କଲାବେଳକୁ ମୋର ଶ୍ରୀ ଜର୍ଜ ଆରଓଏଲଙ୍କ ଲିଖିତ ‘୧୯୮୪’ ଉପନ୍ୟାସଟିର କଥା ମନେପଡ଼ିଯାଉଛି । ଆମ ବର୍ତ୍ତମାନ ସଭ୍ୟତାର ସକଳ ପ୍ରଚଣ୍ଡତା ଓ ପ୍ରଖରତାକୁ ନେଇ ପୃଥିବୀ ଏବେ ଯେଉଁ ଦିଗରେ ଗତି କରୁଛି, ସେହି ଦିଗରେ ଯାଉ ଯାଉ ୧୯୮୪ ମସିହା ବେଳକୁ ଆମ ସାମୁହିକ ଜୀବନମଞ୍ଚରେ ଯେଉଁ ନିୟନ୍ତ୍ରଣ ତାଣ୍ଡବର କ୍ରୂରାଭିନୟ ଅବଶ୍ୟ ହେବ, ତାହାରି ଏକ ଭୟାବହ କଳ୍ପନା ଏହି ଉପନ୍ୟାସଟିରେ ଦିଆଯାଇଛି । ସେତେବେଳେ ମଣିଷ ଉପରେ Big brother ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ । Big brother ଅର୍ଥାତ୍ ସର୍ବସତ୍ତାଧୀଶ । ନୂତନତମ ଯନ୍ତ୍ରକୌଶଳ ବଳରେ ଏହି ନିୟନ୍ତ୍ରଣ ସମ୍ଭବ ହୋଇପାରିବ । ସ୍ୱାଧୀନଭାବରେ ଅର୍ଥାତ୍ ମଣିଷ ଭାବରେ କେହି କିଛି ଚିନ୍ତା ବା ଇଚ୍ଛା କରିବା ମାତ୍ରକେ Big brotherର ଅତି ପରାକ୍ରମୀ ନିୟନ୍ତ୍ରଣ ଯନ୍ତ୍ରଗୁଡ଼ାକ ତତ୍‍କ୍ଷଣାତ୍ ତାହା ଜାଣିପାରିବେ ଏବଂ ମଣିଷକୁ ସେପରି ଅବାଧ୍ୟ ହେବାକୁ ନ ଦେବା ଲାଗି ରାଜ୍ୟର ସମସ୍ତ ବଳ ସଙ୍ଗେ ସଙ୍ଗେ ତା’ ପାଖକୁ ମାଡ଼ି ଆସିବେ । ବାଧ୍ୟହୋଇ ରହିବା ଲାଗି ଅଜ୍ଞାନୁସାରେ ଘୃଣା କରିବା ଲାଗି ଓ ଆଜ୍ଞାନୁସାରେ ଭଲପାଇବା ଲାଗି ମନୋବିଜ୍ଞାନର ମେଷତତ୍ତ୍ୱ ଖଟାଇ ମଣିଷର ମସ୍ତିଷ୍କ, ହୃଦୟ ଓ ମନକୁ ଅନୁରୂପ କରି ତିଆରି କରାଯିବ । ମଣିଷ ସତ୍ୟର ସନ୍ଧାନ କରିବ ନାହିଁ, ଏକଛତ୍ର-ଶାସନର ନିୟନ୍ତ୍ରଣାଳୟରେ ରହିଥିବେ ‘ସତ୍ୟ-ବିଭାଗ’ ପ୍ରତ୍ୟେକ ମଣିଷକୁ ସତ୍ୟ କ’ଣ ବତାଇଦେବ ଓ ପ୍ରତ୍ୟେକ ମଣିଷ ସେହି ପରିବର୍ଦ୍ଧିତ ସତ୍ୟର ଅନୁଗମନ କରିବେ । ଭଲପାଇବାର ପ୍ରସଙ୍ଗାପ୍ରସଙ୍ଗମାନ ତତ୍ତ୍ୱାବଧାନ କରିବାକୁ ମଧ୍ୟ ଆଉ ଏକ ଟାଣୁଆ ବିଭାଗ ରହିବ ଓ ମଣିଷ ମଣିଷ ଭିତରେ ସ୍ନେହପ୍ରୀତିର ମୋଟା ସରୁ, ଉପସ୍ଥିତି ବା ଅନୁପସ୍ଥିତିର ନିୟନ୍ତ୍ରଣ କରିପାରିବ । ଏହି ଶାସନ ଏକ ବ୍ୟତିକ୍ରମହୀନ ବିଶୁଦ୍ଧ ଶାସନ ହେବ । ନିୟନ୍ତ୍ରଣ ହିଁ ଏହାର ଏକମାତ୍ର ସୂତ୍ର ହୋଇ ରହିବ- Big Brotherକୁ ସକଳ କ୍ଷମତା ଟେକିଦେଇ ମଣିଷ ଏକ ନିଶ୍ଚିନ୍ତ ଶିରଃପୀଡ଼ାହୀନ ମେସିନ୍ ପରି ବଡ଼ ବିଶ୍ୱସ୍ତ ଭାବରେ କାଳାତିପାତ କରିବ । କୌଣସି ପ୍ରକାର କକ୍ଷଚ୍ୟୁତି ଲାଗି ଅବକାଶ ହିଁ ନଥିବ । ନିୟନ୍ତ୍ରଣର ମାନଦଣ୍ଡ ଉପରେ ଦେଖିଲେ ଏହି ବ୍ୟବସ୍ଥା ଯେତିକି ଆଦର୍ଶସ୍ଥାନୀୟ, ମାନବିକ ଜୀବନର ସହଜ ସୃଜନଶୀଳତା ଦୃଷ୍ଟିରୁ ଦେଖିଲେ ଏହା ସେତିକି ଭୟାବହ । ତେଣୁ ଉଲ୍ଲିଖିତ ଉପନ୍ୟାସଟିରେ ଲେଖକ ଆଦର୍ଶାବସ୍ଥାରୁ ଉଦ୍ଧାର ପାଇବାକୁ ବାଟ ମଧ୍ୟ ଖୋଲିବାର ଚେଷ୍ଟା କରିଛନ୍ତି । ତାଙ୍କ ବର୍ଣ୍ଣିତ ରାଜ୍ୟର ଜଣେ ମଣିଷ, ମଣିଷ ପରି ରହିବାକୁ ଚେଷ୍ଟା କରୁଛି, ମଣିଷ ପରି ଭଲ ପାଇବାକୁ ଚେଷ୍ଟା କରୁଛି । ତା’ ଉପରେ କେତେ ଅତ୍ୟାଚାର କରାଯାଉଛି, ତାରି ମଣିଷପଣିଆକୁ ଶୂଳୀ ଦେବାର ଅଭିପ୍ରାୟରେ ତାକୁ କେତେ କେତେ ଯନ୍ତ୍ରଣାଦାୟକ ବୈଜ୍ଞାନିକ ନିୟନ୍ତ୍ରଣଶାଳା ଭିତରେ ନେଇ ଭର୍ତ୍ତି କରାଯାଉଛି, ମାତ୍ର ତା’ର ଶରୀର ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିଉଠୁଛି ସିନା, ବାର ବାର ତାରି ଚେତା ବୁଡ଼ିଯାଉଛି ସିନା, ମାତ୍ର ଅବଶ ହୋଇପଡ଼ୁ ନାହିଁ; ଅର୍ଥାତ୍ ତା’ ଭିତରେ ପିଣ୍ଡ ପରି ରହିଥିବା ମଣିଷପଣିଆ ବଶ ହୋଇପାରୁ ନାହିଁ । ଯନ୍ତ୍ରଚାଳିତ ସୁଶିକ୍ଷିତ ପ୍ରଜାଙ୍କ ପରି ଯେତେବେଳେ ସମସ୍ତେ Big brotherର ଜିନ୍ଦାବାଦ କରୁଥିଲେ, କେବଳମାତ୍ର ସେଇ ଏକା ଅଜସ୍ର ଜୀବନବିଶ୍ୱାସ ଓ ଜୀବନସାହସର ଧ୍ୱଜା ଉଡ଼ାଇ Down with the Big brother ବୋଲି ପାଟିକରି ଉଠୁଛି । ସତ୍ତା ଆଗରେ ସେ ମଣିଷର ବିପ୍ଲବ ଘୋଷଣା କରୁଛି । ସତ୍ତାନିୟୋଜିତ ବନ୍ଧୁକଧାରୀମାନେ ତାକୁ ଗୁଳିରେ ମାରି ଉଡ଼ାଇଦେଲେ ସତ, କିନ୍ତୁ ତଥାପି ତା’ର ସାହାସୀ ଘୋଷଣା ଏକ ନିଶ୍ଚିତ ବ୍ୟତିକ୍ରମ ରୂପେ ଜୀଇଁ ରହିଲା । ଏହି ସାହସିକ କୃତୀଟିର ଅବତାରଣା କରାଇ ସାହିତ୍ୟିକ ଆରଓଏଲ୍ ଆପଣା ସାହିତ୍ୟିକ ଦୃଷ୍ଟିର ପରାକାଷ୍ଠା ଦେଖାଇଗଲେ । କେବଳ ଭୟାବହତାରେ ଉପନ୍ୟାସଟିକୁ ଶେଷ କରିଥିଲେ, ସେ ଆମ ଭିତରର ମଣିଷକୁ ହୁଏତ ଏତେଦୂର ଉତ୍ପ୍ରେରିତ କରିପାରି ନଥାନ୍ତେ । ଜୀବନକୁ ଭଲପାଇ ଶିଖିଲେ ବୋଧହୁଏ ମଣିଷ ଭିତରେ ଏହିପରି ବ୍ୟତିକ୍ରମମାନ ଘଟାଇବାର ସାହସ ଆସେ ଏବଂ ସମ୍ଭବତଃ ଠିକ୍ ସେତିକିବେଳେ ମଣିଷ ଭିତରେ ବିପ୍ଲବୀର ଅବତରଣ ବା ଆରୋହଣ ଆରମ୍ଭ ହୁଏ-। ଏହି ଜୀବନପ୍ରୀତି ଓ ଏହି ଆରୋହଣର ଆକାଙ୍‍କ୍ଷାକୁ ଏକାଠି ମିଶାଇ ମାହାତ୍ମା ଗାନ୍ଧୀ ତାହାକୁ ସତ୍ୟାଗ୍ରହ ବୋଲି କହିଥିଲେ । ଅବସରବାଦକୁ ବାସ୍ତବବାଦ ବୋଲି କହି ଯିଏ ଆପଣା ଜିବନର ଆହ୍ୱାନଗୁଡ଼ିକ ପାଖରେ ଚାହାଳୀଚୋର ହୋଇ ବୁଲୁଥାଏ ସେ ସତ୍ୟାଗ୍ରହୀ ହୋଇପାରେ ନାହିଁ; ସେ ବିପ୍ଲବୀ ହୋଇପାରେ ନାହିଁ । ସତ୍ୟାଗ୍ରହୀ ଓ ବିପ୍ଲବୀ ଭିତରେ ନା ବୋଲି କହିବାର ସାହସ ସଜ୍ଜନତା ଅବଶ୍ୟ ରହିଥାଏ । କ୍ଷମତା ଭିତରେ ଲାଖି ରହିଥିବା ମଣିଷ ନା କହିପାରେ ନାହିଁ-। ଅବସରବାଦୀ ନା କହିପାରେ ନାହିଁ ବା ତଥାକଥିତ ବାସ୍ତବବାଦୀ ମଧ୍ୟ ନା କହିପାରେ ନାହିଁ-। ଆପଣା ଆପଣାର ସ୍ଥାନରେ ଥାଇ ବିପ୍ଲବ ବିପ୍ଲବ ବୋଲି ଯେତେ ଗର୍ଜ୍ଜନ କରୁଥିରେ ମଧ୍ୟ ଏମାନେ ବିପ୍ଲବ କରିପାରନ୍ତି ନାହିଁ । କାରଣ ସିଦ୍ଧ ହେବା ଆଗରୁ ଏମାନେ କଇଁଥା ପଡ଼ିଯାଇଥାନ୍ତି-

 

ଗୋପବନ୍ଧୁ ବିପ୍ଲବୀ ଥିଲେ, ଆମେ ତାଙ୍କୁ ଇତିମଧ୍ୟରେ ଓଡ଼ିଆ କରିସାରିଲୁଣି । ସେ ଆମକୁ ତାଙ୍କରି ପରି ଗଢ଼ିବା ଲାଗି ମନ ବଳାଇଥିଲେ, ଆମେ ସମ୍ଭବତଃ ତାଙ୍କୁ ଠିକ୍ ଆମରି ଭଳି ଗଢ଼ି ଥୋଇଦେବା ପାଇଁ ଏବେ ଅଧିକ ଫିକର କରିବାକୁ ଲାଗିଲୁଣି । ତାଙ୍କୁ ଆମ ଭିତରକୁ ଟାଣିଆଣି ଆମେ ହୁଏତ କ୍ରମେ ଆନନ୍ଦ ବି ଅନୁଭବ କରିବାକୁ ବସିଲୁଣି । ଗୋପବନ୍ଧୁ ବିଚାରକ ଥିଲେ, ସଂଚାରକ ଥିଲେ, ଆଚାର୍ଯ୍ୟ ଥିଲେ, ସଂସ୍ଥାପକ ଥିଲେ- ଆମେ ତାଙ୍କୁ ଏବେ ପୂଜା କରିବାରେ ଲାଗିଲୁଣି–ଜୀଅନ୍ତା ମଣିଷଟାକୁ ପଥର କରି ରଖିବାର ଚକ୍ରାନ୍ତ ଭିତରେ ପଶିଗଲୁଣି-

Image

 

ପରୋପକାର ପ୍ରବୃତ୍ତି

(ଶ୍ରୀ ଶଶିଭୂଷଣ ରାୟ)

 

ମନୁଷ୍ୟଙ୍କର ଧନ, ଜ୍ଞାନ ଥାଉ ପଛକେ, ଯେବେ ହୃଦୟ କିମ୍ୱା ଦୟା ନ ଥାଏ, ତେବେ ତାଙ୍କଠାରେ ପ୍ରକୃତ ମନୁଷ୍ୟତ୍ୱ ଅଥବା ପ୍ରକୃତ ସୌନ୍ଦର୍ଯ୍ୟ ନାହିଁ । ଦୟାରେ ହିଁ ମନୁଷ୍ୟର ପ୍ରକୃତ ସୌନ୍ଦର୍ଯ୍ୟ, ପରୋପକାର ବ୍ରତ ପାଳନରେ ହିଁ ପ୍ରକୃତ ମନୁଷ୍ୟତ୍ୱ । ପଶୁ, ପକ୍ଷୀ, କୀଟ, ପତଙ୍ଗ ପ୍ରଭୃତି ସମସ୍ତେ ହିଁ ନିଜକୁ ଘେନି ବ୍ୟସ୍ତ-ଅପର ଆଡ଼କୁ କିଏ ଅନାଏ ? ଅପର ସକାଶେ କିଏ ଭାଳିଥାଏ ? ଦରିଦ୍ରର ଦୁଃଖ ସ୍ମରଣରେ ଦୟାଳୁ ବ୍ୟକ୍ତିଙ୍କର ଚକ୍ଷୁର ଏକ ବିନ୍ଦୁ ଜଳରେ ଯେଉଁ ସୌନ୍ଦର୍ଯ୍ୟ ଲିପିବଦ୍ଧ, ଜଗତର କୋଟି କୋଟି ଜ୍ଞାନବିଜ୍ଞାନ କିମ୍ୱା ଧନଗୌରବରେ ସେ ସୌନ୍ଦର୍ଯ୍ୟ ଦୁଷ୍ପ୍ରାପ୍ୟ । ପୃଥିବୀରେ ଏଭଳି ଦ୍ରବ୍ୟ ନାହିଁ ଯାହା ସହିତ ଏହି ଅମୂଲ୍ୟ ସୌନ୍ଦର୍ଯ୍ୟ ତୁଳନା କରାଯାଇପାରିବ । ଏହା ଏକ ଅପୂର୍ବ ସୌନ୍ଦର୍ଯ୍ୟପୂର୍ଣ୍ଣ ମହାକାବ୍ୟ । ମନୁଷ୍ୟ କେବଳ ନିଜ ସକାଶେ ସୃଷ୍ଟି ହୋଇ ନାହିଁ । ମନୁଷ୍ୟର ହାତ ଗୋଡ଼ ପ୍ରଭୃତି ଶରୀରର ଅଙ୍ଗପ୍ରତ୍ୟଙ୍ଗସମୂହ କେବଳ ନିଜର ଜୀବନଧାରଣ ସକାଶେ ନୁହେଁ । ଏ କଥାର ପ୍ରମାଣ ସକାଶେ ଅଧିକ ଆୟାସର ପ୍ରୟୋଜନ ନାହିଁ-। ଶିଶୁ ସକାଶେ ଜନନୀଙ୍କର ଜୀବନ ଧାରଣ, ଏ କଥା କିଏ ଅସ୍ୱୀକାର କରିବେ ? ବିଧାତା ଶିଶୁକୁ ଏଭଳି ଅସହାୟ କରି ଗଢ଼ିଅଛନ୍ତି ଯେ ଅନ୍ୟର ସହାୟତା ବ୍ୟତୀତ ତାହାର ଜୀବନଧାରଣର ଆଉ ଉପାୟ ନାହିଁ । ଠିକ୍ ସେହିଭଳି ଏକ ପରିବାର ମଧ୍ୟରେ ପ୍ରତ୍ୟେକଙ୍କର ସାହାଯ୍ୟ ପ୍ରତ୍ୟେକଙ୍କର ହିଁ ପ୍ରୟୋଜନୀୟ । ସମାଜ ମଧ୍ୟରେ ସୁଦ୍ଧା ପ୍ରତ୍ୟେକଙ୍କ ସାହାଯ୍ୟ ପ୍ରତ୍ୟେକଙ୍କର ହିଁ ପ୍ରୟୋଜନୀୟ-। ତୁମ୍ଭେ, ମୁଁ ଓ ସେ ପ୍ରତ୍ୟେକଙ୍କ ନିକଟରେ ପ୍ରତ୍ୟେକଙ୍କର ଉପକାର-ଉପଯୋଗୀ କିଛି ରହିଅଛି-। ନିଜ ବ୍ୟବହାରର ଉଦ୍‍ବୃତ୍ତ ଶକ୍ତି, ଜ୍ଞାନ, ବିଦ୍ୟା, ବୁଦ୍ଧି, ଧନ, ଜନ, ପ୍ରଭୃତି ଅନ୍ୟର ରକ୍ଷା ସକାଶେ ସିନା ! ଜ୍ଞାନୀଲୋକଙ୍କ ନିକଟକୁ ଜ୍ଞାନଲାଭାର୍ଥେ ସମସ୍ତେ ଧାଇଁବେ । ଯେ ସମସ୍ତଙ୍କ ଅପେକ୍ଷା ବୁଦ୍ଧିମାନ, ସଙ୍କଟ ସମୟରେ କିମ୍ୱା ବିପଦ ମୁହୂର୍ତ୍ତରେ ତାହାଙ୍କ ପରାମର୍ଶ ଘେନିବାକୁ ସମସ୍ତେ ଆଗ୍ରହାନ୍ୱିତ ହେବେ । କାହାରି ଘରେ ଡକାୟତି ହେଲେ ଗ୍ରାମ ମଧ୍ୟରେ ବଳୀୟାନ୍ ବ୍ୟକ୍ତିଙ୍କୁ ଡାକିବାକୁ ହେବ । ଯେଉଁ ବ୍ୟକ୍ତି ଧନୀ, ଦାରିଦ୍ର୍ୟ-ପୀଡ଼ନରେ ମୂହ୍ୟମାନ ହୋଇ ଦୀନ, ଦୁଃଖୀ ତାହାଙ୍କର ଦ୍ୱାରସ୍ଥ ହେଉଥିବେ । ପ୍ରକୃତିର ନିୟମ ହିଁ ଏହିପରି; ଅତିରିକ୍ତ ଦ୍ରବ୍ୟ ଅନ୍ୟକୁ ବିତରଣ କରିବାକୁ ହେବ । ଏଭଳି ସାହାଯ୍ୟର ଆଦାନପ୍ରଦାନ ଯେବେ ନ ଚଳନ୍ତା, ପରିବାର-ବନ୍ଧନ, ସମାଜ-ବନ୍ଧନ, ରାଜ୍ୟ ବନ୍ଧନ ପ୍ରଭୃତିର ଅସ୍ତିତ୍ୱ ରହନ୍ତା ନାହିଁ, ସମସ୍ତେ ହିଁ ଉଚ୍ଛୃଙ୍ଖଳ ହୋଇଯାନ୍ତେ-। ପରିବାରର, ସମାଜର ତଥା ଦେଶର ସମସ୍ତେ ହିଁ ସମାନ ହେବେ, ଏହା ଆଶା କରିବା ବିଡ଼ମ୍ୱନା-। ସାନ-ବଡ଼, ଜ୍ଞାନୀ-ମୂର୍ଖ, ଧନୀ-ନିର୍ଦ୍ଧନ, ଦୁର୍ବଳ-ସବଳ ହିଁ ପ୍ରକୃତିର ନିୟମ । ପରସ୍ପରର ସାହାଯ୍ୟ ଏକାନ୍ତ ପ୍ରୟୋଜନ ବୋଲି ଅନେକ କଷ୍ଟ ଓ ଲାଞ୍ଛନା ଭୋଗ କରି ସୁଦ୍ଧା ଲୋକେ ଏକାନ୍ନବର୍ତ୍ତୀ ପରିବାରର ଆଶ୍ରୟରେ, ଏକ ସମାଜର ଛାୟାରେ, ଏକ ରାଜାଙ୍କ ଅଧୀନରେ ଅମ୍ଲାନ ବଦନରେ ବାସକରନ୍ତି । ଏ ଯୁଗରେ ଏକାନ୍ନବର୍ତ୍ତୀ ପରିବାର ପ୍ରଥାର ନିନ୍ଦାରଟନା ସମସ୍ତଙ୍କ ମୁଖରେ ଶୋଭା ପାଉଥିଲେ ହେଁ ଏହି ପ୍ରଥାର ମୁଖ୍ୟ ତଥା ଗୌଣ କାରଣ ସମ୍ୱନ୍ଧରେ ଚିନ୍ତା କରିବାକୁ ହେବ-

 

ପରସ୍ପରର ସାହାଯ୍ୟରୂପକ ମହାବ୍ରତ ହିଁ ଏକାନ୍ନବର୍ତ୍ତୀ ପରିବାରରେ ସୁନ୍ଦର ଭାବରେ ଉଦ୍‍ଯାପିତ ହୋଇଥାଏ । ନିତ୍ୟପ୍ରତ୍ୟକ୍ଷ ଘଟଣା କିମ୍ୱା ଅବସ୍ଥା ମଧ୍ୟରେ ନ ରହିଲେ ଏ ବିଷୟରେ ପ୍ରକୃତ ଶିକ୍ଷା ଲାଭ ଅସମ୍ଭବ । ଏକାନ୍ନବର୍ତ୍ତୀ ପରିବାରରେ ରହିଲେ ଗୋଟିଏ ଆମ୍ୱ ଦଶଜଣ ପିଲାଙ୍କୁ ସମାନଭାବରେ ଖାଇବାକୁ ହେବ, ଦଶଜଣଙ୍କୁ ଏକଭଳି ବସ୍ତ୍ର ପିନ୍ଧିବାକୁ ହେବ । ଜଣେ ଭାଇର ଅନେକ ଟଙ୍କା ଅଛି, ମାତ୍ର ଆଉ ଜଣେ ଭାଇ ଦରିଦ୍ର- କିନ୍ତୁ ଆହାର ସମୟରେ ଉଭୟଙ୍କୁ ଏକ ପ୍ରକାର ଆହାର କରିବାକୁ ହୋଇଥାଏ । ସୁଖବେଳେ ଏକପ୍ରକାର ସୁଖ, ଦୁଃଖ ବେଳେ ଏକପ୍ରକାର ଦୁଃଖ ହିଁ ଭୋଗ କରିବାକୁ ହୁଏ । ଦଶଜଣ ମିଶି କିଛି ବସ୍ତୁ ଆହାର କିମ୍ୱା ଉପଭୋଗ କଲେ ଯେଉଁ ସୁଖ ମିଳେ ଏକାକୀ ତାହା ଆହାର କଲେ କିମ୍ୱା ଉପଭୋଗ କଲେ ସେହିପରି ସୁଖ ମିଳେ କି ? ପ୍ରବୃତ୍ତିର କିମ୍ୱା ଆସକ୍ତିର ପଥଠାରୁ ନିବୃତ୍ତିର ପଥ ସହସ୍ରାଂଶରେ ଶ୍ରେଷ୍ଠ ଓ ଅଧିକ ସୁଖପ୍ରଦ । ଭାରତବର୍ଷୀୟ ଆର୍ଯ୍ୟ ପରିବାରରେ ଅନ୍ୟ ସକାଶେ ସ୍ୱାର୍ଥସୁଖ ବଳିଦାନ ବ୍ରତର ଯେପରି ଶିକ୍ଷା ହୁଏ, ପୃଥିବୀର ଅନ୍ୟ ଦେଶସମୂହରେ ସେଭଳି ହୁଏନାହିଁ । ମାତ୍ର ଏ ଯୁଗରେ ଭିନ୍ନ ଦେଶୀୟ ଶିକ୍ଷାଫଳରୁ ଏକାନ୍ନବର୍ତ୍ତୀ ପରିବାର ବିଧ୍ୱସ୍ତ ହୋଇଅଛି । ଏହା ଶିକ୍ଷାର କୁଫଳବିଶେଷ-। ଏହି କୁଫଳ ନିବାରଣର ଚେଷ୍ଟା ନକରି, ନିଃସ୍ୱାର୍ଥ ବ୍ରତ ପାଳନର କିମ୍ୱା ନିବୃତ୍ତିମାର୍ଗ-ଶିକ୍ଷାର ପ୍ରଶସ୍ତକ୍ଷେତ୍ର ଏକାନ୍ନବର୍ତ୍ତୀ ପରିବାରକୁ ଛିନ୍ନଭିନ୍ନ କରିବା ହିଁ ଏ କାଳର ରୀତି । ମାତ୍ର ଏକତାର ମୂଳ କେଉଁଠାରେ ନିବଦ୍ଧ, ଏହା ଭାଳି ଦେଖିବା କର୍ତ୍ତବ୍ୟ ସିନା !

 

ଏକତାର ମୂଳ ପରସ୍ପର ସାହାଯ୍ୟରେ ଅଥବା ପରୋପକାର ବ୍ରତର ମୂଳ ପ୍ରେମରେ ହିଁ ନିବଦ୍ଧ । ମୁଁ ତୁମ୍ଭ ନିକଟରୁ କିଛି ନ ପାଇଲେ ତୁମ୍ଭ ନିକଟକୁ ଯିବି କାହିଁକି ? ତୁମ୍ଭେ କୃପଣତା କିମ୍ୱା ଅହଙ୍କାରର ବ୍ରତ ଉଦ୍‍ଯାପନ କରିବାକୁ ବସିଅଛ, ମୁଁ ତୁମ ସହିତ ମିଶିବାକୁ ଯିବି କାହିଁକି ? କିଛି ନ ପାଇଲେ କିଏ କାହା ନିକଟକୁ ଯିବ ? ଟିକିଏ ମିଠା କଥା କୁହ କିମ୍ୱା ହାତରେ ଦୁଇ ପଇସା ଦିଅ ଅଥବା ରୋଗ ସମୟରେ ପାଖରେ ବସି ଟିକିଏ ସେବାଶୁଶ୍ରୂଷା କର, ନତୁବା ବିପଦ ସମୟରେ ଟିକିଏ ସାନ୍ତ୍ୱନା ବାକ୍ୟ ଶୁଣାଅ, କିମ୍ୱା ତୁମ୍ଭର ଭକ୍ତିମିଶ୍ରିତ ରୂପ ଦେଖାଇ ମୋତେ ଅତୀନ୍ଦ୍ରିୟ ଧର୍ମଜଗତକୁ ଘେନିଯାଅ- ଏ ସମସ୍ତ କିଛି କରିବ ନାହିଁ, ଅଥଚ ମୁଁ ତୁମ୍ଭ ନିକଟକୁ ଯିବି କାହିଁକି ? ବକ୍ତୃତାରେ କେବେ ହିଁ ଏକତା ଆସେନାହିଁ । ଟିକିଏ ସ୍ନେହ, ଟିକିଏ ସାହାଯ୍ୟ, ଟିକିଏ ମଧୁର ବ୍ୟବହାର ଏକତା ନିମିତ୍ତ ବଡ଼ ପ୍ରୟୋଜନ । ଟିକିଏ ସ୍ନେହ, ଟିକିଏ ମଧୁର ବ୍ୟବହାର ସକାଶେ ଏକ ପରିବାରରେ କିମ୍ୱା ଏକ ସମାଜରେ ଲୋକ ରହିଥାଏ । ସେଠାରେ କେତେ ବିବାଦ, କେତେ ମନାନ୍ତର ଓ ମତାନ୍ତର ହେଲେ ହେଁ ସେ ଅନ୍ୟତ୍ର ଚାଲିଯାଏ ନାହିଁ । ଅନ୍ୟତ୍ର ଏ ସାହାଯ୍ୟପ୍ରାପ୍ତି ଅସମ୍ଭବ । ଯେଉଁମାନେ ପରିବାର ଭାଙ୍ଗି ଚାଲିଯାଆନ୍ତି, ସେମାନଙ୍କକ ଦୁର୍ଦ୍ଦଶା ସୀମାହୀନ ହୋଇଥାଏ । ରୋଗ ସମୟରେ ସେବା କରିବାକୁ ଲୋକ ନାହାନ୍ତି, ବିପଦ ସମୟରେ ଆଶ୍ରୟ ମିଳେନାହିଁ, ଶୋକ ସମୟରେ ସାନ୍ତ୍ୱନାପ୍ରାପ୍ତି ଅସମ୍ଭବ ହୋଇଥାଏ । ସ୍ନେହ ଦିଅ, ମୁଁ ତୁମର ଭୃତ୍ୟ ହେବି; ନ ଦେଲେ ସେହି ଦୂରର ରାଜ୍ୟ କିମ୍ୱା ବିଚ୍ଛେଦର ବିପଣୀକୁ ଚାଲିଯାଅ, ଏକତା ରହିବ ନାହିଁ-। ଆତ୍ମୀୟତା ମଧ୍ୟ ଭାଜିଯିବ । ଏକତା ଶିକ୍ଷାର ପ୍ରଧାନ କଥା ଯେ ପ୍ରେମ, ତାହା ଏ କାଳରେ ଲୋକ ବିସ୍ମୃତ ହେଉଛନ୍ତି । ପ୍ରେମ ବ୍ରତ ଯାହା, ପରୋପକାର ବ୍ରତ ମଧ୍ୟ ତାହା । ଏ ବ୍ରତ ବର୍ତ୍ତମାନ ଯୁଗରେ ବକ୍ତୃତାର ବିଷୟ ହୋଇଅଛି । ମନୁଷ୍ୟ ଯେ କେବଳ ନିଜ ସୁଖ ସକାଶେ ସୃଷ୍ଟି ହୋଇନାହିଁ, ଏହା ମଧ୍ୟ ଆମ୍ଭେମାନେ ବିସ୍ମୃତ ହେଉଅଛୁଁ । ଏକାନ୍ନବର୍ତ୍ତୀ ପରିବାର ମଧ୍ୟରେ ଗରଳର ଆବିର୍ଭାବ ହୋଇଅଛି । ଭାତୃବିବାଦ, ପିତାପୁତ୍ରର ବିଚ୍ଛେଦ, ବନ୍ଧୁ-ବନ୍ଧୁ ମଧ୍ୟରେ ବିଚ୍ଛେଦ ଚାଲିଅଛି-। ବର୍ତ୍ତମାନ ଲୋକେ ଅସାର ବକ୍ତୃତାରେ ହୃଦୟର ସକଳ ଭାବ ନିଃଶେଷ କରି ପକାଇବାକୁ ମହାବ୍ୟସ୍ତ । ପରୋପକାର ତୁମ୍ଭଦ୍ୱାରା କରାଇନେବି, ମୁଁ ନିଜେ ଦୂରରେ ରହିଥିବି । ପ୍ରଧାନ ପ୍ରଧାନ ବକ୍ତାମାନେ କଥାର ତରଙ୍ଗ ଉଠାଇ ଦେଶ ଭସାଇ ଦେଉଥିବେ, ମାତ୍ର ସେମାନଙ୍କୁ ରଙ୍କୀ, ଭୋକୀ, ଯୋଡ଼ିଏ ପଇସା ମାଗିଲେ ଦେବେନାହିଁ, ଅଶ୍ରୁରେ ତାଙ୍କ ତଳିପାକୁ ତିନ୍ତାଇଲେ ମଧ୍ୟ ତାଙ୍କର ଦୟା ହେବନାହିଁ । ଭିକ୍ଷୁକଙ୍କ ଦାନ ସେମାନଙ୍କ ନିଟରେ ଗର୍ହିତ କାର୍ଯ୍ୟ । ସେମାନେ ମନେକରନ୍ତି, ଦରିଦ୍ରକୁ ସାହାଯ୍ୟ କରିବାଦ୍ୱାରା ପାପକୁ ପ୍ରଶ୍ରୟ ଦିଆଯାଏ । କେହି କେହି ଏଭଳି ଅଛନ୍ତି ଧର୍ମର ଦ୍ୱାହିଦେଇ କହନ୍ତି, ‘ବିଧାତା ଯାକୁ ମାରୁଛନ୍ତି, ଆମ୍ଭେମାନେ ତାହାକୁ ସାହାଯ୍ୟ କରି ଉଠାଇବୁ କାହିଁକି ? ’ ଏହା ଏକ ଘୃଣିତ କଥା । ବିଧାତା ତ ଶିଶୁକୁ ଅସହାୟ କରି ସୃଜନ କରିଥିଲେ, ତେବେ କଅଣ ଜନନୀ ପକ୍ଷରେ ଶିଶୁ ପାଳନ କରିବାରେ ଅଧର୍ମ ହେବ । ଏହି ସୁବିସ୍ତୃତ ପୃଥିବୀରେ କିଏ ଶିଶୁପାଳନ ନକରି ରହିପାରେ ? ରୋଗ, ଶୋକ, ଦୁଃଖ ଦ୍ରାରିଦ୍ର୍ୟ- ଏ ସମସ୍ତ ଯେ ନିଃସ୍ୱାର୍ଥ ବ୍ରତ ଶିକ୍ଷା ସକାଶେ ସୃଷ୍ଟି ନୁହେଁ, ଏକଥା କିଏ କହିପାରେ ? ବିଧାତା ଏକ ଜଣକୁ ତୁମ୍ଭର ଦ୍ୱାରସ୍ଥ କରିଅଛନ୍ତି । ଏଥିରେ ତୁମ୍ଭର ଉପକାର, ଭିକ୍ଷୁକର ମଧ୍ୟ ଉପକାର । ତୁମ୍ଭେ ତୁମ୍ଭର ଦୟାବୃତ୍ତି ପରିପାଳନର ସ୍ଥଳ ପାଇଲ ଏବଂ ଦରିଦ୍ର ତୁମ୍ଭର ସାହାଯ୍ୟରେ ଉପକୃତ ହେଲା । ଏପରି ଘଟେ ଯେ, ସେହି ଦରିଦ୍ର ସମୟାନ୍ତରରେ ପୁଣି ଧନୀ ହେବ, ତୁମ୍ଭେ ହୁଏ ତ ସମୟରେ ପୁଣି ତାହାର ଦ୍ୱାରସ୍ଥ ହେବ । ନିୟତ ହିଁ ପୃଥିବୀର ଅବସ୍ଥା ପରିବର୍ତ୍ତିତ ହେଉଅଛି । ଏକା ସମୟରେ ରାଜା ଭିକ୍ଷୁକ ହେଉଅଛନ୍ତି, ଅନ୍ୟ ସମୟରେ ଦାଣ୍ଡର ଭିକାରୀ ରାଜାଧିରାଜ ହେଉଅଛି । ଏଭଳି ଅବସ୍ଥାନ୍ତର ପ୍ରାପ୍ତି ବିଧାତାଙ୍କର ବିଚିତ୍ର ଲୀଳା ।

 

ପରସ୍ପରଙ୍କ ସାହାଯ୍ୟ ବ୍ୟତୀତ ପରସ୍ପରଙ୍କ ଜୀବନଧାରଣ କିମ୍ୱା ଉନ୍ନତିଲାଭ ଅସମ୍ଭବ । କିଏ କାହାକୁ ଅଧିକ ସାହାଯ୍ୟ କରେ, ସେ ବିଚାର କରିବା ବଡ଼ କଠିନ । ପ୍ରଜା ରାଜାଙ୍କର ସାହାଯ୍ୟ କରୁଅଛନ୍ତି, ରାଜା ପ୍ରଜାଙ୍କର ସାହାଯ୍ୟ କରୁଅଛନ୍ତି; କିନ୍ତୁ ସାହାଯ୍ୟ ଦୃଷ୍ଟିରେ ରାଜା ଯେପରି ଉପକାରୀ, ପ୍ରଜା ମଧ୍ୟ ସେହିପରି ଉପକାରୀ । ଉଭୟଙ୍କର ବିଶେଷ ବିଶେଷ କାର୍ଯ୍ୟ ରହିଅଛି, ସୁତରାଂ ଉଭୟଙ୍କର ହିଁ ପ୍ରୟୋଜନ । ମନୁଷ୍ୟର ଏକାବସ୍ଥା ଚିରକାଳ ରହେନାହିଁ । ଧନର ଓ ଶକ୍ତିର ସମବିଭାଗ ଏ ପୃଥିବୀରେ ଅପରିହାର୍ଯ୍ୟ ଘଟଣା । ମନୁଷ୍ୟ ସବୁବେଳେ ଅବସ୍ଥାନ୍ତର ପ୍ରାପ୍ତ ହେଉଅଛି । ଯେଉଁ ଶିଶୁ ଜନନୀ ସାହାଯ୍ୟରେ ମନୁଷ୍ୟ ହୁଏ, ସେହି ଶିଶୁହିଁ ସମୟାନ୍ତରରେ ଜନନୀଙ୍କୁ ପାଳନ କରେ । ଯେଉଁ ରାଜା ଆଜି ଦରିଦ୍ରର ଉପକାର କରୁଅଛନ୍ତି, ସେହି ଦରିଦ୍ର ହିଁ କାଳକ୍ରମରେ ଅବସ୍ଥାନ୍ତର ପ୍ରାପ୍ତହୋଇ ସେହି ରାଜାଙ୍କର ଉପକାର କରୁଅଛି । ସମାଜର ବୈଷମ୍ୟ ହିଁ ବିଧାତାର ଲୀଳା । ବିଧାତାଙ୍କର ଇଚ୍ଛାରେ ହିଁ କେହି ଦାତା, କେହି ଗ୍ରହୀତା, କେହି ଧନୀ, କେହି ଦରିଦ୍ର, କେହି ଯୁବକ, କେହି ବାଳକ, କେହି ଜ୍ଞାନୀ, କେହି ମୂର୍ଖ । ବିଧାତାଙ୍କର ଇଚ୍ଛାରେ ପୁଣି ସମୟାନ୍ତରରେ ଧନୀ ଦରିଦ୍ର ହୋଇ, ଦାତା ଗ୍ରହୀତା ହୋଇ, ଯୁବକ ବୃଦ୍ଧ ହୋଇ, ମସ୍ତିଷ୍କର ତେଜ ହ୍ରାସରେ ବିସ୍ମୃତିରେ ଜ୍ଞାନୀ ସମସ୍ତ ବୁଡ଼ାଇଦେଇ ଅନ୍ୟର ସାହାଯ୍ୟ ନେଉଅଛନ୍ତି । ବିଧାତାଙ୍କର ଇଚ୍ଛା ନ ବୁଝି ଯେଉଁ ବ୍ୟକ୍ତି ଭଲ ଅବସ୍ଥା ଉପସ୍ଥିତ ହେବାରୁ ଅହଙ୍କାରୀ ହୋଇ କେବଳ ସ୍ୱକୀୟ ସୁଖସ୍ୱାଚ୍ଛନ୍ଦ୍ୟ ଘେନି ମତ୍ତ ରହନ୍ତି, ସେ ନରାଧମ । ବିଧାତା ଏଭଳି ବ୍ୟକ୍ତିଙ୍କର ଅହଙ୍କାରକୁ ସମୟ ବିଶେଷରେ ଚୂର୍ଣ୍ଣକରି ନିଜ ଇଚ୍ଛାର ଜୟପତାକା ନିୟତ ଉଡ଼ାଇଅଛନ୍ତି ।

 

ବିଧାତା ଏକ ଏକ ଜଣଙ୍କ ଦ୍ୱାରା ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟ କରାଇ ନେଉଛନ୍ତି । ଯାହାଙ୍କ ପ୍ରତି ତାହାଙ୍କର ଯେତେବେଳେ ଯେଉଁ ଆଦେଶ, ସେତେବେଳେ ଅବନତ ମସ୍ତକରେ ତାହା ତାହାଙ୍କୁ ପାଳନ କରିବାକୁ ହେଉଅଛି । ମାତ୍ର ପ୍ରଶ୍ନ ଏତିକି ଯେ, ତାହାଙ୍କର ଆଦେଶ ବୁଝିବ କିପରି ? ଆଉ କିଛି ନ ବୁଝିପାରିଲେ ମଧ୍ୟ ମୋହର ପ୍ରୟୋଜନାତିରିକ୍ତ ଶକ୍ତି ଅଥବା ଅର୍ଥାଦି ଦେଖି ଏତିକି ବୁଝିପାରିବି ଯେ ମୋ ପ୍ରୟୋଜନର ଅତିରିକ୍ତ ଏଗୁଡ଼ିକ ବିଧାତା ମୋତେ କାହିଁକି ଦେଇଅଛନ୍ତି । ଜନନୀଙ୍କ ସ୍ତନରେ ଦୁଗ୍ଧର ସଞ୍ଚାର ଦେଖି ଯେପରି ମନୁଷ୍ୟ ବୁଝିପାରେ, ଏହି ଦୁଗ୍ଧ ସନ୍ତାନ ନିମିତ୍ତ ସୃଷ୍ଟ, ସେହିପରି ଯାହାଙ୍କ ଗୃହରେ ବହୁଧନର ସମାବେଶ, ତାହାଙ୍କର ମନେହେବା ଉଚିତ; ବିଧାତା ତାହାଙ୍କ ଦ୍ୱାରା ଜଗତରେ ତାଙ୍କ ଧନ ବିତରଣ କରିବେ । ପ୍ରତିଭାନ୍ୱିତ ବ୍ୟକ୍ତି, ଜ୍ଞାନୀ, ରାଜା କିମ୍ୱା ଭକ୍ତ ଯେ କେହି ହେଉନ୍ତୁ ପଛକେ, ବିଧାତା ଜଣେ ଲୋକଙ୍କ ମଧ୍ୟ ଦେଇ ଗୋଟିଏ ଗୋଟିଏ ଦ୍ରବ୍ୟ ଜଗତକୁ ଦେଉଛନ୍ତି, ଅଥବା ଦେବା ସକାଶେ ଚେଷ୍ଟା କରୁଅଛନ୍ତି; ଏହା ବ୍ୟତୀତ ଆଉ ବୁଝିବୁ କଅଣ ? ମାସକୁ କୋଡ଼ିଏ ଟଙ୍କା ହେଲେ ମୋର ସଂସାରଯାତ୍ରା ଚଳିଯିବ, କିନ୍ତୁ ଦେଖିଲି ମୋ ଘରକୁ ଏକଶତ ଟଙ୍କା ଆସୁଅଛି । ଟଙ୍କାର କାର୍ଯ୍ୟ କିମ୍ୱା ଆବଶ୍ୟକତା କଅଣ ବାକ୍ସ ଅଥବା ଲୁହାସିନ୍ଦୁକରେ ରଖିବା ? ଯେତେବେଳେ ଟଙ୍କା ଆସୁଅଛି; ସେତେବେଳେ ବୁଝିବାକୁ ହେବ- ଏହା ଦାନ ସକାଶେ କିମ୍ୱା ଅନ୍ୟର ସେବା ସକାଶେ ଆସୁଅଛି । ଯେତେବେଳେ ବିଦ୍ୟା ଉପାର୍ଜିତ ହେଉଅଛି, ସେତେବେଳେ ମନେକରିବାକୁ ହେବ ଯେ, ଏହି ବିଦ୍ୟାଦ୍ୱାରା ଅନେକଙ୍କର ଅବିଦ୍ୟାନ୍ଧକାର ଦୂର କରିବାକୁ ହେବ । ଏହିପରି ଯେତେବେଳେ ଯେଉଁ ଅତିରିକ୍ତ ଶକ୍ତିର ଉଦୟ ହେବ, ସେତେବେଳେ ମନେକରିବାକୁ ହେବ, ଏହି ଶକ୍ତିର ଅବଶ୍ୟ କୌଣସି ସଦ୍‍-ବ୍ୟବହାର କିମ୍ୱା କୌଣସି ପ୍ରକାର ପ୍ରୟୋଜନ ରହିଅଛି । ଏହା ହିଁ ବିଧାତାଙ୍କର ଇଙ୍ଗିତ କିମ୍ୱା ଆଦେଶ । ଏହି ଆଦେଶ ଲଙ୍ଘନ କରି ଯେଉଁମାନେ ଦାନ-କଣ୍ଠ ହୁଅନ୍ତି, ଶକ୍ତିର ସଦ୍‍-ବ୍ୟବହାର କରନ୍ତି ନାହିଁ, ପରୋପକାର କଥା ଭାଳନ୍ତି ନାହିଁ, ବିଧାତା ସେମାନଙ୍କ ଶକ୍ତି ଯଥା ସମୟରେ ଛଡ଼ାଇନେଇ ସୁବିଚାର କରନ୍ତି । ବିଦ୍ୟାଦାନରେ ବିଦ୍ୟାର ବୃଦ୍ଧି ହୁଏ, ଏହା ପୁରାତନ କଥା, ଶାରୀରିକ ଶକ୍ତିର ପରିଚାଳନାରେ ଶାରୀରିକ ଶକ୍ତିର ବୃଦ୍ଧି ହୁଏ, ଏହା ବୈଜ୍ଞାନିକ ସତ୍ୟ ଓ ଦାନରେ ଧନ ବୃଦ୍ଧି ହୁଏ, ଏହା ମଧ୍ୟ ମର୍ମ ଜଗତର ଅଭ୍ରାନ୍ତ ସତ୍ୟ । ଶକ୍ତି ତଥା ଧନପ୍ରାପ୍ତ ହୋଇ ଯେ ତାହାର ସଦ୍‍-ବ୍ୟବହାର କରେ ନାହିଁ, ତାହାରି ସେହି ଶକ୍ତି କ୍ରମେ କ୍ରମେ ହ୍ରାସ ହୁଏ, ସେହି ଧନ ଓ ଐଶ୍ୱର୍ଯ୍ୟ ବିଧାତାଙ୍କ ଦ୍ୱାରା ଅପହୃତ ହୁଏ- କାଳକ୍ରମରେ ସେ ଶକ୍ତିହୀନ ଓ ଧନହୀନ ହୋଇଯାଏ । ଏଭଳି ଅବସ୍ଥାରେ ପରିବର୍ତ୍ତନ ଅପରିହାର୍ଯ୍ୟ । ଶକ୍ତିକୁ ସଞ୍ଚୟ କରି ରଖିବା ସକାଶେ ବିଧାତା କାହାକୁ ଶକ୍ତି ଦେଇନାହାନ୍ତି । ବ୍ୟବହାର ବ୍ୟତୀତ ଶକ୍ତି କେବେହେଁ ସ୍ଥାୟୀ ହୋଇ ନଥାଏ । ଏହି ଜଗତ ହିଁ ଶକ୍ତିର କାର୍ଯ୍ୟକ୍ଷେତ୍ର କିମ୍ୱା ବ୍ୟବହାର କ୍ଷେତ୍ର । ଏହି ବ୍ୟବହାର କ୍ଷେତ୍ରରେ ଶକ୍ତିଲାଭ କରି ସୁଦ୍ଧା ଯେ ତାହାର ବ୍ୟବହାର ନ କରେ ସେ କଅଣ ଶକ୍ତିହୀନ ହେବ ନାହିଁ ?

 

ଏଥିରୁ ବୁଝାଯିବ ଯେ ବିଧାତାଙ୍କ ଆଦେଶ ଗ୍ରହଣ କରି ପରୋପକାର ବ୍ରତ ଗ୍ରହଣ କରିବାକୁ ହେବ । ପୃଥିବୀରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଯଶ ଓ ସମ୍ମାନ ବୃଦ୍ଧି ସକାଶେ ଏହି ବ୍ରତ ଗ୍ରହଣ କରିଥାଆନ୍ତି । ପ୍ରାଣର ପ୍ରେରଣାରେ, ବିଧାତାଙ୍କ ଆଦେଶରେ ଯେଉଁ ବ୍ୟକ୍ତି ଗୋଟିଏ ମାତ୍ର ଲୋକର ଉପକାର ନକରେ, ଅଭାବଗ୍ରସ୍ତକୁ ଗୋଟିଏ ପଇସା ଦେବାକୁ କୁଣ୍ଠିତ ହୁଏ, ସେ ମାନବାକାରରେ ପଶୁବିଶେଷ । ପୃଥିବୀରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ପ୍ରତ୍ୟୁପକାର ପ୍ରାପ୍ତି ଆଶାରେ ପରୋପକାର-ବ୍ରତ ଗ୍ରହଣ କରନ୍ତି, ଏମାନେ ମଧ୍ୟ ଘୃଣିତ । ଯେ କୌଣସି ପ୍ରକାର ସ୍ୱାର୍ଥସାଧନ ସକାଶେ ପରୋପକାର କରେ, ତାହାର ପରୋପକାରର କୌଣସି ସାର୍ଥକତା ନାହିଁ । ବିତରଣ କରି ତହିଁ ବଦଳରେ କଅଣ ପାଇବି, ଅଥବା ମୋର କି ଲାଭ ହେବ ଜାଣେ ନାହିଁ, ବିଧାତା ଦେଇଛନ୍ତି; ଅତଏବ ବିତରଣ ନ କରି ରହିପାରିବ ନାହିଁ–ଅନ୍ୟର ଅଭାବ ଦେଖିଲେ ମୋ ପ୍ରାଣ ଅସ୍ଥିର ହେଉଅଛି; ଶକ୍ତି ଅନୁସାରେ ମୁଁ ସେ ଅଭାବ ଦୂର ନ କରି ରହିପାରିବି ନାହିଁ- ଏହି ପ୍ରକାର ଭାବର ଉତ୍ତେଜନାରେ ଯେ ଅନ୍ୟର ଉପକାର କରେ, ତାହାର କାର୍ଯ୍ୟର ପ୍ରକୃତ ମୂଲ୍ୟ ରହିଅଛି । ଏଭଳି ପରୋପକାରର କଥା କୌଣସି ସମ୍ୱାଦପତ୍ରରେ ଘୋଷଣା ହୁଏନାହିଁ କୌଣସି ଖାତାରେ ଲେଖାହୋଇ ନ ଥାଏ । ବାଇବେଲ୍‍ର ଅମୂଲ୍ୟ ଉପଦେଶ ଅନୁସାରେ ଡାହାଣ ହାତ ଯେଉଁ ଦାନ ଦେବ, ବାମ ହାତ ତାହା ଅନୁସାରେ ଡାହାଣ ହାତ ଯେଉଁ ଦାନ ଦେବ, ବାମ ହାତ ତାହା ଜାଣିବ ନାହିଁ । ପରୋପକାରୀ ବ୍ୟକ୍ତି ଅପର ସକାଶେ ଖଟୁଥାଆନ୍ତି, ଅପର ସକାଶେ ପରିଶ୍ରମ କରୁ କରୁ ତାଙ୍କ ଶରୀର ଜୀର୍ଣ୍ଣଶୀର୍ଣ୍ଣ ହେଉଥା, ସର୍ବସ୍ୱ ଅଜାଡ଼ି ଦେଇ ସୁଦ୍ଧା ତାଙ୍କର ବିରାମ ନାହିଁ । ଯେ ତାଙ୍କ ନିକଟକୁ ଅଭାବଗ୍ରସ୍ତ ହୋଇ ଆସୁଅଛି, ସେ କିଛି ପାଉଅଛି; କେହି ବିମୁଖ ହେଉ ନାହାନ୍ତି । ବିଧାତାଙ୍କର ଧନଧାନ୍ୟପୂର୍ଣ୍ଣ ପୃଥିବୀରେ ଏଭଳି ବ୍ରତଧାରୀ ବ୍ୟକ୍ତିବର୍ଗଙ୍କ ସାହାଯ୍ୟରେ ପୃଥିବୀର ଦୁଃଖୀଦରିଦ୍ର ସମୟାନ୍ତରରେ ପୁଣି ଧନୀ ହେଉଛନ୍ତି । ସେମାନେ ପୁଣି ପରୋପକାରବ୍ରତ ଗ୍ରହଣ କରୁଅଛନ୍ତି । ଅବସ୍ଥାନ୍ତରପ୍ରାପ୍ତି ସହିତ ଲୋକଚକ୍ର ଏହିପରି କ୍ରମାନ୍ୱୟରେ ବୁଲୁଅଛି ।

 

ମନୁଷ୍ୟର ପ୍ରାଣ ଯେତେବେଳେ ବିଧାତାଙ୍କ ଆଦେଶ ଲାଭ କରେ, ସେତେବେଳେ ସାମ୍ୟମନ୍ତ୍ର ବ୍ୟତୀତ ସେ ଅନ୍ୟ କଥା ମୁହଁରେ ଉଚ୍ଚାରଣ କରିନପାରେ । ଭଲଟାୟାର କିମ୍ୱା ରୁଷୋ ଖ୍ରୀଷ୍ଟ କିମ୍ୱା ଚୈତନ୍ୟ ମ୍ୟାଟ୍ସିନି ଅଥବା ଗ୍ୟାରିବଲ୍ଡ଼ି, ଏହି ହେତୁରୁ ଜଗତରେ ସାମ୍ୟର ଜୟଘୋଷଣା କରିଯାଇଅଛନ୍ତି, ଏବଂ ଜୀବନରେ ସାମ୍ୟବାଦାନୁସାରେ କାର୍ଯ୍ୟ କରିବାକୁ ଚେଷ୍ଟା କରିଅଛନ୍ତି ଅଥବା ସ୍ୱ ସ୍ୱ ଜୀବନ ତୃଣଭଳି ଅନ୍ୟମାନଙ୍କ ସକାଶେ ଉତ୍ସର୍ଗ କରିଯାଇଅଛନ୍ତି । ବୈଷମ୍ୟବାଦ ଏମାନଙ୍କ ଜୀବନରେ ସ୍ଥାନଗ୍ରହଣ କରିନାହିଁ । ଏମାନଙ୍କ ଭଳି ମହତ୍ ବ୍ୟକ୍ତି ପୃଥିବୀରେ ଚିରପୂଜ୍ୟ । ଏମାନେ ସଞ୍ଚୟ କରିବାକୁ ଶିଖି ନଥିଲେ- ଯାହା ପାଉଥିଲେ, ବିଧାତାଙ୍କ ନାମରେ ଅନ୍ୟର ଉପକାର ସକାଶେ ଉଡ଼ାଇ ଦେଉଥିଲେ । କାଲି କଅଣ ହେବ, କାଲି କଅଣ ଖାଇବି, ଏ ଚିନ୍ତା ସେମାନଙ୍କର ନଥିଲା । ଆଜି ଯେ ଦେଉଛନ୍ତି, କାଲି ମଧ୍ୟ ସେ ଦେବେ । ଆଜି ଅଛି, ଆଜି ବିତରଣ କରି ଅନ୍ୟର ଅଭାବ ଦୂର କରିଦିଏଁ , କାଲି ନଥିଲେ ଭିକ୍ଷା କରିବି- ସେମାନଙ୍କର ଜୀବନରେ ଏଭଳି ଆଦର୍ଶ ଜୀବନ୍ତ ମୂର୍ତ୍ତି ପରିଗ୍ରହଣ କରିଥିଲା । ଏହି ହେତୁରୁ ସେମାନେ ଶକ୍ତି, ବିଦ୍ୟା, ବୁଦ୍ଧି, ଧନ, ଜନ ସମସ୍ତହି ଅନ୍ୟର ସେବା ସକାଶେ ଉତ୍ସର୍ଗ କରୁଥିଲେ । ବିଶ୍ୱାସୀ କିମ୍ୱା ଭଗବଦ୍ ଭକ୍ତଙ୍କ ହୃଦୟରେ ଧନସଞ୍ଚୟର ବାସନା ସ୍ଥାନ ପାଏନାହିଁ । ସେମାନେ ସଂସାର କ୍ଷୁଦ୍ରସୀମାର ଅତୀତ ଜୀବ-ସେମାନେ ସ୍ୱର୍ଗୀୟ ପ୍ରେମର ଆଧାର ।

 

କିଏ ଦାତା ? କିଏ ଅବା ଗ୍ରହୀତା ? ଏ ସମସ୍ତ ହିଁ ବିଧାତାଙ୍କର ଲୀଳା । ମନୁଷ୍ୟ ସାଧାରଣତଃ ଏହି ସାମାନ୍ୟ କଥାଟିକୁ ବୁଝିପାରେ ନାହିଁ । ମନୁଷ୍ୟ ସ୍ୱାର୍ଥଭାବରେହିଁ ବିହ୍ୱଳ । ସାଧାରଣତଃ ଦେଖାଯାଏ ଯେ ଯେଉଁ ବ୍ୟକ୍ତି ଦାନକରେ, ସେ ଉପକୃତ ବ୍ୟକ୍ତି ନିକଟରୁ ପ୍ରତ୍ୟୁପକାରର ପ୍ରତ୍ୟଶା କରିଥାଏ, ପୁଣି ଅନ୍ୟଆଡ଼େ ଦେଖାଯାଏ ଯେ ଯେଉଁ ବ୍ୟକ୍ତି ଉପକାର ଗ୍ରହଣ କରେ, ସେ ମଧ୍ୟ ଉପକାରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରେନାହିଁ- କୃତଘ୍ନ ଜୀବରୂପେ ବୁଲୁଥାଏ । ସେ ଜାଣେ ନାହିଁ କିମ୍ୱା ବୁଝେନାହିଁ ଯେ ବିଧାତା ତାହାକୁ ଏପରି ଅନ୍ୟର ଦ୍ୱାରସ୍ଥ କରି ଅଧୀନତା ଶିକ୍ଷା ଦେଉଅଛନ୍ତି, ମସ୍ତକ ନତ କରିବାକୁ ଉପଦେଶ ଦେଉଛନ୍ତି । ଯେଉଁମାନେ କହନ୍ତି- ଶିଶୁ ସ୍ୱାଧୀନ, ସେମାନେ ଅଜ୍ଞ । ଶିଶୁ ମାଆଙ୍କର ଅଧୀନ । ମାଆ କିଏ ! ମା ଜଗଜ୍ଜନନୀଙ୍କ ଆଦେଶ ପ୍ରସୂତ ଦୟାରୂପିଣୀ ଶକ୍ତିବିଶେଷ । ଏହି ଶକ୍ତି ନିକଟରେ ଅବନତ ମସ୍ତକରେ ଶିଶୁ ପ୍ରଣିପାତ କରିବ ନାହିଁ ? ଏଥିରେ କଅଣ ତାହାର ସ୍ୱାଧୀନତା ବିଲୁପ୍ତ ହେବ ? ଆଜିକାଲି ମନୁଷ୍ୟମାନେ ସ୍ୱୀୟ ମୌଳିକ ପରିବାର ବନ୍ଧନ ଛିନ୍ନ କରି ଅନ୍ୟତ୍ର ଯାଇ ଏକତା ସଂସ୍ଥାପନରେ ଯତ୍ନବାନ, ଏହି ହେତୁରୁ ଏହିସବୁ କଥା ଶୁଣାଯାଏ । ଭାରତବର୍ଷରେ ଜନକଜନନୀଙ୍କ ପୂଜା ଦେବାରାଧନାରେ ସମତୁଲ୍ୟ । ଯେ ଉପକାର କରନ୍ତି ସେ ଦାତା; ଯେ ବିପନ୍ନବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତି, ତାହାଙ୍କ ମଧ୍ୟରେ ବିଧାତାଙ୍କ ଇଚ୍ଛାପ୍ରସୂତ କୃପାଶକ୍ତି ଅବତୀର୍ଣ୍ଣ । ସେ ଜନକ-ଜନନୀଙ୍କ ଭଳି ପୂଜ୍ୟ । ସାହାଯ୍ୟପ୍ରାର୍ଥୀର ଉଚିତ ଯେ ସେ କୃତଜ୍ଞତାବନତ ମସ୍ତକରେ ଚିରକାଳ ଉପକାରୀ ବନ୍ଧୁଙ୍କର ସେବା କରିବ ଏବଂ ଏଥିରେ ବିଧାତାଙ୍କ କୃପା ଅନୁଭବ କରିବ, କିନ୍ତୁ ବର୍ତ୍ତମାନ ଆଉ ସେଦିନ ନାହିଁ । ବର୍ତ୍ତମାନ ଲୋକେ ସ୍ୱାଧୀନଭାବାପନ୍ନ । ସ୍ୱାଧୀନ ଲୋକେ ଉନ୍ନତମସ୍ତକ ଓ ସ୍ଫୀତବକ୍ଷରେ ଅନ୍ୟଠାରୁ ଭିକ୍ଷା ମାଗୁଛନ୍ତି ଓ ବିପଦର ଦୁର୍ଦ୍ଦିନରେ ଭିକ୍ଷାରୂପ ସାହାଯ୍ୟ ପାଉଛନ୍ତି । ଏହା ଉତ୍ତାରୁ ଆଉ ଦାତା ଓ ଗ୍ରହୀତାଙ୍କ ସମ୍ୱନ୍ଧ ରହୁନାହିଁ । ଅସାକ୍ଷାତରେ ଏଭଳି ଉପକାରୀ ବନ୍ଧୁଙ୍କର କିମ୍ୱା ଦାତାଙ୍କର ନିନ୍ଦା ପର୍ଯ୍ୟନ୍ତ ରଟନା କରି ଗ୍ରହୀତା ବା ଉପକାରପ୍ରାପ୍ତ ବ୍ୟକ୍ତି ରସନାକୁ କଳୁଷିତ କରୁଅଛନ୍ତି । ଜନକ-ଜନନୀ ସ୍ୱଇଚ୍ଛାରେ ସନ୍ତାନକୁ ଜନ୍ମ ଦେଇଅଛନ୍ତି । ଅତଏବ ପିତାମାତାଙ୍କ ପ୍ରତି ସନ୍ତାନର କର୍ତ୍ତବ୍ୟ କିଛି ନାହିଁ । ଏକଥା ଯେଉଁମାନେ କହନ୍ତି, ସେମାନେ ଉପକାରୀ ବନ୍ଧୁଙ୍କ ନିକଟରେ କୃତଜ୍ଞ ହେବେ, ଏହା କେବେ ହେଁ ଆଶା କରାଯାଇ ନପାରେ । ଏ ଯୁଗରେ ଶତ ଶତ ପ୍ରକାର ଉପକାର ପାଇ ସୁଦ୍ଧା ଲୋକେ ଅବନତ ମସ୍ତକରେ କୃତଜ୍ଞତା ପ୍ରକାଶ କରନ୍ତି ନାହିଁ । ବିଧାତାଙ୍କ ଶିକ୍ଷାକୁ ନାନାରୂପେ ଲୋକେ ଉପେକ୍ଷା କରୁଅଛନ୍ତି ।

 

ଅନ୍ୟଆଡ଼େ ଦେଖାଯାଏ ଯେ; ଯେଉଁମାନେ ପରୋପକାର କରନ୍ତି ସେମାନଙ୍କ ମନରେ ଭୟଙ୍କର ଅହଂସର୍ବସ୍ୱ ଭାବ ଉପସ୍ଥିତ ହୋଇ ଘୋର ଅନିଷ୍ଟ ସାଧନ କରୁଅଛି । ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କର କିଛି ଶକ୍ତି ନାହିଁ, ବିଧାତାଙ୍କ ଇଚ୍ଛାରେ ତାଙ୍କଦ୍ୱାରା ପରୋପକାର ବିଧାନ ହୋଇଅଛି । ବିଧାତାଙ୍କ ଇଙ୍ଗିତ କିମ୍ୱା ଇଚ୍ଛା ବୁଝି ଯେ କାର୍ଯ୍ୟ ନ କରେ, ସେ କେବେ ହେ ନିଃସ୍ୱାର୍ଥ ହୋଇପାରିବ ନାହିଁ । ଏହି ହେତୁରୁ ନିଃସ୍ୱାର୍ଥଭାବ ଅତ୍ୟଳ୍ପ ସ୍ଥାନରେ ଦେଖାଯାଏ । ଏହି ହେତୁରୁ ଦାତାମାନଙ୍କ ନାମ, ଦାନର ତାଲିକା ସମ୍ୱାଦପତ୍ରମାନଙ୍କରେ ପ୍ରଶଂସା ସହକାରେ ବିଘୋଷିତ ହୋଇଥାଏ ଏବଂ ଉପକୃତ ବ୍ୟକ୍ତିମାନଙ୍କ ମୁଖରୁ ଦାତାମାତଙ୍କର ନିନ୍ଦାରଟନା ଶୁଣାଯାଇଥାଏ ।

 

ଆର୍ଯ୍ୟଜାତିର ଇତିହାସର ପରୋପକାର-ବ୍ରତଧାରୀମାନଙ୍କର ଯେଉଁ ସମସ୍ତ ଆଶ୍ଚର୍ଯ୍ୟ ଚିତ୍ର ଅଙ୍କିତ ରହିଅଛି, ଏଭଳି ଅନ୍ୟ କୌଣସି ଜାତିର ଇତିହାସରେ ବୋଧହୁଏ ନାହିଁ । ମନୁଙ୍କର ଗୋଟିଏ ଶ୍ଳୋକରେ ପରୋପକାରର କଥା ସୂଚିତ । ତାହା ଏହି–

 

‘‘ଦେବତାତିଥି ଭୃତ୍ୟାନାଂ ପିତୃଣାମାତ୍ମାନଶ୍ଚୟ

ନ ନିର୍ବପତି ପଞ୍ଚାନାମୁଚ୍ଛୃସନ୍ନ ସଜୀବତି ।’’

(ମନୁ-୩ୟ ଅଧ୍ୟାୟ)

 

ଅର୍ଥାତ୍, ‘‘ଯେଉଁ ବ୍ୟକ୍ତି ଦେବତା, ଅତିଥି, ଭୃତ୍ୟ, ପିତୃଲୋକ ଓ ଆତ୍ମା- ଏହି ପଞ୍ଚକୁ ଅନ୍ନଦାନ ନ କରେ ସେ ଶ୍ୱାସପ୍ରଶ୍ୱାସବିଶିଷ୍ଟ ହେଲେ ହେଁ ତାହାକୁ ମୃତବତ୍ ଜାଣିବ । ’’ ଏହାଛଡ଼ା ଶିବିରାଜା, ଦାତା କର୍ଣ୍ଣ, ରାଜା ହରିଶ୍ଚନ୍ଦ୍ର ପ୍ରଭୃତିଙ୍କ ଉପଖ୍ୟାନ ଭଳି ଘଟନା ଆଉ କେଉଁ ପ୍ରଦେଶରେ ଘଟିଅଛି ବୋଲି ଶୁଣାଯାଇ ନଥାଏ ।

 

ବର୍ତ୍ତମାନ ଯୁଗରେ ଭାରତବର୍ଷରେ ଅବସ୍ଥା ସମ୍ପର୍ଣ୍ଣ ଭିନ୍ନପ୍ରକାର । ମନୁଙ୍କ ମତରେ ଯେଉଁ କାରଣରୁ ଗୃହସ୍ଥାଶ୍ରମ ସର୍ବଶ୍ରେଷ୍ଠ ସେହି ଅତିଥି ସେବାର ହୀନାବସ୍ଥା କିମ୍ୱା ପରୋପକାର ବ୍ରତର ଅପ୍ରାଚୁର୍ଯ୍ୟ ସେହି କାରଣକୁ ସମ୍ପୂର୍ଣ୍ଣ ମ୍ଳାନ କରିଦେଇଅଛି । ଅନେକ ସ୍ଥଳରେ ଗୃହ ବିବାଦରେ ପରିବାରର ବନ୍ଧନ ଛିନ୍ନଭିନ୍ନ ହୋଇଅଛି । ଗୃହ ଅଛି, କିନ୍ତୁ ପରୋପକାରବ୍ରତ ନାହିଁ, ଆହାର-ବିହାର ରହିଅଛି, କିନ୍ତୁ ଅତିଥି-ସତ୍କାର ପ୍ରଥା ଉଠିଗଲାଣି । ବର୍ତ୍ତମାନ ଲୋକେ ମୌଳିକ ପରିବାର ବନ୍ଧନ ଛିନ୍ନ କରି ନିଜର ସୁଖ ସକାଶେ ସତତ ବ୍ୟସ୍ତ, ନିଜ ସୁଖ ହିଁ ସର୍ବସ୍ୱ ହୋଇଅଛି । ନିଜର ଉନ୍ନତି ସହିତ ଦେଶର ଉନ୍ନତି ଏବଂ ଦେଶର ଉନ୍ନତି ସହିତ ନିଜ ଉନ୍ନତିର ଯେ ଅତି ଘନିଷ୍ଠ ଯୋଗ ବିଦ୍ୟମାନ, ଏହା ଆମ୍ଭେମାନେ ସୁସ୍ପଷ୍ଟ ବୁଝିପାରୁ ନାହିଁ । ପରସ୍ପରଙ୍କ ସାହାଯ୍ୟ ବ୍ୟତୀତ ଉନ୍ନତି ପଥରେ ଅଗ୍ରସର ହେବା ଅସମ୍ଭବ, ଆମ୍ଭମାନଙ୍କ ମନରେ ଏହି ଧାରଣା ସମ୍ୟକ୍ ଭାବରେ ଜାତ ହେଉନାହିଁ ।

 

ବର୍ତ୍ତମାନ ଯୁଗରେ ଦାତା କର୍ଣ୍ଣ କିମ୍ୱା ହରିଶ୍ଚନ୍ଦ୍ର ନାହାନ୍ତି । ଏ ଯୁଗରେ ଆଦର୍ଶ ଦେଖିବା ପାଇଁ ବହୁ ଅନୁସନ୍ଧାନ କରିବାକୁ ହୋଇଥାଏ । ଊନବିଂଶ ଶତାବ୍ଦୀର ମହାପ୍ରାଣ ୰ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ମହାରାଣୀ ସ୍ୱର୍ଣ୍ଣମୟୀ ଓ ୰ ତାରକାନାଥ ପ୍ରାମାଣିକ ବଙ୍ଗଦେଶରେ ପରୋପକାରର ଯେଉଁ ଦୃଷ୍ଟାନ୍ତ ଦେଖାଇ ଯାଇଅଛନ୍ତି, ତାହା ଭାରତ ତଥା ପୃଥିବୀ ପକ୍ଷରେ ଗୌରବର ବିଷୟ । ମହାତ୍ମା ୰ ତାରକନାଥ ପ୍ରାମାଣିକଙ୍କର ଦିନକର ପରୋପକାରପ୍ରବଣତା ଦେଖି ଏହି ଲେଖକ ଦିନେ ଧନ୍ୟ ଓ କୃତାର୍ଥ ହୋଇଥିଲା । ବାହୁଲ୍ୟ ଭୟରେ ତାହା ଏଠାରେ ବିବୃତ ହେଲା ନାହିଁ ।

 

ଦେଶର ବର୍ତ୍ତମାନ ଅବସ୍ଥା ଦେଖି ଏହି ଧାରଣା ହେବା ହିଁ ସ୍ୱାଭାବିକ ଯେ ପ୍ରକୃତ ପ୍ରେମିକଙ୍କ ସଂଖ୍ୟା ଏ ଦେଶରେ କ୍ରମଶଃ ହ୍ରାସ ହେଉଅଛି । ଏହି ହେତୁରୁ ଏ କାଳରେ ଏକାନ୍ନବର୍ତ୍ତୀ ପରିବାର ପ୍ରଥାପ୍ରତି ଲୋକମାନେ ଘୃଣାସୂଚକ ବାକ୍ୟ ବ୍ୟବହାର କରିବାକୁ ନିର୍ବିବାଦରେ ଶତଜିହ୍ୱ ହୋଇଅଛନ୍ତି । ଅନ୍ୟର ସେବା ସକାଶେ ମନୁଷ୍ୟର ଯେ ଜୀବନ ଧାରଣ, ଏହା ହୃଦୟଙ୍ଗମ କରିବା ଅତି କଠିନ କଥା । ପରସ୍ପରଙ୍କ ସାହାଯ୍ୟ ସକାଶେ ପରସ୍ପରଙ୍କ ଜୀବନଧାରଣ, ଏହା ଯେଉଁ ଏକାନ୍ନବର୍ତ୍ତୀ ପରିବାରରେ ଶିକ୍ଷା ହେଉଥିଲା, ସେ ପରିବାର ପ୍ରଥା ମୂଳରେ ଯେତେବେଳେ ଲୋକେ କୁଠାରାଘାତ କରୁଅଛନ୍ତି, ସେତେବେଳେ ବୁଝିବାକୁ ହେବ ଯେ ପ୍ରେମ, ନିଃସ୍ୱାର୍ଥଭାବ ଅଥବା ଧର୍ମ ପ୍ରଭୃତି ଏ ଦେଶରେ ଶ୍ମଶାନ ଭସ୍ମରେ ପରିଣତ ହେବାକୁ ବସିଲାଣି । ପ୍ରେମ-ବ୍ରତ ପାଳନ ବ୍ୟତୀତ ଏକତା ସଂସ୍ଥାପନ ଅସମ୍ଭବ । ଯେଉଁମାନେ ନିଜର ପିତା, ମାତା, ଭାଇ, ଭଗିନୀଙ୍କ ପୃଥକାନ୍ନ-ପୃଥକବାସ କରିଦିଅନ୍ତି, ସେମାନେ ନିଃସମ୍ପର୍କ ବ୍ୟକ୍ତିମାନଙ୍କୁ ଆପଣାର ବୋଲି ଭାବିବେ, ଏ ଆଶା ଦୁରାଶା ଅଟେ । ନିଜପାଇଁ ସମସ୍ତେ ହିଁ ବ୍ୟସ୍ତ ! ଅଳ୍ପ ଆୟ ଏବଂ ଅଧିକ ଅଭାବ ବୋଲି କହି ଲୋକେ ସ୍ୱାର୍ଥପର ହେଉଅଛନ୍ତି, ମାତ୍ର ମନ ଓ ପ୍ରେରଣା ଥିଲେ ଏକ ବିନ୍ଦୁ ଅଶ୍ରୁ ଜଳରେ ଯେତେ ଉପକାର ହୋଇପାରେ, ଶତ ଧନ-କୁବେର ମଧ୍ୟ ତାହା କରିପାରିବେ ନାହିଁ ।

 

ଏହି ପୃଥିବୀରେ ସହାନୁଭୂତିବ୍ୟଞ୍ଜକ ଏକ ବିନ୍ଦୁ ଚକ୍ଷୁଜଳ ଅମୂଲ୍ୟ । ଟିକିଏ ପ୍ରକୃତ ସହାନୁଭୂତି, ଏକବିନ୍ଦୁ ଅଶ୍ରୁ ବର୍ତ୍ତମାନ ଯୁଗରେ ଦୁଷ୍ପ୍ରାପ୍ୟ । ସମସ୍ତେ ସ୍ୱାର୍ଥଚିନ୍ତାରେ ବିହ୍ୱଳ । ସ୍ୱେଚ୍ଛାଚାରିତାର ଦୁନ୍ଦୁଭି ନିନାଦ ସବୁଆଡ଼େ ଧ୍ୱନିତ । ସୁତରାଂ ପ୍ରକୃତ ଏକତା ସୁଦୂରପରାହତ । ପରୋପକାରବ୍ରତ ବର୍ତ୍ତମାନ ଅସାର ବକ୍ତୃତାରେ ପର୍ଯ୍ୟବସିତ । ପରୋପକାର ବ୍ରତଧାରୀଙ୍କୁ ନିମ୍ନ ଚାରିଗୋଟି ଧାଡ଼ି ସ୍ମରଣ ରଖିବାକୁ ହେବ ।

 

‘‘Help whenever wherever you can,

For man needs aid from every man

Let a day never die in the west,

That you have not comforted any and breast’’

 

ଅର୍ଥାତ୍, ଯେଉଁଠାରେ ଇଚ୍ଛା ସେଠାରେ, ଯେତେବେଳେ ଇଚ୍ଛା ସେତେବେଳେ ଅନ୍ୟକୁ ସାହାଯ୍ୟ କର । କାରଣ, ମନୁଷ୍ୟ ପ୍ରତ୍ୟେକ ମନୁଷ୍ୟଠାରୁ ସାହାଯ୍ୟ ଲୋଡ଼େ । ଏପରି କୌଣସି ଦିବସର ଅବସାନ ନ ହେଉ, ଯେଉଁଦିନ ତୁମେ ଜଣେ ଦୁଃଖୀର ହୃଦୟଭାରକୁ ଲଘୁ ନ କରିଛ ।

Image

 

ଗୁରୁ ଓ ଶିଷ୍ୟ

(ଅଧ୍ୟାପକ ବିପିନବିହାରୀ ରାୟ)

 

କଠ ଉପନିଷଦ୍ ଯେଉଁ ଯେଉଁ ଦ୍ରବ୍ୟ, ଯେତେ ଯେତେ ଦ୍ରବ୍ୟ ଆମ୍ଭମାନଙ୍କ ନିମିତ୍ତ ବାଢ଼ି ଦେଇଅଛି, ତନ୍ମଧ୍ୟରେ ଯମ-ନଚିକେତାଙ୍କର ଏକତ୍ର ଜୀବନତତ୍ତ୍ୱ ବିଚାର ପ୍ରଧାନ ବିଷୟବସ୍ତୁ । ଯମ ଗୁରୁ, ନଚିକେତା ଶିଷ୍ୟ । ଶିଷ୍ୟ ଜ୍ଞାନାନ୍ୱେଷୀ, ଘଟନାଗତ ବା ବିଷୟଗତ ଜ୍ଞାନର ନୁହେଁ, ଅତୀନ୍ଦ୍ରିୟ ପଦାର୍ଥର, ଯାହା ଇନ୍ଦ୍ରିୟଜଗତ ସୃଷ୍ଟିର କାରଣ । ଗୁରୁ ମହୋଦୟଙ୍କୁ ଶିଷ୍ୟଙ୍କର ପ୍ରଶ୍ନ ହେଉଛି, ‘ମୋତେ ସେହି ବିଦ୍ୟା ସହିତ ସାକ୍ଷାତ କରାଇ ଦିଅନ୍ତୁ, ଯାହାର ଅବଲମ୍ୱନରେ ମୁଁ ବିଶ୍ୱବ୍ରହ୍ମାଣ୍ଡକୁ ଚିହ୍ନିପାରିବି, ଆତ୍ମା-ପରମାତ୍ମା ସମ୍ୱନ୍ଧ ବୁଝିପାରିବି; ମୋତେ ସେହି ମାର୍ଗର ସଙ୍କେତ ଦିଅନ୍ତୁ, ଯାହାକୁ ଅନୁସରଣ କରି ମୁଁ ବ୍ରହ୍ମଲୋକରେ ପହଞ୍ଚିପାରିବି, ମୃତ-ଜୀବନକୁ ଅମୃତ କରିପାରିବି ।’

 

ବିଦ୍ୟା ମୂଳତଃ ଦୁଇ ଜାତୀୟ, ପରାବିଦ୍ୟା, ଅପରାବିଦ୍ୟା । ସଂସାରର ଏକ ଏକ ବିଷୟକୁ ବିଭିନ୍ନ ପ୍ରକାରରେ ଅନୁଭବ କରିବା, ବିଷୟ ବିଷୟର ବହିଃପ୍ରଦେଶ ସହିତ ଇନ୍ଦ୍ରିୟ ସମ୍ପର୍କ ଘଟାଇବା, ସାଂସାରିକ ସୁଖଦୁଃଖରେ ମଜ୍ଜି ରହିବା ଅପରାବିଦ୍ୟା; ସାରା ବିଶ୍ୱଭୁବନକୁ ଏକ ଯୋଗରେ, ସମୂହ ଭାବରେ ଚିନ୍ତା କରିବା, ତାହାର ଅନ୍ତର ପ୍ରଦେଶରେ ପହଞ୍ଚି ପାରିବା, ଜାଗତିକ ମୂଳ କାରଣ ତଥା ଅନ୍ତିମ ଜୀବନର ସାକ୍ଷାତରେ ଆସିବା, ପରବିଦ୍ୟାର କାର୍ଯ୍ୟ । ଉଭୟ ବିଦ୍ୟା ପ୍ରୟୋଜନ ନିର୍ଦ୍ଦିଷ୍ଟ । ଅପରା ବିଦ୍ୟା ସାହାଯ୍ୟରେ ସଂସାରର ଅନିତ୍ୟ ବସ୍ତୁ ଅନିତ୍ୟ ସୁଖ (ଯଥା ଧନ-ଦୌଲତ)କୁ ତଥା ବିଷୟଗତ କର୍ତ୍ତୃତ୍ୱକୁ ଆମ୍ଭେମାନେ ଆୟତ୍ତ କରିପାରିଥାଉଁ । ପରାବିଦ୍ୟା ବଳରେ ଦୃଶ୍ୟମାନ, କ୍ଷୟଶୀଳ ଜଗତକୁ ଅତିକ୍ରମ କରି ଅଦୃଷ୍ଟ, ଅକ୍ଷୟ ପଦାର୍ଥକୁ ନିଜ ଅଧିକାରରେ ଆଣିପାରିଥାଉଁ, ଚିରନ୍ତନ ସୁଖର ଉପଭୋଗୀ ହୋଇଥାଉଁ । ନଚିକେତା ଏହି ପଦାର୍ଥର ପ୍ରତ୍ୟାଶୀ ।

 

ଜଣେ ବ୍ୟକ୍ତିଙ୍କର ପ୍ରଶ୍ନ ପଚାରିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ସେ ପ୍ରଶ୍ନର ଉତ୍ତର ଦେବାର ଆମ୍ଭେମାନେ ସାଧାରଣତଃ ଧରିନେଇଥାଉ ଯେ ପ୍ରଥମଟି ଅଜ୍ଞ, ଦ୍ୱିତୀୟଟି ବିଜ୍ଞ । ପ୍ରଥମଟି ଅଭାବଗ୍ରସ୍ତ, ଦ୍ୱିତୀୟଟି ଅଭାବପୂରକ । ବାସ୍ତବରେ କିନ୍ତୁ ଏ ଦୁହିଁଙ୍କର ସମ୍ପର୍କ ତଦ୍ରୂପ ନୁହେଁ । ପ୍ରଶ୍ନ ପଚାରିବାରେ ବିଜ୍ଞତା ଅଛି । ଯେ ଶୂନ୍ୟମସ୍ତିଷ୍କ, ସେ ପ୍ରଶ୍ନ କରିବାରେ ଅସମର୍ଥ । ଯାହାର ଅର୍ଥବୋଧ ଅଛି, ସେହି ବ୍ୟକ୍ତି ପ୍ରଶ୍ନ କରିପାରେ, ପ୍ରଶ୍ନ ପରେ ପ୍ରଶ୍ନ ଉତ୍‍ଥାପନ କରି, ପ୍ରଶ୍ନ-ପ୍ରଶ୍ନର ମାର୍ଗଧରି ସେହି କଥାବସ୍ତୁକୁ ନାନା ଦିଗରେ ଖେଳାଇପାରେ, ତନ୍ନତନ୍ନ କରି ବୁଝିପାରେ, ମଧ୍ୟ ବୁଝାଇପାରେ । ପୁଣି ପ୍ରଶ୍ନ-ପ୍ରଶ୍ନ ଭିତରେ ପ୍ରଭେଦ ବିଦ୍ୟମାନ । ସବୁ ପ୍ରଶ୍ନ ଏକଜାତୀୟ ନୁହେଁ । ଯାହାର କ୍ଷମତା ଯେତେ ଅଧିକ, ସେ ସେହିପରି ଗୂଢ଼ ପ୍ରଶ୍ନ କରିପାରେ । ନଚିକେତାଙ୍କଦ୍ୱାରା ଯେଉଁ ପ୍ରଶ୍ନ ଉତ୍‌ଥାପିତ ହୋଇଅଛି, ସେ ପ୍ରଶ୍ନ ଅନ୍ୟ ଲୋକ ପକ୍ଷରେ ସମ୍ଭବ ନ ହୋଇପାରେ । ନଚିକେତାଙ୍କ ପ୍ରଶ୍ନ ନଚିକେତାଙ୍କ ଜ୍ଞାନ ପ୍ରଶସ୍ତିର ପରିଚାୟକ ।

 

ଯେପରି ସେପରି ଲୋକ ଗୁରୁ କି ଶିଷ୍ୟ ହୋଇନପାରେ । ସେହି ସେହି ସ୍ଥାନ ପାଇବାକୁ ହେଲେ, ତଦନୁରୂପ ଯୋଗ୍ୟତା ଥିବା ଆବଶ୍ୟକ । ଶିଷ୍ୟ ଶିକ୍ଷକତ୍ୱର ମୂଳ ସୋପାନ ହେଉଛି ବିଶ୍ୱାସ, ବିଶ୍ୱାସ ପରସ୍ପରର ଶକ୍ତିରେ ଓ ବିଶ୍ୱର ସୃଷ୍ଟିତତ୍ତ୍ୱରେ । ଏହି ତତ୍ତ୍ୱର ବୟାନ କରିବାର ଯୋଗ୍ୟତା ଗୁରୁଙ୍କଠାରେ, ଗ୍ରହଣ କରିବାର ଯୋଗ୍ୟତା ଶିଷ୍ୟଠାରେ ଥିବାର କଥା । ଜ୍ଞାନର ଆରମ୍ଭରେ ବିଶ୍ୱାସ । ବିଶ୍ୱାସ ଜ୍ଞାନର ପୂର୍ବତନ ସ୍ତର । କେତୋଟି ବସ୍ତୁରେ ପ୍ରତ୍ୟୟ ଥାଇ ତଦ୍ଭବ ସାହାଯ୍ୟରେ ଅନ୍ୟ ବସ୍ତୁମାନଙ୍କୁ ଆମ୍ଭେମାନେ ପ୍ରମାଣ କରିଥାଉଁ, ବସ୍ତୁଜ୍ଞାନ ପ୍ରାପ୍ତିରେ କ୍ଷମ ହୋଇଥାଉ । ଛାତ୍ର ନାମଧାରୀ ଯେଉଁ ଲୋକ ଜ୍ଞାତବ୍ୟ ବିଷୟ ପ୍ରତି, ଗୁରୁଙ୍କର ଥିବା କ୍ଷମତା, ପୁଣି ନିଜେ ଅର୍ଜିପାରିବା କ୍ଷମତା ପ୍ରତି ସନ୍ଦେହଯୁକ୍ତ, ସେ ଛାତ୍ରର ପଦବୀ ନେଇ ନପାରେ, ପଦାର୍ଥ ଜ୍ଞାନ ପାଇ ନପାରେ । ଛାତ୍ରର ଦ୍ୱିତୀୟ ଯୋଗ୍ୟତା ସଂଯତ, ନିୟନ୍ତ୍ରିତ ଜୀବନ, ଏପରି ଜୀବନ ଯେ, ତହିଁରେ ଜ୍ଞାନ-ବୀଜ ପଡ଼ିବା ମାତ୍ରେ କାର୍ଯ୍ୟକାରୀ ହୋଇଥାଏ । ଏହା ତପସ୍ୟାର ଫଳ । ତପସ୍ୟାର ଫଳ ଦ୍ୱିବିଧ । ତପସ୍ୟା ବଳରେ ଶିଷ୍ୟ ମନ୍ଦପ୍ରବୃତ୍ତିଗୁଡ଼ିକୁ ଦମନ କରି ବିଭିନ୍ନ ଲାଳସା-ପିପାସାର ପ୍ରଲୋଭନକୁ ଏଡ଼ିଦେଇ, ନିଜ ଜୀବନରେ ଅନ୍ତର୍ବିହିଃ ପ୍ରଦେଶରେ ପରିଶୁଦ୍ଧ ଓ ଏକାଗ୍ରତା ଆଣିଥାଏ, ଏ ବିଷୟ ସେ ବିଷୟ ପ୍ରତି ଧାବମାନ ନ ହୋଇ ଏକ ଲକ୍ଷ୍ୟ-ସାଧନରେ ନିଯୁକ୍ତ ରହି ଏହାକୁ ଜୀବନର ବ୍ରତ କରିଥାଏ ।

 

ଯେ ଗୁରୁ, ସେ ଜନ୍ମରୁ ଗୁରୁ ନୁହନ୍ତି । ଛାତ୍ର ଜୀବନର ମାର୍ଗ ଧରି ଯଥାଯଥ ଜ୍ଞାନର ଅଧିକାରୀ ହୋଇ ସେ ଗୁରୁ ଆସନରେ ପ୍ରତିଷ୍ଠିତ । ଏକ କାଳରେ ଯେ ଗୁରୁ, ପୂର୍ବବର୍ତ୍ତୀ କାଳରେ ସେ ଛାତ୍ର । ଛାତ୍ରରୁ ଗୁରୁଙ୍କର ସୃଷ୍ଟି, ପୁଣି ଗୁରୁଙ୍କ ହେତୁରୁ ଛାତ୍ରଙ୍କର ପୁଷ୍ଟି । ଅତଏବ ଛାତ୍ରଙ୍କର ଯୋଗ୍ୟତା ଗୁରୁଙ୍କଠାରେ ବିଦ୍ୟମାନ । ଏ ଯୋଗ୍ୟତା ଛଡ଼ା ଗୁରୁଙ୍କଠାରେ ଅଧିକ କ୍ଷମତା ମଧ୍ୟ ବିଦ୍ୟମାନ । ଏହି କ୍ଷମତା ବଳରେ, ଶିଷ୍ୟଙ୍କର ଯୋଗ୍ୟତା ମୂଲ୍ୟ କଷିବାରେ, ଏବଂବିଧ ଯୋଗ୍ୟତାକୁ ପୂର୍ଣ୍ଣତା ପ୍ରତି ଘେନିଯିବାରେ ଗୁରୁ ସମର୍ଥ ।

 

ଗୁରୁଙ୍କର ଦକ୍ଷତା ସ୍ୱକୀୟ ତେଜର ପ୍ରସାର ଘଟାଇବାରେ । ଗୁରୁଗତ କ୍ଷମତା, ଯେତେ ଯେତେ ପରିମାଣରେ ଶିଷ୍ୟ ଜୀବନରେ ପ୍ରତିଫଳିତ ହୁଏ, ଗୁରୁଙ୍କର ଯୋଗ୍ୟତା ତେତେ ତେତେ ପରିମାଣରେ ପରିସ୍ଫୁଟ ହେଉଥାଏ । ଗୁରୁ ବହୁ ଶାସ୍ତ୍ର ଆଲୋଚନା ନିମିତ୍ତ ସର୍ବଦା ପ୍ରସ୍ତୁତ । କେବଳ ପାଣ୍ଡିତ୍ୟ ଅର୍ଜିଥିବା ନୁହେଁ, ତହିଁ ସଙ୍ଗେ ବିନୟ ମିଶ୍ରିତ ରହିଥିବା ପାଣ୍ଡିତ୍ୟର ଲକ୍ଷଣ । ଗୁରୁ ଯେବେ ଭାବନ୍ତି ଯେ ସେ ଯାହା ସାଧି ପାରିଅଛନ୍ତି, ତାହା ଅନ୍ୟ ପକ୍ଷରେ ଅସାଧ୍ୟ; ଯେବେ ସେ ଏପରି ଧାରଣା ପୋଷିଥାନ୍ତି ଯେ, ସେ ଏକା ସେହିପରି ପଣ୍ଡିତ ହୋଇପାରନ୍ତି, ଅନ୍ୟ ସମସ୍ତେ ତାଙ୍କର ନିମ୍ନ ଦେଶରେ ମାତ୍ର ରହିପାରନ୍ତି, ତେବେ ସେ ଗୁରୁପଦବୀର ଅଯୋଗ୍ୟ । ଗୁରୁ ସାଧକ, ନିଜେ ଶିଷ୍ୟ ଥାଇ କଠୋର ବ୍ରତର ସାଧନାରେ ସେ ଗୁରୁଆସନର ଯୋଗ୍ୟ ହୋଇପାରିଛନ୍ତି । ଏଣୁ ଗୁରୁଙ୍କର ବିଶ୍ୱାସ ଏହି ଯେ, ସେ ଯାହା ଅର୍ଜିପାରିଛନ୍ତି; ଅନ୍ୟମାନେ ସେହିପରି ସାଧନା ସାଧି ତାହାକୁ ଅର୍ଜିପାରିବେ । ଗୁରୁ ଅତିମାନବ, ପୁଣି ଅନେକ ଅତିମାନବ ସୃଷ୍ଟି କରିବା ଗୁରୁଙ୍କର କର୍ମ । ଯମ ଏକ ଅତିମାନବ; ନଚିକେତାଙ୍କୁ ଶିଷ୍ୟପଦରେ ପାଇ ସେ ଦ୍ୱିତୀୟ ଅତି-ମାନବର ସ୍ରଷ୍ଟା ।

 

ସୃଷ୍ଟିକାର୍ଯ୍ୟ ପ୍ରଧାନତଃ ଗୁରୁଙ୍କର, କିନ୍ତୁ ପୂର୍ଣ୍ଣତଃ ନୁହେଁ । ଯେଉଁମାନଙ୍କର ଶିକ୍ଷା-କାର୍ଯ୍ୟରେ ଅଭିଜ୍ଞତା ଅଛି, ସେମାନେ ନିଶ୍ଚୟ ସ୍ୱୀକାର କରିବେ ଯେ, ଯଥାର୍ଥ ବିଦ୍ୟାର୍ଥୀ ଗୁରୁଙ୍କ ଉପରେ ଶିକ୍ଷାର ସମସ୍ତ ଦାୟିତ୍ୱ ଲଦିଦିଏ ନାହିଁ । ସେ ଗୁରୁଙ୍କର ଆଶ୍ରୟରେ, କିନ୍ତୁ ସ୍ୱକୀୟ ଶ୍ରମ ନିଯୁକ୍ତି ଫଳରେ ବିଦ୍ୟା ହାସଲ କରିବାରେ କ୍ଷମ ହୋଇଥାଏ । ବିଦ୍ୟା ଗୁରୁ-ଶିଷ୍ୟ ଉଭୟଙ୍କର ସୃଷ୍ଟି, ଉଭୟଙ୍କଠାରେ ମାନସଂଘଟିତ କ୍ରିୟାପ୍ରତିକ୍ରିୟାର ଏକୀଭୂତ ବିକାଶ ।

 

ଗୁରୁ-ଶିଷ୍ୟଙ୍କର ସମ୍ୱନ୍ଧ ବହିର୍ଜଗତର ନୁହେଁ । ଏ ସମ୍ୱନ୍ଧ ଆତ୍ମଗତ, ମାନସଂଘଟିତ ଦାନ-ପ୍ରତିଦାନର ସମ୍ୱନ୍ଧ । ଜଣେ ଦାତା, ଅନ୍ୟଟି ଗ୍ରହୀତା । ଦାତା-ଗ୍ରହୀତା ସମ୍ପର୍କଦାତା ଓ ଭିକ୍ଷୁକର ସମ୍ପର୍କ ନୁହେଁ । ଯେ ଭିକ୍ଷା ମାଗେ, ସେ ଶକ୍ତିଶୂନ୍ୟତାର ପରିଚୟ ଦିଏ; କିନ୍ତୁ ଦାନ-କାର୍ଯ୍ୟରେ ଦାତା ଶକ୍ତିମାନ, ଗ୍ରହୀତା ମଧ୍ୟ ଶକ୍ତିମାନ । ଶକ୍ତି ନ ଥିଲେ, କେହି ଦାନ ଦେଇ ନପାରେ, ପୁଣି ଶକ୍ତି ନଥିଲେ ଅନ୍ୟ ବ୍ୟକ୍ତି ଦାନକୁ ଗ୍ରହଣ କରିନପାରେ । ଶିକ୍ଷା-ସମ୍ୱନ୍ଧରେ ଠିକ୍‌ ଏହି କଥା । ଗୁରୁ ଯେ କେବଳ ପଦାର୍ଥବାନ୍‌ ଏବଂ ଶିଷ୍ୟ ଯେ ପଦାର୍ଥହୀନ ଏପରି ନୁହେଁ; ଶିକ୍ଷାକାର୍ଯ୍ୟ ପ୍ରତି ନିରୀକ୍ଷଣ କଲେ, ବିଷୟଟି ସହଜରେ ହୃଦୟଙ୍ଗମ କରିହୁଏ । ଶିଷ୍ୟ ଯାହା ଯେତେବେଳେ ଶିକ୍ଷାପାଏ, ତାହା ସଙ୍ଗେ ସଙ୍ଗେ ତାହାର ମସ୍ତିଷ୍କଗତ ହୁଏ ନାହିଁ । ଶିକ୍ଷକଙ୍କଦ୍ୱାରା ବିଷୟଟି ଉତ୍‌ଥାପିତ ହେଲେ, ଶିଷ୍ୟର ମସ୍ତିଷ୍କରେ ଏକ ପ୍ରତିକ୍ରିୟା ସଂଘଟିତ ହୋଇଥାଏ । ବିଷୟଟିର ଅର୍ଥ କଅଣ, ଏହା କେଉଁ ପ୍ରଦେଶର ଅନ୍ତର୍ଭୁକ୍ତ, ଏଥିରୁ ଅନ୍ୟ କେଉଁ ବିଷୟ ଅନୁଶୀଳନ କରାଯାଇପାରେ, ଏହିପରି ଓ ଏତତ୍‌ ସମ୍ପର୍କୀୟ ବିବିଧ ପ୍ରଶ୍ନ ଶିଷ୍ୟଠାରେ ଜାଗ୍ରତ ହୋଇଉଠେ । ଯେବେ ଏପରି ଛାତ୍ର ଥାଆନ୍ତି, ଯେଉଁମାନଙ୍କଠାରେ ଗୁରୁବାକ୍ୟ କିଛିମାତ୍ର ସ୍ପନ୍ଦନ ଘଟାଏ ନାହିଁ, ତେବେ ସେମାନେ ନାମତଃ ଛାତ୍ର । ସେମାନେ ସେହିପରି ଅବସ୍ଥାରେ ରହିଥିବା ପର୍ଯ୍ୟନ୍ତ ଶିଷ୍ୟପଦ ପାଇ ନପାରନ୍ତି । ଆଉ କେତେକ ଛାତ୍ର ଥାଇପାରନ୍ତି, ଯାହାଙ୍କଠାରେ ଶିକ୍ଷାଜନିତ ପ୍ରତିକ୍ରିୟା ଘଟିଥାଏ; କିନ୍ତୁ ଉପଯୁକ୍ତ ପ୍ରତିକ୍ରିୟା ଘଟେ ନାହିଁ । ଅର୍ଥାତ୍‌; ଏମାନେ ବିଷୟଟିର ଉଚିତ୍‍ ଅର୍ଥ ବୁଝିବାରେ ଅଥବା ତତ୍‌-ସମ୍ପର୍କୀୟ ଉଚିତ ପ୍ରଶ୍ନ ଧରିବାରେ ଅକ୍ଷମ ହୋଇଥାଆନ୍ତି । ଏ ଶ୍ରେଣୀର ଛାତ୍ର ଛାତ୍ର ନାମର ଯୋଗ୍ୟ, ଯଦିଚ ଏମାନଙ୍କର ସ୍ଥାନ ନିମ୍ନସ୍ତରରେ । ଯେଉଁ ଶିଷ୍ୟର ମାନସପ୍ରବେଶ ଶିକ୍ଷା-ପଦ୍ଧତିଦ୍ୱାରା ଟିକିଏ ହେଲେ ଅଲୋଡ଼ିତ ହୁଏନାହିଁ, ସେ ଗ୍ରହୀତାସ୍ଥାନର ଅଯୋଗ୍ୟ । ଏ ଲୋକର ବର୍ତ୍ତମାନ ଶୂନ୍ୟ, ଭବିଷ୍ୟତ ମଧ୍ୟ ତଦ୍ରୂପ । କିନ୍ତୁ ଯାହାଠାରେ କୌଣସି ପ୍ରକାର, ଏପରି କି ଅଶୁଦ୍ଧ ପ୍ରକାର ଆଲୋଡ଼ନ ଘଟେ, ସେ ଲୋକର ସମାୟିକ ଅଯୋଗ୍ୟତା ଥିଲେ ହେଁ ଏ ଅଯୋଗ୍ୟତା ଦ୍ୱୋଷାବହ ନୁହେଁ । ଦୃଶ୍ୟମାନ ମୂଢ଼-ଛାତ୍ରର ଛାତ୍ରତ୍ୱ ରହିଥିଲେ, ସେ ଅଶୁଦ୍ଧମାର୍ଗ ବାଟେ କ୍ରମେ ଶୁଦ୍ଧମାର୍ଗକୁ ଆସିପାରେ । ଶିକ୍ଷକ ତାହାକୁ ଏପରି ମାର୍ଗକୁ ଆଣିପାରନ୍ତି-

 

ବିଦ୍ୟାଦାନ, ଇତର ବସ୍ତୁର ଦାନଠାରୁ ସମ୍ପର୍ଣ୍ଣ ପୃଥକ୍‌ । ଅନ୍ୟ ପାର୍ଥିବ ବସ୍ତୁର ଦାନରେ ଏକପକ୍ଷର ଅଳ୍ପ-ବହୁତ କ୍ଷତି ହୋଇଥାଏ; ଅନ୍ୟପକ୍ଷର ତଦନୁକ୍ରମେ ଲାଭ ଆସିଥାଏ, ଅର୍ଥାତ୍‌ ଦାତା ନିଜର ଅଳ୍ପତା ଘଟାଇ ଗ୍ରହୀତାକୁ ଅଧିକା କରନ୍ତି । ବିଦ୍ୟାଦାନ ଏକାଧାରରେ ଗୁରୁଶିଷ୍ୟ ଉଭୟଙ୍କର ଉପାର୍ଜନ; ଏକ କାର୍ଯ୍ୟରେ ଏକ କାଳରେ ଉଭୟେ ଲାଭବାନ୍‌ । ଗୁରୁ-ଶିଷ୍ୟଙ୍କର ପରସ୍ପରଠାରେ ଘାତ ପ୍ରତିଘାତ ଘଟୁଥିବା ହେତୁରୁ ଏ ଦ୍ୱିବିଧ ଲାଭ ସମ୍ଭବ ହୁଏ । ଗୁରୁ ଯେ କେବଳ ଦାତା, ଶିଷ୍ୟ ଯେ କେବଳ ଗ୍ରହୀତା, ଦାନ ଯେ ଏକ ପ୍ରଦେଶରେ ଗ୍ରହଣ, ଅନ୍ୟ ପ୍ରଦେଶରେ ନିବଦ୍ଧ, ଏପରି ନୁହେଁ । ବିଦ୍ୟାଦାନରେ ଦାତା ମଧ୍ୟ ଗ୍ରହିତା, ଗ୍ରହୀତା ମଧ୍ୟ ଦାତା ଅଟେ-

 

ଶିକ୍ଷାକାର୍ଯ୍ୟରେ କେବଳ ଶିଷ୍ୟର ଉନ୍ନତି ଘଟିଥାଏ, ଏହା ଯଥାର୍ଥ ସତ୍ୟ ନୁହେଁ । ଗୁରୁଶିଷ୍ୟ ପରସ୍ପର ସମ୍ୱନ୍ଧାନ୍ୱିତ ହେବାରେ ଉଭୟଙ୍କ ଜୀବନରେ ବିକାଶ ଘଟେ । ଶିଷ୍ୟ ଯାହା ଥାଏ, ଗୁରୁଙ୍କୁ ପାଇ ତେତିକି ମାତ୍ର ରହେ ନାହିଁ, କିମ୍ୱା ଗୁରୁ ଶିଷ୍ୟକୁ ଯେଉଁ ଅବସ୍ଥାରେ ପାଆନ୍ତି, ସେହି ଅବସ୍ଥାରେ ତାହାକୁ ରଖାଇ ଦିଅନ୍ତି ନାହିଁ, ପୁଣି ଶିଷ୍ୟକୁ ଶିକ୍ଷା ଦେବାକୁ ଯାଇ, ଶିଷ୍ୟ ଜୀବନର ସଙ୍ଗଠନରେ ନିଯୁକ୍ତ ରହି ଗୁରୁ, ଶିଷ୍ୟର ଅଭିବୃଦ୍ଧି ସଙ୍ଗେ ନିଜର ଅଭିବୃଦ୍ଧି ସାଧିପାରି ଥାଆନ୍ତି । ଦାନ ପ୍ରତିଦାନ ଫଳରେ ଶିଷ୍ୟର ଅନ୍ତର୍ନିହିତ ପଦାର୍ଥ ଯେପରି ଉଦ୍‌ବୁଦ୍ଧ ହୁଏ, ଗୁରୁଙ୍କର ତାହା ସେହିପରି ମାର୍ଜନା ପାଏ । ଶିକ୍ଷାର ଆରମ୍ଭରେ ଗୁରୁ ଓ ଶିଷ୍ୟ ଯେଉଁ ଯେଉଁ ସ୍ତରରେ ଥାଆନ୍ତି, ଶିକ୍ଷାର ଅବସାନରେ ସେମାନେ ସେହି ସେହି ସ୍ତରରେ ରହନ୍ତି ନାହିଁ । ଶିକ୍ଷା ପାଇ ଶିଷ୍ୟ ଗୁରୁଙ୍କୁ ଅତିକ୍ରମ କରିଥାଏ ବା ତାହାଙ୍କର ସମକ୍ଷକ ହୋଇଥାଏ ଅଥବା ତନ୍ମିମ୍ନ ସ୍ଥାନରେ ରହିଥାଏ, କିନ୍ତୁ ଉଭୟେ ସ୍ୱକୀୟ ସ୍ତର ଅପେକ୍ଷା ଉଚ୍ଚ ସ୍ତରରେ ଉପସ୍ଥିତ ହୋଇପାରି ଥାଆନ୍ତି ଓ ସ୍ତର ସ୍ତର ମଧ୍ୟରେ ସମନ୍ୱୟ ଆଣିପାରିଥାଆନ୍ତି । ଶିକ୍ଷା ଗୁରୁଶିଷ୍ୟ ଉଭୟକୁ ଯେଉଁ ପ୍ରଦେଶକୁ ଘେନି ଯାଇଥାଏ, ସେହି ପ୍ରଦେଶ ଗୁରୁଶିଷ୍ୟ ପ୍ରଦେଶର ସଂଯୋଗ ମାତ୍ର ନୁହେଁ, ତାହା ଏକ ବୃହତ୍ତର, ମହତ୍ତର ଭୂମଣ୍ଡଳ; ଯହିଁରେ ଗୁରୁକ୍ଷେତ୍ର ଓ ଶିଷ୍ୟକ୍ଷେତ୍ର ଉଭୟେ ଅଙ୍ଗୀଭୂତ, ଉଭୟେ ପୁଣି ତାହାର ଆଶ୍ରିତ ।

 

ପୁଣି ଗୁରୁ-ଶିଷ୍ୟଗତ ଦାନ-ପ୍ରତିଦାନକୁ ଭୌତିକ ବସ୍ତୁରୂପେ ଘେନି ବେପାର ତୁଳନା କରିଯାଇ ନପାରେ । ଶିକ୍ଷାଦେବା ପୂର୍ବରୁ ଯମ ନଚିକେତାଙ୍କଠାରୁ ଶିକ୍ଷା ପାଇଁ ଉଚିତ ମୂଲ୍ୟ ଦାବି କରିନଥିଲେ, ପାଇନଥିଲେ । ଶିକ୍ଷା-ଘଟିତ ଦ୍ରବ୍ୟ କିଣାବିକା ସାମଗ୍ରୀ ନୁହେଁ, ତାହା ବଜାର ସଉଦାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବଜାର ସଉଦା ମୂଲ୍ୟ ନେଇ ବିକିବା ପାଇଁ ବଢ଼ା ରହିଥାଏ, ଏହି ଏହି ସାମଗ୍ରୀ ଏତକ ମୂଲ୍ୟରେ ବିକା ହୋଇଥାଏ, କିଣାହୋଇଥାଏ । ଶିକ୍ଷା ଅମୂଲ୍ୟ ପଦାର୍ଥ । ଶିକ୍ଷାର ସ୍ଥାନ ପାର୍ଥିବ ମୂଲ୍ୟ ଜଗତର ବାହାରେ, ଏପରି କି ଜଗତର ଉପରେ ମଧ୍ୟ । ଏତଦ୍‌ବ୍ୟତୀତ ପାର୍ଥିବ ବସ୍ତୁ କିଣିବା ସମୟରେ ଭଲମନ୍ଦ ପରୀକ୍ଷା କରି ଆମ୍ଭେମାନେ ଗ୍ରହଣ କରିଥାଉଁ, ଗ୍ରହଣ କଲା ଉତ୍ତାରୁ ମଧ୍ୟ ସାମଗ୍ରୀ ମନ୍ଦ ଥିବାର ଜାଣିପାରି ତାହାକୁ ଫେରସ୍ତ ଦେଇଥାଉ । କିନ୍ତୁ ଶିକ୍ଷାଗତ ପଦାର୍ଥ ପ୍ରତି ଏ ପ୍ରକାର ପରୀକ୍ଷା ପ୍ରୟୋଗ କରାଯାଇନପାରେ । ଶିକ୍ଷା ଦେବା-ପାଇବାରେ ଗୁରୁଦତ୍ତ ପଦାର୍ଥ ଶିଷ୍ୟର ମାନସ-ରାଜ୍ୟ ଉପରେ କ୍ରିୟା ଘଟାଇ ସଙ୍ଗେ ସଙ୍ଗେ ତାହା ସେହି ମାନସ-ରାଜ୍ୟର ବସ୍ତୁଭୂତ ହୋଇଯାଏ । ଏପରି ଅଭୌତିକ ପଦାର୍ଥର ଯଥା, ଗୁରୁଶିଷ୍ୟ ଶିକ୍ଷଗତ ବିଧାନର ଔଚିତ୍ୟାନୌଚିତ୍ୟ ପରୀକ୍ଷା ଆମ୍ଭମାନଙ୍କ ପକ୍ଷରେ କଷ୍ଟସାଧ୍ୟ । ତେବେ ଶିକ୍ଷାକାର୍ଯ୍ୟ ଯଥାର୍ଥରୂପେ ସମାହିତ ହେଉଅଛି, ଯମ ଯେ ନଚିକେତାଙ୍କୁ ଉପଯୁକ୍ତ ଶିକ୍ଷା ଦେଉଅଛନ୍ତି-ତାହାର ପ୍ରମାଣ କ’ଣ ? ପ୍ରମାଣ ସ୍ୱୟଂ ଭଗବାନ । ଭଗବାନଙ୍କୁ ସମ୍ମୁଖରେ ରଖି ଶିକ୍ଷାକାର୍ଯ୍ୟ ଆମ୍ଭେମାନେ ସମାଧାନ କରିଥାଉଁ । ଯାହା ମାନବ ପରୀକ୍ଷାର ସମ୍ଭବଯୋଗ୍ୟ ନୁହେଁ ତାହା ଭଗବାନଙ୍କ ନିମିତ୍ତ ନିର୍ଦ୍ଦିଷ୍ଟ ।

 

ଯମ ମୃତ ପ୍ରଦେଶର କର୍ତ୍ତା । ସେ ଅମୃତ ଲୋକର ବ୍ୟାଖ୍ୟା ଦେଇପାରନ୍ତି କି ? ଦେଲେ ବା କିପରି ? ବୋଧହୁଏ ଶିଷ୍ୟଙ୍କଠାରୁ ପରିପୂର୍ଣ୍ଣ ସହଯୋଗ ପାଇ । ମୃତପୁର ରାଜାଙ୍କର ଅମୃତ ଭୁବନ ସସ୍ୱନ୍ଧରେ ସଦ୍‌ଜ୍ଞାନ ଥିବାର ସ୍ୱୀକାର କରାଯାଇପାରେ, କାରଣ ଅମୃତର ପରିଚୟ ନ ପାଇ, ମୃତ ସହିତ ଉତ୍ତମରୂପେ ପରିଚିତ ହେବା ସମ୍ଭବଯୋଗ୍ୟ ନୁହେଁ । ଏପରି ପରିଚୟ ଥିଲେ ମଧ୍ୟ ଉକ୍ତ ଭୁବନର ସମୁଚିତ ବ୍ୟାଖ୍ୟାନ ଉପଯୁକ୍ତ ଶିଷ୍ୟର ଉପଯୁକ୍ତ ଆଲୋଚନା ଆବଶ୍ୟକା କରେ । ଶିଷ୍ୟର କୃତିତ୍ୱ-ମହତ୍ୱ ଗୁରୁ ନିବଦ୍ଧ ପଦାର୍ଥକୁ କେବଳ ଉନ୍ମୁକ୍ତ କରେ ନାହିଁ ସେ ପଦାର୍ଥକୁ ମହୀୟାନ୍‌ କରିବାରେ ସାହାଯ୍ୟ କରିଥାଏ ।

 

ନଚିକେତା ପାଇଲେ, ଯାହା ସେ ଖୋଜୁଥିଲେ । ପାଇଲେ ନିଜ ଅନୁଧ୍ୟାନରେ ନୁହେଁ; ତଥାପି ନିଜର ଅନୁଧ୍ୟାନ-ନିୟୋଜନ ହେତୁରୁ । ପାଇଲେ ଗୁରୁଙ୍କର ଶିକ୍ଷାଦାନରୁ ନୁହେଁ, ତଥାପି ଗୁରୁଙ୍କର ମନ୍ତ୍ରଦୀକ୍ଷା କାରଣରୁ । ଶିକ୍ଷା ଏକ ଏକ ଲୋକର ଐକିକ ସଂସ୍କରଣ ନୁହେଁ, ତାହା ଗୁରୁ-ଶିଷ୍ୟଙ୍କର ମିଳିତ ଚେଷ୍ଟାର ସମୂହ ଉପାର୍ଜନ । ଏହି ଅର୍ଥରେ ଶିଷ୍ୟ ଗୁରୁଙ୍କର ସନ୍ନିକୃଷ୍ଟ ବ୍ୟକ୍ତି । ଏମାନଙ୍କ ମଧ୍ୟରେ ପ୍ରଭେଦ ପଦାର୍ଥଗତ ନୁହେଁ, ମାତ୍ରାଗତ । ଜଣେ ଅଗ୍ରରେ, ଅନ୍ୟଜଣକ ପଶ୍ଚାଦ୍‌ଭାଗରେ । ଗୁରୁ ଓ ଶିଷ୍ୟକୁ ପୃଥକ୍‌ ପୃଥକ୍‌ ଶ୍ରେଣୀରେ ଆମ୍ଭେମାନେ ବିଭାଗ କରିନପାରୁ । ଏପରି ପାର୍ଥକ୍ୟ ଥିଲେ, ସ୍ୱୀକୃତ ହେଲେ, ଏକର ଆକର୍ଷଣ ଅନ୍ୟଠାରେ ପ୍ରତ୍ୟାକର୍ଷଣ ଘଟାଇ ନପାରେ । ଯଦି ବା ଘଟାଏ, ଆକର୍ଷଣ ପ୍ରତ୍ୟାକର୍ଷଣ ପ୍ରଣିଧାନର ବିଷୟୀଭୂତ ହୋଇନପାରେ । ଆମ୍ଭମାନଙ୍କ ଦେଶରେ ଶିଷ୍ୟଙ୍କୁ ଗୁରୁଙ୍କ ଗୃହରେ ରହିବାକୁ ହେଉଥିଲା, ଏମାନଙ୍କ ମଧ୍ୟରେ ସ୍ଥାନଗତ ବା କାଳଗତ ସମ୍ପର୍କ ଆଣିବା ପାଇଁ ନୁହେଁ, ଏମାନଙ୍କୁ ଏକାତ୍ମ କରିବା ପାଇଁ । ଗୁରୁ ଶିଷ୍ୟ ଏକ ଜାତୀୟ ପଦାର୍ଥ, ଏମାନେ ଏକ ଆଦର୍ଶ ପ୍ରତି ନିଯୁକ୍ତ, ଏକ ସମୂହଭୂତ । ତେଣୁ ଏମାନେ ଏକ ସମୂହ ଅନ୍ତର୍ଗତ । ଶିଷ୍ୟର ସୁଖରେ ଗୁରୁ ସୁଖୀ, ଶିଷ୍ୟର ଦୁଃଖରେ ଗୁରୁ ଦୁଃଖୀ । ଶିକ୍ଷାରେ ଶିକ୍ଷକଙ୍କର ଦୃଷ୍ଟି ନିଜଠାରେ ନ ଥାଏ, ସେ ଦୃଷ୍ଟି ଶିଷ୍ୟ ଉପରେ । ଶିଷ୍ୟ ଯେତେବେଳେ ଜ୍ଞାନ ପରେ ଜ୍ଞାନ ଆହରଣ କରୁଥାଏ, ପ୍ରଗତି ପଥରେ ଅଗ୍ରସର ହେଉଥାଏ, ଶିଷ୍ୟର ଯେତେବେଳେ କ୍ରମବିକାଶ ଘଟୁଥାଏ, ଗୁରୁଙ୍କ ମନ ଆନନ୍ଦରେ ଭରି ଯାଉଥାଏ । ପକ୍ଷାନ୍ତରରେ ଶିଷ୍ୟର ସ୍ଖଳନ ଘଟିଲେ ଗୁରୁ ଜୀବନରେ ଦୁଃଖ ଜାତ ହୋଇଥାଏ ।

 

କ୍ରୋଧାନ୍ଧ ହୋଇ ଉଦ୍ଦାଳକ * ପୁତ୍ରକୁ ମୃତ୍ୟୁମୁଖକୁ ଠେଲି ଦେଲେ ମଧ୍ୟ ନଚିକେତା ନିଜର ଯୋଗ୍ୟତା ବଳରେ ମୃତ୍ୟୁରୁ ଅମୃତରସ ବାହାର କରିପାରିଥିଲେ । ଏକ ପ୍ରଶ୍ନରେ ଅମରତ୍ୱ ମାର୍ଗର ସଙ୍କେତ ପାଇ, ଅନ୍ୟ ପ୍ରଶ୍ନରେ ଯମଙ୍କଠାରୁ ନଚିକେତା ଅମରତ୍ୱ ପ୍ରତିଷ୍ଠାନର ବିଶଦ ବିବରଣ ମାଗିଥିଲେ । ପ୍ରଶ୍ନ ଶୁଣି ଯମ ବିଚଳିତ ହୋଇପଡ଼ିଲେ । ପ୍ରଶ୍ନଘଟିତ ସମସ୍ୟାର ଅବ୍ୟାହତି ଲୋଡ଼ିଲେ । ପ୍ରଶ୍ନର ଯଥାର୍ଥ ଉତ୍ତର ଦେବା ଯମଙ୍କର କ୍ଷମତାତୀତ, ଏହା ମଧ୍ୟ ସ୍ୱୀକାର କଲେ । ଯେ ବିଜ୍ଞ, ସେ କେବେ ନିଜକୁ ସର୍ବଜ୍ଞ ବୋଲି ଧରିନିଅନ୍ତି ନାହିଁ, କିନ୍ତୁ ନଚିକେତାଙ୍କର ଦୃଢ଼ତା, ନିଷ୍ଠାବତ୍ତାରେ ବିସ୍ମିତ ହୋଇ ପୁଣି ଉତ୍ତର ଦେବାର ଯୋଗ୍ୟତା ତାହାଙ୍କଠାରେ ଥିବାର ଯଥେଷ୍ଟ ନିଦର୍ଶନ ପାଇ ଯମ ମୁକ୍ତ-ଆତ୍ମାର ସ୍ୱରୂପ ନିର୍ଣ୍ଣୟରେ ନିଯୁକ୍ତ ହେଲେ । ପ୍ରଶ୍ନୋତ୍ତରରେ କେବଳ ନଚିକେତା ଯେ ବ୍ରହ୍ମଜ୍ଞାନ ପାଇଥିଲେ ତାହା ନୁହେଁ, ଯମଙ୍କଠାରେ ବ୍ରହ୍ମ ଜ୍ଞାନର ନିର୍ମଳତା ମଧ୍ୟ ଘଟିଥିଲା ।

 

ଶିକ୍ଷା ବୈଷୟିକ କାରବାର ନୁହେଁ; ଆଧ୍ୟାତ୍ମିକ ବେଭାର । ଶିକ୍ଷାରେ ଯେଉଁ ପଦାର୍ଥର ବିନିମୟ ଘଟେ, ଯାହା ଆମ୍ଭମାନଙ୍କର ଅଧିକାରରେ ଆସେ, ତାହା ପାର୍ଥିବ ସମ୍ପଦ ନୁହେଁ, ସ୍ୱର୍ଗୀୟ ବିଭବ । ଏ ବିଭବ ମାନବ ତଥା ଦେବଲୋକଙ୍କର ବିଭବ । ମାନବଠାରେ ମାନବିକ ଜାଗରଣ, ମାନବିକତାର ଶ୍ରୀବୃଦ୍ଧିକରଣ ଶିକ୍ଷାର ଧର୍ମ । ହାତୀ ଘୋଡ଼ା, ଧନ, ସମ୍ପଦ, ରାଜକୀୟ ଭୋଗଉପଭୋଗ ଯମ ନଚିକେତାଙ୍କୁ ଯାଚିଥିଲେ, ମାତ୍ର ଏପରି ବିଷୟକୁ, ଏ ପ୍ରକାର ସମସ୍ତ ବିଷୟକୁ ଶିଷ୍ୟ ନାସ୍ତି କରିଥିଲେ । ଏହି କ୍ଷୟଶୀଳ ବିଷୟ ଯେ ଶିକ୍ଷାର ଉପଯୁକ୍ତ ଦାନ ହୋଇ ନପାରେ, ଯମ ତାହା ଉତ୍ତମରୂପେ ଅବଗତ ଥିଲେ । ତଥାପି ଶିଷ୍ୟର ଶିଷ୍ୟତ୍ୱ ପରୀକ୍ଷା ନିମିତ୍ତ କ୍ଷୁଦ୍ରବସ୍ତୁର ପ୍ରଲୋଭନ ସେ ଦେଖାଇଥିଲେ, କିନ୍ତୁ ନଚିକେତା ଅଟଳ ରହିଲେ । ଯଥାର୍ଥ ବିଦ୍ୟାର୍ଥୀ ଅଳ୍ପ ପ୍ରୟୋଜନ ମେଣ୍ଟାଇବାରେ କେବେ ଶାନ୍ତ ହୁଏନାହିଁ । ଯଥାର୍ଥ ଗୁରୁ ଯଥାର୍ଥ ଶିଷ୍ୟକୁ କେବଳ ଅସ୍ଥାୟୀ ବିଷୟଗୁଡ଼ିକର ପରିଚୟ ବା ସାମୟିକ ଉପକାର ମାତ୍ର ଦିଅନ୍ତି ନାହିଁ, କି ଶିଷ୍ୟ ଏପରି ଶିକ୍ଷା ଗୁରୁଙ୍କଠାରୁ ପାଏନାହିଁ-ସେ ପାଏ ଆଧ୍ୟାତ୍ମିକ ସମ୍ଭାର । ନଚିକେତା ଏହି ସମ୍ଭାରର ପ୍ରାର୍ଥୀ ।

 

ଶିକ୍ଷା ଚିନ୍ତା-ଜଗତ, ଆତ୍ମଜଗତ ସହିତ ସମ୍ପୃକ୍ତ । ଏହି ଦୁଇ ଜଗତ ଅତି-ଭୌତିକ ପଦାର୍ଥ । ଅତି-ଭୌତିକ ଜଗତ ଭୌତିକ ଜଗତର ଉଚ୍ଚରେ, ପୁଣି ସେ ତା’ର ମଜ୍ଜାରେ । ଅତି-ଭୌତିକ କ୍ଷମତାରେ କ୍ଷମତାବାନ୍‌ ହୋଇ, ଭୌତିକ ପ୍ରଦେଶକୁ ଆମେମାନେ ନିଜର କର୍ତ୍ତୃତ୍ୱରେ ଆଣିପାରିଥାଉଁ । ଚିନ୍ତା ଜଗତର ଶାସନ ବସ୍ତୁଜଗତ ଉପରେ, ଆତ୍ମ-ମଣ୍ଡଳର ଶାସନ ଶରୀର-ଖଣ୍ଡ ଉପରେ । ପୁରୁଷର ପରାକ୍ରମରେ ପ୍ରକୃତି ଜଗତ ପରାଭୂତ । ମାନବର ଭବିଷ୍ୟତ ଜ୍ଞାନରେ ମାନବର ବର୍ତ୍ତମାନ ଆଲୋକିତ । ଏହି ଏହି ସାମାଗ୍ରୀ ଶିକ୍ଷାର ବସ୍ତୁଭୂତ ଚିନ୍ତାର ଧାରା ସହିତ ସୁବିଦିତ ହୋଇ ଘଟନାଜଗତର କ୍ରମ ସହିତ ଆମ୍ଭେମାନେ ପରିଚିତ ହୋଇଥାଉଁ । ଭାବଭାବନାର ନୀତିମାର୍ଗକୁ ଆୟତ୍ତ କରି ବିଷୟ ଜଗତକୁ ଆମ୍ଭେମାନେ ଆୟତ୍ତ କରିପାରିଥାଉଁ, ଆତ୍ମତତ୍ତ୍ୱ ବୁଝିପାରି ଶରୀରତତ୍ତ୍ୱ ଆମ୍ଭେମାନେ ବୁଝିପାରିଥାଉଁ । ନିତ୍ୟବସ୍ତୁରେ ନିବିଷ୍ଟ ରହି ଅନିତ୍ୟର ମୋହ ଏଡ଼ିପାରିଥାଉଁ ।

 

ପଦାର୍ଥ-ପଦାର୍ଥର ମୂଲ୍ୟ ନିରୂପଣ, ପଦାର୍ଥ-ପଦାର୍ଥର ସ୍ଥାନ-ନିର୍ଦ୍ଦେଶକରଣ ଶିକ୍ଷାର କାର୍ଯ୍ୟ । କପା-ଚଷିବା, ସୂତା କାଟିବା, କଣ୍ଢେଇ ଗଢ଼ିବା ପ୍ରଭୃତି ଶିକ୍ଷାର ଅଙ୍ଗ ହୋଇପାରେ, କିନ୍ତୁ ଏଇତକ କାର୍ଯ୍ୟ କରିଦେଲେ, ସେହି ସେହି କାର୍ଯ୍ୟରେ ଦକ୍ଷ ହୋଇପଡ଼ିଲେ, ଶିକ୍ଷାର କର୍ମ ଶେଷ ହୁଏ ନାହିଁ । ଏପରି ବସ୍ତୁର ଉତ୍ପାଦନରେ ନିଯୁକ୍ତ ରହି, ମାନସିକ ଏକାଗ୍ରତା, ଚିତ୍ତର ପବିତ୍ରତା, ମାନସିକ ଉଚ୍ଚତା ସାଧିପାରିଲେ, ଶିକ୍ଷାର ଧର୍ମ ପାଳିତ ହୁଏ । ଏହି ଏହି ବୃତ୍ତିର ଆଶ୍ରୟ ନେଲେ, ଦୁଇ ଚାରି ପଇସା ଆସିପାରେ, ପ୍ରାଣୀଶରୀର ବଞ୍ଚିରହିପାରେ, କିନ୍ତୁ ଏତଦ୍ଦ୍ୱାରା ମାନବର ଆତ୍ମା ପରିତୃପ୍ତ ହୁଏ ନାହିଁ । ଶିକ୍ଷାକୁ ଆହାର ପରିଧାନ ପ୍ରତି, ଶାରୀରିକ ପ୍ରୟୋଜନ ପ୍ରତି ଉପାଦାନ ରୂପେ ଗ୍ରହଣ କରିବାରେ ଶିକ୍ଷାର ପରିସର କ୍ଷୁଦ୍ର ହୋଇଯାଏ । ଶିକ୍ଷାର ମୁଖ୍ୟବସ୍ତୁରେ ବାଧା ଆସିଥାଏ । ଶିକ୍ଷାର ନିୟୋଜନ ଶିକ୍ଷା ପାଇଁ, ମାନବଜୀବନର ସଂସ୍କୃତି ପାଇଁ । ଶିକ୍ଷାଫଳରେ ଧନାଗମ, କ୍ଷମତାଅର୍ଜ୍ଜନ ଘଟିପାରେ; କିନ୍ତୁ ଏଣୁ ତେଣୁ ବସ୍ତୁ ପାଇ, ସାର ପଦାର୍ଥକୁ ହରାଇ କେହି କେବେ ଯଥାର୍ଥ ସୁଖଶାନ୍ତିର ଅଧିକାରୀ ହୋଇନପାରେ । ପରିପୂର୍ଣ୍ଣ ସୁଖଶାନ୍ତି ନ ଆସିବା ପର୍ଯ୍ୟନ୍ତ ଶିକ୍ଷାର କାର୍ଯ୍ୟ ଅପୂର୍ଣ୍ଣ ରହିଯାଏ । ଜୀବନର ସାରତତ୍ତ୍ୱରେ ଭାଗୀଦାର ହେବା ଶିକ୍ଷାର୍ଥୀର କାମନା । ନଚିକେତା ଏହି ପଦାର୍ଥର ଦାବୀଦାର ।

 

ଯାହା ଜୀବନମୟ ସାଧନାର ଚୂଡ଼ାନ୍ତ ନିର୍ଯ୍ୟାସ, ତାହା ମାନବର ଅନ୍ୟତମ ପଦାର୍ଥ । ଏହି ପଦାର୍ଥ ଭୂଇଁରେ ପଡ଼ି ନ ଥାଏ ବା ଏଠି ସେଠି ବିଞ୍ଚି ଦିଆଯାଏ ନାହିଁ । ଏହି ପଦାର୍ଥକୁ ଅଳ୍ପ ଲୋକ ପାଇପାରିଥାଆନ୍ତି, ଦେଇ ନେଇପାରିଥାଆନ୍ତି । ଦେଇପାରିବା ପୁରୁଷ ମଧ୍ୟରେ ଯମ, ନେଇପାରିବା ପୁରୁଷ ମଧ୍ୟରେ ନଚିକେତା । ଗୁରୁଙ୍କ ଯୋଗ୍ୟତା, ଶିଷ୍ୟଙ୍କ ଯୋଗ୍ୟତା, ଅନୁଶୀଳନମାର୍ଗର ଯୋଗ୍ୟତା ଏହି ତିନି ବସ୍ତୁର ଯଥାଯଥ ନିଯୁକ୍ତି ଉପରେ ଶିକ୍ଷାକାର୍ଯ୍ୟ ନିର୍ଭର କରେ । ଏଥି ମଧ୍ୟରୁ ପ୍ରଥମ ଦୁଇ ବସ୍ତୁର ପ୍ରୟୋଜନ ଅଧିକ; କାରଣ ଗୁରୁଶିଷ୍ୟ ଉଭୟଙ୍କଠାରେ ଉତ୍ତମତା ଥିଲେ, ଶିକ୍ଷାପ୍ରଣାଳୀ ସ୍ୱତଃ ଉତ୍ତମ ହୋଇଉଠେ । ନଚିକେତା ଉପଯୁକ୍ତ ଶିଷ୍ୟ । ଯମ ଏବଂବିଧ ଶିକ୍ଷା ନିମିତ୍ତ ଉପଯୁକ୍ତ ଗୁରୁ । ଶିକ୍ଷାପଦ୍ଧତି ଏପରି ପଦ୍ଧତି ଯେ, ଏତଦ୍ଦ୍ୱାରା ପଦାର୍ଥକୁ ଦାନ କରି ପଦାର୍ଥ ସଂଗ୍ରହ କରାଯାଇଥାଏ, ପଦାର୍ଥକୁ ବିତରଣ କରିବାରେ ପଦାର୍ଥର ବୃଦ୍ଧି ଘଟୁଥାଏ । ଗୁରୁଶିଷ୍ୟଙ୍କର ସମ୍ୱନ୍ଧ ଏପରି ସମ୍ୱନ୍ଧ ଯେ, ତାହା ଏକ କାଳରେ ଘଟିତ ହେଲେ ମଧ୍ୟ ପରବର୍ତ୍ତୀ କାଳରେ ସେହିପରି ରହିଥାଏ । ଗୁରୁଶିଷ୍ୟ-ଜୀବନ ଏପରି ଜୀବନ ଯେ, ତହିଁରେ ଜଣେ ଅନ୍ୟକୁ ବଡ଼ କରିବାକୁ ଯାଇ ନିଜେ ମଧ୍ୟ ବଡ଼ ହୋଇଯାଏ । ଯମ-ନଚିକେତାଙ୍କର ପାରସ୍ପରିକ ତତ୍ତ୍ୱାଲୋଚନା ଶିକ୍ଷକତାର ମୂର୍ତ୍ତିମନ୍ତ ନିଦର୍ଶନ । ଶିକ୍ଷା ନିମିତ୍ତ ଏହା ହିଁ ଆମ୍ଭମାନଙ୍କର ଏକାନ୍ତ ଅବଲମ୍ୱନ ।

 

*ନଚିକେତାଙ୍କ ପିତା ଉଦ୍ଦଳକ ପୂତ୍ରକୁ ଶାସ୍ତିଦେବା ଅଭିଳାଷରେ ଯମଙ୍କ ନିକଟକୁ ପଠାଇଥିଲେ । ନଚିକେତା ଯମଙ୍କ ନିକଟରୁ ଶିକ୍ଷା ପାଇବାଲାଗି ଯମଙ୍କ ଗୃହରେ ଅନଶନ କରିଥିଲେ, ଯମ ତିନୋଟି ପ୍ରଶ୍ନର ଉତ୍ତର ଦେବାକୁ ସ୍ୱୀକୃତ ହେବାରୁ ଅନଶନ ଭାଙ୍ଗିଥିଲେ ।

Image

 

Unknown

ସମାଲୋଚନା ଓ ସ୍ୱାତନ୍ତ୍ର୍ୟ

(ଶ୍ରୀ ବ୍ରଜବିହାରୀ ମହାନ୍ତି ବି. ଏଲ୍‌.)

 

ସଭ୍ୟତାର କ୍ରମବିକାଶ ଓ ସମାଜର ଉତ୍କର୍ଷ ସାଧନରେ ସମାଲୋଚନାର ସ୍ଥାନ ନିରୂପଣ କରିବା ସହଜ ନୁହେଁ । ବସ୍ତୁମାତ୍ରେ ପରିଣାମଧର୍ମୀ । ସୁତରାଂ ତା’ର ଖରାପ ଅଂଶଟିକୁ ଦେଖି ଭଲଗୁଡ଼ିକୁ ବାଦ ଦେବା ସମାଲୋଚକର କାର୍ଯ୍ୟନୁହେଁ । ଏପରି ଯେଉଁମାନେ କରନ୍ତି, ସେମାନଙ୍କର ମତ ଉପେକ୍ଷଣୀୟ । ସମାଜର ମଙ୍ଗଳକାମୀ, ସତ୍ୟନିଷ୍ଠ ଓ ସାହସୀ ପୁରୁଷ ସମାଲୋଚକର ସ୍ଥାନ ଅଧିକାର କଲେ କୌଣସି ଭୟର କାରଣ ନାହିଁ, କିନ୍ତୁ ଆଜିକାଲି ସେମାନଙ୍କ ସଂଖ୍ୟାର ଅଳ୍ପତା ହେତୁ ଅନେକ ସାମାଜିକ ସଂକୀର୍ଣ୍ଣତା ସମୟ ସମୟରେ ଦଳଗତ ମତର ପୁଷ୍ଟିସାଧନ କରି ଦେଶର ଅକଲ୍ୟାଣ କରେ । ନୈତିକ ଅବନତିରୁ ଏହାର ଉତ୍ପତ୍ତି ।

 

ପକ୍ଷାନ୍ତରେ ସର୍ବବିଧ କର୍ମକୁ ସମାଲୋଚନାର ଦ୍ୱାହିଦେଇ ସେମାନଙ୍କର ଅପୁଷ୍ଟ ଅଙ୍ଗଗୁଡ଼ିକୁ ଲୋକଚକ୍ଷୁରେ ଦେଖାଇବା ସତ୍‌ସାହସ ନୁହେଁ । ଅନେକ ସଦନୁଷ୍ଠାନ ବୃଥା ନିନ୍ଦାବାଦରେ ଅକାଳରେ ବିଲୀନ ହୋଇଯାଇଛି । ଦେଶର ଦୁର୍ଦ୍ଦିନ ଆସିଲେ ବାହ୍ୟଦୃଷ୍ଟି ସମାଜରେ ପ୍ରବଳ ହୋଇଉଠେ । କର୍ମୀର କର୍ମ ଓ ଚରିତ୍ର ପ୍ରତି କାହାର ଲକ୍ଷ୍ୟ ସହଜରେ ରହେନାହିଁ । ଛିଦ୍ରାନ୍ୱେଷଣ ଦ୍ୱାରା ଅନେକ ସମୟରେ ଚରିତ୍ର-ଗଠନ ପକ୍ଷେ ବାଧା ଜନ୍ମେ । ‘‘Call one a thief and he will steal’’ ବ୍ୟକ୍ତିଗତ ଚରିତ୍ର ଦୋଷକୁ ସମାଜ ଆଗରେ ଆଙ୍କିଦେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ସମାଜରେ ଯେଉଁମାନେ ହିତସାଧନ କରନ୍ତି, ସେମାନଙ୍କର ଦୋଷ ଥାଇପାରେ ଓ ସେଥିସକାଶେ ସେମାନେ ଦାୟୀ ହେବେ । ସମାଲୋଚକ ଯେଉଁ ଉତ୍ସାହଟିକୁ ସମାଲୋଚିତ ଚରିତ୍ର-ଚିତ୍ରଣରେ ନଷ୍ଟ କରନ୍ତି, ତାକୁ ଯଦି ତାଙ୍କର ଆତ୍ମୋନ୍ନତିରେ ଲଗାଇ ପାରନ୍ତେ, ତା’ହେଲେ ଯଥେଷ୍ଟ ହୁଅନ୍ତା । ବାହ୍ୟ ପ୍ରବର୍ତ୍ତନଦ୍ୱାରା ନୈତିକ ଉନ୍ନତି ସହଜ ନୁହେଁ । କେବଳ ଲୋକମାନଙ୍କ ପ୍ରଶଂସା ଉପରେ ଯେଉଁ ଚରିତ୍ରର ପବିତ୍ରତା ନିର୍ଭର କରେ, ତାହା ନିଷ୍ଠାପର ଚରିତ୍ର ନୁହେଁ–ତାହା କେବଳ ଦୁର୍ବଳତାପୂର୍ଣ୍ଣ ।

 

ମନୁଷ୍ୟର ବାହ୍ୟ ବ୍ୟବହାର ସଙ୍ଗେ ଶିକ୍ଷଣୀୟ ବିଷୟମାନଙ୍କର କିଛି ସମ୍ପର୍କ ନାହିଁ । ବିଂଶ ଶତାବ୍ଦୀର ଏହି ମହାଜାଗରଣରେ ଆମ୍ଭମାନଙ୍କୁ ବିବେକାନୁମୋଦିତ ହୋଇ ଅଗ୍ରସର ହେବାକୁ ପଡ଼ିବ । ବ୍ୟକ୍ତିଗତ ଆଚାର ବ୍ୟବହାର ସଙ୍ଗେ କର୍ମମନ୍ତ୍ରର କିଛି ସମ୍ୱନ୍ଧ ନାହିଁ । ସ୍ୱାମୀ ବିବେକାନନ୍ଦଙ୍କର ଖାଦ୍ୟପେୟର ବିଚାର କରିବାକୁ ଯାଇ ତାଙ୍କର ଅମୂଲ୍ୟ ଉପଦେଶ ବାଣୀ ବିସ୍ମୃତ ହେବା ଉଚିତ ନୁହେଁ । ପଙ୍କିଳ ସରୋବରରେ ଜନ୍ମ ବୋଲି ପଦ୍ମକୁ କେହି ତ ହତାଦର କରେ ନାହିଁ । ମୃତ ଜନ୍ତୁର ଅସ୍ଥି ସ୍ପର୍ଶରେ ଭାରତୀୟ ହିନ୍ଦୁ ନିଜକୁ ଅପବିତ୍ର ମନେକରେ; କିନ୍ତୁ ୟୁରୋପୀୟ ତାକୁ କାର୍ଯ୍ୟରେ ଲଗାଇ ଧନବାନ୍‌ ହୁଏ । ଯେଉଁ ନାମୋଚ୍ଚାରଣ କରି ଆମ୍ଭେମାନେ ମନରେ ପବିତ୍ରଭାବ ଆଣୁ, ସେହି ପୁଣ୍ୟଶ୍ଳୋକ ନରପତି ଶ୍ରୀରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ସାମାନ୍ୟ ମର୍କଟସେନାର ଆଶ୍ରୟ ନେଇ ସ୍ୱକାର୍ଯ୍ୟ ସାଧନ କରିଥିଲେ । ସମସ୍ତେ ଧାର୍ମିକମାନଙ୍କ ସହିତ ଶାନ୍ତିରେ ରହିପାରିବେ; କିନ୍ତୁ ମହତ୍ତ୍ୱର ପରିଚୟ ଦେବାକୁ ହେଲେ ନୀଚ ଓ ଅଧର୍ମାଚାରୀମାନଙ୍କୁ ମଧ୍ୟ ସଙ୍ଗରେ ନେଇ ଅଗ୍ରସର ହେବାକୁ ପଡ଼ିବ ।

 

ସୌନ୍ଦର୍ଯ୍ୟର ଉପଲବ୍ଧିରେ ପ୍ରେମର ବିକାଶ । ଅନ୍ତର ଆଲୋକିତ କରି କୁତ୍ସିତ ଓ ଅନ୍ଧକାର ଦୃଶ୍ୟକୁ ଲୋପ କଲେ ସୌନ୍ଦର୍ଯ୍ୟର ସତ୍ତା ପ୍ରକାଶ ପାଏ । ଯେଉଁମାନେ କହନ୍ତି ପାପକୁ ଘୃଣା କରି ପାପୀକୁ ପ୍ରେମ ଦାନ କରିବାକୁ ହେବ, ସେମାନେ ବୋଧହୁଏ ଜାଣନ୍ତି ନାହିଁ ଯେ, କଦର୍ଯ୍ୟ ଭାବ ମନରେ ଆଶ୍ରୟ କରିଥିବା ଯାଏ ପ୍ରେମର ସ୍ଫୁରଣ ଅସମ୍ଭବ । ମନର ମଳିନତାକୁ ଦୂରକରି ସଦ୍‌ଗୁଣର ଶ୍ରେଷ୍ଠତା ପ୍ରତିପାଦନ କଲେ ସମାଲୋଚନାର ବିଶେଷତ୍ୱ ସହଜରେ ଜଣାପଡ଼େ ।

 

ପୃଥିବୀରେ ନିନ୍ଦାବାଦ କାହିଁକି ଏତେ ପ୍ରବଳ ? ବୋଧହୁଏ ଆତ୍ମରକ୍ଷା ପାଇଁ ଏହାର ସୃଷ୍ଟି । କୌଣସି କୁକ୍ରିୟାକୁ ପ୍ରତିବାଦ କରିବା ଦ୍ୱାରା ତା’ର ବିସ୍ତାରର ଗତିରୋଧ କରାଯାଏ, ଭବିଷ୍ୟତ ଅନିଷ୍ଟରୁ ମଧ୍ୟ ଲୋକମାନଙ୍କୁ ସାବଧାନ କରିଦିଆହୁଏ । ଯେଉଁମାନେ ନିନ୍ଦିତ ହୁଅନ୍ତି, ସେମାନଙ୍କୁ କେହି ସମର୍ଥନ କରନ୍ତି କାହିଁ । ଏପରି କରିବାଦ୍ୱାରା ସେମାନଙ୍କର ବେଶି ଶୀଘ୍ର ପତନ ହୋଇପାରେ, କିନ୍ତୁ ଏହି ସମୟରେ ହିଁ ସେମାନଙ୍କୁ ସତର୍କ କରିବା ଉଚିତ । ଶିଳାବନ୍ଧୁର ନଦୀଗର୍ଭରେ ନିଜ କ୍ଷୁଦ୍ର ତରଣୀଟି ବାହିନେବାବେଳେ ହଠାତ୍‌ କୌଣସି ଆଘାତ ଲାଗିଲେ ଯେପରି ନାବିକ ଆତ୍ମରକ୍ଷା କରିବାକୁ ଉଦ୍‌ଗ୍ରୀବ ହୋଇଉଠେ, ସେହିପରି କୁକ୍ରିୟାର ନିନ୍ଦା ଶୁଣି ଉଦ୍‌ବିଗ୍ନ ହେବା ଉଚିତ । ଶତ୍ରୁଠାରୁ କିମ୍ୱା ମିତ୍ରଠାରୁ ନିଜ କୁକ୍ରିୟାର କଠୋର ଅପବାଦ ଶୁଣି ଆତ୍ମବୋଧ ଆଣିବାକୁ ସତତ ଚେଷ୍ଟିତ ହେବା ନିନ୍ଦିତର କାର୍ଯ୍ୟ । ଥରେ ଆତ୍ମବିକାଶ ହେଲେ ପତନର ଭୟ ନ ଥାଏ ।

 

ପତିତ ଚରିତ୍ରକୁ ଉଦ୍ଧାର କରିବାକୁ ହେଲେ, ସଂସ୍କାରଙ୍କର ପ୍ରଶସ୍ତି ହୃଦୟ ଥିବା ଆବଶ୍ୟକ । ପ୍ରେମ ଓ ଆତ୍ମବଳଦ୍ୱାରା ଦୁଷ୍ଟଲୋକର ଅନ୍ତଃକରଣ ବୃତ୍ତି ପ୍ରବାହକୁ କୁମାର୍ଗ ପରିତ୍ୟାଗ କରାଇ ଆତ୍ମାବିମୁଖୀ କରାଇବା କଷ୍ଟକର ହୋଇପାରେ, କିନ୍ତୁ ଥରେ କୃତକାର୍ଯ୍ୟ ହୋଇପାରିଲେ ନୂତନତ୍ୱ ଓ ପବିତ୍ରତା ସେହି ଦୂଷିତ ଚରିତ୍ରରେ ଶୀଘ୍ର ଫୁଟିଉଠେ । କର୍କଶଭାବ ଧରି କୁମାର୍ଗଗାମୀକୁ ନିୟନ୍ତ୍ରିତ କରିବାଦ୍ୱାରା ଅଧିକାଂଶ ସମୟରେ କୁଫଳ ଜନ୍ମିଥାଏ । ଅନେକେ ନିଜ ଚରିତ୍ରହାନି ଭୟରେ ଦୁଷ୍ଟଲୋକର ସଂସର୍ଗ ପରିତ୍ୟାଗ କରିଥାନ୍ତି । ଅବଶ୍ୟ ସେମାନଙ୍କ କାର୍ଯ୍ୟ ନିନ୍ଦନୀୟ ନୁହେଁ । ନିଜର ଚରିତ୍ର ଗଠନ କରୁଥିବାବେଳେ ସାବଧାନ ହେବା ଉଚିତ । ମହତ୍‌ ଚରିତ୍ରରେ କୌଣସି ପତନର କାରଣ ନ ଥାଏ । ହୃଦୟକୁ ଉଦାର କଲେ ମହତ୍ତ୍ୱ ନଷ୍ଟ ହୁଏନାହିଁ, ବରଂ ସଂକୀର୍ଣ୍ଣତାଦ୍ୱାରା ଉଦ୍ଦେଶ୍ୟ ସାଧନ ପକ୍ଷେ ବାଧା ଜନ୍ମେ ।

 

ଯେଉଁ ଆଦର୍ଶ ଚରିତ୍ର ଜଗତର କଲ୍ୟାଣ କରେ ତାହା କେବଳ ପ୍ରେମ ବିନିମୟରେ ନୀଚତାକୁ ଲୋପ କରିଥାଏ । ମନୁଷ୍ୟ ନିଜର ସାଧନା ଓ ଅଭିଜ୍ଞତାଦ୍ୱାରା ପୁଣ୍ୟଭାବ ହୃଦୟରେ ଜନ୍ମାଇପାରେ । ବାହ୍ୟ ଶୁଚି ଓ ଅନ୍ୟ ପ୍ରତି ବିଜାତୀୟ ଭାବ ମନରେ ସ୍ଥାନ ଦେଲେ, ଏ ମହତ୍‌ ଭାବର ବିକାଶ ହୁଏନାହିଁ । ପାଶବିକତା ପ୍ରବଳ ହେଲେ, ମନୁଷ୍ୟ ହୃଦୟ ସ୍ୱତଃ ଦେବଭାବରୁ ବଞ୍ଚିତ ହୁଏ । ଏଥିରୁ କ୍ଷାନ୍ତ ହେବାକୁ ହେଲେ, ମନକୁ ସର୍ବଦା ଉଚ୍ଚ ଆଦର୍ଶ ଆଡ଼କୁ ଟାଣରଖି ଉତ୍ସାହକୁ ସୁକାର୍ଯ୍ୟ ସାଧନରେ ଲଗାଇବାକୁ ହେବ । ଅନ୍ୟ ଜଣେ କେତେଗୁଡ଼ିଏ ନୀତିବାଣୀ ଶୁଣାଇଲେ କିମ୍ୱା ଧର୍ମଶିକ୍ଷା କରିବାର ଗୋଟିଏ ନିର୍ଘଣ୍ଟ କରିଦେଲେ ଉପଯୁକ୍ତ ଫଳ ମିଳିବାର ଆଶା କରାଯାଏ ନାହିଁ । ପ୍ରଥମେ ଗୁପ୍ତରତ୍ନୋଦ୍ଧାର କରିବା ପରି ମନୁଷ୍ୟ ନିଜେ ତା’ର ଅନ୍ତର୍ନିହିତ ଶକ୍ତିକୁ ଉନ୍ମେଷ କରି ଦେଖିବ ତା’ର ପତନର କାରଣ କେଉଁଠି ? ଯେତେବେଳେ ମନ କେତେକ ପରିମାଣରେ ଅନ୍ତର୍ମୂଖୀ ହୋଇ ବାହ୍ୟ ପାର୍ଥିବ ସୌନ୍ଦର୍ଯ୍ୟରେ ମୁଗ୍ଧ ନ ହୋଇ ଚଞ୍ଚଳତାକୁ କ୍ରମଶଃ ଲୋପ କରିବାକୁ ଶିଖେ ଓ ଅନ୍ୟର ନିନ୍ଦା କିମ୍ୱା ପ୍ରଶଂସାରେ ନିଜକୁ ପୂର୍ବପରି ହେୟ ମନେ ନ କରି ନିଜ ଉପରେ ବିଶ୍ୱାସ କରେ, ସେତେବେଳେ ତା’ର ସ୍ୱାଧୀନତା ଜନ୍ମେ । ଏହି ସ୍ୱାଧୀନତା କିମ୍ୱା ସ୍ୱାତନ୍ତ୍ର୍ୟ ବିକାଶରେ ଯେଉଁମାନେ ସହାୟ ହୁଅନ୍ତି, ସେହିମାନେ ପତିତର ଗୁରୁ ବୋଲି ସମାଜରେ ଶ୍ରେଷ୍ଠ ଆସନ ଅଧିକାର କରନ୍ତି । ସଚ୍ଚରିତ୍ରର ଅଙ୍କୁରୋଦ୍‌ଗମ ହେବାବେଳେ ପ୍ରେମ ମନ୍ଦାକିନୀର ଶୀତଳ ବାରି ବିକିରଣ କରନ୍ତି, ଏହି ଧ୍ରୁବତାରାରୂପୀ ସମାଜନାୟକମାନେ । ଏହିମାନେ ପ୍ରକୃତ ସମାଲୋଚକ ଓ ସମାଜସଂସ୍କାରକ । ସମାଜ, ଜାତି ଓ ଧର୍ମର ଉତ୍‌ଥାନ ଏମାନଙ୍କଦ୍ୱାରା ସାଧିତ ହୁଏ । ଦିନେ ଶ୍ରୀ ଚୈତନ୍ୟଦେବ ପତନଶୀଳ ହିନ୍ଦୁ ସମାଜକୁ ପ୍ରେମମନ୍ତ୍ରରେ ଦୀକ୍ଷିତ କରାଇ ଦେବତ୍ୱର ପରାକାଷ୍ଠା ଦେଖାଇଥିଲେ । ତାଙ୍କର ପ୍ରଦର୍ଶିତ ଆଲୋକ ଆଜି ସୁଦ୍ଧା ଦେଶରୁ ଲିଭିନାହିଁ-। ପୂଣ୍ୟଭୂମି ଭାରତ ! ତୋର ନାମୋଚ୍ଚାରଣରେ କେତେ ମନୀଷୀ, ଭକ୍ତ ଓ ବୀରମାନଙ୍କର ନାମ ସ୍ୱତଃ ମନରେ ଉଦିତ ହୁଏ । ବୁଭୁକ୍ଷୁ କୋଟି କୋଟି ସନ୍ତାନ ତା’ର ନୈରାଶ୍ୟର ଅତଳ ସ୍ପର୍ଶରେ ପଡ଼ି ଧର୍ମକର୍ମ ସବୁ ଭୂଲିଗଲେଣି, ପୀଡ଼ିତ ଭାରତୀୟମାନଙ୍କର ଶେଷନିଶ୍ୱାସ ବହିବାକୁ ଆରମ୍ଭ କଲାଣି । ଜଗତ୍‌ବାସୀଙ୍କ ଚକ୍ଷୁରେ ସେମାନଙ୍କର ଧର୍ମ, ଧନ ଓ ପୁରୁଷତ୍ୱ ନାହିଁ । ଅଛି କେବଳ ଗୋଟାଏ ଆଶ୍ୱାସନା-ସେମାନେ ଭାରତୀୟ । ଏହି ନାମଟି ମାତ୍ର ଜୀବନର ଶେଷ ଯବନିକାରେ ଆଶାର ଆଲୋକ । ଏ ତ ମାୟାବିହୀନ ଐନ୍ଦ୍ରଜାଲିକ ଆଲୋକ ନୁହେଁ, ଅଥବା ମୁମୂର୍ଷୂର ଭ୍ରମଦୃଷ୍ଟିରୁ ଏହାର ଜନ୍ମ ନୁହେଁ ତେବେ ଏହାର ଉତ୍ପତ୍ତି କେଉଁଠୁ ? କାହିଁକି ଅବା ଏ ନାମମାଧୁରୀ ଏତେ ହୃଦୟସ୍ପର୍ଶୀ ? ନିର୍ଯ୍ୟାତନା ଓ ଲାଞ୍ଛନାର ସୀମା ନାହିଁ, ତଥାପି ଭାରତୀୟ ବୋଲି ସ୍ମରଣ କଲେ କାହିଁକି କ୍ଷୁବ୍ଧ ହୃଦୟ ଶାନ୍ତଭାବ ଧାରଣ କରି ସେହି ଶେଷ ଯବନିକାଟାକୁ ହଠାତ୍‌ ନ ପକାଇ ଉତ୍ତାଳ ଜୀବନ ସମୁଦ୍ରରେ ନିଜର ସ୍ୱାତନ୍ତ୍ର୍ୟ ରଖିବାକୁ ଚେଷ୍ଟା କରେ ?

 

ଭାରତର ଦୁର୍ଦ୍ଦଶା ଦେଖି ତା’ର ସାମାଜିକ ସଂସ୍କାରପ୍ରୟାସୀ କେହି ଆଧୁନିକ ସମାଲୋଚକ କହିପାରନ୍ତି, ତା’ର ପତନ ଅନିବାର୍ଯ୍ୟ । ନିପୀଡ଼ିତ ଭାରତ ଆଉ ତା’ର ପତନର କଥା ଶୁଣିବାକୁ ଚାହେଁ ନାହିଁ । ଦେଶମାତୃକାର ପବିତ୍ର ନାମୋଚ୍ଚାରଣ କରି ସେ ମୃତ୍ୟୁବରଣ କରିପାରେ । ତା’ର ସବୁ ଯାଇଛି, ଅଛି କେବଳ ଧର୍ମର ଆଶ୍ୱାସନା । ସ୍ଥୂଳଶରୀର ନଷ୍ଟ ହେଲେ ସୁଦ୍ଧା ମନୁଷ୍ୟର ଇନ୍ଦ୍ରିୟଶକ୍ତି ମନ ସହିତ ଅନ୍ୟ ଦେହ ଧାରଣ କରେ । ପଞ୍ଚଭୂତ ଦେହ ଧାରଣ କରି କର୍ମସୂତ୍ର ଅବଲମ୍ୱନ ମନୁଷ୍ୟ ପକ୍ଷରେ ସ୍ୱାଭାବିକ ହୁଏ । ତେଣୁ ଜୀବନର ଶେଷ ଯବନିକା ପତନରେ ଭାରତୀୟ ତା’ର ବିଶେଷତ୍ୱ ଜଗତ ସମ୍ମୁଖରେ ଦେଖାଇବାକୁ ଚାହେଁ । ସେ ଚିରଦିନ ସ୍ୱତନ୍ତ୍ରତା ରଖିଆସିଛି ଓ ଭବିଷ୍ୟତରେ ମଧ୍ୟ ରଖିବ । ଲୌକିକ ଚରିତ୍ରର ମାହାତ୍ମ୍ୟ ଦେଖାଇ ଭାରତ ଅନ୍ୟାନ୍ୟ ଦେଶର ଆଦର୍ଶ ହୋଇପାରିଲେ ଲୁପ୍ତଗୌରବ ପୁଣି ଫେରିଆସିବ ।

 

ଯେଉଁମାନେ ଉପର୍ଯ୍ୟୁକ୍ତ ମତର ପୋଷକତା ନ କରି ଭବିଷ୍ୟତ ଭାରତକୁ କେବଳ ପାଶ୍ଚାତ୍ୟ ଆଦର୍ଶରେ ଗଢ଼ିବାକୁ ଚାହାନ୍ତି, ସେମାନଙ୍କର ମତ ପ୍ରଶସ୍ତ ବୋଲି ବୋଧହୁଏ ନାହିଁ । ଆମ୍ଭେମାନେ କହୁନାହୁଁ ଯେ ପ୍ରାଚ୍ୟ ପାଶ୍ଚାତ୍ୟର ସମ୍ମିଳନ ଅସମ୍ଭବ, ବରଂ ଉଭୟର ମିଳନରେ ଜଗତର ପ୍ରଭୂତ ଉପକାର ହୋଇପାରେ । ଜାତି-ଧର୍ମ ନିର୍ବିରୋଧରେ ସ୍ୱାତନ୍ତ୍ର୍ୟ ଲୋପ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ । ସାମ୍ୟଭାବ ସ୍ଥାପନ କେବଳ ଅବଲମ୍ୱନୀୟ । ଯେଉଁ ପାଶ୍ଚାତ୍ୟ ପଣ୍ଡିତମାନେ ଆଜିପର୍ଯ୍ୟନ୍ତ ବିଜ୍ଞାନର ତତ୍ତ୍ୱରେ ମୁଗ୍ଧ ହୋଇ ଭାରତର ଆଧ୍ୟାତ୍ମତତ୍ତ୍ୱକୁ ତୁଚ୍ଛ ମନେ କରୁଥିଲେ, ସେମାନେ କ୍ରମଶଃ ସେମାନଙ୍କର ବୈଜ୍ଞାନିକ ତତ୍ତ୍ୱର ସାରହୀନତା ଉପଲବ୍ଧି କଲେଣି ।

 

ପାଶ୍ଚାତ୍ୟ ବିଜ୍ଞାନର ଯେପରି ଗତି ହେଉଛି, ସେଥିରୁ ଅନୁମତି ହୁଏ, ଅଳ୍ପ ସମୟ ମଧ୍ୟରେ ତନ୍ତ୍ରଜ୍ଞ ପଣ୍ଡିତମାନେ ସେମାନଙ୍କର ଜ୍ଞାନଲିପ୍‌ସା ତୃପ୍ତ କରିବା ପାଇ ପ୍ରାଚ୍ୟ ଆଧ୍ୟାତ୍ମତତ୍ତ୍ୱର ଆଶ୍ରୟ ନେବେ ।

 

ସେହି ହେତୁରୁ ଆମ୍ଭେମାନେ କହୁଁ, ଆମର ଯାହା ଅଛି, ତାକୁ ନ ଦେଖି ବାହାରକୁ ଯିବା ଉଚିତ ନୁହେଁ । କେବଳ ପରିବର୍ତ୍ତନପ୍ରୟାସୀ ହୋଇ ଦେଶର ଯାବତୀୟ ଅନୁଷ୍ଠାନମାନଙ୍କୁ ପୁରାତନ କହି ବର୍ଜନ କରିବା ସଂସ୍କାରକର ନିଦର୍ଶନ ନୁହେଁ । ଅଧିକାଂଶ ସାମୟିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସମାଜରେ ଗୋଟିଏ ନୂତନତ୍ୱ ଦେଖାଇବା ପାଇଁ ଏପରି କରିଥାନ୍ତି । ଭାରତର ଜାତି ଓ ଧର୍ମ ସନାତନ, ସେମାନଙ୍କର ଉଚ୍ଛେଦ ସାଧନ କରି, ଦେଶକୁ ଅନ୍ୟ ଦିଗରେ ନେବା କେବଳ ଭ୍ରାନ୍ତ ଧାରଣା । ଜାତୀୟତା ଗଠନର ସ୍ୱାତନ୍ତ୍ର୍ୟ ସର୍ବାଦୌ ରକ୍ଷଣୀୟ । ହିନ୍ଦୁର କୁଳାଚାର ପ୍ରଥାମାନଙ୍କୁ ଅକାତରରେ ତ୍ୟାଗ କରିବାକୁ ହେବ ନାହିଁ । ଆମ ଜାତିର ମହତ୍ତ୍ୱ ଆମ ଧର୍ମ ଓ କର୍ମରୁ ଦେଖାଦେବ ।

Image

 

ସୌନ୍ଦର୍ଯ୍ୟ-ପ୍ରକାଶ

(ଡାକ୍ତର ଜୟକୃଷ୍ଣ ମହାନ୍ତି)

 

ଜୀବନରେ ସୌନ୍ଦର୍ଯ୍ୟର ପ୍ରଭାବ ଅସୀମ । ସୌନ୍ଦର୍ଯ୍ୟ-ପିପାସା ମନୁଷ୍ୟକୁ ନିମ୍ନସ୍ତରକୁ ଘେନିଆସି ତା’ର ଅଧଃପତନ ସଂଘଟନ କରେ ନାହିଁ । ଏହା ମନୁଷ୍ୟର ପ୍ରାଣରେ ଉନ୍ନତ ଧରଣର ସ୍ପନ୍ଦନ ସୃଷ୍ଟିକରି ତାକୁ ପୂର୍ଣ୍ଣତାର ତୁଙ୍ଗଶିଖର ଅଭିମୁଖୀ କରାଏ । ବୀଣାର ମଧୁର ଝଙ୍କାର, ମୃଦୁଗାମିନୀ ତଟିନୀର କୁଳୁକୁଳୁ ନିନାଦ, ଶିଶୁର କଳହାସ୍ୟ ଓ ଲଳିତ ଅଙ୍ଗଭଙ୍ଗୀ, ଦୂର ବନାନୀର ଅଭିନବ ଛବି, ରମଣୀର ବିମୋହନ କଟାକ୍ଷ, ନୀଳ ଆକାଶର ଅନନ୍ତ, ଗାଢ଼ ନୀଳିମା-ଏସବୁ ମନୁଷ୍ୟର ପ୍ରାଣରେ ଯେ ସ୍ପନ୍ଦନ ସୃଷ୍ଟି କରେ, ତହିଁରେ ତା’ର ଜୀବନ ସଙ୍ଗୀତମୟ ଓ ମଧୁମୟ ହୋଇଉଠେ । ସେ ବାସ୍ତବ ଜଗତର ନିର୍ମମ କଠୋରତା ଭୁଲିଯାଇ ସ୍ୱପ୍ନପୁରୀରେ ବିଚରଣ କରେ-। କ୍ଷଣକ ପାଇଁ ତା’ର ଅନ୍ତରର ସଂକୀର୍ଣ୍ଣତା ଭୁଲିଯାଇ ଉଦାର ଓ ଉନ୍ନତ ଭାବରେ ଉଦ୍‌ବୁଦ୍ଧ ହୋଇଉଠେ । ଏ ଅନୁଭୂତି ଚରମ ଲକ୍ଷ୍ୟ ପାଇଁ ତା’ର ଗତିକୁ କ୍ରମେ ବ୍ୟଗ୍ର କରିଦିଏ-। କିନ୍ତୁ ଶଙ୍କାଶୀଳ ବ୍ୟକ୍ତି ନିଜେ ସୌନ୍ଦର୍ଯ୍ୟ ଉପଭୋଗ କରିପାରେ ନାହିଁ କିମ୍ୱା ନିଜର ସୌନ୍ଦର୍ଯ୍ୟରେ ଓ ଲଳିତ ଅଙ୍ଗଭଙ୍ଗୀରେ ଅନ୍ୟର ଅନ୍ତରକୁ ଉନ୍ନତ କରିପାରେ ନାହିଁ ।

 

କେବଳ ଶରୀରର ବାହ୍ୟିକ ରୂପରେ ସୌନ୍ଦର୍ଯ୍ୟ ନିହିତ ନ ଥାଏ । ଅନେକ ସ୍ଥଳରେ ଦେଖାଯାଇଥାଏ, ରୂପବତୀ ରମଣୀ ମଧ୍ୟ ନିଜର ରୂପ-ବିଭବରେ, ଦର୍ଶକର ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରେ ନାହିଁ; ଅଥଚ ଆଉ ଜଣେ ରୂପହୀନା ରମଣୀ ଆପଣାର ସ୍ୱାଭାବିକ ଲଳିତ ଅଙ୍ଗଭଙ୍ଗୀରେ ଲୋକର ପ୍ରାଣ ପୁଲକିତ କରି ନୟନମନ ବନ୍ଦୀ କରେ । ଅନ୍ତରର ସୌନ୍ଦର୍ଯ୍ୟ ପ୍ରକୃତ ସୌନ୍ଦର୍ଯ୍ୟ; ଶରୀରର ରୂପ ତା’ର ପରିପୂରକ । ଚାଲିଚଳନ, ଠାଣିମାଣି, ଅଙ୍ଗସଞ୍ଚାଳନ, ନୟନ ଛଟକ ଓ କଥା ଭାଷାର ଭଙ୍ଗୀରେ ଅନ୍ତରର ପ୍ରାକୃତିକ ସୌନ୍ଦର୍ଯ୍ୟ ଫୁଟିଉଠେ । ଏ ସ୍ୱାଭାବିକ ଶୋଭା ସନ୍ଦର୍ଶନ କରି ମନୁଷ୍ୟ ମୁଗ୍ଧ ହୋଇଯାଏ, ତା’ର ଅନ୍ତରରେ ଉନ୍ନତ ଧରଣର କମ୍ପନ ସୃଷ୍ଟି ହୁଏ । ସେ ଉଦାର ଓ ଉନ୍ନତ ହୋଇଉଠେ ।

 

କିନ୍ତୁ ଶଙ୍କିତ ଲୋକଠାରେ ଏପରି ସ୍ୱାଭାବିକ ସୁଢ଼ଳ ଅଙ୍ଗଭଙ୍ଗୀ ଦେଖିବାକୁ ମିଳେ ନାହିଁ-। କାରଣ ଭୟବଶତଃ ସେ ଅନ୍ତରର ସୌନ୍ଦର୍ଯ୍ୟକୁ ସ୍ୱାଭାବିକ ରୀତିରେ ବାହାରେ ପ୍ରକାଶ କରିପାରେ ନାହିଁ । ତାହାର ଅଙ୍ଗଚାଳନ ଓ କଥାର ଭଙ୍ଗୀ ଅସ୍ୱାଭାବିକ ଓ ଅପ୍ରାକୃତିକ; ତେଣୁ ତାହା ଅନ୍ୟର ହୃଦୟରରେ ସୌନ୍ଦର୍ଯ୍ୟବୋଧର ଉଲ୍ଲାସ ସୃଷ୍ଟି କରିପାରେ ନାହିଁ; ଅଧିକନ୍ତୁ ଘୃଣା ଓ ବରକ୍ତି ଜାତ କରେ । ଏଥିପାଇଁ ଶଙ୍କିତ ଲୋକ ଅନ୍ୟର ଚକ୍ଷୁଶୂଳ ହୋଇପଡ଼େ । ସେହିପରି ସେ ଅନ୍ୟର ସୌନ୍ଦର୍ଯ୍ୟ ସନ୍ଦର୍ଶନ କରେ ; କିନ୍ତୁ ତା’ର ମାଧୁରୀ ଉପଭୋଗ କରିପାରେ ନାହିଁ ; କାରଣ ସୌନ୍ଦର୍ଯ୍ୟ ଉପଭୋଗରେ ଅନ୍ତରରେ ଯେ ଉଚ୍ଛ୍ଵାସ ସୃଷ୍ଟି ହୁଏ, ବାହାରକୁ ତା’ର ଲକ୍ଷଣଗୁଡ଼ିକ ସ୍ୱତଃ ପ୍ରକାଶିତ ହୋଇପଡ଼େ । କିନ୍ତୁ ଶଙ୍କାଶୀଳ ଲୋକ ସେସବୁକୁ ଭୟ କରେ । କୌଣସି ହାସ୍ୟଉଦ୍ଦୀପକ ଦୃଶ୍ୟରେ ମନୁଷ୍ୟ ଯଦି ନିଜେ ହସି ନପାରେ, ତେବେ ସେ ତାହାର ମାଧୁର୍ଯ୍ୟ ଉପଭୋଗ କରିପାରିବ କି ?

 

ସୌନ୍ଦର୍ଯ୍ୟ ସୃଷ୍ଟି କରିବା କଠିନ ହୋଇପାରେ, କିନ୍ତୁ ସୌନ୍ଦର୍ଯ୍ୟ ଉପଭୋଗ କରିବା କଠିନ ନୁହଁ । ଏ ଉଭୟ ସୁଖରୁ ଶଙ୍କାନ୍ୱିତ ବଞ୍ଚିତ ହୁଏ ।

 

ଲଳିତ ଅଙ୍ଗଭଙ୍ଗୀରେ ସୌନ୍ଦର୍ଯ୍ୟ ସୃଷ୍ଟି କରିବା ମନୁଷ୍ୟର ଜନ୍ମଗତ କଳା ନୁହେଁ । ଏହା ସାଧନା ଓ ଅଭ୍ୟାସରେ ଲାଭ କରାଯାଏ । ଲୋକର ପରିସ୍ଥିତିରେ ଶଙ୍କାଗ୍ରସ୍ତ ବ୍ୟକ୍ତି ଭୟରେ ଥରିଉଠେ । ଏଣୁ ଏ କଳା ଲାଭ କରିବାକୁ ଯେ ସାଧନା ଓ ପ୍ରଚେଷ୍ଟା ଆବଶ୍ୟକ, ସେ ତାହା କରିପାରେ ନାହିଁ । ଗୋଟିଏ ଲୋକ ପାଣିରେ ବୁଡ଼ି ଯାଉଥିବାବେଳେ ନିଜର ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବା ଛଡ଼ା ଅନ୍ୟ କୌଣସି ଭାବନା କରିପାରେନା; ସେହିପରି ଲୋକମାନଙ୍କ ସମ୍ମୁଖରେ ଶଙ୍କା ଓ ସଂକୋଚରେ ସଢ଼ିଯାଉଥିବା ଲୋକ ନିଜର ଆତ୍ମରକ୍ଷା କରିବାକୁ ଚେଷ୍ଟାକରିବା ଛଡ଼ା ଅନ୍ୟ ଧାରଣା କରିପାରେନା । ସେତେବେଳେ ସେ ଚେଷ୍ଟା କରେ କିପରି ଲୋକଲୋଚନ ଅନ୍ତରାଳକୁ ଚାଲିଯିବ । ସେଥିରେ ସଫଳକାମ ନ ହେଲେ ଭୀତକ୍ରସ୍ତ ହୋଇ ଅସ୍ୱାଭାବିକ ଭାବେ ନୀରବ ଓ ଗମ୍ଭୀର ରହେ । ତା’ର ସ୍ୱଚ୍ଛଳତା ନଥାଏ । ଏପରି ଅବସ୍ଥାରେ ଲଳିତ ଅଙ୍ଗଭଙ୍ଗୀରେ ଲୋକମାନଙ୍କୁ ମୁଗ୍ଧ କରିବା ତା’ ପକ୍ଷରେ ଆଦୌ ସମ୍ଭବ ନୁହେଁ ।

 

ପିଲାମାନଙ୍କର ଯେପରି ଏ ଦୁର୍ଦ୍ଦଶା ନ ହୁଏ, ସେଥିପ୍ରତି ସାବଧାନ ହେବାକୁ ହେବ । ନିଜର ସ୍ୱାଭାବିକ ଅଙ୍ଗଭଙ୍ଗୀରେ ଯେପରି ସେମାନେ ସମସ୍ତଙ୍କୁ ମୁଗ୍ଧ କରି ସର୍ବଜନପ୍ରିୟ ହୋଇପାରିବେ, ସେଥିପ୍ରତି ପିତାମାତାଙ୍କର ଦୃଷ୍ଟି ରହିବା ଉଚିତ । ପ୍ରଥମେ ଶଙ୍କା ଯେପରି ସେମାନଙ୍କୁ ସ୍ପର୍ଶ ନ କରେ ତାହା ଦେଖିବାକୁ ହେବ । ଦ୍ୱିତୀୟରେ ପିଲାମାନେ ଅସ୍ୱାଭାବିକ ଅଙ୍ଗଭଙ୍ଗୀ କଲେ ସେମାନଙ୍କୁ ସଂଶୋଧନ କରିଦେବ । ବ୍ୟକ୍ତିତ୍ୱପରି ପ୍ରତ୍ୟେକ ଲୋକର ଅଙ୍ଗଭଙ୍ଗୀରେ ବିଶିଷ୍ଟତା ଅଛି । କୃତ୍ରିମତା ବା ଅନ୍ଧ ଅନୁକରଣ ଏ ବିଶିଷ୍ଟତାକୁ ନଷ୍ଟ କରିଦିଏ । ପିଲାମାନେ ଅନୁକରଣପ୍ରିୟ । ସେମାନେ ଯେପରି ଏ ବିଷୟରେ କାହାରିକୁ ଅନୁକରଣ ନ କରନ୍ତି, ସେଥିପ୍ରତି ଜାଗ୍ରତ ରହିବାକୁ ପଡ଼ିବ ।

 

ପିଲାମାନଙ୍କୁ ସୁନ୍ଦର ବେଶଭୂଷାରେ ସଜେଇ ଦେବ । ପୋଷାକ ପରିଚ୍ଛଦ ମୂଲ୍ୟବାନ ହେବାର ଆବଶ୍ୟକତା ନାହିଁ; କିନ୍ତୁ ସୁନ୍ଦର ଓ ରୁଚିକର ହେବା ଆବଶ୍ୟକ । ପିଲାମାନେ ନିଜର ବେଶଭୂଷା ଲାଗି ଉପହାସିତ ବା ଅପମାନିତ ହେଲେ, ନିଜ ପ୍ରତି ଅକିଞ୍ଚିତ୍‌କର ଭାବ ସେମାନଙ୍କ ମନରେ ଜାଗ୍ରତ ହୁଏ । ସେମାନେ ନିଜକୁ ଅନ୍ୟମାନଙ୍କର ସମତୁଲ୍ୟ ଭାବିପାରନ୍ତି ନାହିଁ । ତେଣୁ ଶଙ୍କା କ୍ରମେ ସେମାନଙ୍କୁ ଆକ୍ରମଣ କରେ । ମନରେ ଶଙ୍କାର ପ୍ରବେଶ ହେଲେ ସ୍ୱାଭାବିକ ଅଙ୍ଗଭଙ୍ଗୀ ସମ୍ଭବପର ହୁଏ ନାହିଁ ।

 

ମନ ଉପରେଳ ବେଶଭୂଷାର ପ୍ରଭାବ ଅସୀମ । ଏ ବିଷୟ ସମସ୍ତେ ଅଳ୍ପାଧିକ ଅନୁଭବ କରନ୍ତି । ବୀରବେଶରେ ସଜ୍ଜିତ ହେଲେ ମନରେ ବୀରରସ ଜାଗିଉଠେ । ରସିକ ବେଶରେ ସଜ୍ଜିତ ହେଲେ ମନରେ ଭୋଗ ବିଳାସର କାମନା ଉଦିତ ହୁଏ । ସନ୍ନ୍ୟାସୀ ବେଶ ଧାରଣ କଲେ ମନରେ ପବିତ୍ର ଧର୍ମଭାବ ଜାତ ହୁଏ । ଏଥିପାଇଁ ବିଭିନ୍ନ କର୍ମ ସମ୍ପାଦନ ବେଳେ ଆମ୍ଭେମାନେ ବିଭିନ୍ନ ବେଶଭୂଷା ପରିଧାନ କରୁ । ବୀରବେଶରେ ସଜ୍ଜିତ ହୋଇ ଧର୍ମଚର୍ଚ୍ଚା ବା ଦେବାରାଧନା କରିବାକୁ ଗଲେ କିମ୍ୱା ଗୈରିକ କୌପୀନ ଧାରଣ କରି ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ, ଅଭୀଷ୍ଟ ସିଦ୍ଧି ପାଇଁ ମନରେ ଉପଯୁକ୍ତ ପ୍ରେରଣା ଆସେ ନାହିଁ-ଏ ବିଷୟ ସମସ୍ତେ ମୁକ୍ତକଣ୍ଠରେ ସ୍ୱୀକାର କରିବେ-। ତେଣୁ ସୁବେଶ ହେବାର ଅବହେଳା କଲେ ମନର ବଳ ହ୍ରାସ ହେବ ଓ କ୍ରମେ ଅଜ୍ଞାତସାରରେ ଶଙ୍କା ହୃଦୟରେ ପ୍ରବେଶ କରିବ । ଏହାଦ୍ୱାରା ସ୍ୱାଭାବିକ ଠାଣି ଓ ଅଙ୍ଗଭଙ୍ଗୀ ବ୍ୟାହତ ହେବ-। ତେଣୁ କାହାରି ଦୃଷ୍ଟି ଆକର୍ଷଣ କରି ପ୍ରିୟପାତ୍ର ହେବା ଦୁରୁହ ହେବ ।

 

ଅଙ୍ଗଭଙ୍ଗୀ ପରି କଥାଭାଷାର ଭଙ୍ଗୀ ମଧ୍ୟ ସ୍ୱାଭାବିକ ହେବା ଆବଶ୍ୟକ । ମିଷ୍ଟବାକ୍ୟ ଓ ମଧୁର କଣ୍ଠସ୍ୱର ପ୍ରାଣରେ ଯେଉଁ ଆନନ୍ଦ ସୃଷ୍ଟି କରେ, ତା’ର ପ୍ରଭାବ ଅସୀମ । ଯେଉଁମାନଙ୍କର ମିଷ୍ଟସ୍ୱର ଥାଏ, ସେମାନେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାନ୍ତି । ଅନ୍ତରରେ କୋମଳଭାବ ପୂର୍ଣ୍ଣ ଥିଲେ ସୁଦ୍ଧା ରୁକ୍ଷସ୍ୱରରେ କଥାବାର୍ତ୍ତା କଲେ ହୃଦୟଗ୍ରାହୀ ହୁଏ ନାହିଁ । ତେଣୁ ଏପରି ଲୋକ ସମସ୍ତଙ୍କର ଅପ୍ରିୟ ହୁଏ । ମିଷ୍ଟଭାଷା ଜନ୍ମଗତ କଳା ନୁହେଁ । ସାଧନା ଓ ଅଭ୍ୟାସରେ ଏହା ଲାଭ କରାଯାଏ । କଣ୍ଠସ୍ୱର ଜନ୍ମଗତ ସୁଗୁଣ; କିନ୍ତୁ ସାଧନା ବଳରେ ଏହାର ଯଥେଷ୍ଟ ଉନ୍ନତି କରାଯାଇପାରେ ।

 

କଥାବାର୍ତ୍ତାର ଭଙ୍ଗୀ ସର୍ବଦା ସାଧନାସାପେକ୍ଷ । ଅଙ୍ଗଚାଳନ, ମୁଖ୍ୟଭଙ୍ଗୀ ଓ କଥାଭାଷାର ଲାଳିତ୍ୟ ସଙ୍ଗେ ଅନ୍ତର ଭାବର ସାମଞ୍ଚସ୍ୟ ରଖିବା ଏକାନ୍ତ ଆବଶ୍ୟକ । ଏପରି ନ କଲେ ଲୋକ ମନରେ ବିଶେଷ ଛାପଦେଇ ହୁଏ ନାହିଁ । ଯେଉଁମାନେ ଜନନେତା ଓ ଦେଶସେବୀ, ସେମାନଙ୍କର ଏ ଗୁଣ ନିତାନ୍ତ ଆବଶ୍ୟକ । ଏ ଗୁଣ ଲାଭ କରିବାକୁ ହେଲେ ପିଲାଟି ଦିନରୁ ସାଧନା କରିବାକୁ ହେବ । ପିତାମାତାଙ୍କର ଏଥିରେ ଗୁରୁଦାୟିତ୍ୱ ଅଛି । ସେମାନେ ଯାହା କଲେ ସନ୍ତାନସନ୍ତତିମାନେ ଅକ୍ଳେଶରେ ଏ ଗୁଣ ଲାଭ କରିପାରିବେ । ଅନେକ ସମୟରେ ଦେଖାଯାଇଥାଏ, ପିତାମାତା ଓ ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କୁ ଦୁର୍ବୋଧ ଭାଷାରେ କୌଣସି ବିଷୟ କଣ୍ଠସ୍ଥ କରିବାକୁ ଦେଇ, ତା’ର ପୁନରାବୃତ୍ତି କରାଇଥାନ୍ତି । ପିଲାମାନେ ଉକ୍ତ ଭାଷା ବୁଝିପାରୁ ନଥିବାରୁ ବିଷୟଟିର ଭାବ ହୃଦୟଙ୍ଗମ କରିପାରନ୍ତି ନାହିଁ । କେବଳ ଶୂକପକ୍ଷୀ ପରି ଶବ୍ଦାବଳୀକୁ କଣ୍ଠସ୍ଥ କରିପକାନ୍ତି ଓ ପୁନରାବୃତ୍ତି ବେଳେ କୌଣସି ପ୍ରକାର ଭାବଭଙ୍ଗୀ ପ୍ରକାଶ ନକରି ଶୁକପକ୍ଷୀ ସଦୃଶ ନୀରବ ଭାବେ ବିଷୟଟିର ଅବତାରଣା କରିଦିଅନ୍ତି । ଏହା ସେମାନଙ୍କ ପକ୍ଷେ ମାରାତ୍ମକ । ଆରମ୍ଭରୁ ଅନ୍ତର ଭାବ ସଙ୍ଗେ, ଭାଷାର ପ୍ରକାଶ ଓ ମୁଖଭଙ୍ଗୀର ସାମଞ୍ଜସ୍ୟ ରଖି ଭାବ ପ୍ରକାଶର କୌଶଳ ସେମାନଙ୍କୁ ଶିକ୍ଷାଦେବା ଆବଶ୍ୟକ ।

 

ଅନ୍ୟର ଅଙ୍ଗଭଙ୍ଗୀ ଅନୁକରଣ କରିବାକୁ ପିଲାମାନଙ୍କୁ ପ୍ରଶ୍ରୟ ଦେବ ନାହିଁ । ଏ ରୀତିରେ ଅଙ୍ଗଭଙ୍ଗୀ କରିବାକୁ ଗଲେ ତହା ନୀରସ ଓ ପ୍ରାଣହୀନ ହୋଇଥାଏ । ଯନ୍ତ୍ରଚାଳିତ ପୁତ୍ତଳିକା ପରି ସେମାନେ ଅଭିନୟ କରିଯାଆନ୍ତି ଓ ମନମୁଗ୍ଧକର ହୁଏ । ହାସ୍ୟରସର ବର୍ଣ୍ଣନା କଲାବେଳେ ଯଦି ମୁଖମଣ୍ଡଳ ଉଜ୍ଜ୍ୱଳ ଓ ଉତ୍‌ଫୁଲ୍ଲ ହୋଇ ନ ଉଠେ, ଅଧରରେ ଯଦି କ୍ଷୀଣ ହାସ୍ୟରେଖା ଦେଖା ନଦିଏ, ନୟନରୁ ଯଦି ସରସ ମାଧୁର୍ଯ୍ୟ ଫୁଟି ନ ପଡ଼େ, ତେବେ ତାହା ହୃଦୟଗ୍ରାହୀ ହୋଇପାରେନା । ସେହିପରି କରୁଣରସ ବର୍ଣ୍ଣନାବେଳେ ଯଦି ସହାନୁଭୂତିରେ ନୟନ ଲୋତକ ଛଳଛଳ ନ ହୁଏ, ଦୟାରେ ବିଗଳିତ ହୃଦୟରେ ଉଚ୍ଛ୍ୱାସ ଉଠି ଯଦି କଣ୍ଠରୋଧ ନ କରେ, ମୁଖରେ ଯଦି ସମବେଦନାର ଛାୟା ଫୁଟି ନ ଉଠେ, ତେବେ ତାହା ପ୍ରାଣକୁ ସ୍ପର୍ଶ କରିପାରେ ନାହିଁ-। ଭାବନା, ଭାଷା ଓ ପ୍ରକାଶର ଭଙ୍ଗୀ–ଏ ସବୁର ସାମଞ୍ଜସ୍ୟ ଥିଲେ ଏହା ସମ୍ଭବପର ହୁଏ ।

 

ଏ ଗୁଣ ଲାଭ କରିବା ନିମନ୍ତେ ପିଲାମାନଙ୍କୁ ତାଙ୍କରି ଭାଷାରେ ତାଙ୍କଜୀବନର କୌଣସି ଘଟନାର ବର୍ଣ୍ଣନା କରିବାକୁ ଦେବ । ସେମାନେ ବର୍ଣ୍ଣନା କରିବାବେଳେ ଦେଖିବ, ତାଙ୍କ ଭାବ ସଙ୍ଗେ ଭାଷାପ୍ରକାଶ ଭଙ୍ଗୀ ଓ ଅଙ୍ଗଚାଳନାର ସାମଞ୍ଜସ୍ୟ ରହୁଛି କି ନାହିଁ । କୌଣସିଠାରେ ତ୍ରୁଟି ଦେଖିଲେ ସଂଶୋଧନ କରିଦେବ । ସାଧାରଣତଃ ନିଃଶଙ୍କ ମନରେ କଥାବାର୍ତ୍ତା କଲେ ଏ ସବୁର ସାମଞ୍ଜସ୍ୟ ରହେ । ତେଣୁ ଶଙ୍କା ଯେପରି ପିଲାମାନଙ୍କ ମନକୁ ସ୍ପର୍ଶ ନ କରେ, ସେଥିପ୍ରତି ଦୃଷ୍ଟିଦେବା ଉଚିତ ।

 

ନୃତ୍ୟକଳା ନରନାରୀ ଉଭୟଙ୍କର ଭୋଗ୍ୟ ହେଲେ ହେଁ ତାହା ନାରୀମାନଙ୍କର ବିଶିଷ୍ଟ ଗୁଣ ଓ ଭୂଷଣ ସଦୃଶ । ଏହା ଅଙ୍ଗଭଙ୍ଗୀର ଗୋଟିଏ ବିଶିଷ୍ଟ ଅଂଶ । ନୃତ୍ୟକଥା ସାଧାରଣତଃ ମଧୁର ରସାତ୍ମକ, ସମୟ ସମୟରେ ଏହା ଭକ୍ତିରସ ଓ ବୀର ରସ ମଧ୍ୟ ପ୍ରକାଶ କରିଥାଏ । ମଧୁର ରସ ଘୃଣାର ବିଷୟ ନୁହେଁ, ଏହା ଆଦିରସ । ଏହି ମଧୁର ରସରୁ ମନୁଷ୍ୟର ସମସ୍ତ ସୁଗୁଣର ଉତ୍ପତ୍ତି । ନାୟକ ନାୟିକାମାନଙ୍କର ପରସ୍ପର ପ୍ରତି ଆକର୍ଷଣ, ରୂପର ମୋହ ଓ ମିଳନର ଆବେଗରୁ ପ୍ରେମ, ଶାନ୍ତି ଓ ଭକ୍ତି, ଦୟା, କ୍ଷମା, ସ୍ନେହ ଓ ତିତିକ୍ଷା ପ୍ରଭୃତି ମନୁଷ୍ୟର ସକଳ ସଦ୍‌ଗୁଣର ଉତ୍ପତ୍ତି । ଜୀବଜଗତର ବିବର୍ତ୍ତନ ଓ କ୍ରମବିକାଶ ଅନୁଶୀଳନ କଲେ ଏ ସତ୍ୟ ଉପଲବ୍‌ଧି କରାଯାଏ ।

 

ସୌନ୍ଦର୍ଯ୍ୟର ସୃଷ୍ଟି ପାଇଁ ଶାରୀରିକ ସୌନ୍ଦର୍ଯ୍ୟ ଯେ ଏକାନ୍ତ ଆବଶ୍ୟକ, ତା’ ନୁହେଁ । ଅନେକ ସ୍ଥଳରେ ଆମ୍ଭେମାନେ ଦେଖିଥାଉଁ ଯେ କୁତ୍ସିତ ଓ କଦାକାର ଲୋକ ନିଜର ସ୍ୱାଭାବିକ ଅଙ୍ଗଭଙ୍ଗୀରେ, ମଧୁର କଣ୍ଠସ୍ୱରରେ ପ୍ରାଣମନ ଆକୃଷ୍ଟ କରିଥାଏ । ଅନ୍ଧଗାୟକ, ଖଞ୍ଜବାଦକମାନେ ସ୍ୱାଭାବିକ ଭଙ୍ଗୀରେ ନିଜର କଳାବିଦ୍ୟା ପ୍ରଦର୍ଶନ କରି ସଚରାଚର ଆମ୍ଭମାନଙ୍କର ପ୍ରିୟପାତ୍ର ହୋଇଥାନ୍ତି । ରୂପହୀନ ଲୋକ ଜନନାୟକ ହୋଇ ଦେଶରଅଗ୍ରଣୀ ହୋଇଥାନ୍ତି । କେହି ତାହାର ରୂପର ସମାଲୋଚନା କରନ୍ତି ନାହିଁ । ‘ସମସ୍ତେ ତା’ର ସ୍ୱାଭାବିକ ପ୍ରାଣସ୍ପର୍ଶୀ ଭାଷାରେ ଉଦ୍‌ବୁଦ୍ଧ ହୋଇ ତାକୁ ସମର୍ଥନ କରିଥାନ୍ତି । ଏହାର ମୂଳରେ ନିଃଶଙ୍କ ହୃଦୟ ଥାଏ । କିନ୍ତୁ ଶଙ୍କିତ ଲୋକ ନିଜର ପ୍ରତିଭା ସତ୍ତ୍ୱେ ପ୍ରଶଂସାର ପାତ୍ର ହୋଇପାରେ ନାହିଁ ।

 

କେତେକ ସଙ୍ଗୀତଜ୍ଞ ସଙ୍ଗୀତ ବିଦ୍ୟାରେ ପାରଦର୍ଶିତା ଲାଭ କରିଥିଲେ ସୁଦ୍ଧା, ଶଙ୍କାଗ୍ରସ୍ତ ହୋଇଥିଲେ, ପ୍ରଶଂସା ଓ ପ୍ରତିଷ୍ଠା ଲାଭକରି ପାରନ୍ତି ନାହିଁ । ଲୋକମାନଙ୍କ ସମ୍ମୁଖରେ ସେମାନେ ଗାଇ ବଜାଇ ପାରନ୍ତି ନାହିଁ । ଗାନ କରିବା ବେଳକୁ ଶଙ୍କାରେ ସେମାନଙ୍କ କଣ୍ଠରୁଦ୍ଧ ହୁଏ, ବାଦ୍ୟ ବଜାଇବାବେଳକୁ ଭୟରେ ଅଙ୍ଗୁଳି କମ୍ପିତ ହୁଏ । ତେଣୁ ସେମାନେ ପ୍ରଶଂସା ଲାଭ କରିବା ପରିବର୍ତ୍ତେ ହାସ୍ୟାସ୍ପଦ ହୋଇଥାଆନ୍ତି ।

 

ମୋଟ ଉପରେ ଦେଖିବାକୁ ଗଲେ ଶଙ୍କା ଗୋଟିଏ ଘନକୃଷ୍ଣ ଆବରଣ ପରି । ଏହା ଆତ୍ମାର ଓ ଅନ୍ତରର ସ୍ୱାଭାବିକ ଜ୍ୟୋତି ଓ ସ୍ୱରୂପକୁ ଆବୃତ କରି ଗୋପନ ରଖେ । ତେଣୁ ଏହାର ଧ୍ୱଂସସାଧନ ସର୍ବଥା ବିଧେୟ ।

Image

 

କନ୍ୟାକୁମାରୀ

(ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ)

 

କନ୍ୟାକୁମାରୀରେ ପହଞ୍ଚିବା ପୂର୍ବରୁ କଳ୍ପନାଚକ୍ଷୁରେ ତାକୁ ନାନା ରୂପରେ ଦେଖି ସାରିଥିଲି । ଏହିଠାରେ ତିନି ସିନ୍ଧୁର ମହାମିଳନ ଘଟିଛି, ଏହିଠାରେ ଭାରତର ଶେଷ ଭୂଭାଗ ସୁକ୍ଷ୍ମନାସୀରୂପେ ସଲିଳ ରାଶିରେ ପଶିଯାଇଛି, ଏହିଠାରେ ମଳୟାଦ୍ରିର ଚନ୍ଦନବୃକ୍ଷରେ ବିଶାଳସର୍ପ ବାସ କରନ୍ତି ଏଳାଲତା ତମାଳ ତରୁକୁ ଏହି ସ୍ଥାନରେ ଆଲିଙ୍ଗନ କରି ରହିଥାଏ, ତମାଳତାଳୀର ଚିରନୀଳିମା ମଧ୍ୟରେ ଏହି ସ୍ଥାନରେ ହିଁ ଚିରମଳୟ ବାସକରେ, ଲବଙ୍ଗ ପୁଷ୍ପର ଗନ୍ଧ ଅନ୍ୟ ଦ୍ୱୀପରୁ ବହିଆସି ଏ ସ୍ଥଳକୁ ହିଁ ଚିରଦିନ ଆମୋଦିତ କରେ-ଏହିପରି କେତେ କଥା କଳ୍ପନା କରି ବସିଥିଲି । ଅବଶେଷରେ ହଠାତ୍‌ ଦିନେ ଗ୍ରୀଷ୍ମର ଧୂସର ସନ୍ଧ୍ୟାରେ ତା’ର ବାସ୍ତବ ରୂପକୁ ଦେଖିବାର ସୁବିଧା ପାଇ ଆନନ୍ଦରେ ଅଧୀର ହୋଇ ପଡ଼ିଲି । କିନ୍ତୁ କଳ୍ପନାରେ ଯାହା ବଡ଼ ଥିଲା, ବାସ୍ତବତା ତାକୁ କେତେକ ପରିମାଣରେ ଛୋଟ କରି ପକାଇଲା ।

 

କନ୍ୟାକୁମାରୀ ଗୋଟିଏ କ୍ଷୁଦ୍ର ଅଖ୍ୟାତ ସହର । କେରଳର ଶେଷ ଦକ୍ଷିଣାଞ୍ଚଳରେ ତାମିଲଭାଷୀ ଅଞ୍ଚଳଟି ଯୋଡ଼ି ହୋଇଯାଇଛି, ଆଉ ତାହାରି ମଧ୍ୟରେ ସମୁଦ୍ରକୁ ଲାଗି ଏହି କ୍ଷୁଦ୍ର ସହରଟି ରହିଛି । ତ୍ରିଭେନ୍ଦ୍ରମରୁ ମୋଟରଯୋଗେ ବାହାରି ଯେତେବେଳେ କୁମାରିକାରେ ପହଞ୍ଚିଲୁ, ସେତେବେଳେ ରାତି ହୋଇଯାଇଥିଲା । ତ୍ରିଭେନ୍ଦ୍ରମ ଯେ କେଉଁଠାରେ ଶେଷ ହେଲା, ତାହା ଜଣାପଡ଼ିଲା ନାହିଁ । ଏହି ସହରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମୁଦ୍ର ଓ ପର୍ବତ ଶ୍ରେଣୀ ମଧ୍ୟଭାଗରେ ଯେଉଁ ଏକ ମାତ୍ର ରାସ୍ତା ପଡ଼ିଛି ତା’ର ଉଭୟ ପାର୍ଶରେ ତ୍ରିଭେନ୍ଦ୍ରମଠାରୁ ବହୁ ଦୂର ପର୍ଯ୍ୟନ୍ତ ସହରର ସମସ୍ତ ଚିହ୍ନ ଦେଖାଯାଏ ଠିକ୍‌ ସେହିପରି ଖପରଲି ଘର, ସେହିପରି ବୃକ୍ଷଲତା, ଏକାପରି ବସ୍ତ୍ରପରିହତ ନରନାରୀ ଓ ଏକାପରି ଦୋକାନଘାଟ । ମନେହେଲା, ଏଦେଶରେ ସହରର ଶେଷ ନାହିଁ କିମ୍ୱା ଏଦେଶରେ ଅତି ଧନୀ ବା ଅତି ଦରିଦ୍ର କେହି ନାହାଁନ୍ତି । ଏହି ରାସ୍ତାରେ ମୋଟରଟି ସନ୍ଧ୍ୟାର ସ୍ତିମିତାଲୋକରେ ଗତି କରୁ କରୁ ତିମିର ମଧ୍ୟରେ ଯାଇ କନ୍ୟାକୁମାରୀରେ ପହଞ୍ଚିଗଲା । କ୍ଷୁଦ୍ରସହରଟି ଅତି ଅଳ୍ପରାତ୍ରି ମଧ୍ୟରେ ହିଁ ନିଶ୍ଚଳ ହୋଇଗଲା । ତିନି ବାରିରାଶିର ସମନ୍ୱୟରେ ଯେଉଁ ମହାସମୁଦ୍ର ସୃଷ୍ଟି ହୋଇଛି, ଖାଲି ତାହାରି ଗୁରୁ ଗମ୍ଭୀର ଗର୍ଜ୍ଜନ ହିଁ ଅବିରତ ଗତିରେ ଶୁଣାଯାଉଥିଲା ।

 

ସମୁଦ୍ରକୁ ଲାଗି କୁମାରୀଦେବୀଙ୍କ ମନ୍ଦିର ଓ ତା’ର ଅତି ଅଳ୍ପଦୂରରେ ଚୋଲଟ୍ରି । ଏହି ଚୋଲଟ୍ରିକୁ ଧର୍ମଶାଳା, ଡ଼ାକବଙ୍ଗଳା, ସାର୍କିଟ ହାଉସ ବା ଆଉ କିଛି ନାମ ଦେଇପାରନ୍ତି, କିନ୍ତୁ ଏହା ନିରାଡ଼ମ୍ୱର ଦକ୍ଷିଣାଞ୍ଚଳର ପ୍ରତୀକ । ଦକ୍ଷିଣାଞ୍ଚଳର ଖାଦ୍ୟପେୟ ପରି ଜନସାଧାରଙ୍କ ପାଇଁ ଉଦ୍ଦିଷ୍ଟ ବାସଗୃହ ମଧ୍ୟ ନିତାନ୍ତ ନିରାଡ଼ମ୍ୱର । ରାଜା ପ୍ରଜା ଅମିର ଗରିବ ସମସ୍ତ ଏକପ୍ରକାର ଖାଦ୍ୟ ଖାଆନ୍ତି । ତଫାତ୍‌ ଭିତରେ ବଡ଼ ଲୋକଙ୍କ ପାଇଁ ଟିକିଏ ଘିଅର ମାତ୍ରା ବେଶୀ ହୁଏ । ଏ ଅଞ୍ଚଳର ବଡ଼ ଲୋକ ମଧ୍ୟ ଅନ୍ୟ କୌଣସି ଖାଦ୍ୟକୁ ପସନ୍ଦ କରନ୍ତି ନାହିଁ । ଗରିବ ଦୁଃଖୀ ପାଇଁ ଯେଉଁ ଦୋଷୀ, ଇଡ଼୍‌ଲି, ବଡ଼ା, ସାମ୍ୱର, କଫି ଇତ୍ୟାଦି ଉଦ୍ଦିଷ୍ଟ, ବଡ଼ଲୋକଙ୍କର ମଧ୍ୟ ତାହା ହିଁ ପରମ ଆଦରଣୀୟ । ଏ ଅଞ୍ଚଳର ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦିରେ ବହୁ ଦିନରୁ ଅଦ୍ଭୁତ ଭାବରେ ସାମ୍ୟନୀତି ଚଳି ଆସୁଛି । ଦକ୍ଷିଣୀ ଖାଦ୍ୟରୁ କିଛି ଉଦରସ୍ଥ କରି ଚୋଲଟ୍ରିରେ ଶୋଇବାର ଉପକ୍ରମ କରିଥିଲେ; କିନ୍ତୁ ଜଣେ ବନ୍ଧୁ ସେଥିରେ ବାଧାଦେଲେ । ଆମଦଳ ଭିତରେ ଥିଲେ ତେଲୁଗୁ, ତାମିଲ ମାଳୟୀ, କାନାଡ଼ୀ, ପଞ୍ଜାବି, ହିନ୍ଦୀ ଓ ଓଡ଼ିଆଭାଷୀ ଲୋକ । ଏଥି ମଧ୍ୟରୁ ତାମିଲଭାଷୀ ବନ୍ଧୁ କହିଲେ ଯେ, ପରଦିନ ସନ୍ଧ୍ୟା ପୂର୍ବରୁ ଆମ୍ଭେମାନେ କନ୍ୟାକୁମାରୀ ଛାଡ଼ିଯାଉଥିବାରୁ ସେହି ରାତି ମଧ୍ୟରେ ହିଁ କୁମାରୀଦେବୀଙ୍କ ଦର୍ଶନ କରିବା ନିତାନ୍ତ ଦରକାର । ଅଦ୍ଭୁତ କଥା, ଦିନବେଳେ ଦେଖିଲେ କଅଣ ଚଳିବ ନାହିଁ ? ବନ୍ଧୁ କହିଲେ ଯେ, କୁମାରୀଦେବୀଙ୍କ ବେଶ ରାତିବେଳେ ହିଁ ସବୁଠାରୁ ଭଲହୁଏ । ଏଣୁ ସେହି ରାତି ମଧ୍ୟରେ ହିଁ ଦେବୀଦର୍ଶନ ପାଇଁ ସମସ୍ତେ ବାହାରିଲୁ ।

 

ନିରାଡ଼ମ୍ୱର ମନ୍ଦିର ମଧ୍ୟରେ କୁମାରୀଦେବୀଙ୍କ କମନୀୟ ମୂର୍ତ୍ତି ପ୍ରତିଷ୍ଠିତ । ମସ୍ତକରେ ରତ୍ନ ମୁକୁଟ, ଅଙ୍ଗରେ ରଙ୍ଗ ପଟ୍ଟବସ୍ତ୍ର, ରତ୍ନହାର ମୁକ୍ତାହାର, ପୁଷ୍ପହାର ଓ କଟୀରେ କାଞ୍ଚିଦାମ ଇତ୍ୟାଦି ଦେବୀଙ୍କ କମନୀୟ କାନ୍ତିକୁ କମନୀୟତର କରୁଥିଲା । ଘୃତ-ଦୀପର ସ୍ତିମିତାଲୋକରେ ମୁଖମଣ୍ଡଳର ଦିବ୍ୟଜ୍ୟୋତି ଜଳି ଉଠୁଥିଲା । ତାମିଲ ଭାଷୀ ପୂଜକ ଆମ୍ଭମାନଙ୍କର ହସ୍ତ ସ୍ପର୍ଶ କରି ଫୁଲପ୍ରସାଦ ଦେଲେ । ତ୍ରିବିନ୍ଦ୍ରମର ପଦ୍ମନାଭ ମନ୍ଦିରରେ ଆମ୍ଭମାନଙ୍କର ଏହାଠାରୁ ଭିନ୍ନ ପ୍ରକାର ଅଭିଜ୍ଞତା ହୋଇଥିଲା । ସେଠାରେ ପୂଜକ ବ୍ରାହ୍ମଣ ସ୍ପର୍ଶ ଭୟରେ ତିନିହାତ ଦୂରରୁ ଯାତ୍ରୀ ହାତକୁ ଫୁଲଟିଏ ଫିଙ୍ଗିଦିଅନ୍ତି ଓ କଟିବସ୍ତ୍ର ଛଡ଼ା ଆଉ ସମସ୍ତ ପୋଷାକ ପରିତ୍ୟାଗ କରିବା ପାଇଁ ତାଙ୍କୁ ବାଧ୍ୟ କରନ୍ତି । ଏଣୁ ତ୍ରିଭେନ୍ଦ୍ରମଠାରୁ ମାତ୍ର ୬୦ ମାଇଲ ଦୂରରେ ଥିବା କୁମାରୀ ମନ୍ଦିରର ଏହି ଉଦାରତା ଆମ୍ଭମାନଙ୍କୁ ମୁଗ୍ଧ କଲା । ଏହି ଶାନ୍ତସ୍ଥଳୀର ଅନାଡ଼ମ୍ୱର ବେଷ୍ଟନୀ ମଧ୍ୟରେ କୁମାରୀଦେବୀଙ୍କ କମନୀୟ ମୂର୍ତ୍ତି ଓ ପୂଜକ ବ୍ରାହ୍ମଣର ସରଳ ବ୍ୟବହାର ପ୍ରାଣରେ ଶାନ୍ତି ଆଣିଲା । ପୂଜକ ବ୍ରାହ୍ମଣଙ୍କୁ ପଚାରିଲି–ରାତି ଛଡ଼ା ଦିନବେଳେ ଦେବୀଙ୍କର ଭଲ ବେଶ ହୁଏ ନାହିଁ କାହିଁକି ? ଉତ୍ତର ଆସିଲା–‘‘ଦେବୀ ବର୍ତ୍ତମାନ ପ୍ରତୀକ୍ଷମାଣା । ଆପଣ ଯେଉଁ କଥା ପଚାରିଲେ, ତା’ର ଉତ୍ତର ତାଙ୍କ ସମ୍ମୁଖରେ ବର୍ତ୍ତମାନ କୁହାଯିବ ନାହିଁ । କାଲି ଦିନବେଳେ ଆସିଲେ କୁହାଯିବ’’ ।

 

ସମସ୍ତେ ବସାକୁ ଫେରିଲୁ । ଦେବୀଙ୍କ କଥା ମନ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରୁଥାଏ-। ଆମ ଦଳର ସମସ୍ତେ ଥିଲେ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀ, ଅତଏବ ସମସ୍ତେ ପ୍ରତ୍ନତତ୍ତ୍ୱପ୍ରେମୀ-। ଶୋଇବା ଛଡ଼ା ବାକି ସବୁ ସମୟରେ ଏମାନେ ପ୍ରତ୍ନତତ୍ତ୍ୱ ଛଡ଼ା ଅନ୍ୟ କୌଣସି ବିଷୟରେ କଥା କହନ୍ତି ନାହିଁ । ମୁଁ ସମସ୍ତଙ୍କୁ କହିଲି–ଦେଖନ୍ତୁ, କୁମାରୀମନ୍ଦିରର ପ୍ରତ୍ନତତ୍ତ୍ୱ ସମସ୍ତେ ଦେଖି ଆସିଲେ-। ମନ୍ଦିର ହୁଏତ ଚାରିଶ ବର୍ଷରୁ ବେଶି ପୁରୁଣା ନୁହେଁ; ମୂର୍ତ୍ତି ମଧ୍ୟ ବେଶି ପୁରାତନ ବୋଲି ମନେ ହେଉନାହିଁ । କିନ୍ତୁ ଦେବୀପୀଠ ଅତି ପୂରାତନ ହୋଇପାରେ । ଭୂମିକମ୍ପରେ ଭାରତର ଶେଷଭାଗ ଯେତେବେଳେ ଭାଙ୍ଗିପଡ଼ି ସିଂହଳ ଦ୍ୱୀପରେ ପରିଣତ ହେଲା, ହୁଏତ ସେହି ସମୟଠାରୁ କୁମାରୀଦେବୀଙ୍କ ପୀଠସ୍ଥାନ ରହିଆସିଛି । ଏ ସମ୍ୱନ୍ଧରେ କୌଣସି କଥା ନିଶ୍ଚିତ ଭାବରେ କହିବା ସମ୍ଭବପର ନୁହେଁ । ଏଣୁ ଏ ସମ୍ୱନ୍ଧରେ ବେଶି ବାକ୍ୟବ୍ୟୟ ନ କରିବା ହିଁ ଉଚିତ । ଏତିକିରେ ହିଁ ଆମ୍ଭମାନଙ୍କର ପ୍ରତ୍ନତତ୍ତ୍ୱର ପିପାସା ମେଣ୍ଟିଯିବା ଉଚିତ । ସବୁଠାରେ, ସବୁ କଥାରେ ଖାଲି ସେହି ପ୍ରତ୍ନତତ୍ତ୍ୱକୁ ଖୋଜି ବସିଲେ ଜୀବନଟା ଦୁର୍ବଳ ହୋଇପଡ଼ିବ । ଶେଷବେଳକୁ ଏପରି ହେବ ଯେ, ପ୍ରତ୍ନତତ୍ତ୍ୱ ଛଡ଼ା ଅନ୍ୟ କୌଣସି କଥା ମୁଣ୍ଡରେ ପଶିବ ନାହିଁ । ଅତଏବ ମୁଁ ପ୍ରତିଜ୍ଞା କରିଛି ଯେ; କାଲିଦିନଟା ପ୍ରତ୍ନତତ୍ତ୍ୱର ମୁହଁ ସୁଦ୍ଧା ଚାହିଁବି ନାହିଁ । ହାସ୍ୟରୋଳ ମଧ୍ୟରେ ବନ୍ଧୁମାନଙ୍କ ମଧ୍ୟରୁ କେହି କାମେରା, କେହି ସୁଟ୍‌କେସ, କେହି ବାକ୍ସ ଇତ୍ୟାଦି ଦେଖାଇ କହିଲେ ଯେ ପ୍ରତ୍ନତତ୍ତ୍ୱକୁ ଚାପିବା ନିତାନ୍ତ ଦରକାର । କାଲି ତାକୁ ଏପରି ଭାବରେ ଚାପି ଦିଆଯିବ ଯେ, ସେ ଆଉ ମୁଣ୍ଡ ସୁଦ୍ଧା ଟେକିପାରିବ ନାହିଁ । ମୁଁ ଆଶ୍ୱସ୍ତି ହେଲି ।

 

ଘୋର ଅନ୍ଧକାର ମଧ୍ୟରେ ଜଳ ସ୍ଥଳ ସବୁ ଏକାକାର ହୋଇଯାଇଥିଲା । କନ୍ୟାକୁମାରୀରେ ଥାଇ ସୁଦ୍ଧା ତା’ର ରୂପ ଦେଖିବାକୁ ପାଇନଥିବାରୁ ଆଗ୍ରହ ଓ ଉତ୍କଣ୍ଠାରେ କ୍ଷଣେ ସୁପ୍ତ କ୍ଷଣେ ଜାଗ୍ରତ ହୋଇ ରାତିଟି କଟାଇଦେଲି । କାକରାବରେ ରାତ୍ରିର ଶେଷଯାମ ସୂଚିତ ହେବାରୁ ଘର ମଧ୍ୟରେ ଆଉ ରହିପାରିଲି ନାହିଁ । ଏଠାରେ ଗ୍ରୀଷ୍ମର ବା ଶୀତର ଭୟ ନାହିଁ । ବାହାରକୁ ଆସି ପୂର୍ବଦିଗକୁ ଚାହିଁ ଦେଖିଲି ଯେ, ଦିଗ୍‌ବଧୁର କୁନ୍ତଳରେ ସଦ୍ୟପୁଷ୍ପ ପରି ଶୁକ୍ରତାରା ଫୁଟି ରହିଛି, କିନ୍ତୁ ଅନ୍ଧକାର ସମ୍ପୂର୍ଣ୍ଣ ରୂପେ ଯାଇନାହିଁ ।

 

କ୍ରମେ ଅନାଗତ ରବିର ଅଗ୍ରଦୂତରୂପେ ଅରୁଣ ପ୍ରକାଶିତ ହୋଇଉଠିଲା । ଦୂର ପର୍ବତଶ୍ରେଣୀରୁ କ୍ରମେ ଅସ୍ପଷ୍ଟ ଛବି ଦୃଷ୍ଟି ଗୋଚର ହେଲା କନ୍ୟାକୁମାରୀରେ ଛିଡ଼ାହୋଇ ଉତ୍ତରକୁ ଚାହିଁଲେ ଚକ୍ଷୁର ଶକ୍ତି ଯେତେ ଦୂର ଯାଏ, ସେତେଦୂର ପର୍ଯ୍ୟନ୍ତ ଦେଖାଯାଏ ପଶ୍ଚିମଘାଟର ନିରବଚ୍ଛିନ୍ନ ପର୍ବତମାଳା । କନ୍ୟାକୁମାରୀ ନିକଟରେ ଏହି ପର୍ବତମାଳା ପୂର୍ବେ ମଳୟାଦ୍ରି ନାମରେ ଅବିହିତ ହେଉଥିଲା, ମାତ୍ର ବର୍ତ୍ତମାନ ଏହାର ନାମ ହେଉଛି କାଡ଼ାମୂନ୍‌ ହିଲ୍ସ । ମଳୟାଦ୍ରି ଉତ୍ତରକୁ ଲମ୍ୱିଯାଇଛି, ଆଉ ପାଲ୍‍ଘାଟ ଓ କୈମ୍ୱେତୁର ନିକଟରେ ଦ୍ୱିଧାହୋଇ ପୂର୍ବପଟରେ ଦର୍ଦ୍ଦୁର ପର୍ବତ ବା ଆଧୁନିକ ନୀଳଗିରି ଶୈଳଶ୍ରେଣୀ ସୃଷ୍ଟି କରିଛି । ସ୍ଥଳଭାବରେ ପୂର୍ବପଟରେ ପର୍ବତମାଳାର ନିରବଚ୍ଛିନ୍ନ ନୀଳିମା ଓ ପଶ୍ଚିମପଟରେ ସମୁଦ୍ରକୁ ଲାଗି ତାଳ ଓ ନାରିକେଳ ବନର ଅପରିସୀମ ବିସ୍ତାର କନ୍ୟାକୁମାରୀରେ ଅପୂର୍ବ ପ୍ରାକୃତିକ ଶୋଭା ସୃଷ୍ଟି କରିଛି । ସ୍ଥଳଭାଗର ଏହି ଅପୂର୍ବ ଶୋଭା ଦେଖୁଁ ଦେଖୁଁ ସମୁଦ୍ର ଆଡ଼କୁ ଚାହିଁ ଦେଖିଲି ଯେ, ସେଠାରେ ଉଦୟ ଉତ୍ସବ ଲାଗିଯାଇଛି । ଚକ୍ରବାଳ ନିକଟରେ ଲୋଳ ଲହରୀ ସହିତ ଲୁଚକାଳି ଖେଳି ଖେଳି ବାଳଭାନୁ ଉପରକୁ ଉଠି ଆସୁଛନ୍ତି, ଆଉ ସଙ୍ଗେ ସଙ୍ଗେ ପାରାବାରର ଇନ୍ଦ୍ରନୀଳବକ୍ଷ ସରସିଜ ରାଗରେ ରଞ୍ଜିତ ହୋଇଉଠୁଛି-। କିନ୍ତୁ ଏଠାରେ ଯେଉଁ ତିନି ସିନ୍ଧୁର ମିଳନ ହୋଇଛି, ତାହାର ଚିହ୍ନ ନାହିଁ । ପ୍ରକୃତରେ କୌଣସି ଚିହ୍ନ ଦେଖିବାକୁ ପାଇଲି ନାହିଁ । ତିନି ବାରିରାଶିର ସମନ୍ୱୟରେ ଯେଉଁ ମହାସମୁଦ୍ର ସୃଷ୍ଟି ହୋଇଛି, ତାହା ସବୁ ସମୁଦ୍ର ପରି ଏଠାରେ ମଧ୍ୟ ଲୋଳ, ଫେନିଳ, ଉଦ୍‌ବେଳ ଓ ମୁଖର-। କୌଣସି ବୈଶିଷ୍ଟ୍ୟ ଦେଖିବାକୁ ନ ପାଇ ଖାଲି ଉଦୟ ଉତ୍ସବକୁ ଚାହିଁ ରହିଲି । ଏହି ସମୟରେ ଜଣେ ବନ୍ଧୁ ପଛପଟରୁ କହିଉଠିଲେ, କାମେରା ଆଣିବି ? ମୁଁ କହିଲି–‘‘ହଁ । ପ୍ରତ୍ନତତ୍ତ୍ୱ ଛଡ଼ା ଆଉ ସବୁ ଜିନିଷ ଆଣିପାରନ୍ତି ।’’ ଅନ୍ୟ ସମସ୍ତ ବନ୍ଧୁ ମଧ୍ୟ ଗୋଟି ଗୋଟି ହୋଇ ସେଠାରେ ପହଞ୍ଚଗଲେ । ତା’ପରେ ଚାଲିଲା ଫଟୋ ଉଠାଇବା, ସମୁଦ୍ରସ୍ନାନ, କୁମାରିକାର ଗାନ୍ଧିମନ୍ଦିର ଦର୍ଶନ ଓ ଅବଶେଷରେ ଚୋଲଟ୍ରିକୁ ପ୍ରତ୍ୟାବର୍ତ୍ତନ ।

 

ଏହିଠାରେ ଆମ୍ଭମାନଙ୍କ କୁମାରିକା ପରିଦର୍ଶନର ପରିସମାପ୍ତି ଘଟିଥାନ୍ତା, କିନ୍ତୁ କୁମାରୀ ଦେବୀଙ୍କ କାହାଣୀ ଶୁଣିବା ପାଇଁ ଆଉଥରେ ତାଙ୍କ ମନ୍ଦିରକୁ ଯିବାକୁ ପଡ଼ିଲା । ମନ୍ଦିରରେ ପହଞ୍ଚିବା ପରେ ଦେବୀଙ୍କ ବେଶଭୂଷା ଦେଖି ବିସ୍ମିତ ହେଲୁ । ଦେବୀଙ୍କ ଦିନବେଳର ବେଶ ଅତି ସାଧାରଣ । ପୂଜକ ବ୍ରାହ୍ମଣ ପୂର୍ବପରି ସରଳ ବ୍ୟବହାର ଦେଖାଇଲେ ଓ ପୂର୍ବ ପ୍ରତିଶ୍ରୁତି ଅନୁସାରେ ସୁଦୂର ଉତ୍ତରରୁ ଆସିଥିବା ଯାତ୍ରୀମାନଙ୍କୁ ଆପ୍ୟାୟିତ କରିବାପାଇଁ ହିନ୍ଦୀ ଭାଷାରେ ଦେବୀଙ୍କ କାହାଣୀ କହିବାକୁ ଆରମ୍ଭ କଲେ । ମାତ୍ର ସେ ଯେଉଁ ହିନ୍ଦୀ କହିଲେ, ତାହା ତାମିଲଠାରୁ ମଧ୍ୟ ଦୁର୍ବୋଧ୍ୟ ହେଲା । ଏଣୁ ଆମ୍ଭମାନଙ୍କ ଅନୁରୋଧକ୍ରମେ ସେ ସମସ୍ତ କାହାଣୀଟି ତାମିଲ ଭାଷାରେ କହିଲେ । ତାମିଲରୁ ଇଂରାଜୀରେ ଅନୁଦିତ ହୋଇ ତାହା ନିମ୍ନୋକ୍ତମତେ ମୋ ପାଖରେ ପହଞ୍ଚିଲା ।

 

ସତ୍ୟଯୁଗରେ ଦେବାସୁର ମଧ୍ୟରେ ଥରେ ଘୋର ଯୁଦ୍ଧ ହୋଇଥିଲା । ଦେବତାମାନେ ଦେଖିଲେ ଯେ, ଅସୁରମାନଙ୍କୁ ସେମାନେ ଯୁଦ୍ଧରେ ଜିଣିପାରିବେ ନାହିଁ । ଦେବତାମାନେ ତ ସବୁଦିନେ ଦୁର୍ବଳ । ଅମୃତ ଟିକିଏ ପିଇଦେଇ ଓ ପାରିଜାତ ମାଳାଟିଏ ବେକରେ ଲମ୍ୱାଇଦେଇ ସବୁବେଳେ ଅପ୍‌ସରାମାନଙ୍କ ସଙ୍ଗରେ ଘୂରି ବୁଲିଲେ, ଦେହରେ ବା ବଳ କାହୁଁ ଆସିବ ? ଅପ୍‌ସରାମାନେ ପୁଣି କେବେ ବୁଢ଼ୀ ହୁଅନ୍ତି ନାହିଁ । ସେ ଯାହା ହେଉ, ସବୁଥରପରି ଏଥର ମଧ୍ୟସେମାନେ ବିଷ୍ଣୁଙ୍କ ଶରଣାପନ୍ନ ହେଲେ । ବିଷ୍ଣୁ ଅସୁରମାନଙ୍କ ସହିତ ଖୁବ୍‌ ଯୁଦ୍ଧ କଲେ, କିନ୍ତୁ ଜିଣିପାରିଲେ ନାହିଁ । ଶେଷରେ ନିଜ ମନରୁ ଅପୂର୍ବ ସୁନ୍ଦରୀ କନ୍ୟାଟିଏ ଜନ୍ମ କଲେ । ସମସ୍ତେ କର୍କଶ ଅସ୍ତ୍ର ପ୍ରୟୋଗ କରି ମଧ୍ୟ ଯେଉଁ ଯୁଦ୍ଧରେ ତିଳେ ସୁଦ୍ଧା ଜୟୀହୋଇ ନ ଥିଲେ, ବର୍ତ୍ତମାନ ସେ ଖାଲି ଏହି ଏକମାତ୍ର ସୁକୁମାର ଅସ୍ତ୍ରକୁ ପ୍ରୟୋଗ କରି ସେଥିରେ କ୍ଷଣକ ମଧ୍ୟରେ ଜୟୀ ହୋଇପାରିଲେ । ମୋହିନୀ କନ୍ୟା ଯେଉଁଆଡ଼କୁ ଚାହିଁଦେଲେ, ସେହିଆଡ଼େ ତାଙ୍କ ଅପାଙ୍ଗ ବାଣରେ ଅସୁରମାନେ ମୋହହୋଇ ଟଳିପଡ଼ିଲେ । ଏହାପରେ ସେମାନଙ୍କ ବେକ କାଟି ପ୍ରାଣ ନେବାପାଇଁ ବିଷ୍ଣୁଙ୍କୁ ଆଉ ବେଶି କଷ୍ଟ କରିବାକୁ ପଡ଼ିନଥିଲା ।

 

ଅସୁରମାନେ ତ ମଲେ, ଆଉ ଦେବତାମାନେ ମଧ୍ୟ ନିଶ୍ଚିନ୍ତହୋଇ ପୁଣି ଅପ୍‌ସରାମାନଙ୍କ ସହିତ ଘୂରିବୁଲିଲେ; କିନ୍ତୁ ଅପୂର୍ବ ସୁନ୍ଦରୀ ମୋହିନୀ କନ୍ୟାଙ୍କ ଦଶା କଅଣ ହେବ-? ତିନିପୁରରେ ତାଙ୍କପାଇଁ ସମକକ୍ଷ ବର କାହିଁ ? କନ୍ୟା ପୁଣି ଜିଦ୍‌ ଧରି ବସିଲେ ଯେ, ଶିବଙ୍କ ଛଡ଼ା ସେ ଆଉ କାହାରିକୁ ବାହା ହେବେ ନାହିଁ । ପରମାସୁନ୍ଦରୀ ପାର୍ବତୀ ଶିବଙ୍କ ପାଇଁ ଅନାହାରରେ ତପସ୍ୟା କରି ଶେଷକୁ ପତ୍ର ଖାଇବା ସୁଦ୍ଧା ଛାଡ଼ିଦେଇ ଅପର୍ଣ୍ଣା ହୋଇ ଯାଇଥିଲେ-। ମୋହିନୀକନ୍ୟା ସେହି ପାର୍ବତୀଙ୍କ ପନ୍ଥା ଧରିଲେ । ଜନ୍ମଦାତା ବିଷ୍ଣୁ ଅଗତ୍ୟା କନ୍ୟାଦାୟରେ ଶିବଙ୍କ ଦ୍ୱାରସ୍ଥ ହେଲେ । ଶିବ ବିବାହ ପାଇଁ ଅରାଜି ହେବାର ପାତ୍ର ନୁହନ୍ତି । କଥାହେଲା ଯେ ଭାରତର ଶେଷଭାଗରେ ମୋହୀନୀକନ୍ୟା ତାଙ୍କୁ ଅପେକ୍ଷା କରିରହିବେ ଓ ସେ ସଦଳବଳରେ ସେଠାରେ ଉପସ୍ଥିତ ହୋଇ ସେହି ରାତ୍ରୀ ମଧ୍ୟରେ ହିଁ ତାଙ୍କୁ ବିବାହ କରିବେ । ଏହି ଅନୁସାରେ ଷଣ୍ଢ ଉପରେ ଚଢ଼ି ଶିବ ବାହାହେବା ପାଇଁ ବାହାରି ପଡ଼ିଲେ । ବରଯାତ୍ରୀ ଦଳ କୁମାରିକାରେ ପହଞ୍ଚିବାକୁ ଆଉ ମାତ୍ର ଛ ମାଇଲ ଅଛି ଏହି ସମୟରେ ଦେବତା ମାନଙ୍କ ଭିତରେ ଭାଳେଣି ପଡ଼ିଲା-। ଦେବତାମାନେ ଦେଖିଲେ ଯେ, ଶିବ ଏକରୁ ଦୁଇ ଓ ଦୁଇରୁ ତିନି ପର୍ଯ୍ୟନ୍ତ ପତ୍ନୀ ଗ୍ରହଣ କରିବାରେ ଯେପରି ବ୍ୟସ୍ତ ହୋଇ ପଡ଼ୁଛନ୍ତି, ସେଥିରେ ଦେବାସୁର ଯୁଦ୍ଧରେ ତାଙ୍କଠାରୁ ସାହାଯ୍ୟ ମିଳିବାର କୌଣସି ସମ୍ଭାବନା ରହୁନାହିଁ । ଏଣୁ ନାରଦଙ୍କ ସାହାଯ୍ୟରେ ଏହି ବିବାହ ବନ୍ଦ କରିବା ପାଇଁ ସେମାନେ ଷଡ଼ଯନ୍ତ୍ର ସୃଷ୍ଟିକଲେ । ନାରଦ ବୀଣାବାଦନ ପୂର୍ବକ ହଠାତ୍‌ ଶିବଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କୁ ବ୍ରହ୍ମଜ୍ଞାନ ଚର୍ଚ୍ଚାରେ ଏପରି ବିମୁଗ୍ଧ କରାଇଦେଲେ ଯେ, ସେଥିରେ କେତେ ସମୟ ଗଲା, ତାହା ମହାଜ୍ଞାନୀ ଶିବଙ୍କୁ ଜଣାପଡ଼ିଲା ନାହିଁ । ଅବଶେଷରେ ରାତି ପାହିଲା, ଆଉ କୁଆ ଡ଼ାକିଲା....କା, କା । ଶିବ ବ୍ୟସ୍ତ ହୋଇ କହି ଉଠିଲେ-ଓହୋ, ଲଗ୍ନ ତ ଚାଲିଗଲା । ନାରଦ ମଧ୍ୟ ତାଙ୍କ କଥାରେ ଯୋଗଦେଇ କହିଲେ....ହଁ, ଲଗ୍ନ ତ ଭାଙ୍ଗିଗଲା ଆଉ ବିବାହ ହେବ କିପରି-? ଶିବ ବିଷର୍ଣ୍ଣ ହୋଇ ସେହିଠାରେ ହିଁ ନିଜ ବାସଗୃହ ନିର୍ମାଣ କରି ସପରିବାରରେ ରହିଲେ । ଯେଉଁଠାରେ ଶିବ ରହିଲେ, ତାହାର ବର୍ତ୍ତମାନ ନାମ ହୋଇଛି ଶୁଚୀନ୍ଦ୍ରମ୍‌ ।

 

ଏଣେ ମୋହିନୀକନ୍ୟା ବିବାହବେଶା ହୋଇ ଶିବଙ୍କୁ ଚାହିଁ ରହିଲେ । ତାଙ୍କୁ ଜଣାଥିଲା ଯେ, ରାତ୍ରିରେ ହିଁ ବିବାହର ଲଗ୍ନ ଅଛି । ଏଣୁ ସେ ସେହିଦିନଠାରୁ ପ୍ରତି ରାତ୍ରିରେ ବିବାହବେଶା ହୋଇ ଶିବଙ୍କୁ ଚାହିଁ ରହନ୍ତି । କେତେ ସହସ୍ର ବର୍ଷ ବିତିଗଲାଣି, କିନ୍ତୁ କୁମାରୀ କନ୍ୟା ପୂର୍ବପରି ଆଜି ସୁଦ୍ଧା ଶିବଙ୍କ ପାଇଁ ପ୍ରତିଦିନ ପ୍ରତୀକ୍ଷା କରନ୍ତି ।

 

ଏହି ରମ୍ୟସ୍ଥଳୀରେ କନ୍ୟାକୁମାରୀଙ୍କ କରୁଣ କାହାଣୀ ଆମ୍ଭମାନଙ୍କ ମନରେ ଘୋର ଆଲୋଡ଼ନ ସୃଷ୍ଟିକଲା । ମନେହେଲା, ଏହି ପାଷାଣୀ ଦେବୀ ସତେ ଅବା ବିଶ୍ୱର ସମସ୍ତ କୁମାରୀଙ୍କ ଆଶା, ବିଶ୍ୱାସ ଓ ସରଳତାର ବିଗ୍ରହ ! ଅଗଣିତ ଦିନରାତ୍ରି ରଥଚକ୍ର ପରି ଘୂରି ଘୂରି ଚାଲିଛି, ଧରଣୀର ଆବର୍ତ୍ତନରେ ଷଡ଼ଋତୁ ପରିବର୍ତ୍ତନର ରେଖା ଆଙ୍କିଦେଇ ଚାଲିଛନ୍ତି, ଜନ୍ମମୃତ୍ୟୁର ଲୁଚକାଳି ଖେଳ ମଧ୍ୟରେ ଜୀବଜଗତର ନବ ସୃଷ୍ଟି ଲାଗିରହିଛି, କିନ୍ତୁ କନ୍ୟାକୁମାରୀଙ୍କ ପାଖକୁ ଶିବ ଆସୁନଥିଲେ ହେଁ କନ୍ୟା ତାଙ୍କ ଆଶିବାର ଆଶାକୁ ଛାଡ଼ି ନାହାନ୍ତି । ଦେବତାମାନଙ୍କ ଷଡ଼ଯନ୍ତ୍ର ସେ ଜାଣିନାହାନ୍ତି କିମ୍ୱା ଜାଣିବାକୁ ଚାହିଁ ନାହାନ୍ତି । ଶିବଙ୍କ ପ୍ରତି ଅବିଶ୍ୱାସର ବିଷ ତାଙ୍କ ମନକୁ କଳୁଷିତ କରୁନାହିଁ କିମ୍ୱା ପୁରୁଷର କଠୋରତା ନିକଟରେ ଆତ୍ମସମର୍ପଣ କରି ସୃଜନଶକ୍ତିର ପରିସମାପ୍ତି ଘଟାଇବା ପାଇଁ ସେ କଳ୍ପନା ସୁଦ୍ଧା କରୁନାହାନ୍ତି । ଏଣୁ ଅନନ୍ତ ପ୍ରତୀକ୍ଷା ହିଁ ଏକମାତ୍ର ଉପାୟ ଓ ଅବଲମ୍ୱନ ହୋଇଛି ।

 

ଦିନ ପରେ ରାତ୍ରି ଆସେ, ଆଉ କୁମାରୀ ବିବାହବେଶା ହୋଇ ଅସୀମ ଆଶାରେ ଚାହିଁ ରହନ୍ତି, ମାତ୍ର ଶିବ ଆସନ୍ତି ନାହିଁ । ରାତ୍ରିର ଶେଷଯାମରେ ଖଳ ବାୟସ କର୍କଶ ସ୍ୱରରେ ଡ଼ାକିଉଠେ-। କା, କା, କା, ସଙ୍ଗେ ସଙ୍ଗେ କୁମାରୀ ମନ୍ଦିରରେ କର୍ଣ୍ଣାଟ ମହୁରୀ କାନ୍ଦିଉଠେ, ମହୋଦଧିର ଚଞ୍ଚଳ ଲହରୀ ମନ୍ଦିର ପାବଛରେ ମୁଣ୍ଡ କୋଡ଼ିଦେଇ ଚାଲିଯାଏ, କୁମାରୀବକ୍ଷର ଶୀର୍ଣ୍ଣ ସୁମନମାଳା ଖସିପଡ଼େ, ଲୋତକଧାରରେ କଜ୍ଜଳରେଖା ଧୌତ ହୁଏ ଓ ଚୀନାଂଶୁକ ସିକ୍ତ ହୁଏ-। ପୂଜକ ହାତଯୋଡ଼ି କହେ-ସୁଭଗା ମା କୁମାରି, ଲଗ୍ନ ବ୍ୟତିକ୍ରାନ୍ତ ହେଲା, ଶିବ ଆଉ ଆସିବେ ନାହିଁ-। ତା’ ପରେ ସଙ୍ଗେ ସଙ୍ଗେ ବେଶର ପରିବର୍ତ୍ତନ ଘଟେ । ଏହି ନିତ୍ୟଲୀଳା ଏଠାରେ ଲାଗି ରହିଛି ।

 

ମାତ୍ର କୁମାରୀଙ୍କ ପ୍ରତୀକ୍ଷା ଆମ୍ଭମାନଙ୍କୁ ଅନନ୍ତ ବୋଲି ପ୍ରତୀତ ହେଉଥିଲେ ହେଁ, ପ୍ରକୃତରେ ତାହା ଅନନ୍ତ ନୁହେଁ । ଅନନ୍ତର ଅର୍ଥ ସବୁକ୍ଷେତ୍ରରେ ସମାନ ନୁହେଁ । ଜଣକ ପକ୍ଷରେ ଯାହା ଅନନ୍ତ, ଅନ୍ୟପକ୍ଷରେ ମଧ୍ୟ ତାହା ଯେ ଅନନ୍ତ ହେବ, ଏପରି ଭାବିବାର କାରଣ ନାହିଁ । ସାମନ୍ତରାଳ ରେଖା ମିଳେ ନାହିଁ ବୋଲି କହିଲେ ମନୁଷ୍ୟର ବୁଦ୍ଧି ଓ ଦୃଷ୍ଟିଶକ୍ତିର ସସୀମତା ସ୍ୱୀକାର କରିବାକୁ ପଡ଼େ । ଚକ୍ରବାଳ ସମଦୂରରେ ଘୁଞ୍ଚି ଘୁଞ୍ଚି ଗଲେ ମଧ୍ୟ ତା’ର ଅନ୍ତ ନାହିଁ ବୋଲି ଭାବନା ନିରର୍ଥକ । ହାବେଳିରେ ଅଗ୍ନିକଣା, ରୁଷ୍‌ ବୈଜ୍ଞାନିକର ସ୍ଫୁଟନିକ୍‌ ଓ ବିଶ୍ୱ ଜଗତର ସୂର୍ଯ୍ୟ ଚନ୍ଦ୍ର-ଗ୍ରହ ତାରା ଇତ୍ୟାଦିର ସୃଷ୍ଟି, ବିକାଶ ଓ ବିଲୟ ଏକ ନିୟମ ଦ୍ୱାରା ପରିଚାଳିତ । ମାତ୍ର କାଳର ବିଭେଦ ହେତୁ ଓ ମନୁଷ୍ୟବୁଦ୍ଧିର ସସୀମତା ହେତୁ ଏଥିମଧ୍ୟରୁ କେହି ଶାନ୍ତ ଓ କେହି ଅନନ୍ତ ରୂପେ ପ୍ରତିଭାତ ହୁଅନ୍ତି । ମହାକାଳ ଶିବ ଆଦ୍ୟାଶକ୍ତି କୁମାରୀ ସହିତ ମିଳିତ ନ ହେଲେ ସୃଷ୍ଟିର ଧ୍ୱଂସ ଅନିବାର୍ଯ୍ୟ ହୋଇ ପଡ଼ିବ । ଏଣୁ ସେମାନଙ୍କ ମିଳନ ଅବଶ୍ୟମ୍ଭାବୀ ।

 

କୁମାରୀଙ୍କ କାହାଣୀ ଶୁଣିବା ପରେ ଏହିପରି କେତେ କଥା ମୁଣ୍ଡ ଭିତରେ ଖେଳିବୁଲିଲା-। ଏହି ରମ୍ୟସ୍ଥଳୀଟିକୁ ଛାଡ଼ିଯିବା ପାଇଁ ମନ ବଳୁ ନଥାଏ ; ମାତ୍ର ଅବଶେଷରେ ଛାଡ଼ିବାର ବେଳ ଆସି ପହଞ୍ଚିଗଲା । ସବୁ ବନ୍ଧୁ ପୁଣି ସେହି ଷ୍ଟେସନ ୱାଗନ୍‍ ଭିତରେ ବୋଝେଇ ହୋଇ ତ୍ରିଭେନ୍ଦ୍ରମ୍‌ ଆଡ଼କୁ ଗତିକଲୁ । ବାଟରେ ଯାଉଁ ଯାଉଁ କୁମାରିକାଠାରୁ ମାତ୍ର ଛ ମାଇଲ ଦୂରରେ ଶୁଚୀନ୍ଦ୍ରମ୍‌ ପଡ଼ିଲା । ସବୁ ବନ୍ଧୁ ଦେବତା ଦର୍ଶନ କରି ଫୁଲପ୍ରସାଦ ଘେନି ଫେରିଲେ, ମୁଁ କିନ୍ତୁ ଗଲି ନାହିଁ । ଏପରି ଦାୟିତ୍ୱହୀନ ଦେବତାର ମୁହଁ ଚାହିଁବାକୁ ଇଚ୍ଛା ହେଲା ନାହିଁ । ଖାଲି ମନ୍ଦିରଟି ଦେଖି ଚାଲିଆସିଲି ।

 

ବିଚିତ୍ର ପ୍ରାକୃତିକ ଶୋଭା ମୋଟରଟି ଦ୍ରୁତଗତିରେ ଚାଲିଥାଏ; ତଥାପି ତା’ର ଗତି ଅତି ଶିଥିଳ ବୋଲି ମନେ ହେଉଥାଏ । ଯେପରି କି ତାହା ପ୍ରାଗ୍‌-ଐତିହାସିକ ଯୁଗର ଗୋଟିଏ ସ୍ଥବିର ଯାନ । ଖାଲି ଗତାନୁଗତିକ ପନ୍ଥାରେ ହିଁ ଗତି କରି ଚାଲିଛି ! ଆକାଶର ଅନନ୍ତ ନୀଳିମା, ମହୋଦଧିର ଇନ୍ଦ୍ରନୀଳ ବକ୍ଷ, ତାଳୀ ବନର ଅସରନ୍ତି ବିସ୍ତାର ଓ ଦୂର ପର୍ବତର ରହସ୍ୟମୟ ପ୍ରକାର–ଏଥି ମଧ୍ୟରୁ କୌଣସିଟିରେ ସୁଦ୍ଧା ତା’ର ପ୍ରବେଶର ଅଧିକାର ନାହିଁ । ବହୁଦିନ ପରେ ଜୀବନକୁ ଉପଭୋଗ କରିବା ପାଇଁ ଆଜି ମୁଁ ଗୋଟିଏ ମାତ୍ର ଦିନ ପାଇଛି । ଦାସତ୍ୱର ନିଗଡ଼, ଦାରିଦ୍ର୍ୟର ଭୀତି, ସ୍ୱାର୍ଥର କାକୁତି, ଈର୍ଷାର ବିଷ, ଅହମିକାର ଅନ୍ଧକାର, ପାଣ୍ଡିତ୍ୟର ପ୍ରବଞ୍ଚନା ଇତ୍ୟାଦିକୁ କେବଳ ଆଜି ମୁଁ ଭୁଲିପାରିଛି ଭୂ-ଭାରତର ବହୁସ୍ଥାନରେ ଭ୍ରମି ଭ୍ରମି ଆସିଛି, କିନ୍ତୁ ଶର୍କରାବାହୀ ବଳିବର୍ଦ୍ଦ ପରି କାହାରି ମଧୁରତା ଉପଭୋଗ କରିନାହିଁ । ଆଜି ମନର ଗତି ସହିତ ଯାନର ଗତି ଯଦି ତାଳରଖି ଚାଲିପାରନ୍ତା, ତେବେ ପ୍ରକୃତିର ମଧୁରତା ଆକଣ୍ଠ ଉପଭୋଗ କରନ୍ତି-। କିନ୍ତୁ ମୋଟର ତା’ର ଚିରାଚରିତ ରୀତିରେ ଗତି କରି ଚାଲିଥାଏ, ଆଉ ତା’ ଭିତରୁ ମଧ୍ୟେ ମଧ୍ୟେ ଦକ୍ଷିଣୀ ବନ୍ଧୁମାନଙ୍କ କଣ୍ଠରୁ ‘ମଧୁରାଧିପତେରଖିଲଂ ମଧୁରଂ’ ଶୁଣାଯାଉଥାଏ ।

 

ଯେଉଁ ଅଞ୍ଚଳରେ ଆମ୍ଭେମାନେ ଗତିକରି ଯାଉଥିଲୁ, ତାହାହିଁ ପ୍ରାଚୀନକାଳର ପାଣ୍ଡ୍ୟ ଓ ଚେର ଦେଶର ମିଳନସ୍ଥଳ । ଏହି ଅଞ୍ଚଳର ପ୍ରାକୃତିକ ଶୋଭାରେ ବିମୁଗ୍ଧ ହୋଇ କେତେ କବି ଅମର କବିତା ଲେଖିଯାଇଛନ୍ତି । ପ୍ରକୃତିର ସେହି ଶୋଭା ଓ ସେହି ସାମଗ୍ରୀ ଯେ ଆଜି ନାହିଁ, ଏପରି ନୁହେଁ, କିନ୍ତୁ ଦେଖିବା ପାଇଁ ମୋର ଆଖି ନାହିଁ । ରତ୍ନପୂର୍ଣ୍ଣ ଅବର୍ଣ୍ଣ ଏହାରି ନିକଟରେ ରହିଛି, ତମାଳ, ତାଳ ଓ ନାରିକେଳ ବନ ପୂର୍ବପରି ରହିଛି, ଏହି ଅଞ୍ଚଳରେ ଓ ମହୀଶୂରରେ ପ୍ରଚୁର ଚନ୍ଦନବୃକ୍ଷ ଉତ୍ପନ୍ନ ହେଉଛି, ଏକାଲତା ସୁଲଭ ନ ହେଲେ ହେଁ ଆଜି ମଧ୍ୟ କେରଳର ଘରେ ଘରେ ପାନଲତା ଓ ଗୋଲମରିଚ ଲତା ପୂରା ତରୁକୁ ଆଲିଙ୍ଗନ କରି ରହିଛି, ଆଉ ଆଜିସୁଦ୍ଧା ସମଗ୍ର ଅଞ୍ଚଳଟି ମଳୟର ଲୀଳାସ୍ଥଳୀରେ ପରିଣତ ହୋଇ ରହିଛି ।

 

ଠିକ୍‌ ଏତିକିବେଳେ ଭାବନାସ୍ରୋତରେ ବାଧା ଦେଇ ପଦ୍ମନାଭପୁରର ପ୍ରାଚୀନ ରାଜପ୍ରାସାଦ ନିକଟରେ ମୋଟର କାରଟି ଓଡ଼ିଆ ପୂର୍ଣ୍ଣଚ୍ଚ୍ଥେଦ ପରି ଛିଡ଼ାହୋଇଗଲା । ଏହି ପଦ୍ମନାଭପୁର ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ତ୍ରିବାଙ୍କୁଡ଼ ରାଜାଙ୍କ ରାଜଧାନୀ ଥିଲା । ଏହିଠାରେ ଜଣେ ଉଗ୍ରତପା ବ୍ୟକ୍ତି ଆଜୀବନ ପାଷାଣ ମୂର୍ତ୍ତି ସଂଗ୍ରହ କରି ସେଗୁଡ଼ିକ ଜୀର୍ଣ୍ଣ ରାଜପ୍ରସାଦ ଭିତରେ ରଖିଛନ୍ତି, ଆଉ ବର୍ତ୍ତମାନ ତାଙ୍କ ଜୀବନ ସନ୍ଧ୍ୟାରେ ସେ ଚାହାନ୍ତି ଯେ, ସେଗୁଡ଼ିକ ଯେପରି ଯଥୋଚିତ ଭାବରେ ସଜ୍ଜିତ ହୋଇ ରହିବେ । ଏହିଠାରେ ଆମ୍ଭମାନଙ୍କ ସରକାରୀ କାମ ଥିଲା । ଏଣୁ ସେଦିନ ପ୍ରତ୍ନତତ୍ତ୍ୱର ମୁହଁ ଚାହିଁବି ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ମଧ୍ୟ, ଏଠାରେ ପହଞ୍ଚିବା ପରେ ପ୍ରତ୍ନତତ୍ତ୍ୱ ଓ ଫାଇଲ୍‌ ଉଭୟ ଆସି ପହଞ୍ଚିଗଲେ ।

Image

 

ମଣିଷ ଓ ମନ

(ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ)

 

ଦର୍ପଣରେ ନିଜ ରୂପକୁ ମୁଗ୍ଧ ହୋଇ କିଏ ନ ଦେଖିଛି ? ସେଇ ଏକା ଚେହେରା, କିନ୍ତୁ ବେଳେ ବେଳେ ତାକୁ ଦେଖି ଆନନ୍ଦରେ ଉତ୍‌ଫୁଲ୍ଲ ହୋଇଉଠୁ, ଯେତେ ଅସୁନ୍ଦର ହେଲେ ବି ତା’ ଦେହରେ ଛପି ରହିଥିବା ସୌନ୍ଦର୍ଯ୍ୟକୁ ଉପଲବ୍ଧି କରୁ । ଆଉ କେତେବେଳେ ସେହି ପ୍ରତିଚ୍ଛବିକୁ ଦେଖି ଆତ୍ମଗ୍ଳାନି ଓ ବିଷାଦରେ ମନ ଭରିଉଠେ । ସେମିତି ନିଜର ଚେହେରା ଚିରକାଳ ଲାଗି କୌତୂହଳପ୍ରଦ, ଅଶେଷ ଆଶ୍ଚର୍ଯ୍ୟର ଭଣ୍ଡାର । ଏହି ଆାତ୍ମାକର୍ମୀ ପ୍ରେମ ମଣିଷର ମନ ପାଇଁ ମଧ୍ୟ ଦେଖାଯାଏ । ଯୁଗ ଯୁଗ ଧରି ମଣିଷ ନିଜର ମନ ବିଷୟରେ ବହୁତ ଭାବିଛି । କି ସାଧାରଣ ଲୋକ କି ଦାର୍ଶନିକ, ସମସ୍ତେ ମନ ବିଷୟରେ ଚିନ୍ତା କରିଛନ୍ତି । ମନ କେତେ ପୁରୁଣା, ଅଥଚ ମନ ବିଷୟରେ ନୂଆ ନୂଆ ଚିନ୍ତାଧାରା ସବୁ ଯୁଗରେ, ସବୁ ଦେଶରେ ଦେଖାଯାଇଛି । ଆଦିମ ଯୁଗର ମଣିଷ ଭାବୁଥିଲା ତା’ ମନ ଦେହଠାରୁ ଅଲଗା । ସେ ଶୋଇପଡ଼ିଲେ ମନ ଦେହକୁ ଛାଡ଼ି ବିଭିନ୍ନ ଦେଶ ବୁଲିଆସେ, ବିଚିତ୍ର ଜୀବଜନ୍ତୁ, ଗିରି, ପର୍ବତ, ନଦୀ, ପ୍ରାନ୍ତର ଦେଖେ, ବର୍ଣ୍ଣନାତୀତ ଅନୁଭୂତି ଲାଭକରେ । ତେଣୁ ଶୋଇଥିବା ମଣିଷ ସ୍ୱପ୍ନ ଦେଖେ । ପୁରାତନ ହିନ୍ଦୁଦର୍ଶନ ଅନୁସାରେ ମନ ବା ଆତ୍ମା ଅମର, ତେଣୁ ଏହା ଏକ ଘଟ ଛାଡ଼ି ଅନ୍ୟ ଘଟରେ ପ୍ରବେଶ କରିପାରେ । ଶଙ୍କରାଚାର୍ଯ୍ୟ କିପରି ରାଜାଙ୍କ ଘଟରେ ଆବିର୍ଭୂତ ହୋଇ ରାଜସମ୍ଭୋଗର ଅନୁଭୂତ ପାଇଲେ, ସେ ଆଖ୍ୟାୟିକା ଏହାର ଉଦାହରଣ । ଡେକାର୍ଟେ ବୋଲି ଜଣେ ପାଶ୍ଚାତ୍ୟ ଦାର୍ଶନିକ ଭାବୁଥିଲେ ଯେ, ମନ ଓ ଦେହ ଦୁଇଟି ବିଭିନ୍ନ ସତ୍ତା ଓ ପଶୁପକ୍ଷୀଙ୍କର କେବଳ ଦେହ ଅଛି, ମନ ନାହିଁ । ତେଣୁ ଗୋଟାଏ କୁକୁରକୁ ଖୁବ୍‌ ପିଟିଲେ ବି ତାକୁ କଷ୍ଟ ହେବନି, କାରଣ ତା’ର ମନ ନାହିଁ, କଷ୍ଟ ଅନୁଭବ କରିବ କିଏ ? କୁକୁରର ଆର୍ତ୍ତନାଦ ଯନ୍ତ୍ରରୁ ବାହାରୁଥିବା ଶବ୍ଦପରି ନିର୍ଜୀବ ଓ ଅନୁଭୂତିହୀନ । ଲାଇବ୍‌ନିଜ ବୋଲି ଆଉ ଜଣେ ଦାର୍ଶନିକ ଭାବୁଥିଲେ ଯେ; ମନ ଓ ଦେହ ଦୁଇଟି ମୁହଁ ଥିବା ଗୋଟିଏ ଘଣ୍ଟା ଭଳି । ଘଣ୍ଟାର ଏ ପଟେ ଯାହା ସମୟ ହୋଇଛି, ସେ ପଟେ ସେହି ସମୟ ହୋଇଥିବ; ଅଥଚ ଏହି ଦି’ପଟ ପରସ୍ପରକୁ ପ୍ରଭାବିତ କରୁ ନ ଥିବେ; ଅର୍ଥାତ୍‌ କୁକୁରକୁ ବାଡ଼େଇଲେ ତାକୁ କଷ୍ଟ ହୁଏ; କିନ୍ତୁ ବାଡ଼େଇବାଟା କଷ୍ଟ ଜନ୍ମାଏ ନାହିଁ । ବାଡ଼େଇବା ଓ କଷ୍ଟ ହେବା ଦୁଇଟାଯାକ ଏକା ସମୟରେ ହୁଏ, କେହି କାହାଯୋଗୁ ହୁଏ ନାହିଁ । ଘଣ୍ଟାର ଦୁଇ ମୁହଁରେ ଘଣ୍ଟାକଣ୍ଟା ଓ ମିନିଟ୍‌ କଣ୍ଟା ଏମିତି ମିଳେଇ ରଖାହୋଇଛି ଯେ, ଏଥିରେ ଯାହା ବାଜିବ ଆରଟିରେ ସେଇଆ ବାଜିବ । ସେମିତି ଭଗବାନ ଦେହ, ମନର ଚାବି ଏପରି ମୋଡ଼ିଛନ୍ତି ଯେ, ଦେହ ଓ ମନର ଘଟଣାରେ ସାମଞ୍ଜସ୍ୟ ରହିଛି । ଆମେ ସାଧାରଣ ଲୋକେ ଏତେ ଦାର୍ଶନିକ ଚିନ୍ତା କରିପାରିବା ନାହିଁ । ଅଥଚ ଆମେ ଜାଣୁ ଯେ ଦେହ ଓ ମନ ଅଲଗା ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗ ଅଛି । ମନର ଯେ ଦେହ ସଙ୍ଗେ ସମ୍ୱନ୍ଧ ଅଛି, ଏଇଟା ଅତି ଜଣାଶୁଣା କଥା । ଦେହ ଅସୁସ୍ଥ ହେଲେ ମନ ଭଲ ଲାଗେନି, ମନ ଖରାପ ଥିଲେ ଦେହ ଭଲ ଲାଗେନି । ଏକଥା ଯେଉଁମାନେ ପାଠଶାଠ ପଢ଼ିନାହାନ୍ତି, ଦର୍ଶନଶାସ୍ତ୍ର ଆଲୋଚନା କରିନାହାନ୍ତି, ସେମାନେ ବି ଜାଣନ୍ତି ।

 

ଯଦିଓ ଆମେ ସମସ୍ତେ ମନ କ’ଣ ଜାଣୁ, ତେବେ ବି ମନ କ’ଣ ବୋଲି ପଚାରିଲେ ସାଧାରଣ ଲୋକ ଠିକ୍‌ କରି କହିପାରିବେନି । ମନରେ କ’ଣ ଦେହଭଳି ଶିରାପ୍ରଶିରା ଅଛି ? ନା । ମନ କ’ଣ ମସ୍ତିଷ୍କ ? ନା । ଅଥଚ ମସ୍ତିଷ୍କରେ ଆଘାତ ଲାଗିଲେ ମନର ଅସୁସ୍ଥତା ଦେଖାଯାଏ । ଏପରି କି ପାଗଳାମିକୁ ଆମେ ମସ୍ତିଷ୍କ ବିକୃତି ବୋଲି କହୁ । ମନର ଯଦି ନିଜ ଦେହ ନାହିଁ, ତେବେ ଦେହର କେଉଁଠି ଥାଏ । ଏହା କ’ଣ ଭୂତ ପ୍ରେତଭଳି ଅଶରୀରୀ ? ଏକଥା ସେକଥା ନଭାବି ଦେଖାଯାଉ କେଉଁ କାମଗୁଡ଼ାକୁ ମାନସିକ କୁହାଯାଇ ପାରିବ । ମୁଣ୍ଡ ବଥାଇଲେ କଷ୍ଟ ହୁଏ ବା ଗୋଡ଼ହାତ ଖଣ୍ଡିଆ ହେଲେ ବଡ଼ କାଟେ-କଷ୍ଟ ହେବାଟା ମାନସିକ । ସେମିତି ଦୁଇବର୍ଷ ପରେ ଜଣେ ଚିହ୍ନାଲୋକକୁ ଦେଖିଲେ ଆମେ ଦୋଦୋଚିହ୍ନା ହେଉ, ତା’ପରେ ଠିକ୍‌ ମନେପଡ଼େ, କେଉଁଠି ତାକୁ ଦେଖିଥିଲୁ ବୋଲି । କିମ୍ୱା ବହୁଦିନ ପରେ ଆଉ ଥରେ ଗୋଟିଏ ସ୍ଥାନକୁ ଗଲେ ଆସ୍ତେ ଆସ୍ତେ ସେ ଜାଗାର ବାଟଘାଟ ସବୁ ମନେପଡ଼େ । ମନେପଡ଼ିବା ଓ ଚିହ୍ନିବା ନିଶ୍ଚୟ ମାନସିକ । ଭାବିବା ଓ ବିଚାର କରିବା ମଧ୍ୟ ମାନସିକ । ତେଣୁ ସୁଖଦୁଃଖ ଓ ଅନୁରାଗ ବିରାଗ ଅନୁଭବ କରିବା, ଚିନ୍ତା ଓ ସ୍ମରଣ କରିବା କିମ୍ୱା ବିଚାରବୁଦ୍ଧି ପ୍ରୟୋଗ କରି ନିର୍ଦ୍ଦିଷ୍ଟ କର୍ମପନ୍ଥା ଅବଲମ୍ୱନ କରିବାକୁ ମାନସିକ କାର୍ଯ୍ୟକଳାପ ବୋଲି କୁହାଯାଇପାରେ । ମାନସିକ ବ୍ୟାଧି ହେତୁ ଏହି କାର୍ଯ୍ୟକଳାପରେ ଅସ୍ୱାଭାବିକତାର ଚିହ୍ନ ଦେଖାଯାଏ । ସ୍ମରଣଶକ୍ତି କମିଯାଇପାରେ, ଭାବନା ଓ ଚିନ୍ତା ନିହାତି କପୋଳକଳ୍ପିତ ଜଣାଯାଇପାରେ, ସୁଖଦୁଃଖ ବା ଅନ୍ୟପ୍ରକାର ଆବେଗ ଅନୁଭବ କରିବାରେ ଗୋଳମାଳ ଦେଖାଦେଇପାରେ ।

 

ତା’ ଅର୍ଥ କ’ଣ ମାନସିକ ବ୍ୟାଧିରେ କୌଣସି ପ୍ରକାର ଶାରୀରିକ ଗୋଳମାଳ ନଥାଏ । ହଁ, ନିଶ୍ଚୟ ଥାଏ । କାରଣ ମନ ଦେହ ଉପରେହିଁ ନିର୍ଭର କରେ । ମନ ଓ ଦେହ ଭିତରେ ସମ୍ୱନ୍ଧ ଏଇଠି ଆଉଟିକେ ଆଲୋଚନା କରିବା ଦରକାର । ମଣିଷର ଦେହ ନଷ୍ଟହୋଇଗଲେ ମନର ଅସ୍ତିତ୍ୱ ଲୋପ ପାଏ । ମଣିଷ ମରିଗଲେ ଆଉ ଭାବିଚିନ୍ତି ପାରେନାହିଁ ବା ଦୁଃଖକଷ୍ଟ ଅନୁଭବ କରିପାରେ ନାହିଁ । କିନ୍ତୁ ଦେହର କେଉଁ ଅଂଶଟି ମନର କାର୍ଯ୍ୟକଳାପ ପାଇଁ ଦରକାର ? ଗୋଡ଼ହାତ ବା ଅନ୍ୟାନ୍ୟ ଅବୟବ ଏତେ ବେଶି ଦରକାର ନୁହଁନ୍ତି, କାରଣ ଲୋକଙ୍କର ଗୋଡ଼ହାତ କଟି ଯାଇଥିବା ସତ୍ତ୍ୱେ ବି ସେମାନଙ୍କର ମାନସିକ କାର୍ଯ୍ୟକଳାପ ଠିକ୍‌ ଚାଲିଛି । ଅବଶ୍ୟ ଗୋଡ଼ହାତ କଟିଯିବାରୁ କେତେ ଲୋକଙ୍କ ମନରେ ଏତେ ଆଘାତ ଲାଗେ ଯେ, ସେମାନେ କିଛି ସମୟ ପାଇଁ ଅତ୍ୟନ୍ତ ଚିନ୍ତିତ ଅବସ୍ଥାରେ ରହି ମାନସିକ ଅସ୍ୱାଭାବିକତା ଦେଖାନ୍ତି । ମନପାଇଁ ସବୁଠାରୁ ଦରକାରୀ ଦୈହିକ ଅଂଶ ହେଲା ମସ୍ତିଷ୍କ । ଯଦି ଔଷଧ ଦେଇ ପୁରା ମସ୍ତିଷ୍କକୁ ଅନୁଭୂତିହୀନ କରାଯାଇପାରେ, ତେବେ ଆମର ସବୁ ମାନସିକ କାର୍ଯ୍ୟକଳାପ ଲୋପ ପାଇଯିବ । ମସ୍ତିଷ୍କର ପଶ୍ଚାତ୍‍-ଭାଗକୁ ଯଦି ଅନୁଭୂତିହୀନ କରିଦିଆଯାଏ, ତେବେ ଆଖି ଦୂଇଟି ପୂର୍ବବତ୍‌ ଅକ୍ଷୂର୍ଣ୍ଣ ଥିଲେ ମଧ୍ୟ ଦୃଷ୍ଟିଶକ୍ତି ହରାଇ ବସିବୁ । ପୁଣି ମସ୍ତିଷ୍କର ପଶ୍ଚାତ୍‍-ଭାଗର ଗୋଟିଏ ଅଂଶକୁ ଯଦି ଅନୁଭୂତିହୀନ କରିଦିଆଯାଏ, ତେବେ ଆମେ ଦେଖିପାରୁଥିବୁ କିନ୍ତୁ ଚିହ୍ନିପାରୁ ନଥିବୁ । ସେହିପରି ମସ୍ତିଷ୍କର ଯେଉଁ ଅଂଶ ଉପରେ ଶ୍ରବଣଶକ୍ତି ନିର୍ଭର କରେ, ତାହାର ଗୋଟିଏ ଅଂଶରେ ଯଦି ଏକପ୍ରକାର ଔଷଧ ଲଗାଇ ଦିଆଯାଏ, ତେବେ ଜଣେ ଶୁଣିପାରିବ । କିନ୍ତୁ କ’ଣ କୁହାଯାଉଛି, ତାହା ବୁଝିପାରିବ ନାହିଁ । ମସ୍ତିଷ୍କର ସାମ୍ନା ଅଂଶଟିକୁ ନଷ୍ଟ କରିଦେଲେ ଭାବନା ଓ ବିଚାର ଶକ୍ତି ଲୋପ ପାଇଯାଏ । ମଟରଗାଡ଼ି ଦୁର୍ଘଟଣାରେ ଗୋଟିଏ ଲୋକର କପାଳରେ ଆଘାତ ଲାଗି ମସ୍ତିଷ୍କର କିଛି ଅଂଶ ନଷ୍ଟ ହୋଇଯାଇଥିଲା । ଡ଼ାକ୍ତରଖାନାରେ ରହି ତାହାର ମୁଣ୍ଡ-ଘା ଶୁଖିଗଲା, କିନ୍ତୁ ସେ ଆଉ ଘରକୁ ଫେରିଲାନି । ମାନସିକ ଚିକିତ୍ସାଳୟରେ ତାକୁ ସାରାଜୀବନ ରହିବାକୁ ହେଲା । କାରଣ ତା’ର ଭାବିଚିନ୍ତି କାମ କରିବା ଶକ୍ତି ନଷ୍ଟ ହୋଇଗଲା, କଥାବାର୍ତ୍ତା ଅସଙ୍ଗତ ଓ ପିଲାଳିଆ ବୋଧହେଲା ଓ ସେ କିଛି ବୁଝିପାରିଲା ନାହିଁ । ତା’ର ଅବସ୍ଥା ଏପରି ହେଲା ଯେ, ତାକୁ ବାହାରକୁ ଛାଡ଼ିଦେଲେ ନିଜେ ରୋଜଗାର କରି ଚଳିପାରିବା ତା’ ପକ୍ଷରେ ସମ୍ଭବ ହେଲାନାହିଁ । ହୁଏତ ରାସ୍ତାଘାଟ ଚିହ୍ନିପାରିବା ଶକ୍ତି ସେ ହରାଇଲା । ତେଣୁ ପଦାକୁ ଛାଡ଼ିଦେଲେ ସେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ୱା ଗୁରୁତର ଆଘାତ ପାଇଥାନ୍ତା ।

 

ତେଣୁ ଏଠାରେ ସ୍ୱତଃ ପ୍ରଶ୍ନ ଉଠେ-ମନ କ’ଣ ? ମୋଟାମୋଟି କହିବାକୁ ଗଲେ ଜଣାପଡ଼ୁଛି ଯେ, ମନ ଯେମିତି ଦେହ ଓ ବିଶେଷକରି ମସ୍ତିଷ୍କର ସାଧାରଣ ଶକ୍ତି । ମଣିଷକୁ ମଟରଗାଡ଼ି ସହିତ ତୁଳନା କଲେ ମଟରଗାଡ଼ିର ଅଂଶଗୁଡ଼ିକ ହେଲା ଦେହ ଓ ମଟରଗାଡ଼ିର ଚାଲିବାଶକ୍ତି ହେଲା ମନ । ଯେପରି ଇଞ୍ଜିନ୍‌ ଉପରେ ସଟରଗାଡ଼ିର ଚାଲିବା ନିର୍ଭର କରେ, ସେହିପରି ମସ୍ତିଷ୍କ ଉପରେ ବିଶେଷ କରି ମାନସିକ ପ୍ରକ୍ରିୟା ନିର୍ଭର କରେ । ମଟରଗାଡ଼ି ଠିକ୍‌ଭାବରେ ଚାଲିବା ପାଇଁ ଯେମିତି ଇଞ୍ଜିନ୍‌ ଓ ବଡ଼ ଭଲଥିବା ଦରକାର ଓ ରାସ୍ତାଘାଟର ବି ସୁବିଧାହେବା ଦରକାର, ସେମିତି ମଣିଷର ମନ ସ୍ୱାଭାବିକଭାବରେ କାର୍ଯ୍ୟ କରିବାପାଇଁ ଦେହ ସୁସ୍ଥ ଓ ପାରିପାର୍ଶ୍ୱିକ ଅବସ୍ଥା ଅନୁକୂଳ ହେବା ଆବଶ୍ୟକ । କିନ୍ତୁ ମଟରଗାଡ଼ିର ଯେ ଡ଼ାଇଭର ଥାଏ, ସେ ନ ଚଳାଇଲେ ଗାଡ଼ି ଚାଲେନାହିଁ । ମଣିଷର କିନ୍ତୁ ସେପରି କେହି ନାହିଁ । ଏଇଠି ଆମ ତୁଳନାତ୍ମକ ବିଚାର ଆଉ ଆଗେଇପାରିବ ନାହିଁ ।

 

ମଣିଷ ମନ ମାହିଁକି କାମ କରେ-ଖୁବ୍‌ ସାଧାରଣ ସ୍ତରରୁ ଏହାର ବିଚାର କରାଯାଉ । ଆମକୁ ଭୋକ ଓ ଶୋଷ କାହିଁକି କରେ । ଦେହରୁ ଖାଦ୍ୟ ଓ ପାନୀୟ ସରିଯିବାରୁ । ତା’ ଅର୍ଥ, ଯେତେବେଳେ ଦେହରୁ ଖାଦ୍ୟପାଣି ସରିଯାଏ, ସେତେବେଳେ ମନକୁ ମନ ଭୋକଶୋଷ କରେ । ସେହିପରି ମଣିଷର ଅନେକ କାର୍ଯ୍ୟପାଇଁ ଦେହରୁ ଇଙ୍ଗିତ ଆସେ; ଯଥା ମଣିଷକୁ ନିଦଲାଗେ, ଶରୀରକୁ କଷ୍ଟ ଦେଉଥିବା ଜିନିଷଠାରୁ ମଣିଷ ଦୂରେଇ ରହେ, ନିଜ ଶରୀରକୁ ଆରାମ ଦେବାପାଇଁ ସେ ଘରଦ୍ୱାର ତିଆରି କରେ ଏବଂ ଏପରି କି ବାହାସାହା ହୋଇ ପିଲାକୁଟୁମ୍ୱ ଗଢ଼ି ସାରାଜୀବନପାଇଁ ସୁଖର ମୂଳଦୁଆ ଦେଉଛି ବୋଲି ଭାବେ । କିନ୍ତୁ ଦୈହିକ ଇଙ୍ଗିତରୁ ସବୁ ଭାବନା, ଚିନ୍ତା ବା କାମର ଉତ୍ପତ୍ତି ବୋଲି କହି ହେବନାହିଁ । ମଣିଷ ବେଳେବେଳେ ଇଆଡ଼ୁ ସିଆଡ଼ୁ ଅକାରଣ ଭାବେ ପ୍ରାୟ ସବୁବେଳେ କିଛି ନା କିଛି ଭାବୁଥାଏ, ଶୋଇଲାବେଳେ ବି ଭାବନା ସବୁ ସ୍ୱପ୍ନରେ ଦେଖାଦିଏ; ତେବେ ମଣିଷର ଏ ଅବିଛିନ୍ନ ମାନସିକ କାର୍ଯ୍ୟକଳାପର କାରଣ କ’ଣ ? ମଟରଗାଡ଼ିଟିକୁ ତ ନ ଚଳାଇଲେ ସେ ଚାଲେନାହିଁ, କିନ୍ତୁ ମଣିଷକୁ ଏପରି ଅନବରତ କିଏ ଚଳାଉଛି ! ଆଜିକାଲି ଗବେଷଣାରୁ ଜଣାପଡ଼ୁଛି ଯେ, ସ୍ୱଭାବତଃ ମଣିଷ କାର୍ଯ୍ୟରତ । ମଟରଗାଡ଼ି ଭଳି ତା’ର ସ୍ୱାଭାବିକ ଅବସ୍ଥା ନିଶ୍ଚଳ ନୁହେଁ, ସଚଳ, ଅର୍ଥାତ୍‌ ମଟରଗାଡ଼ିକୁ ଯେମିତି କେହି ନ ଚଳାଇଲେ ସେ ବନ୍ଦ ରହିଥାଏ, ମଣିଷକୁ ସେମିତି କେହି ବନ୍ଦ ନ କଲେ ସେ ଚାଲୁଥାଏ । ଖୁବ୍‌ ଥକ୍କା ହୋଇପଡ଼ିଲେ ଦେହର ସ୍ନାୟୁ ଓ ମାଂସପେଶୀରେ ମଇଳା ଜମିଯାଏ, ତେଣୁ ମଣିଷ କାମ ବନ୍ଦ ରଖିବାକୁ ବାଧ୍ୟ ହୁଏ । ସମୟକ୍ରମେ ସ୍ନାୟୁ ଓ ମାଂସପେଶୀ ପୁଣି ତାଜା ହୋଇଉଠେ ଓ ମଣିଷ ବିଶ୍ରାମ ଶେଷକରି ପୁଣି କାମ କରେ । ତେବେ ବିଶ୍ରାମ ମନୁଷ୍ୟର ସ୍ୱାଭାବିକ ଅବସ୍ଥା ନୁହେଁ । ମସ୍ତିଷ୍କର ସ୍ନାୟୁଗୁଡ଼ିକର ମଧ୍ୟ ସେହି ପ୍ରକୃତି । ସେଗୁଡ଼ିକ ପାରିପାର୍ଶିକ ଘଟଣାଦ୍ୱାରା ଉତ୍ତେଜିତ ନ ହେଲେ ମଧ୍ୟ ଆପେ ଆପେ ଏକପ୍ରକାର ନିୟମାନୁବର୍ତ୍ତିତାରେ ଉତ୍ତେଜିତ ହୋଇ କାମ କରନ୍ତି । ଏ କଥା ଆମେ ଖୁବ୍‌ ଅଳ୍ପଦିନ ହେଲା ଗବେଷଣାରୁ ଜାଣିପାରିଛୁ ।

 

ମନ ବିଷୟରେ ମୋଟାମୋଟି ଗୋଟାଏ ଧାରଣା ହେଲାପରେ ମାନସିକ ବ୍ୟାଧି କଥା ଆଉଟିକେ ଭଲକରି ଆଲୋଚନା କରାଯାଉ । ମାନସିକ ବ୍ୟାଧିର ଲକ୍ଷଣ ହେଲା ମାନସିକ କାର୍ଯ୍ୟକଳାପରେ ତ୍ରୁଟି ଓ ଅବ୍ୟବସ୍ଥା ଦେଖାଯିବା । ମନକୁ ଦେହର ଏକପ୍ରକାର ଶକ୍ତି ବୋଲି ଆମେ ଧରିନେଇଛୁ । ତେଣୁ ମାନସିକ ବ୍ୟାଧି କେବଳ ମାନସିକ ନା କେବଳ ଶାରୀରିକ କାରଣଯୋଗୁଁ ହୁଏ, ପଚାରିବା ଠିକ୍‌ ହେବନାହିଁ । ବ୍ୟାଧିର କାରଣ ଯାହାହେଉ ନା କାହିଁକି; ମାନସିକ ବ୍ୟାଧିରେ ଦେହ ଓ ମନ ଉଭୟେ ଆକ୍ରାନ୍ତ ହୁଅନ୍ତି । ଏଠାରେ ପ୍ରଶ୍ନ ଉଠିପାରେ-ତେବେ ଶାରୀରିକ ରୋଗଠାରୁ ଏହା କେଉଁ ଗୁଣରେ ଅଲଗା । ଯକ୍ଷ୍ମା, କ୍ୟାନ୍ସର୍‌ ଓ ଟାଇଫଏଡ଼ ପ୍ରଭୃତି ରୋଗରେ କ’ଣ ମାନସିକ ଅସୁସ୍ଥତା ପରିଲକ୍ଷିତ ହୁଏନାହିଁ । ନିଶ୍ଚୟ ହୁଏ । ତେବେ ଶାରୀରିକ ରୋଗରେ ସ୍ପଷ୍ଟଭାବରେ ଦୈହିକ ବିକୃତି ଦେଖାଯାଏ । ଅଧିକାଂଶ ମାନସିକ ରୋଗରେ ନୈତିକ ବିକୃତି ମୁଖ୍ୟ ସ୍ଥାନ ଅଧିକାର କରେନାହିଁ । ଯକ୍ଷ୍ମାରେ ଫୁସ୍‌ଫୁସ୍‌ ଜୀବାଣୁଗ୍ରସ୍ତ ହୋଇ ଠିକ୍‌ କାମ କରେନାହିଁ । କ୍ୟାନ୍ସର୍‌ରେ ଦେହର ଭିତରେ ବା ବାହାରେ ମାରାତ୍ମକ କ୍ଷତ ଦେଖାଯାଏ । କିନ୍ତୁ ଅଧିକାଂଶ ମାନସିକ କ୍ରିୟାପ୍ରକ୍ରିୟାର ଅନିୟମିତତା ହିଁ ଏକମାତ୍ର ସ୍ପଷ୍ଟ ଲକ୍ଷଣ, ଦୈହିକ ବିକୃତି ତା’ପରେ ଦେଖାଦେଇପାରେ । ମଟରଗାଡ଼ିସଙ୍ଗେ ତୁଳନା କଲେ ଦୈହିକ ରୋଗ ହେଲା ଗିଅର, ଆକ୍ସିଲରେଟର ବା ଚକ ଖରାପ ହେବ । ଏଥର କୌଣସିଟି ଖରାପ ହେଲେ ମଟର ଠିକ୍‌ ଚାଲିବ ନାହିଁ । ସେହିପରି ଟାଇଫଏଡ଼୍‌ ବା ଯକ୍ଷ୍ମା ହେଲେ ମନ ସ୍ୱାଭାବିକ ଅବସ୍ଥାରେ ରହିପାରିବ ନାହିଁ । କିନ୍ତୁ ମଟରଗାଡ଼ି ସହିତ ମାନସିକ ରୋଗର ତୁଳନା ଠିକ୍‌ ଭାବରେ ହେବା କଷ୍ଟ । ଯଦି ମଟରଗାଡ଼ି ଠିକ୍‌ ଚାଲୁ ନ ଥାଏ, ଅଥଚ ଇଞ୍ଜିନ ବା ଅନ୍ୟାନ୍ୟ ଅଂଶରେ କୌଣସି ଗୋଳମାଳ ଦେଖାପଡ଼ୁ ନଥାଏ, ତେବେ ହୁଏତ ମାନସିକ ରୋଗ ମଟରଗାଡ଼ିକୁ ହୋଇଛି ବୋଲି କୁହାଯିବ । କିନ୍ତୁ ଏହା ତ କେବେ ସମ୍ଭବପର ନୁହେଁ-କାରଣ ମଟର ଠିକ୍‌ ନ ଚାଲୁଥିଲେ ଇଞ୍ଜିନ୍‌ ବା ମଟରର ଅନ୍ୟ ଜାଗାରେ ନିଶ୍ଚୟ ଗୋଳମାଳ ଥିବବୋଲି ଧରିନେଉ । କେଉଁଠି ଖରାପ ହୋଇଛି, ତାହା ଆଖିରେ ନ ପଡ଼ିଲେ ଇଞ୍ଜିନ କିମ୍ୱା ବଡ଼ି ଯେ ନିଶ୍ଚୟ ଖରାପ ହୋଇଛି, ଏଥିରେ ସନ୍ଦେହ ହୁଏନାହିଁ । ହୁଏତ ସେହିପରି ମାନସିକ ବ୍ୟାଧିର ଶାରୀରିକ କାରଣଗୁଡ଼ିକ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେଣୁ ଆମେ ବୋଧହୁଏ କହୁ ଯେ, ଶାରୀରିକ କାରଣବିନା ମାନସିକ ବିକୃତି ଦେଖାଯାଉଛି । ଏମିତି ହୋଇପାରେ ଯେ, ବିଜ୍ଞାନର ଉନ୍ନତି ସଙ୍ଗେ ସଙ୍ଗେ ଆମେ ଆହୁରି ସୂକ୍ଷ୍ମ ଉପାୟ ସାହାଯ୍ୟରେ ଏ ଶାରୀରିକ ଅସ୍ୱାଭାବିକତା ଦେଖିପାରିବା । ସେତେବେଳେ ବୋଧହୁଏ ମାନସିକ ରୋଗର ସଂଜ୍ଞା ବଦଳିଯିବ । ସେ ଯାହାହେଉ, ବର୍ତ୍ତମାନପାଇଁ ଆମେ ଅର୍ଦ୍ଧପଣ୍ଡିତ ଭାବରେ ମାନିନେଉଛୁ ଯେ, ମାନସିକ ରୋଗରେ ଶାରୀରିକ କ୍ଷତି ଅତ୍ୟନ୍ତ ଗୌଣ ଏବଂ ମାନସିକ ବ୍ୟାଧିରେ ଦେଖାଯାଉଥିବା ମାନସିକ କ୍ରିୟା-ପ୍ରକ୍ରିୟାରେ ବ୍ୟତିକ୍ରମ ଶାରୀରିକ କାରଣରୁ ଘଟିନାହିଁ ।

 

ସମୟକ୍ରମେ ମାନସିକ ରୋଗର ଶାରୀରିକ କାରଣ ମିଳିବ ବୋଲି ଆଶା କରାଯାଉଛି-। କିନ୍ତୁ ଫ୍ରଏଡ଼୍‍ ଏହାର ସମ୍ପୂର୍ଣ୍ଣ ବିପକ୍ଷରେ । ଫ୍ରଏଡ଼୍‍ଙ୍କ ମତରେ ମାନସିକ ବ୍ୟାଧିର କାରଣ କେବଳ ମାନସିକ; ଅର୍ଥାତ୍‌ ମଣିଷର ମନ ଓ ବ୍ୟକ୍ତିତ୍ୱର ବିକାଶରେ ଦୋଷ ଥିବାହେତୁ ମାନସିକ ବ୍ୟାଧି ଦେଖାଯାଏ । ମନବିଶ୍ଳେଷଣ କରି ଫ୍ରଏଡ଼୍‍ ଏ ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ସେ ଅନେକ ବହି ଲେଖିଛନ୍ତି; କିନ୍ତୁ ସଂକ୍ଷିପ୍ତରେ ତାଙ୍କର ମତବାଦ ଏଠାରେ ବିଚାର କରିବାକୁ ପଡ଼ିବ-। ଫ୍ରଏଡ଼୍‍ ମଣିଷର ମନକୁ କେତେକ ମୁଖ୍ୟ ଭାଗରେ ବିଭକ୍ତ କରିଛନ୍ତି । ଗୋଟିଏ ଭାଗରେ ମଣିଷର ମନ ତିନି ସ୍ତରରେ ଥାଏ-ନିର୍ଜ୍ଞାନ, ଅଳ୍ପାଂଶରେ ସଜ୍ଞାନ । ନିର୍ଜ୍ଞାନରେ ଆମର ବହୁତ ଇଚ୍ଛା ଓ କାମନାରହେ; ଏସବୁ ସାଧାରଣତଃ ସମାଜବିରୋଧୀ । ଯାହା ସଜ୍ଞାନରେ ରହିବା ଅନୁପଯୋଗୀ, ଯେଉଁ ଭାବନା ଓ କାମନା ଅନୀପ୍ସିତ, ସେ ସବୁ ନିର୍ଜ୍ଞାନର ଅନ୍ଧକାର ଗୁମ୍ଫାକୁ ଠେଲି ଦିଆହୁଏ-। ତେଣୁ ମଣିଷର ଆଦିମ ପ୍ରବୃତ୍ତିର ବାସସ୍ଥଳ ହେଲା ନିର୍ଜ୍ଞାନ । ଫ୍ରଏଡ଼୍‍ଙ୍କର ସଜ୍ଞାନ-ନିର୍ଜ୍ଞାନ ତତ୍ତ୍ୱ ସହିତ ତାଙ୍କର ଇଡ଼୍‌, ଇଗୋ ଓ ସୁପର ଇଗୋ ଧାରଣା ଅତି ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ-। ଇଡ଼୍‌ର ବାସସ୍ଥଳି ନିର୍ଜ୍ଞାନରେ ଏବଂ ପ୍ରକୃତରେ ଇଡ଼୍‌ ମଣିଷର ଆଦିମ ଅନ୍ଧ ପ୍ରବୃତ୍ତିର ଗନ୍ତାଘର-। ସୁପର ଇଗୋ ସାଧାରଣତଃ କିଛି ଅଂଶ ନିର୍ଜ୍ଞାନ ଓ କିଛି ସଜ୍ଞାନ । ଏହା ଆମର ବିବେକ ସଙ୍ଗେ ତୁଳନୀୟ-। ଇଗୋ, ଇଡ଼୍‌ ଓ ସୁପର ଇଗୋ ଭିତରେ ମଧ୍ୟସ୍ଥତା କରି ଘୂରିବୁଲେ । ଏହା ବାସ୍ତବ ଜଗତ ସଙ୍ଗେ ଯୋଗାଯୋଗ ରଖେ । ଏ ଆଦିମ ପ୍ରବୃତ୍ତି ସବୁବେଳେ ସଜ୍ଞାନକୁ ଆସିବାର ଚେଷ୍ଟା କରନ୍ତି-। ଯେତେବେଳେ ଇଗୋ ଆଉ ଇଡ଼୍‌ ପ୍ରଭୃତ୍ତିକୁ ମୋଟେ ଚପେଇ ରଖିପାରେ ନାହିଁ, ମଣିଷ ଆଡ଼ପାଗଳା ବା ପାଗଳା ହୋଇଯାଏ । ଏଣୁ ଫ୍ରଏଡ଼୍‍ଙ୍କ ମତରେ ମାନସିକ ବ୍ୟାଧି କେବଳ ମାନସିକ କାରଣ ଯୋଗୁଁ ହୁଏ । ଫ୍ରଏଡ଼୍‍ଙ୍କ ମତବାଦ ଖୁବ୍‌ ବିଖ୍ୟାତ ଓ ସର୍ବସାଧାରଣଙ୍କ ଦ୍ୱାରା ଆଦୃତ । ବହୁତ ମନୋବୈଜ୍ଞାନିକ ଏହାର ସପକ୍ଷରେ । କିନ୍ତୁ ତଳେଇ କରି ଦେଖିବାକୁ ଗଲେ ଫ୍ରଏଡ଼୍‌ଙ୍କର ଇଡ଼, ଇଗୋ ଓ ସୁପର୍‍-ଇଗୋର ଶାରୀରିକ ସ୍ଥିତି ନାହିଁ । ଅର୍ଥାତ୍‌ ସେଗୁଡ଼ିକ ପ୍ରତ୍ୟକ୍ଷ ବା ପରୋକ୍ଷରେ ଦେଖାଯାଇ ପାରିବେ ନାହିଁ । ସେଥିପାଇଁ ଏଗୁଡ଼ିକ ଠିକ୍‌ କି ଭୁଲ୍‌, ତାହା ବୈଜ୍ଞାନିକ ରୀତିରେ ପରୀକ୍ଷା କରାଯାଇ ପାରିବ ନାହିଁ । ଆଉ ଯାହା ପରୀକ୍ଷିତ ହୋଇପାରିବ ନାହିଁ; ତାହାକୁ ବିଜ୍ଞାନ ବୋଲି କୁହାଯାଏ ନାହିଁ । ଏହି ହେତୁ ଫ୍ରଏଡ଼୍‌ଙ୍କର ମତବାଦ ଯେତେ ଲୋକପ୍ରିୟ ଓ ଶ୍ରୁତିରୋଚକ ହେଉ ନା କାହିଁକି, ଏହା ଉପରେ ବୈଜ୍ଞାନିକର ଆସ୍ଥା ରହିବା କଷ୍ଟକର-

Image